Unknown

 

 

 

 

 

 

 

 

 

 

 

ରକ୍ତଗୋଲାପର ରକ୍ତସ୍ରୋତ

ଶ୍ରୀଧର ମହାପାତ୍ର

 

ପଚିଶ ବର୍ଷ ପରେ

 

ମୋ ନାମରେ ଏ ଉପନ୍ୟାସଟି ଦେଖି କେତେକ ପରିଚିତ ବନ୍ଧୁ ବିସ୍ମୟ ପ୍ରକାଶ କରିପାରନ୍ତି–କେତେକ ହସି ଉଠି ପାରନ୍ତି ମଧ୍ୟ । କାରଣ ଲେଖକ–ବିଶେଷତଃ ଉପନ୍ୟାସ ଲେଖକ ହେବା ପାଇଁ ଆବଶ୍ୟକ ମାଲମସଲା ମୋଠାରେ ନାହିଁ । ତେଣୁ ସେହିଭଳି ବନ୍ଧୁମାନଙ୍କ ପାଇଁ ଏ କେତୋଟି ଧାଡ଼ି ଲେଖୁଛି ।

 

ଆଜିକୁ ଠିକ୍ ପଚିଶ ବର୍ଷ ତଳେ ମୁଁ ଏ ବହି ଖଣ୍ଡିକ ଲେଖିଥିଲି; ଉଦ୍ଦାମ ଯୌବନର ପ୍ରେରଣାରେ ନୁହେଁ–ସେଭଳି ଅବସ୍ଥା ମୋ ଜୀବନରେ କେବେ ଆସିଛି ବୋଲି ମନେ ନାହିଁ–ଔପନ୍ୟାସିକ ଶ୍ରୀ ରାମପ୍ରସାଦ ସିଂହଙ୍କ ପ୍ରୋତ୍ସାହନରେ । ସେ ସେତେବେଳେ ଥାନ୍ତି ଆଶା ପ୍ରେସ୍‍ରେ । ମୁଁ ମଧ୍ୟ ବ୍ରହ୍ମପୁରର ଗୋଟିଏ ପ୍ରେସ୍‍ରେ କାମ କରୁଥାଏ । ଉଭୟେ ଶ୍ରୀ ବୃନ୍ଦାବନ ପାଳଙ୍କର ଗୋଟିଏ ବସାଘରେ ଥାଉ । ସେହି ସମୟରେ ସ୍ୱର୍ଗତ ବାଳକୃଷ୍ଣ ବାବୁଙ୍କ ‘ଆନନ୍ଦଲହରୀ ଉପନ୍ୟାସମାଳା’ ଦେଖି ଏବଂ ଠିକ୍ ଏତିକିବେଳେ ବୃନ୍ଦାବନ ବାବୁ ଗୋଟିଏ ପୁରୁଣା ହାତଚଲା ପ୍ରେସ୍ କିଣି ଆଣିବାରୁ ଏକ ମାସିକ ଉପନ୍ୟାସ-ପତ୍ରିକା ପ୍ରକାଶ କରିବାର ଯୋଜନା ହେଲା ଆମ ତିହ୍ନିଙ୍କ ଭିତରେ । ରାମପ୍ରସାଦ ବାବୁ ହେଲେ ‘ଯୁବକ’ ପତ୍ରିକାର ସମ୍ପାଦକ, ମୋର ଅପରିଣତ କଲମ ଲେଖିଲା ଉପନ୍ୟାସ-‘ରକ୍ତ ଗୋଲାପ’ । ପତ୍ରିକାର ତିନୋଟି ସଂଖ୍ୟାରେ ଏହା ପ୍ରକାଶ ପାଇଲା । କିନ୍ତୁ ଆଉ ଗୋଟିଏ ଦୁଇଟି ସଂଖ୍ୟା ପ୍ରକାଶ ପାଇବା ପରେ ‘ଯୁବକ’ର ମୃତ୍ୟୁ ହେଲା–ମୋର ଉପନ୍ୟାସ ଲେଖାର ଇତିଶ୍ରୀ ହେଲା ଏବଂ ‘ରକ୍ତ ଗୋଲାପ’ର ମୁଦ୍ରିତ କପିଗୁଡ଼ିକ ଶେଷ ହୋଇଗଲା ।

 

ଏହା ପରେ ୧୯୩୭-୩୮ ବେଳକୁ ସଂସ୍କୃତ ଗ୍ରନ୍ଥର ଅନୁସରଣରେ ‘‘ଦଣ୍ଡୀଙ୍କ ଦଶକୁମାର ଚରିତ’’ ଲେଖାରେ ମୁଁ ଲାଗିଲି । ସେତେବେଳକୁ ଭୁତପୂର୍ବ ଷ୍ଟୁଡେଣ୍ଟସ୍ ଷ୍ଟୋରର ପରିଚାଳନା ଓ ପ୍ରକାଶନ ଭାର ମୁଁ ନେଇ ସାରିଥାଏ । କିନ୍ତୁ ଦଶକୁମାର ଚରିତ ଲେଖା ସରିଲା ବେଳକୁ ଦ୍ୱିତୀୟ ମହାସମରର ଆରମ୍ଭ ଯୋଗୁଁ କାଗଜ ଦୁର୍ଭିକ୍ଷ ଦେଖାଦେଲା । ଫଳରେ ‘ରକ୍ତଗୋଲାପ’ ର ପୁନର୍ମୁଦ୍ରଣ ଦୂରେ ଥାଉ ‘ଦଶକୁମାର ଚରିତ’ ଖଣ୍ଡିକ ୧୯୪୯ ପୂର୍ବରୁ ପ୍ରକାଶ କରିପାରିଲି ନାହିଁ ।

 

ତାପରେ ନାନା ବିପର୍ଯ୍ୟୟ ଭିତର ଦେଇ ମୋତେ ଗତି କରିବାକୁ ହେଲା । ସେଇ ଧକ୍‍କାରେ ଉପନ୍ୟାସ ପ୍ରକାଶ କରିବା ଭଳି ସୁବିଧା ବା ସଉକ ଲୋପ ପାଇଲା । ଆଜିର ‘ରକ୍ତଗୋଲାପର ରକ୍ତସ୍ରୋତ’ ପୂର୍ବୋକ୍ତ ‘ରକ୍ତଗୋଲାପ’ର ସାମାନ୍ୟ ପରିବର୍ତ୍ତିତ ସଂସ୍କରଣ ମାତ୍ର । ସୁତରାଂ ଏଥିରୁ ଆଧୁନିକ ପାଠକପାଠିକାଗଣ ଯୁଦ୍ଧୋତ୍ତର ଯୁଗର ଭାଷା, ଭାବ ବା ଚାକଚକ୍ୟ ଖୋଜି ବସିଲେ ନିଜେ ତ ହତାଶ ହେବେ, ମୁଁ ମଧ୍ୟ ଲଜ୍ଜିତ ହେବି ।

 

ଆଉ ମଧ୍ୟ କହିରଖୁଛି–ଏ ଲେଖାର ସମସ୍ତ ବିଷୟବସ୍ତୁ ମୋ ନିଜସ୍ଵ ନୁହେଁ । ଏହାର ଐତିହାସିକ ଭିତ୍ତି କେତେକାଂଶରେ ସ୍ୱର୍ଗତ ତାରିଣୀଚରଣ ରଥଙ୍କ ପ୍ରଣୀତ ‘ଗୁମୁସରର ଇତିହାସ’ରୁ ସଂଗୃହୀତ ହୋଇଛି ଏବଂ ପ୍ଲଟ୍‍ର ଉତ୍ତରାର୍ଦ୍ଧ ପ୍ରସିଦ୍ଧ ଔପନ୍ୟାସିକ Anthony Hopeଙ୍କର ଗୋଟିଏ ଉପନ୍ୟାସରୁ ଗ୍ରହଣ କରିଛି ଏଥିପାଇଁ ମୁଁ ସେମାନଙ୍କ ନିକଟରେ ଋଣୀ ।

 

ଆଶ୍ଵିନ, ୧୯୫୮

ଶ୍ରୀଧର ମହାପାତ୍ର

Image

 

ଏକ

 

ହରିପୁର ଦୁର୍ଗ ସୁନ୍ଦରଗଡ଼ ରାଜ୍ୟର ଦକ୍ଷିଣ ସୀମାରେ ଅବସ୍ଥିତ । ଏଠାରୁ ରାଜଧାନୀ ସୁନ୍ଦରଗଡ଼ ଚାରିକୋଶ ବାଟ । ହରିପୁରର ଉତ୍ତର ଦିଗରେ ସ୍ଵଚ୍ଛନୀରା ଋଷିକୂଲ୍ୟା ଏବଂ ଅନ୍ୟ ତିନିପାଖେ ଅନୁଚ୍ଚ ପର୍ବତଶ୍ରେଣୀ ଏହାକୁ ଘେରି ରହିଥିବାରୁ ଦୁର୍ଗଟି ଯେପରି ନିରାପଦ ସେହିପରି ଆମୋଦପ୍ରଦ ବୋଧହୁଏ ।

 

ପଶ୍ଚିମ ଦିଗର ପାହାଡ଼ଶ୍ରେଣୀ ମଧ୍ୟରେ ହାତୀମୁଣ୍ଡା ପାହାଡ଼ ହରିପୁରଠାରୁ ପ୍ରାୟ କୋଶେ ବାଟ ହେବ । ଅନ୍ୟ ପାହାଡ଼ଗୁଡିକ ଅପେକ୍ଷା ଏହା ଅଧିକ ବୃକ୍ଷଲତାଚ୍ଛାଦିତ । ତେଣୁ ଦେଖିବାକୁ ବେଶ୍ ମନୋରମ । ଏହାର ଶିଖରଦେଶରେ ସୁନ୍ଦରଗଡ଼ ରାଜାଙ୍କର ଶିକାର-ଘର ଅବସ୍ଥିତ ।

 

ସୁନ୍ଦରଗଡ଼ର ରାଜା ଦୀନବନ୍ଧୁ ନରେନ୍ଦ୍ର ରାଏ ସ୍ୱର୍ଗାରୋହଣ କରିବା ପରେ ଯୁବରାଜ ଆଦିତ୍ୟପ୍ରତାପ ଯେଉଁଦିନ ସିଂହାସନରେ ଅଭିଷକ୍ତ ହେବାକଥା, ତାର ଦୁଇଦିନ ଆଗରୁ ଶିକାର ଉଦ୍ଦେଶ୍ୟରେ ହରିପୁର ଯାତ୍ରା କରିଥିଲେ । ସାଙ୍ଗରେ ଥିଲେ ଦିବାନ ବିନୋଦ ସିଂହ ଏବଂ ସେନାପତି ରାଜନ ସୁନ୍ଦରା ।

 

ସେଦିନ ଆଦିତ୍ୟପ୍ରତାପ ପାରିଧିରୁ ଫେରି ସ୍ନାନପୂଜାଦି ନିତ୍ୟକର୍ମ ସମାପନାନ୍ତେ ମଣୋହିରେ ବସିଛନ୍ତି, ହଠାତ୍ କାହିଁକି ତାଙ୍କ ମୁଣ୍ଡ ବୁଲେଇ ହେଲା ଏବଂ ଦେହ ଗୋଟାଯାକ ଝିମି ଝିମି ମାରିଗଲା । ତାଙ୍କୁ ଜଣାଗଲା ସତେ ଯେପରି ସମଗ୍ର ଶରୀର ଅବଶ ହୋଇ ଯାଉଛି । ସେ ଉଠିଯିବାକୁ ଚେଷ୍ଟାକଲେ; କିନ୍ତୁ ତା ପୂର୍ବରୁ ଅଚେତା ହୋଇ ପଡ଼ିଗଲେ ।

 

ଏ ସମ୍ବାଦ ପାଇ ବିନୋଦ ଓ ରାଜନ ଧାଇଁ ଆସିଲେ । ଦେଖିଲେ, ଅବସ୍ଥା ବଡ଼ ଶୋଚନୀୟ ହୋଇପଡ଼ିଛି । ଯୁବରାଜଙ୍କ ମୁଖ ରକ୍ତହୀନ–ହସ୍ତପଦ ନୀଳାଭ–ନାଡ଼ୀର ଗତି ମନ୍ଥର–ହୃଦ୍‍ଯନ୍ତ୍ରର କମ୍ପନ ଅସ୍ପଷ୍ଟ ।

 

ଆଦିତ୍ୟଙ୍କୁ ପଲଙ୍କ ଉପରକୁ ଟେକିନେଇ ବିନୋଦ ପ୍ରାଥମିକ ଚିକିତ୍ସା କରିବାକୁ ଲାଗିଲେ । ସେ ଭାବିଥିଲେ, ଅତ୍ୟଧିକ ପରିଶ୍ରମ ଫଳରେ ଏ ଦୁର୍ଘଟଣା ଘଟିଛି । କିନ୍ତୁ ପରମୁହୂର୍ତ୍ତରେ ସେ ନିଜର ଭୁଲ ବୁଝି ପାରିଲେ । ସେ ଯୁବରାଜଙ୍କ ଖାଦ୍ୟର ଅବଶିଷ୍ଟାଂଶ ପରୀକ୍ଷା କରି ଦେଖିଲେ, ସେଗୁଡ଼ାକ ଭୟଙ୍କର ବିଷମିଶ୍ରିତ ।

 

ବିନୋଦ, ରାଜନଙ୍କ ବ୍ୟତୀତ ଅନ୍ୟ କାହାକୁ ଏ କଥାର ସୂଚନା ସୁଦ୍ଧା ଦେଲେ ନାହିଁ । ସେ ନିଜେ ବିଷର ବହୁବିଧ ପ୍ରତିକାର ଜାଣନ୍ତି । ସେ ସଙ୍ଗେ ସଙ୍ଗେ ଯଥାସାଧ୍ୟ ଚିକିତ୍ସା କରିବାକୁ ଲାଗିଲେ । କିଛି ସମୟ ପରେ ଅବସ୍ଥା ସାମାନ୍ୟ ପରିବର୍ତ୍ତିତ ହେବାର ଦେଖାଗଲା । ବିନୋଦ ପୁଣି ନାଡ଼ୀ ପରୀକ୍ଷା କରି କହିଲେ, ‘‘ନା, ଏଣିକି ଆଉ ଭୟ ନାହିଁ । କିନ୍ତୁ–’’

 

ରାଜନ ଯୁବରାଜଙ୍କର ନିକଟରେ ରହି ଶୁଶ୍ରୂଷା କରୁଥିଲେ । ତାଙ୍କ ଦେହରେ କିପରି ଗୋଟାଏ ଛନକା ପଶିଯାଇଚି । ସେ ବିନୋଦଙ୍କ ମୁହଁରୁ ଟିକିଏ ଆଶାର ବାଣୀ ଶୁଣି ବ୍ୟଗ୍ର ଭାବରେ କହିପକାଇଲେ–‘‘ପୁଣି କିନ୍ତୁ କ'ଣ ?’’

 

ବିନୋଦଙ୍କ ତମ୍ବାପତ୍ରି ପରି ଝକ୍ ଝକ୍ ମୁହଁଟି ଶୁଭ୍ର ଶ୍ମଶ୍ରୂ ମଧ୍ୟରେ ଏକବାରେ କଳାପଡ଼ି ଯାଇଥିଲା । ସେ ଟିକିଏ ଇତସ୍ତତଃ ହୋଇ କହିଲେ–‘‘କିନ୍ତୁ କ'ଣ ବୁଝିପାରୁ ନାହଁ ? ତେବେ କହୁଛି-’’

 

ବିନୋଦ ଅନ୍ୟ ପରିଚାରମାନଙ୍କୁ ସେଠାରୁ ଦୁରକୁ ଯିବାପାଇଁ ଆଦେଶ କରି, ରାଜନଙ୍କ ନିକଟକୁ ନିଜର ଆସନ ଟାଣି ଆଣି କହିଲେ–‘‘ଆସନ୍ତା କାଲିର କଥା କ'ଣ ହେବ ?’’

 

ରାଜନ ବଡ଼ ହାଲୁକା ଭାବରେ ଉତ୍ତର କଲେ–‘‘ଆସନ୍ତା କାଲି ? ଯଦି ଯୁବରାଜ ସୁସ୍ଥ ସବଳ ହୋଇ ଉଠନ୍ତି ତେବେ ଅଭିଷିକ୍ତ ହେବେ ।’’

 

ବିନୋଦ କହିଲେ–‘‘ନା ଆସନ୍ତା କାଲି ଭିତରେ ତାଙ୍କୁ ଏଠାରୁ ଅନ୍ୟସ୍ଥାନକୁ ନିଆଯାଇ ନ ପାରେ । କାରଣ ଏହା ଏକ ମାରାତ୍ମକ ବିଷ । ତାହାର କ୍ରିୟା ମସ୍ତିଷ୍କକୁ ଏପରି ପ୍ରଭାବିତ କରିଛି ଯେ, ପୂର୍ଣ୍ଣ ଚେତନା ଆସିବା ପୂର୍ବରୁ ତାଙ୍କୁ ଏଠାରୁ ସ୍ଥାନାନ୍ତରିତ କରାଯାଇନପାରେ । ତାହାଦ୍ୱାରା ତାଙ୍କର ସ୍ଥାୟୀ ମସ୍ତିଷ୍କ ବିକାର ଘଟିପାରେ ।’’

 

ରାଜନ କହିଲେ–‘‘ତାହାହେଲେ ଆପଣ ଅଭିଷେକ ବିଧାନ ଅନ୍ୟ ଦିନକୁ ଧାର୍ଯ୍ୟ କରିଦେଇ ପାରନ୍ତି ।’’

 

ଚିନ୍ତିତ ଭାବରେ ବିନୋଦ ଉତ୍ତର କଲେ,–‘‘କିନ୍ତୁ ସେ ପଥ ମଧ୍ୟ ମୋତେ ସେତେ ନିରାପଦ ବୋଧ ହେଉନାହିଁ । କାରଣ ମୁଁ ଅନୁମାନ କରିପାରୁଛି, ଏ ଷଡ଼ଯନ୍ତ୍ର ଭିତରେ ଗୋଟାଏ ସବଳ ହାତ ନିଶ୍ଚୟ ଅଛି । ଏହାର ସୂଚନା ମୁଁ ପୂର୍ବରୁ ସାମାନ୍ୟ ପାଇଥିଲି । ଅବଶ୍ୟ ଏକ୍ଷଣି ନିଶ୍ଚିତ ଭାବରେ କହିପାରିବିନି ହାତଟା କାହାର, କିନ୍ତୁ ମୁଁ ସ୍ପଷ୍ଟ ଦେଖିପାରୁଛି ଆଦିତ୍ୟଙ୍କୁ ସିଂହାସନରୁ ବିଚ୍ୟୁତ କରିବା ପାଇଁ ପୁଣି ଏକ ଭୀଷଣ ଷଡ଼ଯନ୍ତ୍ର ଚାଲିଛି; ଆଉ କାଲି ଯଦି ସେ ସିଂହାସନରେ ବସି ପରଂପରା ଅନୁଯାୟୀ ସମସ୍ତ ରାଜକ୍ଷମତା ହସ୍ତଗତ ନ କରନ୍ତି, ତେବେ କେଉଁ ମୁହୂର୍ତ୍ତରେ କ’ଣ ଘଟିବ, ତାହା ମୁଁ ଅନୁମାନ କରିପାରୁନାହିଁ ।

 

ରାଜନ ମଧ୍ୟ ବିନୋଦଙ୍କ ସହ ଚିନ୍ତାସ୍ରୋତ ମଧ୍ୟରେ ଭାସିବାକୁ ଲାଗିଲେ । ମାତ୍ର କୌଣସିଠାରେ ତାଙ୍କୁ ଥଳକୂଳ ମିଳିଲା ନାହିଁ । ସେ ବିଚଳିତ ହେଲାପରି କହିଉଠିଲେ–‘‘ତେବେ ଆପଣଙ୍କର ମତ ?’’

 

ବୟସର ପ୍ରଭାବରେ ଓହଳି ପଡ଼ିଥିବା ଭ୍ରୂଲତାକୁ କୁଞ୍ଚିତ କରି ବିନୋଦ କହିଲେ, ‘‘ଏସବୁ କଥା କହିଲି ତୁମକୁ ‘କିନ୍ତୁ’ର ଅର୍ଥ ବୁଝାଇବା ପାଇଁ । ବର୍ତ୍ତମାନ ଉଭୟେ ମିଶି ମତ ଗଢ଼ିବାକୁ ହେବ ।"

 

ଉଭୟେ ନୀରବ । ବିନୋଦଙ୍କ ଆଖି ଆଗେ ନାଚିଗଲା ସ୍ୱର୍ଗୀୟ ରାଜା ଦୀନବନ୍ଧୁ ନରେନ୍ଦ୍ରରାଏଙ୍କ ଶେଷ ମୁହୂର୍ତ୍ତର ସେଇ କରୁଣ ଛବି–ସେଇ ଅଶ୍ରୁ ଛଳ ଛଳ ନିଷ୍ପ୍ରଭ ଆଖି ଯୋଡ଼ିକ ସେଇ କାତର ଚାହାଣି–ସେଇ ବାଷ୍ପରୁଦ୍ଧ ହୃଦୟର ଅସ୍ପଷ୍ଟ କଥା। ତାଙ୍କ ଆଖିରେ ଲୁହ ଦେଖାଦେଲା-। କାନେ କାନେ ଯେପରି ସେଇ ଶେଷ ଦୁର୍ବଳ ନିଶ୍ୱାସଟିକ ଦେଇ ଗଢ଼ା ଅସ୍ଫୁଟ କାତରୋକ୍ତିଟି ପ୍ରତିଧ୍ଵନିତ ହୋଇ ଉଠିଲା–‘‘ଭାଇ ବିନୋଦ, ମୋର ଆଦିତ୍ୟ ତୁମକୁ ଲାଗିଲା,–ମୋର ଆଦିତ୍ୟ ତୁମକୁ ଲାଗିଲା ।’’

 

ହଠାତ୍ ବାହାରୁ କିଛି ଶବ୍ଦ ଶୁଣି ବିନୋଦଙ୍କ ଚିନ୍ତାସୂତ୍ର ଛିଡ଼ିଗଲା । ସେ ମୁଣ୍ଡଟେକି ଚାହିଁ ଦେଖିଲେ, ଦୁଆରେ ରଘୁ ଗଡ଼ତିଆ ହାତଯୋଡ଼ି ଠିଆ ହୋଇ କହୁଛି–‘‘ଛାମୁଙ୍କ ଦର୍ଶନ ପାଇଁ ଜଣେ ବିଦେଶୀ–’’

 

ବିନୋଦ ବିସ୍ମିତ ହୋଇ କହିଲେ–‘‘ବିଦେଶୀ ! କେଉଁଠାରେ ବିଦେଶୀ ?’’

 

ରଘୁ–‘‘ହଜୁର, ସେ କହିଲେ, ବାଣପୁରରୁ ଆସିଛନ୍ତି ।’’

 

ବିନୋଦ ଚମକି ପଡ଼ିଲେ । ‘ବାଣପୁର’ ଏକଥା ସ୍ଵତଃ ଯେପରି ତାଙ୍କ ତୁଣ୍ଡରୁ ଅନିଚ୍ଛାସତ୍ତ୍ୱେ ପ୍ରତିଧ୍ଵନିତ ହୋଇଉଠିଲା । ଛାତି ଦମ୍ ଦମ୍ କମ୍ପିବାକୁ ଲାଗିଲା । ସେ ଉଠିପଡ଼ି କ୍ଷିପ୍ର ପଦକ୍ଷେପରେ ସିଂହଦ୍ୱାର ଆଡ଼କୁ ଗଲେ । ଉପସ୍ଥିତ ଦୁର୍ଘଟଣା ଭିତରେ ବାଣପୁରରୁ ଜଣେ ଅତିଥିର ଆଗମନ ତାଙ୍କୁ ଅଧିକ ବିବ୍ରତ କରିପକାଇଲା ।

 

ଆଗନ୍ତୁକ ସୁପୁରୁଷ, ଯୁବକ, ଅଶ୍ୱରୁ ଅବତରଣକରି ସିଂହଦ୍ୱାରରେ ଅପେକ୍ଷା କରିଛନ୍ତି । ଖରାରେ ଗୋରା ମୁହଁଟି ଲାଲ ପଡ଼ିଯାଇଛି । ବେଶଭୂଷା ଏବଂ ଆକୃତି ପ୍ରକୃତିରୁ ଉଚ୍ଚ ବଂଶଜ ବୋଲି ବୋଧ ହେଉଥିଲେ ।

 

ବିନୋଦ ଆଗନ୍ତୁକଙ୍କୁ ଦେଖିବାମାତ୍ରେ ପାଗଳ ଭଳି ତାଙ୍କୁ କୁଣ୍ଢେଇ ପକେଇଲେ । ମୁହୂର୍ତ୍ତକ ମଧ୍ୟରେ ତାଙ୍କ ଚକ୍ଷୁ ଲୋତକସିକ୍ତ ହୋଇ ପଡ଼ିଲା । ସେ ଗଦ୍ ଗଦ୍ କଣ୍ଠରେ କହି ପକାଇଲେ–‘‘ଗଗନ ! ଗଗନ ! ଅନେକ ଦିନ ହେଲା ମୋର ପ୍ରାଣ ଯେପରି ପ୍ରତି ନିମିଷରେ ତୁମରି ଅପେକ୍ଷାରେ ଥାଏ । ପ୍ରତିଦିନ ଇଚ୍ଛା ହୁଏ ଥରେ ଏ ଦୂରପଥ ଅତିକ୍ରମ କରି ତୁମକୁ ଦେଖି ଆସନ୍ତି । ମାଆଙ୍କଠାରୁ କ୍ଷମାଭିକ୍ଷା କରି ଆସନ୍ତି । କିନ୍ତୁ ତାହା ହେଲା ନାହିଁ । ରାଜକାର୍ଯ୍ୟ ମୋତେ ଆଜୀବନ ବନ୍ଦୀ କରି ରଖିଲା । ସେ ଦେବୀ, ଦେବତାଙ୍କ ଆହ୍ୱାନରେ ଚାଲିଗଲେ ସେଇ ଅମର ଦେଶକୁ । କହ ଭାଇ, ତୁମେ ମୋତେ କ୍ଷମା ଦେଇଛ ତ ? ମୋରି ଯୋଗୁଁ ତୁମେ ଯେ ଯାତନା ଭୋଗ କରିଛ, ତାହା କ୍ଷମଣୀୟ ତ ?’’

 

ଆଗନ୍ତୁକ ନିସ୍ତବ୍‍ଧ । ଏସବୁ ଅଭିନୟର କୌଣସି ଅର୍ଥ ସେ ବୁଝି ପାରିଲେ ନାହିଁ । ଏଠାରେ ତାଙ୍କର ଏ କିଏ, ଏଡ଼େ ଆତ୍ମୀୟତା ପ୍ରକାଶ କରୁଛନ୍ତି ? କେବଳ ପକ୍ୱଶ୍ମଶ୍ରୁ ଏବଂ ଆପାତତଃ ଆତ୍ମୀୟତାର ଅନୁରୋଧରେ ବୃଦ୍ଧ ବିନୋଦଙ୍କୁ ନମସ୍କାର କରି କାଷ୍ଠପୁତ୍ତଳିକା ପରି ଠିଆହୋଇ ରହିଲେ । ଆଖି ଦୁଇଟା ବିନୋଦଙ୍କର ହର୍ଷ ବିଷାଦ ବୋଳା ମୁଖମଣ୍ଡଳ ଉପରେ ନିର୍ନିମେଷ ଭାବରେ ଆବଦ୍ଧ ରହିଥାଏ ।

 

ବିନୋଦ ପୁଣି କହିଲେ–‘‘ଆସ ଗଗନ, ତୁମେ ମୋତେ ଏହିକ୍ଷଣି ଚିହ୍ନିପାରିବ ନାହିଁ । ଭିତରକୁ ଆସ । ବହୁତ କଥା କହିବାକୁ ଅଛି ।’’

 

ଗଗନଙ୍କୁ ଏସବୁ ଏକ ଅଖଣ୍ଡ ସ୍ଵପ୍ନ ପରି ବୋଧ ହେଉଥାଏ । ସେ ମନ୍ତ୍ରମୁଗ୍‍ଧ ପରି ବିନୋଦଙ୍କ ପଛେ ପଛେ ଚାଲିଲେ ।

 

ବିନୋଦ ଗଗନଙ୍କ ସହ ଯୁବରାଜଙ୍କ ନିକଟକୁ ଫେରି ଆସିଲାବେଳକୁ ରାଜନ ଚିନ୍ତା ମଗ୍ନ । ସେ ମୁଣ୍ଡ ପୋତି ବସିଥିଲେ । ପଦଶବ୍ଦ ଶୁଣି ମୁଣ୍ଡ ଟେକି ଦେଖିଲେ, ବିନୋଦ ସତେ ଯେପରି ଯୁବରାଜଙ୍କ ହାତଧରି କୋଠରୀ ଭିତରକୁ ପଶିଯାଉଛନ୍ତି । ସେ ବିସ୍ମୟରେ ଠିଆ ହୋଇପଡ଼ି ପଲଙ୍କ ଉପରକୁ ଚାହିଁଲେ । ରାଜନଙ୍କ ଭାବ ଲକ୍ଷ୍ୟ କରିପାରି ବିନୋଦ କହିଲେ–‘‘ରାଜନ, ତୁମ ବିସ୍ମୟର କାରଣ ମୁଁ ଜାଣି ପାରିଛି । ତୁମେ ସେତେବେଳକୁ ସୈନ୍ୟ ବିଭାଗରେ ପ୍ରଥମେ ପ୍ରବେଶ କରିଥିଲ । ଆଉ, ସେ କଥା ପରେ କହିବି । ବର୍ତ୍ତମାନ ତୁମେ ଏତିକି ଜାଣିଲେ ଯଥେଷ୍ଟ ହେବ ଯେ, ଏହାଙ୍କ ନାମ ଗଗନବିହାରୀ ନରେନ୍ଦ୍ର ରାଏ । ବାଣପୁରର ଜଣେ ଅଧିବାସୀ-।’’

 

ରାଜନ ଏ କଥାରୁ ଆଉ ଅଧିକ କିଛି ଅନୁମାନ କରିପାରିଲେ ନାହିଁ । ସେ ଗଗନଙ୍କୁ ବସିବା ପାଇଁ ଗୋଟିଏ ଆସନ ଦେଖାଇ ଦେଇ ନିଜେ ବସିଲେ । ବିନୋଦ ଗଗନଙ୍କ ପାଖରେ ବସିଲେ ।

 

ଗଗନ ନିଜର ଗୋଟିଏ ରହସ୍ୟ ଜାଲ ମୋଚନ କରିବାକୁ ଏଠାକୁ ଆସିଥିଲେ । କିନ୍ତୁ ସେ ଦେଖିଲେ କ୍ରମେ ସେ ଅଧିକ ଭାବରେ ସେଥିରେ ଆବଦ୍ଧ ହୋଇ ପଡ଼ୁଛନ୍ତି । ସେ କହିଲେ, ‘‘ଆପଣମାନେ କଣ ଯେ ସବୁ କହିଗଲେ ତାର ମର୍ମ ବୁଝିବା ଅବସ୍ଥାରେ ମୁଁ ଆଦୌ ନାହିଁ । ଶୁଣିଲି ଏଇଟା ମୋର ଜନ୍ମସ୍ଥାନ । ତେଣୁ ଥରେ ଏ ପବିତ୍ରଭୂମି ଦର୍ଶନ କରିଯିବା ପାଇଁ ଆସିଲି । କିନ୍ତୁ ଦେଖୁଛି, ଆପଣମାନେ ମୋତେ ଗୋଟାଏ ପ୍ରହେଳିକା ପାଶରେ ଆବଦ୍ଧ କରି ପକାଉଛନ୍ତି ।’’

 

ରାଜନ ଅନ୍ୟମନସ୍କ ଭାବେ ବସିଥିଲେ । ଗଗନଙ୍କ କଥା ଓ ସ୍ଵର ତାଙ୍କୁ ଠିକ୍ ଯୁବରାଜଙ୍କ ମୁଖରୁ ବାହାରିଲା ପରି ଜଣାଗଲା । ସେ ଚମକିପଡ଼ି କଅଣ କହିବାକୁ ଯାଉଛନ୍ତି, ଏଇ ସମୟରେ ବିନୋଦ ଗଗନଙ୍କ କଥାର ଉତ୍ତର ଦେଇ କହିଲେ–‘‘ତୁମେ ଜାଣ କେବଳ ଏଇଟା ତୁମର ଜନ୍ମସ୍ଥାନ ! ଆଉ କିଛି ଜାଣି ନାହଁ ? ମାଆ କିଛି କହି ନାହାନ୍ତି ?’’

 

ଗଗନ ଚେଷ୍ଟା କରି ମଧ୍ୟ ପେଟର କଥାଟାକୁ ଘୋଡ଼େଇ ପାରିଲେ ନାହିଁ, ଦୋଷ ସ୍ୱୀକାର କଲାପରି କହିଲେ–‘‘ହଁ ଜାଣେ କେତେକ ଘଟଣା ! ମାଆ ଶେଷ ସମୟରେ ସେତିକି କହିଥିବା ଯୋଗୁଁ ଆଜି ମୁଁ ସନ୍ଦେହରେ ପଡ଼ିଛି । ଆଚ୍ଛା କହନ୍ତୁ ପ୍ରଥମେ ଯୁବରାଜ କେଉଁଠାରେ ଅଛନ୍ତି ? ମୁଁ ତାଙ୍କର ଦେଖା ପାଇବାକୁ ବିଶେଷ ବ୍ୟଗ୍ର ।’’

 

ବିନୋଦ ପଲଙ୍କଆଡ଼କୁ ହାତଦେଖେଇ କହିଲେ–‘‘ଏଇ ଶୋଇଛନ୍ତି !’’ ଗଗନ ବିଚଳିତ ହେଲାପରି କହିଲେ–‘‘ଶ୍ରୀଅଙ୍ଗ ଭଲ ଅଛି ତ ?’’ ‘‘ନା ଅସୁସ୍ଥ ଅଛନ୍ତି’’ କହି ବିନୋଦ ବାହାରକୁ ଗଲେ ତାଙ୍କ କଥା ଆଉ କିଏ ଶୁଣୁଛି କି ନାହିଁ ଦେଖିବା ପାଇଁ । କିନ୍ତୁ ଶେଷ ଦୁଆରର ଦ୍ୱାରରକ୍ଷକ ବ୍ୟତୀତ ଅନ୍ୟ କାହାରିକୁ ନ ଦେଖି ସେ ଫେରି ଆସି ବସିଲେ ଏବଂ ଗଗନଙ୍କ ଜନ୍ମଠାରୁ ଅଦ୍ୟାବଧି ସମସ୍ତ ଘଟଣା ବର୍ଣ୍ଣନା କରିବାକୁ ଲାଗିଲେ । ରାଜନ ଓ ଗଗନ ଦୁଇଜଣ ସୁବୋଧ ଛାତ୍ରଭଳି ବସି ସମସ୍ତ କଥା ଶୁଣୁଥାନ୍ତି । କଥା ଶେଷରେ ଗଗନଙ୍କର ସମସ୍ତ ସନ୍ଦେହ କଟିଗଲା, ମୁଖ ସତେଜ ଦେଖାଗଲା । କିନ୍ତୁ ଯୁବରାଜଙ୍କର ସେଦିନର ଅବସ୍ଥା ଶୁଣି ସେ ବଡ଼ ବିବ୍ରତ ହୋଇପଡ଼ିଲେ । ସେ ଉତ୍‍କଣ୍ଠିତ ଭାବରେ କହି ଉଠିଲେ–‘‘ବର୍ତ୍ତମାନ ଉପାୟ ?’’

 

ଘଟଣାଗୁଡ଼ିକ ଏକାଦିକ୍ରମେ ବର୍ଣ୍ଣନା କରୁ କରୁ ବିନୋଦ ଅତ୍ୟନ୍ତ ବିଚଳିତ ହୋଇ ପଡ଼ିଥିଲେ, ଅଥଚ, ହିଂସ୍ରଜନ୍ତୁସଙ୍କୁଳ ଗହନବନ ମଧ୍ୟରେ ପଥହରା ବ୍ୟକ୍ତି ପଥ ପାଇଲାପରି କହି ଉଠିଲେ–‘‘ଉପାୟ ? ଉପାୟ ତୁମେ । ଆଷାଢ଼ର କଳା ମେଘପରି ଏ ଯେଉଁ ଭୀଷଣ ବିପଦରାଶି ବାତ୍ୟା ସହ ଗର୍ଜି ଆସୁଛି ସେଥିରେ ମୁଁ ତୁମ ବ୍ୟତୀତ ଅନ୍ୟ କାହାରି ଆଶ୍ରୟ ପାଇବି ବୋଲି ଭରସା କରିପାରୁ ନାହିଁ ।"

 

ତା ପରେ ସେ ଧୀରେ ଧୀରେ ଏ ବିପଦରୁ ଉଦ୍ଧାର ପାଇବା ପାଇଁ କି ଉପାୟ କରିବାକୁ ଭାବୁଛନ୍ତି, ତାହା ପ୍ରକାଶ କରିବାକୁ ଲାଗିଲେ ।

 

ପଳିତକେଶ ବୃଦ୍ଧର ମସ୍ତିଷ୍କରେ ଯେ ଏଡ଼େବଡ଼ ଚିନ୍ତା ପାଇଁ କ୍ଷେତ୍ରଥାଏ, ଗଳିତ ଚର୍ମ ଅବୟବରେ ଏଭଳି ଦୁଃସାହସିକ କାର୍ଯ୍ୟ ପାଇଁ ଉତ୍ସାହ ଥାଏ, ସେ କଥା ଭାବି ଗଗନ ଆଚମ୍ବିତ ହୋଇ ବସିଥାନ୍ତି ।

 

ବିନୋଦଙ୍କ କଥା ଶେଷହେବା ପରେ ରାଜନ ଗଗନଙ୍କୁ ଲକ୍ଷ୍ୟକରି କହିଲେ–‘‘ଆପଣ ଯାହା ସବୁ ଶୁଣିଲେ ସେଥିରୁ ବେଶ୍ ଅନୁମାନ କରି ପାରୁଥିବେ ଯେ, ଆପଣଙ୍କ ସାହାଯ୍ୟ ବ୍ୟତୀତ ସୁନ୍ଦରଗଡ଼ ରାଜ୍ୟ ଅରାଜକ ହୋଇ ପଡ଼ିବ । ତେଣୁ ଅନୁରୋଧ କରୁଁ, ଆପଣ ଏ ପ୍ରସ୍ତାବ ଗ୍ରହଣ କରି ପ୍ରଜାଗଣଙ୍କର ତଥା ରାଜାଙ୍କର ମଙ୍ଗଳ ସାଧନ କରନ୍ତୁ ।’’

 

ଗଗନ ଏ ଯୁକ୍ତିର କି ଉତ୍ତର ଦେବେ ଖୋଜି ପାଇଲେ ନାହିଁ । ସାରା ଜଗତ ଯେପରି ତାଙ୍କୁ ବାକ୍ୟହୀନ ବୋଧହେଲା । ଏକ ପକ୍ଷରେ ମାତୃଭୂମି ପ୍ରତି କର୍ତ୍ତବ୍ୟର ପ୍ରେରଣା ଏବଂ ଅପର ପକ୍ଷରେ ବିବେକର ତାଡ଼ନା ତାଙ୍କୁ ଟାଣିବାକୁ ଲାଗିଲା ।

 

ବିବେକବାନ୍ ବ୍ୟକ୍ତିମାତ୍ରେ ସଂସାରର ସମ୍ମୁଖ କର୍ମକ୍ଷେତ୍ରରେ ଏହିପରି ସନ୍ଧି ସ୍ଥଳରେ ଆସି ପଡ଼ିଥାନ୍ତି, ଯେତେବେଳେ ଏକାଧାରରେ ଦୁଇଟି ଶକ୍ତିର ପ୍ରଭାବରେ ପଡ଼ି ସେ ହଠାତ୍ ଠିକ୍ କରି ପାରନ୍ତି ନାହିଁ, କେଉଁଠି ଅଧିକ ଗୁରୁତର ଏବଂ ଗ୍ରାହ୍ୟ । ବିବେକର ତାଡ଼ନା ରକ୍ଷା କରିବାକୁ ଯାଇ ଯଦି କର୍ତ୍ତବ୍ୟରେ ହେଳା କରାଯାଏ, ତେବେ ଅନ୍ୟ ପ୍ରାଣୀଙ୍କର ଅହିତ ସାଧିତ ହୁଏ । ଅନ୍ୟ ଦିଗରେ ସେହିପରି ଅନ୍ଧ ଭାବରେ କର୍ତ୍ତବ୍ୟର ଅନୁସରଣ କଲେ ବିବେକ ବିଦ୍ରୋହୀ ହୋଇ ଉଠେ । ‘ଅଶ୍ୱତ୍‍ଥାମା ହତ’ ଭଳି କଥା ପଦେ ଉଚ୍ଚାରଣ କରିବା ପାଇଁ ଜିହ୍ଵା ସଂକୁଚିତ ହୋଇପଡ଼େ ଏବଂ ହୃଦୟ ମଧ୍ୟରେ ଏକ କୁରୁକ୍ଷେତ୍ରର ସୃଷ୍ଟି ହୁଏ ।

 

ଗଗନଙ୍କ ଚିନ୍ତାଶକ୍ତି ଏଠାରେ ବିବେକକୁ ହିଁ ଉଚ୍ଚତର ଆସନ ଦେଲା । ସେ କିଛି ସମୟ ନୀରବ ରହିବା ପରେ କହିଲେ–‘‘କ୍ଷମା କରିବେ, ମୁଁ ଏଥିରେ ନିଜକୁ ସମ୍ପୃକ୍ତ କରି ପାରିବି ନାହିଁ । ଏହାଦ୍ୱାରା ସତ୍ୟର ଅପଳାପ କରିବାକୁ ହେବ, ବିବେକର ବିରୁଦ୍ଧାଚରଣ କରିବାକୁ ପଡ଼ିବ ।’’

 

ବିନୋଦ ଟିକିଏ ସ୍ମିତହାସ୍ୟ ସହ କହିଲେ–‘‘ତୁମେ ଯେ ଏପରି ଗୋଟାଏ ଭୁଲ କରି ବସିବ ଏକଥା ମୁଁ ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲି । ଆଚ୍ଛା, ତୁମେ ଉପନିଷଦର ସେ କଥାଟି ତ ଜାଣିଥିବ ? ଆହତ ବରାହ ଧର୍ମପ୍ରାଣ ଋଷିଙ୍କ ପଛଆଡ଼େ ଆତ୍ମଗୋପନ କରିଛି । ଆକ୍ରମଣକାରୀ ବ୍ୟାଧ ସମ୍ମୁଖରେ ଦଣ୍ଡାୟମାନ ହୋଇ ପ୍ରଶ୍ନ କଲା, ‘ମହାଭାଗ, ମୋର ଶରବିଦ୍ଧ ବରାହକୁ ଆପଣ ଦେଖିଛନ୍ତି କି ? ସତ୍ୟବନ୍ତ ଋଷି ସେତେବେଳେ ଉତ୍ତର କଲେ, ‘ମାର ଯେଉଁ ରସନା ତୁମ କଥାର ଜବାବ ଦେଉଛି ସେ ବରାହକୁ ଦେଖିନାହିଁ ।’ ଏଠାରେ ସତ୍ୟନିଷ୍ଠ ବ୍ୟକ୍ତି ସତ୍ୟର ଅପଳାପ କଲେ, ଗୋଟିଏ ଜୀବର ଜୀବନ ରକ୍ଷା ପାଇଁ ନୁହେଁ କି ? ଅଥଚ ଉପସ୍ଥିତ କ୍ଷେତ୍ରରେ ଜନ୍ମଭୂମିର ଲକ୍ଷ ଲକ୍ଷ ପ୍ରଜାଙ୍କର ମଙ୍ଗଳ ବା ଅମଙ୍ଗଳ ସାଧନ ତୁମ ଉପରେ ନିର୍ଭର କରୁଛି । ତେଣୁ ତୁମର ଯାହା ଇଚ୍ଛା ତାହା କର । ମୋର ଆଉ ଅଧିକ କିଛି କହିବାର ନାହିଁ ।’’

 

ଗଗନଙ୍କ ଆଖି ଆଗରୁ ସମସ୍ତ ଅନ୍ଧକାର କଟିଗଲା । କର୍ତ୍ତବ୍ୟର ଗୁରୁତ୍ୱ ବୁଝିପାରି ସେ ହସ ହସ ହୋଇ କହିଲେ, ‘‘ବାସ୍ତବିକ ମୁଁ ଭୁଲ ଭାବିଥିଲି । ଏବେ ବୁଝି ପାରିଛି, ଜନ୍ମଭୂମି ପ୍ରତି କର୍ତ୍ତବ୍ୟ ପାଳନ ହିଁ ମୋ ପକ୍ଷରେ ପ୍ରଧାନ ସତ୍ୟ ପାଳନ......।’’

 

ଗଗନଙ୍କୁ ବାକ୍ୟ ଶେଷ କରିବାକୁ ନ ଦେଇ ବିନୋଦ ପୁଲକିତ ଅନ୍ତରରେ ତାହାଙ୍କୁ ଆଲିଙ୍ଗନ କରି ପକେଇଲେ । ସେ ଉଚ୍ଛ୍ୱସିତ ଭାବରେ କହିଲେ–‘‘ଗଗନ, ଗଗନ ! ମୋରି ଆୟୁଷ ନେଇ ଦୀର୍ଘାୟୁ ହୁଅ ବାପା ! ତୁମେ ହିଁ ନରେନ୍ଦ୍ର ବଂଶର ଭଗୀରଥ ରୂପେ ଜନ୍ମଲାଭ କରିଥିଲ । ବର୍ତ୍ତମାନ ଏ ଧ୍ଵଂସମୁଖୀ ବଂଶକୁ ତୁମେ ହିଁ ରକ୍ଷା କରିବ ।’’

 

ସେତେବେଳେକୁ ପଶ୍ଚିମ ଆକାଶର ଦୂର ପାହାଡ଼ ତଳେ ରକ୍ତାଭ ସୂର୍ଯ୍ୟଦେବତା ଲୁଚି ଯାଉଥିଲେ । ଚୋରା ବସନ୍ତର ଧୀର ଲହରୀ ସଙ୍ଗେ ଶେଷ ମାଘର ଶୀତଳ ସନ୍ଧ୍ୟା ବିଲବନ ଉପରେ ମାଡ଼ି ଯାଉଥିଲା । ଏହାର ଅଳ୍ପ ସମୟ ପରେ ହରିପୁରରେ ଟମକ ଦିଆଗଲା ଯେ, ପାଟ ଦେଉଙ୍କ ଶ୍ରୀଅଙ୍ଗ କୁଶଳ ହୋଇଯାଇଛି । ଆଜି ରାତି ସୁନ୍ଦରଗଡ଼ ବିଜେ ହେବେ । ପ୍ରଭାତରେ ଅଭିଷେକ ଉତ୍ସବ ସମ୍ପନ୍ନ ହେବ ।

 

ପ୍ରାୟ ରାତି ଅଧ ବେଳକୁ ପାଇକ ସେନାଙ୍କ ଡାଲ ତଲବାରର ଝଣତ୍ ଶବ୍ଦରେ ହରିପୁର ଦୁର୍ଗଦ୍ୱାର ମୁଖରିତ ହୋଇ ଉଠିଲା ।

Image

 

ଦୁଇ

 

ପୂର୍ବୋକ୍ତ ସୁନ୍ଦରଗଡ଼ ରାଜ୍ୟ ସମ୍ଵନ୍ଧେ କୌଣସି ତଥ୍ୟ ଓଡ଼ିଶା ଇତିହାସରେ ଦେଖିବାକୁ ମିଳେ ନାହିଁ । ଅଷ୍ଟାଦଶ ଶତାବ୍ଦୀର ଶେଷାର୍ଦ୍ଧରେ ଏ ରାଜ୍ୟ ସ୍ଵତନ୍ତ୍ରଭାବେ ପ୍ରତିଷ୍ଠିତ ହେବାର କେତେକ ବର୍ଷ ପରେ ପୁଣି ଘୁମୁସର ରାଜ୍ୟରେ ମିଶିଯାଇଥିଲା । ଆୟତନ ଦୃଷ୍ଟିରୁ ଏହା ଗୋଟିଏ ଖୁବ କ୍ଷୁଦ୍ର ରାଜ୍ୟ ଥିଲା ସତ୍ୟ; କିନ୍ତୁ ନରେନ୍ଦ୍ର ବଂଶର ସୁଶାସନ ଫଳରେ ଏ ରାଜ୍ୟ ଗଞ୍ଜାମର ତତ୍‍କାଳୀନ ସମୃଦ୍ଧ ରାଜ୍ୟମାନଙ୍କ ସଙ୍ଗେ ସମାନ ଆସନ ଲାଭ କରିଥିଲା ।

 

ଖୋରଧାର ରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କର ନରେନ୍ଦ୍ର ରାଏ ନାମକ ଜଣେ ସେନାପତି କୌଣସି ଦୋଷରେ ରାଜ୍ୟରୁ ବିତାଡ଼ିତ ହୋଇ ଘୁମୁସର ରାଜାଙ୍କ ସୈନ୍ୟ ବିଭାଗରେ ଯୋଗଦାନ କରିଥିଲେ । ଘୁମୁସରର ରାଜା ବ୍ରଜସୁନ୍ଦର ଭଞ୍ଜ ନରେନ୍ଦ୍ରଙ୍କ ବୀରତ୍ୱ ଏବଂ ବ୍ୟବହାରରେ ଏତେ ଦୂର ପ୍ରୀତ ହୋଇଗଲେ ଯେ ଅଳ୍ପକାଳ ମଧ୍ୟରେ ତାଙ୍କୁ ନିଜର ସେନାପତି ପଦରେ ନିଯୁକ୍ତ କରିଥିଲେ ।

 

ସେତେବେଳେ ଶଂସିତ ସୁନ୍ଦରଗଡ଼ ରାଜ୍ୟ କଲ୍ୟାଣପୁର ନାମରେ ଅଭିହିତ ଥିଲା । ଘୁମୁସର ସେନାପତି ନରେନ୍ଦ୍ର କଲ୍ୟାଣପୁର ରାଜ୍ୟର 'ବାଘମୁଖା' ନାମକ ଗୋଟାଏ ଦୁର୍ଦ୍ଦାନ୍ତ ଦସ୍ୟୁକୁ ଦମନ କରିବାକୁ ଯାଇ ଘଟଣାକ୍ରମେ ସେହି ରାଜ୍ୟର ରାଜା ସୁଦାମ ଶୁର ଦେବଙ୍କ ସହ ଯୁଦ୍ଧ କରିବାକୁ ବାଧ୍ୟ ହୋଇଥିଲେ । ଯୁଦ୍ଧରେ ନରେନ୍ଦ୍ର ଜୟଲାଭ କରି କଲ୍ୟାଣପୁରକୁ ଘୁମୁସୁର ସହ ମିଶାଇଲେ । କିନ୍ତୁ ଘୁମୁସରର ରାଜା ତାହା ଗ୍ରହଣ ନ କରି ବୀରତ୍ୱର ପୁରସ୍କାର ସ୍ଵରୂପ ନରେନ୍ଦ୍ରଙ୍କୁ ସେଇଠାରେ ରାଜା କରାଇଦେଲେ ।

 

ନରେନ୍ଦ୍ର ରାଜା ହେବାପରେ ବ୍ରଜସୁନ୍ଦରଙ୍କ ପ୍ରତି କୃତଜ୍ଞତାର ଚିହ୍ନସ୍ଵରୂପ କଲ୍ୟାଣପୁରର ନାମ 'ସୁନ୍ଦରଗଡ଼' ରଖିଥିଲେ ଏବଂ ଏହି ବଂଶର ଉତ୍ତରାଧିକାରୀଗଣ ପ୍ରତିଷ୍ଠାତାଙ୍କର ନାମାନୁସାରେ ‘ନରେନ୍ଦ୍ର ରାଏ’ ପଦରେ ଭୂଷିତ ହୋଇଥିଲେ ।

 

ଏ ଘଟଣାର ଅନେକ ବର୍ଷପରେ ଇଂରେଜମାନେ ତତ୍‍କାଳୀନ ଉତ୍ତର ସରକାର ଅଧିକାର କରି ଗଞ୍ଜାମ ସହରରେ ନିଜର ରାଜଧାନୀ ସ୍ଥାପନ କରିଥିଲେ । ସେତେବେଳେ ଇଂରେଜ ଅଧିକୃତ କୌଣସି ଅଞ୍ଚଳରେ ଶୃଙ୍ଖଳାବଦ୍ଧ ଶାସନର ଚିହ୍ନ ସୁଦ୍ଧା ନ ଥିଲା । ଅଧିକୃତ ରାଜ୍ୟଗୁଡ଼ିକରୁ କୌଣସି ପ୍ରକାରେ ପେସ୍‍କିସ୍‍ତକ ଆଦାୟ ହୋଇଗଲେ କୋମ୍ପାନି ସରକାର ନିଜର କର୍ତ୍ତବ୍ୟ ଶେଷ ହୋଇଗଲା ବୋଲି ମନେ କରୁଥିଲେ–କେଉଁ ରାଜ୍ୟ ଭିତରେ କଅଣ ହେଉଛି ତାହାର ହିସାବ ସେ ଅବା ରଖିବେ କାହିଁକି ?

 

ପୂର୍ବ ଅଧ୍ୟାୟରେ ବର୍ଣ୍ଣିତ ଆଦିତ୍ୟପ୍ରତାପ ନରେନ୍ଦ୍ର ରାଏ ସୁନ୍ଦରଗଡ଼ର ଶେଷ ରାଜା । ତାଙ୍କ ରାଜତ୍ୱର ଅଳ୍ପଦିନ ପରେ ଘଟନାଚକ୍ରରେ ରାଜ୍ୟ ଅରାଜକ ହୋଇପଡ଼ିଲା । ତେଣୁ ଇଂରେଜ ସରକାର ଏହାର ଶାସନଭାର ଘୁମୁସରର ରାଜା ଶ୍ରୀକର ଭଞ୍ଜ, ଦ୍ୱିତୀୟ ଥର ସିଂହାସନ ଆରୋହଣ କଲାପରେ ତାଙ୍କରି ହସ୍ତରେ ଅର୍ପଣ କଲେ । ସେଇ ଦିନଠାରୁ 'ସୁନ୍ଦରଗଡ଼' ନାମ ଚିରକାଳ ପାଇଁ ଲୋପପାଇଛି । ବର୍ତ୍ତମାନ ଘୁମୁସରର ଗୋଟିଏ କ୍ଷୁଦ୍ର ଗ୍ରାମ ସହିତ ଏହି ନାମ ସଂଯୁକ୍ତ ହୋଇଥିବା ଦେଖାଯାଏ।

 

ଆଦିତ୍ୟଙ୍କ ପିତା ଦୀନବନ୍ଧୁ ନରେନ୍ଦ୍ର ରାଏ ଜଣେ ଉଦାର-ଚେତା ଲୋକପ୍ରିୟ ରାଜା ଥିଲେ । ସେ ରାଜ୍ୟ ମଧ୍ୟରେ ଅନେକଗୁଡ଼ିଏ ଲୋକହିତକର କାର୍ଯ୍ୟ କରିଥିଲେ । ନିଜର କନିଷ୍ଠଭ୍ରାତା ଲାଲମୋହନଙ୍କୁ ସେ ଅତ୍ୟନ୍ତ ସ୍ନେହ କରନ୍ତି । ତେଣୁ ନିଜେ ରାଜା ହେବା ପରେ ଅଧିନସ୍ଥ ମଧୁଗଡ଼ ଦୁର୍ଗର ପରିଚାଳନା ଭାର ତାହାଙ୍କୁ ଅର୍ପଣ କରିଥିଲେ ।

 

ଆଦିତ୍ୟଙ୍କ ବ୍ୟତୀତ ଦୀନବନ୍ଧୁଙ୍କର ଆଉ ଏକ ଦାସୀପୁତ୍ର ଥିଲା–ନାମ ସଚ୍ଚିଦାନନ୍ଦ । ଆଦିତ୍ୟଙ୍କଠାରୁ ସଚ୍ଚିଦାନନ୍ଦ ଏକ ମାସ ସାନ । ଆଦିତ୍ୟଙ୍କ ଜନ୍ମର ଅଳ୍ପ ଦିନ ପରେ ପାଟରାଣୀଙ୍କ ବିୟୋଗ ଘଟିବାରୁ ସଚ୍ଚିଦାନନ୍ଦଙ୍କ ମା ସୁରମା ଦୁଇଟିଯାକ ସନ୍ତାନଙ୍କର ଲାଳନପାଳନ ଭାର ବହନ କରିଥିଲେ । ଆଦିତ୍ୟ ଏବଂ ସଚ୍ଚି ଦେଖିବାକୁ ଠିକ୍ ଏକାପରି ।

 

ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏ ଦୁଇ ଭାଇଙ୍କର ଶାରୀରିକ ଗଠନସାଦୃଶ୍ୟ ଏତେଦୂର ସମାନ ହୋଇ ପଡ଼ିଲା ଯେ ଅନେକ ସମୟରେ ନିଜେ ରାଜା ମଧ୍ୟ ସଚ୍ଚିଙ୍କୁ ଆଦିତ୍ୟ ଏବଂ ଆଦିତ୍ୟଙ୍କୁ ସଚ୍ଚି ବୋଲି ଡାକିପକାନ୍ତି । ରାଜା ଯେବେ ଚାକରକୁ ପଠାନ୍ତି ଆଦିତ୍ୟଙ୍କୁ ଡାକି ଆଣିବାକୁ, ସେ ସାଙ୍ଗରେ ଧରି ଆସେ ସଚ୍ଚିଙ୍କୁ । ଆଉ କେତେବେଳେ ସଚ୍ଚି ଯଦି କିଛି ଦୋଷ କରନ୍ତି ତେବେ ରାଜାଙ୍କ ସମ୍ମୁଖରେ ଆପତ୍ତି ଉଠେ ଆଦିତ୍ୟଙ୍କ ନାମରେ । ରାଜା ଦୀନବନ୍ଧୁ ନିଜର ଏବଂ ଅନ୍ୟମାନଙ୍କର ଏ ଭ୍ରମ ଦେଖି ଅତ୍ୟନ୍ତ ଆମୋଦବୋଧ କରନ୍ତି ଏବଂ ସେମାନଙ୍କର ବେଶଭୂଷାରେ କେତେକ ପାର୍ଥକ୍ୟ ରକ୍ଷା କରିବା ବ୍ୟବସ୍ଥା କରନ୍ତି ।

 

କିନ୍ତୁ ସବୁପ୍ରକାର ଆମୋଦ ତ ସବୁବେଳେ ସୁଖକର ବା ମଙ୍ଗଳକର ହୋଇପାରେନା, କ୍ରମେ ଏଇପରି ସାମାନ୍ୟ ଭୁଲ ନେଇ ଅପେକ୍ଷାକୃତ ଗୁରୁତର ପ୍ରମାଦ ଓ ବିସମ୍ବାଦର ସୃଷ୍ଟି ହେବାକୁ ଲାଗିଲା । ତେଣୁ ଦୀନବନ୍ଧୁ ଆମୋଦ ବୋଧକରିବା ପରିବର୍ତ୍ତେ କ୍ରମେ ଚିନ୍ତିତ ହୋଇ ପଡ଼ିଲେ । ଏହା ଫଳରେ ଭବିଷ୍ୟତରେ ନାନା ପ୍ରକାର ଅନର୍ଥର ସଂଭାବନା ତାଙ୍କ ମନରେ ସ୍ଵତଃ ମୁଣ୍ଡଟେକି ଉଠିଲା । କିନ୍ତୁ ଉପାୟ ?

 

ରାଜା ଦୀନବନ୍ଧୁ ଏବଂ ରାଜ୍ୟର ଦିବାନ ବିନୋଦ ସିଂହଙ୍କର ଅଭେଦ ଆତ୍ମା । ପ୍ରଭୁ ଓ ଭୃତ୍ୟ ସମ୍ବନ୍ଧ ସେଠାରେ ନ ଥିଲା । ସଚ୍ଚି ଏବଂ ଆଦିତ୍ୟ ମଧ୍ୟ ବିନୋଦଙ୍କୁ ଦାଦା ସମ୍ବୋଧନ କରନ୍ତି-। ତେଣୁ ଏଇ ଗୁରୁତର ସମସ୍ୟାର ସମାଧାନ ଲାଗି ଦୀନବନ୍ଧୁ ତାଙ୍କରି ସାହାଯ୍ୟ ଲୋଡ଼ିଲେ ଏବଂ ତାଙ୍କରି ପରାମର୍ଶ ଅନୁଯାୟୀ ରାଜ୍ୟର ଭବିଷ୍ୟତ ମଙ୍ଗଳ ଉଦ୍ଦେଶ୍ୟରେ ଏକ କଠୋର ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେଲେ ।

 

X X X

 

କିଛିଦିନ ପରେ ଶୁଣାଗଲା, ଉଦ୍ୟାନରେ ସର୍ପ ଦଂଶନରେ ସଚ୍ଚି ମୃତ୍ୟୁ ମୁଖରେ ପଡ଼ିଛନ୍ତି ଏବଂ ପୁତ୍ର ଶୋକରେ ତାଙ୍କ ମାଆ ସୁରମା ଆତ୍ମହତ୍ୟା କରିଛନ୍ତି ।

Image

 

ତିନି

 

ବାଣପୁରର ଭଗବତୀଙ୍କ ମନ୍ଦିର ନିକଟରେ ଗୋଟିଏ ଛୋଟିଆ ପକ୍‍କା ଘର । କିଛିଦିନ ହେଲା ଚାରୋଟି ବିଦେଶୀ ପ୍ରାଣୀ ସେଠାରେ ବାସ କରୁଛନ୍ତି–ଜଣେ ପ୍ରୌଢ଼ା ରମଣୀ ରମା, ତାଙ୍କ ଶିଶୁପୁତ୍ର ଗଗନ, ଚାକର ଯଦୁ ଏବଂ ତାର ସ୍ତ୍ରୀ ବିନୋଦିନୀ । ରମାଙ୍କର ଅଙ୍ଗରେ ସଧବାର ବେଶଭୂଷା; କିନ୍ତୁ ବିଧବା ଭଳି ଗତିବିଧି ଲକ୍ଷ୍ୟକରି ସାଇପଡ଼ିଶାଙ୍କର ସନ୍ଦେହ ହୁଏ । ସେମାନଙ୍କର ଜନ୍ମସ୍ଥାନ ବା ଏଠାରେ ବାସ କରିବାର କାରଣ ସମ୍ବନ୍ଧେ କେହି କିଛି ଜାଣିପାରନ୍ତି ନାହିଁ । ଅନେକେ ଏ ବିଷୟରେ କିଛି ଗୋଟାଏ ଖିଅ ବାହାର କରିବା ପାଇଁ ରାଣାଙ୍କୁ ନାନା କଥା ପଚାରନ୍ତି; କିନ୍ତୁ ତାଙ୍କର ନିର୍ଲିପ୍ତ ଭାବ ଓ ବିଷାଦଭାରାକ୍ରାନ୍ତ ଉତ୍ତରରୁ କିଛି ଠଉରାଇ ପାରନ୍ତି ନାହିଁ ।

 

ଗଗନଙ୍କର ଆଜିସୁଦ୍ଧା ପିଲାଦିନର ଗୋଟିଏ ରାତିର ଏକ ଭୀଷଣ ଦୁଃସ୍ୱପ୍ନ କଥା ମନେ ଅଛି । ସେ ସ୍ଵପ୍ନ ଦେଖିଥିଲେ, ଯେପରି ସେ ଗୋଟାଏ ମସ୍ତବଡ଼ ଘରେ ତାଙ୍କ ବାପାଙ୍କ କୋଳରେ ବସିଥିଲେ । ପାଖରେ କେତେ ସାଙ୍ଗସାଥୀ ଖେଳୁଥିଲେ । ହଠାତ୍ କେଉଁଠାରୁ ଗୋଟାଏ ଭୟଙ୍କର ଲୋକ ଆସି ବାପାଙ୍କ କୋଳରୁ ତାଙ୍କୁ ଟାଣି ନେଇଗଲା । ବାପା ସେ ଲୋକଟାକୁ କିଛି କହି ପାରିଲେ ନାହିଁ । କେବଳ ଲୁହ ଗଡ଼ାଇ କାନ୍ଦୁଥାନ୍ତି । କିନ୍ତୁ ତାଙ୍କ ମାଆ ସେ ଲୋକଟା ପଛରେ ଗୋଡ଼େଇ ଆସି ତାକୁ ଧରିଲେ । ସଙ୍ଗେ ସଙ୍ଗେ ଗଗନଙ୍କର ନିଦ ଭାଜିଗଲା । ସେ ଦେଖିଲେ, ସେ ଆଜିର ସେଇ କ୍ଷୁଦ୍ର କୋଠା ଘରଟିରେ ମାଆ କୋଳରେ ଶୋଇଛନ୍ତି ।

 

ଅନେକ ସମୟରେ ଏ ସ୍ଵପ୍ନଟା ଗଗନଙ୍କୁ ସତପରି ବୋଧହୁଏ । ସେ ଏପରି ସ୍ଵପ୍ନ କାହିଁକି ଦେଖିଲେ ? କେତେଥର ମାଆଙ୍କୁ ଏକଥା ପଚାରିଛନ୍ତି, କିନ୍ତୁ ମାଆ କୌଣସି ଉତ୍ତର ଦେଇ ପାରନ୍ତି ନାହିଁ । ଆଖି ଲୁହରେ ପୂରିଯାଏ । ସେ ପୁଅକୁ କୋଳରେ ଯାକି ଧରି ମା ଭଗବତୀଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ନୀରବ ରହନ୍ତି ।

 

ବାଣପୁରରେ ରମାଙ୍କର ସମ୍ପତ୍ତିବାଡ଼ି ଯଥେଷ୍ଟ ଖଞ୍ଜା ଥିଲା । ସେ ନିଜେ ସେ ସବୁର ବୁଝାସୁଝା କରନ୍ତି । ଚାକର ଯଦୁ ଏଥିରେ ସାହାଯ୍ୟକରେ । ବାଳକ ଗଗନ ବିଦ୍ୟା ଶିକ୍ଷା କରିବା ସଙ୍ଗେ ସଙ୍ଗେ ଘୋଡ଼ା ଚଢ଼ିବା, ଶିକାର କରିବା ଓ ମଲ୍ଲଯୁଦ୍ଧ ଶିକ୍ଷା କରିବାରେ ସମୟ ଅତିବାହିତ କରନ୍ତି । ତାଙ୍କୁ ଅଠର ବର୍ଷ ବୟସ ହେବାଯାଏଁ ଘରଚିନ୍ତା ଆଦୌ ଲାଗି ନ ଥିଲା ।

 

ହଠାତ୍ ଦିନେ ଗଗନଙ୍କର ସୁଖର ସଂସାର ଉପରେ ବିଷାଦର କଳା ଛାଇ ବୁଲିଗଲା । ଗଗନ ସେଦିନ ସନ୍ଧ୍ୟାବେଳେ ଘରକୁ ଫେରି ଆସି ଦେଖିଲେ ମାଆ ଅଚେତା ହୋଇ ପଡ଼ି ଅଛନ୍ତି, ବିନୋଦିନୀ ତଟସ୍ଥ ହୋଇ ବସିଛି; ଯଦୁ ଘରେ ନାହିଁ । ସେ ଧାଇଁ ଯାଇ ମାଆଙ୍କୁ ଟେକିଧରି ଦାସୀକୁ ଏହାର କାରଣ ପଚାରିଲେ । ସେ କହିଲା, ‘ଜଣେ ଲୋକ କ’ଣ ଚିଠି ଖଣ୍ଡେ ଆଣି ଦେଇଗଲା । ତାକୁ ପଢ଼ୁ ପଢ଼ୁ ମାଆ ଢଳି ପଡ଼ିଛନ୍ତି ।’’

 

ଗଗନ ଚିଠି ଖଣ୍ଡି ନେଇ ପଢ଼ିଲେ; କିନ୍ତୁ ତାର କୌଣସି ମର୍ମ ବୁଝି ପାରିଲେ ନାହିଁ । ‘ବିନୋଦ ସିଂହ’ ନାମକ ସୁନ୍ଦରଗଡ଼ର କେହି ଜଣେ ଲୋକ ଚିଠି ଲେଖିଛି, ଏତିକି ମାତ୍ର ସେ ଜାଣି ପାରିଲେ । ସୁନ୍ଦରଗଡ଼ କେଉଁଠି, ଚିଠି ଲେଖକ କିଏ, ଚିଠିର ମର୍ମ କଅଣ ଏ ବିଷୟ ମାଆଙ୍କଠାରୁ ବୁଝିବା ପାଇଁ ସେତେବେଳେ ଅବସର ନ ଥିଲା ।

 

ଦୀର୍ଘ ଦୁଇମାସ ବ୍ୟାପୀ ଗଗନଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା । ମାଆ ଆଉ ଶେଯରୁ ଉଠିଲେ ନାହିଁ । କ୍ରମେ ତାଙ୍କର ଅବସ୍ଥା ଖରାପ ଆଡ଼କୁ ଗତି କଲା ।

 

ଦିନେ ଗଗନ ମାଆଙ୍କ ଶେଯ ପାଖେ ବସିଛନ୍ତି । ଦେଖିଲେ, ହଠାତ୍ କାହିଁକି ତାଙ୍କ ମୁଖ ଅଧିକ ତେଜୀୟାନ୍ ହୋଇ ଉଠିଲା । ପର ମୁହୂର୍ତ୍ତରେ ମାଆ ତାଙ୍କୁ କୋଳ ଆଡ଼କୁ ଟାଣି କହିଲେ–‘‘ବାପା ସଚ୍ଚି ! ତୁ ମୋର ଗଗନ ନୋହୁ–ପ୍ରାଣର ସଚ୍ଚି । ଆଉ ବେଶି ସମୟ ନାହିଁ, ଚାଲି ଯାଉଛି । ମାଆ ଭଗବତୀଙ୍କ ପଦତଳେ ତୋତେ ସମର୍ପି ଦେଇଛି । ସେଇ ତୋତେ ରକ୍ଷା କରିବେ-। କେତେଥର କାନ୍ଦି କାନ୍ଦି ସ୍ଵପ୍ନ କଥା ପଚାରିଛୁ । କିନ୍ତୁ ମୋ ହୃଦୟର ଦେବତାଙ୍କ ଆଦେଶରେ ତୋତେ କିଛି କହି ନ ଥିଲି । ଆଜି ଆଉ ସେ ଏ ଜଗତରେ ନାହାନ୍ତି । ସମୟ ମଧ୍ୟ ଚାଲିଯାଇଛି-। ତୁ ସୁରମା ଦାସୀପୁତ୍ର ସଚ୍ଚି ହେଲେ ମଧ୍ୟ ସୁନ୍ଦରଗଡ଼ର ରାଜକୁମାର–କପାଳଦୋଷରେ ଏ ବନସ୍ତରେ ପଡ଼ିଛୁ । ତୋରି ଭାଇ ଆଜି ସୁନ୍ଦରଗଡ଼ର ଏ ରାଜଗାଦି-’’

 

ସୁରମା ଆଉ କହି ପାରିଲେ ନାହିଁ । ତାଙ୍କ ଆଖି ଆଗେ ନାଚିଗଲା ସେଇ ବିଦାୟ ରଜନୀର ଅଶ୍ରୁସିକ୍ତ ଘଟଣାଗୁଡ଼ିକ । ଦୀନବନ୍ଧୁ ସତେ ଯେପରି ସେଇ ମୁହୂର୍ତ୍ତରେ ତାଙ୍କୁ ଛାତିପାଖେ ଭିଡ଼ିଧରି କହୁଥିଲେ–‘‘ସୁରମା, ପ୍ରାଣର ସୁରମା ! ଆଜିଠାରୁ ଜୀବନକୁ ଶ୍ମଶାନରେ ପରିଣତ କରି ତୁମକୁ ବିଦାୟ ଦେବାକୁ ବାଧ୍ୟ ହେଉଛି ।’’ କିନ୍ତୁ ପରମୁହୂର୍ତ୍ତରେ ପୁଣି ଦେଖିଲେ, ଦୀନବନ୍ଧୁ ଅଦୁରେ ଠିଆହୋଇ ଦୁଇ ବାହୁ ବିସ୍ତାର କରି ଆହ୍ୱାନ କରୁଛନ୍ତି । ‘‘ଆସ ସୁରମା, ବହୁ ଦିନର ବିଚ୍ଛେଦ ପରେ ଆଜି ପୁଣି ମିଳି ଯିବା ଅନନ୍ତକାଳ ପାଇଁ ।’’

 

ସୁରମାଙ୍କ ଅଙ୍ଗପ୍ରତ୍ୟଙ୍ଗ କ୍ରମେ ଅବଶ ହୋଇପଡ଼ିଲା । ସେ ନିଶ୍ଚଳ ଭାବରେ ପଡ଼ି ରହିଲେ; ପ୍ରାଣବାୟୁ ଉଡ଼ିଗଲା ।

 

ମାଆଙ୍କ ବିୟୋଗ ପରେ ଗଗନଙ୍କୁ ସାରା ଜଗତଟା ରହସ୍ୟମୟ ବୋଧ ହେଲା...ତାଙ୍କ ନିଜ ନାମ ‘ଗଗନ’ ନୁହେ ‘ସଚ୍ଚି’,–ମାଆଙ୍କ ନାମ ‘ସୁରମା’,...ସେ ସୁନ୍ଦରଗଡ଼ର 'ରାଜକୁମାର'...ଏ ସବୁ ଗୁପ୍ତ ରହସ୍ୟ ତାଙ୍କ ଆଖି ଆଗରେ ଭୀଷଣ କୁହେଳିକା ସୃଷ୍ଟି କଲା । ମନେ ହେଲା ଯେପରି ଏ ରହସ୍ୟ ଦୁର୍ଗ ଭେଦ ନ କଲା ଯାଏ ସେ ଜୀବନରେ ଶାନ୍ତି ପାଇବେ ନାହିଁ ।

 

ମାଆଙ୍କର ବିୟୋଗ ଏବଂ ନିଜର ଜନ୍ମ ରହସ୍ୟ ନେଇ ଗଗନଙ୍କୁ ଘର ଅରଣ୍ୟ ପରି ବୋଧ ହେଲା । ସେ ପ୍ରତିଜ୍ଞା କଲେ, ଯେ କୌଣସି ପ୍ରକାରେ ହେଉନା କାହିଁକି ସୁନ୍ଦରଗଡ଼ ଯାଇ ଏ ରହସ୍ୟ ଜାଲ ଭେଦ କରିବାକୁ ହେବ । କିନ୍ତୁ ତାଙ୍କର ଯେଉଁ ନାମ ଲୋପ କରାଯାଇଛି ତାହା ଆଉ ସେ ପ୍ରକାଶ କରିବେ ନାହିଁ । ସେ ଦାସୀ ସୁରମାର ପୁତ୍ର ‘ସଚ୍ଚି’ ନୁହନ୍ତି, ରମା ଦେବୀଙ୍କ ପୁତ୍ର ‘ଗଗନବିହାରୀ ନରେନ୍ଦ୍ର ରାଏ’ । ଦାସୀ ପୁତ୍ର ସଚ୍ଚି ମରିଯାଇଛି ।

 

କିଛି ଦିନପରେ ଗଗନ ନିଜର ସମସ୍ତ ସମ୍ପତ୍ତିର ରକ୍ଷଣାବେକ୍ଷଣ ଭାର ଯଦୁ ହସ୍ତରେ ଅର୍ପଣ କରି ସୁନ୍ଦରଗଡ଼ ଅଭିମୁଖରେ ଚାଲିଲେ ।

 

X X X

 

ଇଆପରେ ସେଦିନ ହରିପୁରରେ ଯାହା ଯାହା ଘଟିଲା ପାଠକ ଜାଣନ୍ତି । ବିନୋଦଙ୍କ ଯୁକ୍ତିରେ ସନ୍ତୁଷ୍ଟ ହୋଇ ତାଙ୍କରି ଆଦେଶ ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଗଗନ ସମ୍ମତ ହେଲେ । ସେ ଆଦିତ୍ୟଙ୍କର ରାଜପରିଚ୍ଛଦ ଗ୍ରହଣ କଲାପରେ ନିଜେ ବିନୋଦ ମଧ୍ୟ ତାଙ୍କୁ ଆଉ ଗଗନ ବୋଲି ଚିହ୍ନିପାରିଲେ ନାହିଁ ।

Image

 

ଚାରି

 

ଗଗନ ଯୁବରାଜ ବେଶରେ ସୁନ୍ଦରଗଡ଼ରେ ପ୍ରବେଶ କଲାବେଳକୁ ରାତି ପ୍ରାୟ ପାହି ଆସିଥିଲା । ସେ ସିଂହଦ୍ୱାର ଡେଇଁ ଉଆସ ଭିତରେ ଗୋଡ଼ ଦେଲାବେଳେ ମନେ କରୁଥାନ୍ତି ସେ ଯେପରି ଗୋଟାଏ ଜୀବନ୍ତ କୁଣ୍ଢେଇରେ ପରିଣତ ହୋଇଛନ୍ତି–ଆଉ ତାଙ୍କୁ ନିଆଯାଉଛି କୌଣସି ରଙ୍ଗମଞ୍ଚର ରାଜସିଂହାସନ ମଣ୍ଡନ କରିବା ପାଇଁ ।

ବିନୋଦ ଗଗନଙ୍କୁ ନେଇ ରଙ୍ଗମହଲାର ଏକ ବିଶାଳ କୋଠରୀରେ ପହଞ୍ଚିଲେ । ଘରଟି ସୁନ୍ଦର ସାଜସଜ୍ଜାରେ ମଣ୍ଡିତ । ଗୋଟିଏ ପାଖେ ଧାଡ଼ିହୋଇ ଚାରୋଟି ଆସନ-କାନ୍ଥଗୁଡ଼ିକ ଚିତ୍ରପଟ ଏବଂ ବଡ଼ ବଡ଼ ଦର୍ପଣରେ ପ୍ରାୟ ଆବୃତ । ଘର ମଝିରେ ଗୋଟିଏ ମେଜ ଉପରେ ଶିଶୁକାଠର ଏକ ସୁନ୍ଦର କୃଷ୍ଣ-ମୂର୍ତ୍ତି, ଅନ୍ୟ ପାଖରେ ଏକ ସୁବୃହତ୍ ପଲଙ୍କ–ତା ଉପରେ ମଖମଲ କନାର ଶେଯ ଏବଂ ଗଦି ।

ସଙ୍ଗେ ସଙ୍ଗେ ଗଗନଙ୍କୁ ପୁଣି ପୋଷାକ ପରିବର୍ତ୍ତନ କରି ନୂତନ ରାଜ-ପରିଚ୍ଛଦ ପରିଧାନ କରିବାକୁ ପଡ଼ିଲା । ବିନୋଦ ସ୍ଵହସ୍ତରେ ରାଜମୁକୁଟ ପରିଧାନ କରାଇଦେଇ ତାଙ୍କୁ ଅଭିଷେକ ମଣ୍ଡପକୁ ନେଇଗଲେ । ଠିକ୍ ଶୁଭଲଗ୍ନରେ ଅଭିଷେକ ବିଧାନ, ଇଷ୍ଟଦେବ ଦର୍ଶନ, ବ୍ରାହ୍ମଣମାନଙ୍କ ଆଶୀର୍ବାଦ ଗ୍ରହଣ ଇତ୍ୟାଦି ଶେଷ ହେଲା ରାଣୀ ସୁଶୀଳାକୁମାରୀଙ୍କ ସହ ।

ବିଧାନାନୁଯାୟୀ ଅଭିଷେକ ପରେ ରାଜା ଏବଂ ରାଣୀଙ୍କୁ ସ୍ଵକକ୍ଷରେ ଇଷ୍ଟଦେବତାଙ୍କ ପ୍ରସାଦ ସେବନ କରିବାକୁ ହୁଏ । ତେଣୁ ଇଷ୍ଟଦେବ ଦର୍ଶନ କରିସାରି ଗଗନ ରାଣୀ ସୁଶୀଳାଙ୍କ ସହ ଅନ୍ତଃପୁରର ନିର୍ଦ୍ଦିଷ୍ଟ କକ୍ଷ ମଧ୍ୟରେ ପ୍ରବେଶ କଲେ ଏବଂ ଶୀଘ୍ର ଏ ଅଭିନୟ ମଣ୍ଡପରୁ ବିଦାୟ ନେବା ପାଇଁ ଗୋଟିଏ ଆସନରେ ବସି ପଡ଼ିଲେ । ବାହାରେ ପରିବାରୀବର୍ଗ; ସମ୍ମୁଖରେ ସୁସଜ୍ଜିତ ଆହାର ସାମଗ୍ରୀ । ଏଇ ସମୟରେ ସୁଶୀଳା ସଲଜ୍ଜ ହସ ହସ କହି ଉଠିଲେ–‘‘ବାଃ, ବେଶ୍ ଥଟ୍ଟା କରି ଶିଖିଲଣି ତ ?"

ଗଗନ ଚମକି ପଡ଼ିଲେ । ମନେ ହେଲା ସତେ ଯେପରି ସେ ଧରା ପଡ଼ିଗଲେ । ତାଙ୍କ ଚକ୍ଷୁ ଏତିକିବେଳେ ସ୍ଵତଃ ସୁଶୀଳାଙ୍କ ଆଡ଼କୁ ଫେରି ପଡ଼ିଲା । କିନ୍ତୁ ପର ମୁହୂର୍ତ୍ତରେ ସୁଶୀଳାଙ୍କ ଲାବଣ୍ୟ ରସାଣିତ ମୁଖପଦ୍ମର ଛଳ ଛଳ କୋମଳ ଆଖି ଦୁଇଟିରେ ଶିଶୁ ସୁଲଭ ହସ ଦେଖି ସେ ଭାବ ଘୋଡ଼େଇ ନେଲେ ଏବଂ ଚିର ପରିଚିତ ପରି ସାମାନ୍ୟ ହସି କହିଲେ,–‘‘କାହିଁକି, କଅଣ ହେଲାକି ?’’

ସୁଶୀଳା ବିସ୍ମୟ ପ୍ରକାଶ କରି କହିଲେ–‘‘କଅଣ ହେଲା ! ଛାମୁ ଯେ ମୋ ଆସନରେ-!’’

ଗଗନ କହିଲେ–‘‘ଓହୋ, ଏଇଆ ! ତାହାହେଲେ ତୁମେ ମୋ ସ୍ଥାନରେ ବସିପାର ।’’

ସୁଶୀଳାଙ୍କୁ ଏ ଉତ୍ତର କିମ୍ଭୁତକିମାକାର ବୋଧ ହେଲା । ସ୍ଵାମୀଙ୍କଠାରୁ ଏପରି ନିଷ୍କପଟ ସରଳ ବ୍ୟବହାର ସେ କଳ୍ପନା କରି ନ ଥିଲେ । କିନ୍ତୁ ରାଜା ଉଠିଯାଇ ସ୍ୱସ୍ଥାନରେ ବସିବାରୁ ସେ ନିଜ ଆସନ ଗ୍ରହଣ କଲେ ।

ପ୍ରସାଦ ସେବନ ପରେ ରାଜା ଓ ରାଣୀ ବିଶ୍ରାମକକ୍ଷକୁ ବିଜେ କଲେ । ଗଗନ ଗୋଟିଏ ସୋଫା ଉପରେ ବସିବା ପରେ ସୁଶୀଳା ନିକଟରେ ଠିଆ ହୋଇ କହିଲେ–‘‘ଏଇ ଦୁଇଦିନ ମଧ୍ୟରେ ଶ୍ରୀଅଙ୍ଗରେ ଯଥେଷ୍ଟ ପରିବର୍ତ୍ତନ ଦେଖା ଯାଉଛି, ନୁହେଁ କି ? ଶ୍ରୀଅଙ୍ଗ ବର୍ତ୍ତମାନ କୁଶଳ ଅଛି ତ ?’’

ଗଗନ କହିଲେ–‘‘ନା ନା, ସେପରି କିଛି ନୁହେଁ । କାଲିର ଅସ୍ୱାସ୍ଥ୍ୟ ଓ ଅନିଦ୍ରା ଫଳରେ ସାମାନ୍ୟ କିଛି ଖରାପ ଦେଖା ଯାଉଥିବ ।’’

ସୁଶୀଳା କୁମାରୀ ଉଦ୍‍ବେଳିତ ସନ୍ଦିଗ୍‍ଧ ଭାବକୁ ସଂଯତ କରି କହିଲେ–‘‘ମୁଁ ଖରାପ ଦେଖାଯାଉଛି ବୋଲି କହିନି ତ ? ଶୁଣିଥିଲି ହରିପୁରରେ ହଠାତ୍ ସ୍ୱାସ୍ଥ୍ୟଭଙ୍ଗ ଘଟିଲା । ତଥାପି ମୁଖମଣ୍ଡଳରେ ଏ ଅପୂର୍ବ ସରଳ-ପ୍ରଫୁଲ୍ଲତା ଲକ୍ଷ୍ୟ କରିବା ମୋ ଜୀବନରେ ଏଇ ପ୍ରଥମ । ମେଘ ବିମୁକ୍ତ ଶରତ୍ ଚନ୍ଦ୍ରମା ପରି ଆଜି ତାହା ସୁଧା ଧାରା ବର୍ଷଣ କରୁଛି । ପିତୃପୁରୁଷଙ୍କ କଲ୍ୟାଣରୁ ହୁଏ ତ ଆଜିର ଶୁଭ ମୁହୂର୍ତ୍ତରୁ ଏ ଚାତକିନୀର ଜୀବନ-ତୃଷ୍ଣା ପରିତୃପ୍ତ ହେବ ।’’ କହୁ କହୁ ତାହାଙ୍କ ଚକ୍ଷୁ ଲୋତକ ସିକ୍ତ ହୋଇପଡ଼ିଥିଲା ।

ଗଗନ ଅପ୍ରତିଭ ହୋଇ ପଡ଼ିଲେ । ଏ କଥାର ଅର୍ଥ ସେ ସ୍ପଷ୍ଟ ବୁଝି ପାରିଲେ ନାହିଁ । କି ଉତ୍ତର ଦେବେ । ସେ ଅବନତ ମୁଖରେ ସ୍ମିତ ହାସ୍ୟ କରି ମେଜ ଉପରୁ ରକ୍ତଗୋଲାପର ଗୁଚ୍ଛଟିଏ ଧରି ଅତି ଆଦରରେ ତାହାର ରୂପ ଓ ସୌରଭ ଉପଭୋଗ କରୁଥାନ୍ତି । କିନ୍ତୁ ଏପରି ଭାବରେ ଆଉ ଅଧିକ ସମୟ ରହିବା ତାଙ୍କୁ ଆଦୌ ନିରାପଦ ବୋଧ ହେଲା ନାହିଁ । ସେ ଦରବାର ଉତ୍ସବର ବାହାନା ଦେଖାଇ ବାହାରକୁ ଚାଲି ଆସିଲେ । ଫୁଲ ତୋଡ଼ାଟି ହାତରେ ହିଁ ରହିଗଲା ।

Image

 

ପାଞ୍ଚ

 

ଅଭିଷେକ ଦିବସର ଦରବାର ଉତ୍ସବ ଏବଂ ଭେଟି ଗ୍ରହଣ କାର୍ଯ୍ୟ ମଧ୍ୟ ସନ୍ଧ୍ୟା ପୂର୍ବରୁ ଶେଷ ହେଲା । ଆଦିତ୍ୟଙ୍କ ବେଶରେ ଯେ ଆଉ ଜଣେ ସିଂହାସନରେ ବସିଛନ୍ତି ଏ କଥା ସମବେତ ପ୍ରଜାବର୍ଗ ବା ଅନ୍ୟାନ୍ୟ ରାଜକର୍ମଚାରୀ କେହି ଅନୁମାନ କରିପାରିଲେ ନାହିଁ । ବରଂ ସମସ୍ତେ ରାଜାଙ୍କର ମିଷ୍ଟାଳାପ ଓ ବ୍ୟବହାରରେ ସମଧିକ ତୃପ୍ତ ଥିଲାପରି ଜଣା ପଡ଼ୁଥାନ୍ତି । ଗଗନ ଆଳାପ କଲାବେଳେ କାହା ସହିତ କିପରି ବ୍ୟବହାର କରିବାକୁ ହେବ, ବିନୋଦଙ୍କ ନୀରବସଙ୍କେତ ତାହା ଜଣାଇ ଦେଉଥାଏ ।

 

ଗଗନ ରଙ୍ଗ ମହଲାକୁ ଫେରି ଆସିବା ପରେ ବିନୋଦ ହସି ହସି କହିଲେ–‘‘ଗଗନ, ତୁମେ ତ ଏକ ସନ୍ଥଗ୍ରାହୀ ପକ୍‍କା ଶିଷ୍ୟ ପଟେ ।’’

 

‘‘ନା, ନା, ସେଇଟା ମୋର କୃତିତ୍ୱ ନୁହେଁ ଦାଦା, ଆପଣଙ୍କ ପରି ଆଖଡ଼ା ଗୁରୁଙ୍କର-’’ କହି ବାହାରେ କାହାର ପଦଶବ୍ଦ ଶୁଭିବାରୁ ଗଗନ ନୀରବ ହେଲେ । ଗୃହ ମଧ୍ୟରେ ପ୍ରବେଶ କଲେ ରାଜନ । ବିନୋଦ କହିଲେ–‘‘ସବୁ ଠିକ୍ ହୋଇଛି ତ ରାଜନ ?’’ ‘ଆଜ୍ଞା’ କହି ରାଜନ ଦଣ୍ଡାୟମାନ ହେଲେ । ବିନୋଦ ରାଜାଙ୍କ ପଲଙ୍କ ପାଖକୁ ଯାଇ ଦ୍ୱାର ବନ୍ଦ କରିବାକୁ ରାଜନଙ୍କୁ ସଙ୍କେତ ଦେଇ କହିଲେ–‘‘ଆଉ ବିଳମ୍ବ କରିବା ଉଚିତ ନୁହେଁ । ବର୍ତ୍ତମାନ ଉଠ ।’’

 

ଗଗନ କହିଲେ–‘‘କୁଆଡ଼େ ଯିବା ? ଦ୍ୱାର ଯେ ଅବରୁଦ୍ଧ କରିଦେଲେ ।’’ ବିନୋଦ କହିଲେ–"ଏଇ ଖୋଲାଅଛି ପରା ।’’

 

ଗଗନ ଦେଖିଲେ ପଲଙ୍କ ପାଖ କାନ୍ଥ ଦେହରେ ଗୋଟାଏ ଅପ୍ରଶସ୍ତ ଦ୍ୱାର ଖୋଲିଯାଇଛି । ଚିତ୍ରପଟଗୁଡ଼ିକ ସେହି ଦ୍ଵାରର କବାଟ ଦେହରେ ଝୁଲୁଛି । ଗଗନ ବୁଝିପାରିଲେ, ଏଇ ସୁଡ଼ଙ୍ଗ ପଥଦେଇ ତାଙ୍କୁ ବାହାରକୁ ଯିବାକୁ ହେବ । ରାଜନଙ୍କୁ ଘରର ଆଲୋକଟି ଧରି ଆସିବା ପାଇଁ କହି, ବିନୋଦ ଏକ ଜ୍ଵଳନ୍ତ ମଶାଲ ହାତରେ ସୁଡ଼ଙ୍ଗ ପଥରେ ପ୍ରବେଶ କଲେ, ତାଙ୍କ ପଛେ ପଛେ ଗଗନ ଏବଂ ଶେଷରେ ରାଜନ । କ୍ରମନିମ୍ନ ପାବଚ୍ଛ ଶ୍ରେଣୀ ଦେଇ ସେମାନେ ଓହ୍ଲାଇଲେ । ଏହିପରି କେତେ ନିମ୍ନକୁ ଅବତରଣ କରିବାକୁ ହେଲା ଗଗନ ଅନୁମାନ କରିପାରିଲେ ନାହିଁ । ସେମାନେ ଯେତିକି ତଳକୁ ଖସୁଥାନ୍ତି ଭିତରର ତପ୍ତ ଅବରୁଦ୍ଧ ବାୟୁରେ ତାଙ୍କର ଶ୍ୱାସ ପ୍ରଶ୍ୱାସ ସେତିକି ରୁନ୍ଧିହୋଇ ଆସିଲା ପରି ବୋଧ ହେଉଥାଏ । ସୋପାନଶ୍ରେଣୀ ଛାଡ଼ି କ୍ରମେ ସେମାନଙ୍କୁ ସମତଳ ପଥର ଚଟାଣ ଦେଇ ଗତିକଲା ପରି ଜଣାଗଲା । କିନ୍ତୁ କିଛି ସମୟ ପରେ ଅନ୍ଧାର ଏତେ ଘନେଇ ଉଠିଲା ଯେ ଆଲୋକର ଅତି ନିକଟ ସମ୍ମୁଖରେ ସୁଡ଼ଙ୍ଗର ଗତିପଥ ଲକ୍ଷ୍ୟ କରିବା ଅସମ୍ଭବ ହୋଇ ପଡ଼ିଲା । ତିନିହେଁ ମନ୍ତ୍ରମୁଗ୍‍ଧବତ୍ ନୀରବ ପଦକ୍ଷେପ କରି ଚାଲିଥାନ୍ତି । ବହୁ ସମୟପରେ ସେମାନଙ୍କୁ ପୁଣି ପାବଚ୍ଛଶ୍ରେଣୀ ଦେଇ ଉପରକୁ ଉଠିବାକୁ ହେଲା । କିନ୍ତୁ ପଥ ଅପେକ୍ଷାକୃତ ଅପ୍ରଶସ୍ତ । ସ୍ଥାନେ ସ୍ଥାନେ ଗୋଟାଏ ଗୋଟାଏ ଭୀଷଣାକୃତି ଶିଳା ଆଗକୁ ବାହାରି ରହିଛି । ଅତି ସାବଧାନତା ସହକାରେ ଏ ସବୁ ପାର ହୋଇ ଶେଷରେ ସେମାନେ ଆସି ଗୋଟାଏ ବେଶ୍ ପ୍ରଶସ୍ତ ପାବଚ୍ଛ ଉପରେ ପହଞ୍ଚିଲେ । –କିନ୍ତୁ ଏଇଠାରୁ ପଥରୁଦ୍ଧ ।

 

ବିନୋଦ କିଛି ସମୟ ଏପାଖ ସେପାଖ ନିରୀକ୍ଷଣ କରିବା ପରେ ସୁଡ଼ଙ୍ଗ କାନ୍ଥର ଏକ ଅଂଶକୁ ଆଘାତ କଲେ । ସଙ୍ଗେ ସଙ୍ଗେ ଆଗରେ ଗୋଟାଏ ଭୀଷଣାକୃତି ପ୍ରସ୍ତର ସାମାନ୍ୟ ସ୍ଥାନଚ୍ୟୁତ ହୋଇପଡ଼ିଲା ଏବଂ ସୁ ସୁ ଶବ୍ଦରେ ବାହାରର ମୁକ୍ତ ବାୟୁ ସୁଡ଼ଙ୍ଗ ଭିତରକୁ ପଶି ଆସିଲା-

 

ଅବରୁଦ୍ଧ ବାୟୁ ମଧ୍ୟରେ ସେମାନଙ୍କର ଶ୍ୱାସ ପ୍ରଶ୍ୱାସ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ସେମାନେ ଜୀବନ ପାଇଲା ପରି ବୋଧ କରି ପ୍ରଥମେ ଥଣ୍ଡା ପବନଗୁଡ଼ାକ ମୁଖ ଖୋଲି ଗିଳି ପକାଇବାକୁ ଲାଗିଲେ । ଗଗନ ଟିକିଏ ସତେଜ ବୋଧ କରି ବାହାରକୁ ଆସି ଦେଖିଲେ, ସେମାନେ ଆସି ଗୋଟିଏ ଅଳ୍ପୋଚ୍ଚ ପାହାଡ଼ର ଶିଖର ଦେଶରେ ଠିଆ ହୋଇଛନ୍ତି । ପାହାଡ଼ର ପାଦଦେଶରେ ଆଗରୁ ତିନିଗୋଟି ସୁସଜ୍ଜିତ ଅଶ୍ଵ ରଖାଯାଇଥିଲା । ସେମାନେ ଓହ୍ଲାଇ ଆସି ଅଶ୍ଵାରୋହଣ କରି ପୁଣି ଅନ୍ଧାରରେ ମିଳେଇ ଗଲେ ।

 

ହରିପୁର ଦୁର୍ଗଦ୍ୱାର ଆଗରେ ଅଶ୍ୱରୁ ଅବତରଣ କରିବା ପୂର୍ବରୁ ସେମାନେ ବାଟରେ ନିଶ୍ୱାସ ମାରିବା ପାଇଁ ସୁଦ୍ଧା କୌଣସିଠାରେ ସମୟ ବ୍ୟୟ କରି ନ ଥିଲେ । ବିନୋଦ ଅବସନ୍ନ ହୋଇ ପଡ଼ିଲା ପରି ଢଳି ଢଳି ଯାଇ ସିଂହଦ୍ୱାର ଆଗରେ ଠିଆ ହେଉ ହେଉ ଦୁଆରୀ କବାଟ ଖୋଲିଦେଲା । ତିନିହେଁ ଭିତରେ ପଶି ଭିତରୁ ଦୁଆର ରୁଦ୍ଧ କରିଦେଲେ । ରାଜନ ଆଗେ ଆଗେ ଚାଲିଥାନ୍ତି । ସେ କଚେରୀ ଘର, ତେଲ-ମଣ୍ଡପ, ସର ଘର ଡେଇଁ ଅନ୍ତଃପୁର ଦୁଆର ପାଖରେ ହଠାତ୍ ଠିଆ ହୋଇ ପଡ଼ିଲେ । ଆଗରୁ ଯେପରି କିଛି ଅଦୃଶ୍ୟଶକ୍ତି ତାଙ୍କର ଗତିରୋଧ କରି ଦେଲା । ସେ କହି ଉଠିଲେ–‘‘ଏଁ ଦୁଆର ମେଳା ପଡ଼ିଛି !’’

 

ଅଜ୍ଞାତ ଆଶଙ୍କା ବିନୋଦଙ୍କ ଛାତିଟାକୁ କମ୍ପାଇ ଦେଲା । ସେ ରାଜନଙ୍କ ଆଗକୁ ବାହାରି ଆସିଲେ । କିନ୍ତୁ ପରମୁହୂର୍ତ୍ତରେ କେଉଁଠାରୁ ଗୋଟାଏ ବିକଳ ଚିତ୍କାର ଉଠି ତାଙ୍କର କାନଦୁଇଟାକୁ ସ୍ତବ୍‍ଧ କରି ଦେଲା । ସେ ଡାକିଲେ–‘‘ରଘୁଆ, ରଘୁଆ– ।’’

 

ପୁଣି ସେଇ କରୁଣ ଚିତ୍କାର, ଯେପରି କି ତା ଭିତରେ ମର୍ମାନ୍ତିକ ଯନ୍ତ୍ରଣାର ଅସ୍ପଷ୍ଟ ସ୍ଵର ମିଶି ରହିଛି । ଅନିଚ୍ଛା ସତ୍ତ୍ୱେ ରାଜନ ଏବଂ ଗଗନଙ୍କର ହାତ କଟିଲମ୍ବିତ ଅସି ମୁଠା ଉପରେ ଯାଇ ଅପେକ୍ଷା କଲା । ସେମାନେ ଅନ୍ଧାରରେ ଆଉ ଅଗ୍ରସର ହେବାକୁ ସାହସ କଲେ ନାହିଁ ।

 

ପୁଣି ସେଇ ଚିତ୍କାର । କିନ୍ତୁ ଏଥର ମନେ ହେଲା ଯେପରି ଏହା ଭିତର ମହଲାର ଅଗଣା ମଧ୍ୟରୁ ଭାସି ଆସୁଛି । ସମସ୍ତଙ୍କ ଦୃଷ୍ଟି ସେଇଆଡ଼େ ଫେରିପଡ଼ିଲା । ଆଗକୁ ଯାଇ ଦେଖିଲେ–ଓଳି ତଳେ କିଛି ଗୋଟାଏ ଲମ୍ବ ହୋଇ ପଡ଼ି ଛଟପଟ ହେଉଛି । ଗଗନ ଉନ୍ମୁକ୍ତ ଅସି ହସ୍ତରେ ଆଗକୁ ଚାଲିଲେ ।

 

ରାଜନ ନଇଁପଡ଼ି ଦେଖିଲେ ଲମ୍ବ ହୋଇ ପଡ଼ିଛି ରଘୁଆ-ରକ୍ତାକ୍ତ ଦେହରେ ସେ ପାଟି ପାକୁ ପାକୁ କରି ଅସ୍ପଷ୍ଟ ଭାବରେ କହିଲା–‘‘ପା-ଣି ।’’

 

ବିନୋଦ ଓ ଗଗନ ରଘୁଆର ମୁଣ୍ଡ ଟେକିଧରି ମୁନ୍ଦେ ପାଣି ପିଆଇ ଦେଲେ । ସେ ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ି ବିନୋଦଙ୍କ ଆଡକୁ ଢଳି ପଡ଼ିଲା ।

 

ଏଇ ସମୟରେ ଘର ଭିତରେ ଆଦିତ୍ୟଙ୍କ ଅବସ୍ଥା କଣ ହୋଇଛି ଦେଖିବା ପାଇଁ ଗଗନ ଏବଂ ରାଜନ ଧାଇଁଗଲେ । ମାତ୍ର ନିଜ ନିଜ ଅସି ଟେକି ଧରି ଆସ୍ତେ ଆସ୍ତେ ଛପି ଛପି ତାଙ୍କ କୋଠରୀ ଭିତରକୁ ଗୋଡ଼ ବଢ଼ାଇଲେ । ପ୍ରତି ମୁହୂର୍ତ୍ତରେ ଏକ ଅନିଶ୍ଚିତ ବିପଦ ଆଶଙ୍କାରେ ବୁକୁ ଦମ୍ ଦମ୍ କରୁଥାଏ । ଘରର ମଧ୍ୟଭାଗ ପର୍ଯ୍ୟନ୍ତ ଏହିପରି ଭାବରେ ଯାଇ କୌଣସି ପ୍ରକାର ବାଧା ଆଗରୁ ନ ପାଇବାରୁ ସେମାନେ ଏକାବେଳକେ ପଲଙ୍କ ଉପରକୁ ଝାମ୍ପି ପଡ଼ିଲେ ଏବଂ ସମୟରେ ପଲଙ୍କ ଉପରଟାଯାକ ଦରାଣ୍ଡି ପକାଇଲେ । କିନ୍ତୁ ଯୁବରାଜଙ୍କ ମଖମଲ ଖଟ ଉପରେ ଖାଲି ଗଦିଟା ପଡ଼ିଥିଲା ।

 

ଏଣେ ରଘୁଆର ଉର୍ଦ୍ଧ୍ୱଶ୍ୱାସ ଉଠିବାକୁ ଆରମ୍ଭ କଲାଣି । ବିନୋଦ ଆଉ ଅପେକ୍ଷା କରି ନ ପାରି ପଚାରିଲା–‘‘ରଘୁଆ ଘଟଣା କଣ ?’’

 

ରଘୁଆ ନିଜର ଶେଷ ନିଃଶ୍ୱାସ ସହ କହିଲା–‘‘ଲାଲମୋହନ…ଲାଲମୋହନ ।’’ କିନ୍ତୁ ତାର ଆଉ ଜିଭ ଲେଉଟିଲା ନାହିଁ । ଶେଷ ନିଃଶ୍ୱାସଟିକ ବାୟୁମଣ୍ଡଳରେ ମିଶିଗଲା ।

 

ବିନୋଦ ରଘୁଆର ଶୀତଳ ଦେହଟି ତଳେ ରଖି ଦେଇ ଠିଆହେଲେ, ଅନ୍ୟ ଦୁଇଜଣଙ୍କ ପାଖକୁ ଧାଇଁ ଯିବାପାଇଁ ।

Image

 

ଛଅ

 

ପୂର୍ବେ କୁହାଯାଇଛି ଦୀନବନ୍ଧୁ ନରେନ୍ଦ୍ରରାଏ ସାନଭାଇ ଲାଲମୋହନଙ୍କ ଅଧୀନରେ ମଧୁଗଡ଼ ଛାଡ଼ି ଦେଇଥିଲେ । ଏ ଦୁର୍ଗ ଅଧୀନରେ କେତେକ ମାଳ ଅଞ୍ଚଳ ଥିଲା । ସେ ସବୁର ଆଦାୟ ଲାଲମୋହନ ଭୋଗ କରନ୍ତି । ତଥାପି ଲାଲମୋହନ ସର୍ବଦା ଅତୃପ୍ତ ଥିଲେ । ତାଙ୍କର ହୃଦୟ ମଧ୍ୟରେ ପରଶ୍ରୀକାତରତା ଜଳି ଉଠୁଥାଏ । ସେ ଭାଇଙ୍କ ଉଦାରତା ନିମିତ୍ତ ତାଙ୍କ ପ୍ରତି ଆଜୀବନ କୃତଜ୍ଞ ରହିବା ପରିବର୍ତ୍ତେ ଥରେ କନ୍ଧମାନଙ୍କୁ ମେଳିକରି ସୁନ୍ଦରଗଡ଼ ଅଧିକାର କରିବା ପାଇଁ ଗୁପ୍ତଭାବରେ ଚେଷ୍ଟା କରିଥିଲେ । ଫଳରେ ଦୀନବନ୍ଧୁ ଲାଲମୋହନଙ୍କଠାରୁ ସମସ୍ତ କ୍ଷମତା କାଢ଼ିନେଇ ମାସିକ ଭତ୍ତାଦେଇ ତାଙ୍କୁ ମଧୁଗଡ଼ର ରକ୍ଷକ ଭାବରେ ନିଯୁକ୍ତି କରିବାକୁ ବାଧ୍ୟ ହୋଇଥିଲେ ।

 

ଏ ଘଟଣାରେ ଲାଲମୋହନଙ୍କର ପ୍ରତିହିଂସା ପ୍ରବୃତ୍ତି ଶତଗୁଣ ବଢ଼ିଗଲା । ସେ ଏହାର ଉପଯୁକ୍ତ ପ୍ରତିଶୋଧ ନେବାପାଇଁ ଦୃଢ଼ ସଂକଳ୍ପ କରି ପ୍ରତି ମୁହୂର୍ତ୍ତରେ ସୁଯୋଗର ଅପେକ୍ଷାରେ ରହିଲେ ।

 

ଦୀନବନ୍ଧୁଙ୍କ ମୃତ୍ୟୁପରେ ଲାଲମୋହନଙ୍କ ଆଖିରେ ସୁନ୍ଦରଗଡ଼ର ସିଂହାସନଟା ପୁଣି ଝଲସି ଉଠିଲା । ସେତେବେଳେ ଆଦିତ୍ୟ ଅପରିଣତ ମସ୍ତିଷ୍କ ଯୁବକ । ତାଙ୍କର ବ୍ୟବହାର ଓ ଅତ୍ୟାଚାରରେ ଅଧିକାଂଶ ପ୍ରଜା ବିବ୍ରତ ହୋଇ ପଡ଼ିଥିଲେ । ସୁତରାଂ ଲାଲମୋହନ ଶେଷଥର ପାଇଁ ନିଜର ଶକ୍ତି ପ୍ରୟୋଗ କରିବା ପାଇଁ ସାହସ ସଂଗ୍ରହ କଲେ ।

 

ଏହି ସମୟରେ ଲାଲମୋହନଙ୍କୁ ଜଣେ ଉପଯୁକ୍ତ ସହକାରୀ ମଧ୍ୟ ମିଳିଲେ । ସେ ହେଉଛି ସୁନ୍ଦରଗଡ଼ ଅନ୍ତର୍ଗତ ଅରାଙ୍ଗ ସର୍ଦ୍ଦାରଙ୍କ ପୁଅ ମୋହନ ବିଷୋଇ । ପିତାଙ୍କ ମୃତ୍ୟୁପରେ ଅଳ୍ପଦିନ ହେଲା ସେ ସର୍ଦ୍ଦାର ଶାଢ଼ୀ ପାଇଥିଲା । ମୋହନ ଯେପରି ହୃଷ୍ଟପୁଷ୍ଟ ଯୁବକ, ସେହିପରି ସାହସୀ ଏବଂ ବିକ୍ରମଶାଳୀ । କିନ୍ତୁ ସେ ନିଜର ଏ ଶକ୍ତିକୁ ଦିନକ ପାଇଁ ସୁଦ୍ଧା ଉତ୍ତମ କାର୍ଯ୍ୟରେ ଲଗାଇ ପାରିନାହିଁ । ଯୌବନର ପ୍ରାରମ୍ଭରେ ସେ ଆଦିତ୍ୟଙ୍କ ସହଚର ରୂପେ ଯେଉଁ ସବୁ ଅତ୍ୟାଚାର କରିଥିଲା ତାହା କାହାରିକୁ ଅବିଦିତ ନ ଥିଲା । ବର୍ତ୍ତମାନ ସେ ଲାଲମୋହନଙ୍କ ସହ ବନ୍ଧୁତା ସୂତ୍ରରେ ଆବଦ୍ଧ ହେଲା । ଉଭୟଙ୍କ ମଧ୍ୟରେ ନାନା ପ୍ରକାର ମନ୍ତ୍ରଣା ଚାଲିଲା । ଶେଷରେ ଠିକ୍ ହେଲା ଯେ, ବିଷ ପ୍ରୟୋଗ କରି ଆଦିତ୍ୟଙ୍କୁ ହତ୍ୟା କରିବାକୁ ହେବ । ତାହାପରେ ଲାଲମୋହନ ହେବେ ରାଜା ଏବଂ ମୋହନ ହେବ ଦେବାନ ।

 

ଏଇ ଦୁଃସାଧ୍ୟ କାର୍ଯ୍ୟ ସାଧନ ପାଇଁ ସେମାନଙ୍କୁ ଆଉ ଜଣକର ସାହାଯ୍ୟ ନେବାକୁ ହୋଇଥିଲା । ସେତେବେଳେ ଶ୍ୟାମ ରଣସିଂହର ଚଉଦ ବର୍ଷର ପୁଅ ଅନନ୍ତ ଲାଲମୋହନଙ୍କ ନିକଟରେ ଚାକିରୀ କରୁଥାଏ । ସେ ଟୋକାଖଣ୍ଡେ ହେଲେ ମଧ୍ୟ ଅତିମାତ୍ରାରେ ବୁଦ୍ଧିମାନ ଓ ଧୂର୍ତ୍ତ । ମୁହଁଟି ଦେଖିବାକୁ ପେଣ୍ଡୁପରି ଗୋଲ । ସତେ ଯେପରି ଜଗତର ସବୁ ସରଳତା, ଉଦାସୀନତାର ଆଧାର; ମାତ୍ର ସମସ୍ତେ ଦୁଇ ହାତରେ ତାଳି ମାରିଲେ ସେ ଏକ ହାତରେ ମାରିଜାଣେ । ଲାଲମୋହନ ଏଇ ଅନନ୍ତକୁ ହିଁ ତାଙ୍କ ଅଗ୍ନିବାଣର ରଞ୍ଜକ ସ୍ଵରୂପ ବ୍ୟବହାର କରିବା ପାଇଁ ଠିକ୍ କରି, ତାକୁ ହାତ କରିବାକୁ ଚେଷ୍ଟାକଲେ । ଏଥିପାଇଁ ଅନନ୍ତକୁ ବେଶୀ କିଛି କହିବା ଆବଶ୍ୟକ ହେଲାନାହିଁ । ସେ ତା ମାଆଠୁଁ ଶୁଣିଛି, ଯୁବରାଜ ଆଦିତ୍ୟ ତା ବାପାଙ୍କୁ ହତ୍ୟା କଟିଥିଲା । ତେଣୁ ବର୍ତ୍ତମାନ ଲାଲମୋହନଙ୍କ ପ୍ରସ୍ତାବ ଶୁଣି ତାର ହୃଦୟ ଆନନ୍ଦରେ ନାଚିବାକୁ ଲାଗିଲା । ଦୁଇଆଖି ଦେଇ ଅଗ୍ନିକଣା ଫୁଟିଉଠିଲା-ପିତୃହନ୍ତାର ପ୍ରତିଶୋଧ ନେବାପାଇଁ ସେ ହରିପୁର ଯାଇ ଗୋଟିଏ ବାଳିକା ବେଶରେ ଅନ୍ତଃପୁରରେ ପ୍ରବେଶ କରିଥିଲା ଏବଂ ସଙ୍ଗରେ ନେଇଥିଲା ଲାଲମୋହନଙ୍କ ପ୍ରଦତ୍ତ ମାରାତ୍ମକ ବିଷ । ତାହାର ସମସ୍ତ କାର୍ଯ୍ୟ ସହଜ ହୋଇଥିଲା, ଅନ୍ତଃପୁରର ଯୁବକ ପାଚକ ସହିତ ଛଳନା ମୂଳକ ସାମାନ୍ୟ ପ୍ରେମାଭିନୟ ପରେ ।

 

ରାଜନ ଏବଂ ବିନୋଦଙ୍କ ଛଡ଼ା, ଆଦିତ୍ୟଙ୍କ ପରିବର୍ତ୍ତେ ଯେ ଗଗନ ରାଜା ହୋଇ ଯାଉଛନ୍ତି, ଏକଥା କେବଳ ଅନନ୍ତ ଜାଣିପାରିଥିଲା । ସେଦିନ ଦିନ ଗୋଟାଯାକ ଲାଲମୋହନ ଓ ମୋହନ ଶିକାର ଘର ପାଖେ ଲୁଚି ରହିଥାନ୍ତି । ଅନନ୍ତଠାରୁ ଗଗନ ରାଜାହୋଇ ଯାଉଥିବା ସମ୍ବାଦ ପାଇ ପ୍ରଥମେ ସେମାନେ ଆଦୌ ବିଶ୍ୱାସ କରିପାରି ନ ଥିଲେ । ତଥାପି ସନ୍ଧ୍ୟା ପୂର୍ବରୁ ସେମାନେ କୌଶଳକ୍ରମେ ହରିପୁର ଦୁର୍ଗ ମଧ୍ୟରେ ଗୋପନରେ ପ୍ରବେଶ କରି ସମସ୍ତ ତଥ୍ୟ ସଂଗ୍ରହ କରିବାପାଇଁ ସ୍ଥିର କଲେ ।

Image

 

ସାତ

 

ହରିପୁରର ଦୁର୍ଗରକ୍ଷକ ମଧୁ ସାମନ୍ତରାୟ । ବିନୋଦ ସିଂହ ଗଗନଙ୍କ ସହ ସୁନ୍ଦରଗଡ଼ ଯାତ୍ରା କରିବା ପୂର୍ବରୁ ତାହାକୁ ଡକାଇ ଦୁର୍ଗମଧ୍ୟରେ କାହାରିକୁ ପ୍ରବେଶ କରାଇ ନ ଦେବା ନିମନ୍ତେ କଡ଼ା ଆଦେଶ ଦେଇଥିଲେ । ତେଣୁ ସେ ପରଦିନ ଅତି ତତ୍ପରତାର ସହିତ ନିଜ କାର୍ଯ୍ୟରେ ନିଯୁକ୍ତ ଥାଏ । କିନ୍ତୁ ସନ୍ଧ୍ୟା ଆଗମନ ସଙ୍ଗେ ସଙ୍ଗେ ସେ ଭିତର ଅଗଣାରେ ପ୍ରବେଶ କରି ଦେଖିଲା, ଦୁଇଟି କୃଷ୍ଣବସ୍ତ୍ରାବୃତ ସଚଳ ମୂର୍ତ୍ତି ଅଗଣାର ଆରପାଖ କାନ୍ଥ ଛାଇ ତଳେ ତଳେ ତାହାରି ଆଡ଼କୁ ଆସୁଛନ୍ତି । ସେ ଭୁତ ପ୍ରେତ ବିଶ୍ୱାସ କରେ ନାହିଁ । ତେଣୁ ସେ ବିସ୍ମିତ ହୋଇ ଠିଆ ହେଲା; କିନ୍ତୁ ପର ମୁହୂର୍ତ୍ତରେ ମନୁଷ୍ୟାକୃତି କୃଷ୍ଣଛାୟା ଦୁଇଟା ତା ଉପରକୁ ଲମ୍ଫଦେଲେ । ମଧୁର ହାତଟା ଚଟ୍‍କିନା ଖଣ୍ଡାର ମୁଠା ଉପରକୁ ଚାଲିଗଲା । ମାତ୍ର ତା ପୂର୍ବରୁ ସେ ଭୀଷଣ ଆଘାତ ପାଇଁ ଚିତ୍କାର କରି ଭୂମି ଉପରେ ଲେଉଟି ପଡ଼ିଲା ।

 

ରଘୁଆ ଆଦିତ୍ୟଙ୍କ ପଲଙ୍କ ପାଖରେ ବସିଥିଲା । ମଧୁର ଚିତ୍କାର ଶୁଣି ସେ ଅଗଣା ଆଡ଼କୁ ଧାଇଁଲା । ଦ୍ୱାରମୁହଁରେ ପହଂଚି ଦେଖିଲା ବାହାରୁ ଦୁଇପାଖରୁ ଦୁଇଟା ହାତ ଏବଂ ଦୁଇଟା ରକ୍ତାକ୍ତ ଛୁରୀ ଛକପରି ତାର ପଥ ରୁଦ୍ଧ କରି ଦେଇଛନ୍ତି । ଛୁରୀ ଦେହରୁ ବିନ୍ଦୁ ବିନ୍ଦୁ ଉଷ୍ଣ ରକ୍ତ ଖସି ପଡ଼ୁଛି । ସେ ଛାନିଆ ହୋଇ ଠିଆ ହୋଇପଡ଼ି ଭାବିଲା, ଫେରିଯାଇ ପଲଙ୍କ ପାଖରୁ ତାହାର ଖଣ୍ଡାଟା ଧରି ଆସିବ । କିନ୍ତୁ କାଳ ଆଉ ଅପେକ୍ଷା କଲାନାହିଁ । ସଙ୍ଗେ ସଙ୍ଗେ ଦୁଇଟା ବିକଟାକାର ମୂର୍ତ୍ତି ତା ଉପରକୁ ମାଡ଼ି ଆସିଲେ । ରଘୁଆର ପତନ ପରେ ହତ୍ୟାକାରୀ ଦୁଇଜଣଙ୍କ ମଧ୍ୟରୁ ଜଣେ ଦୁଆର ମୁହଁରେ ଜଗି ରହିଲା ଏବଂ ଅନ୍ୟ ଜଣକ ଧୀରେ ଧୀରେ ଭିତରକୁ ପ୍ରବେଶ କଲା ।

 

ଆଦିତ୍ୟ ପଲଙ୍କରେ ସୁଖସୁପ୍ତ । ନିଷ୍ପ୍ରଭ ବଦନ ମଣ୍ଡଳରୁ ଦୀନବନ୍ଧୁଙ୍କ ସଦାନନ୍ଦ ମୁଖର ଅସ୍ପଷ୍ଟ ରେଖା କେତୋଟି ଫୁଟି ଉଠୁଛି । ହତ୍ୟାକାରୀ ପଲଙ୍କ ନିକଟକୁ ଯାଇ ଅନୁଭବ କଲା, ସତେ ଯେପରି ଆଗରୁ କିଏ ତାକୁ ବାଧା ଦେଉଛି । ହୃଦୟର ସମସ୍ତ ଆସୁରୀ ଶକ୍ତି, ସମସ୍ତ ବର୍ବରତା, ନୃଶଂସତା ଏକାଠି କରି ସେ କମ୍ପିତ ଛୁରୀଟାକୁ ଆସ୍ତେ ଉପରକୁ ଉଠେଇଲା ମୁହୂର୍ତ୍ତକ ମଧ୍ୟରେ ସଜୋରେ ଟାଣିଆଣି ସୁପ୍ତ ବ୍ୟକ୍ତିର ବକ୍ଷ ଦେଶରେ ବିଦ୍ଧ କରି ଦେବାପାଇଁ; କିନ୍ତୁ ହଠାତ୍ ତାର ଆଖି ପଡ଼ିଲା ଆଦିତ୍ୟଙ୍କ ମୁହଁ ଉପରେ । ଛୁରୀ ଦେହରୁ ପ୍ରତିଫଳିତ ଆଲୋକ ରେଖାଗୁଡ଼ିକ ସେଠାରେ ଝଲସି ଉଠୁଛି । ସେ ଚମକି ପଡ଼ିଲା । ମନେହେଲା, ପଲଙ୍କରେ ଶୋଇଛନ୍ତି ଦୀନବନ୍ଧୁ-ସ୍ମିତ ହାସ୍ୟରେ ମୁଖମଣ୍ଡଳ ପୁରି ଯାଇଛି । ତାର ଦୃଢ଼ମୁଷ୍ଟି ଶିଥିଳ ହୋଇଗଲା । ପଲଙ୍କ ଉପରେ ତାର ଛୁରୀକା ଲମ୍ବ ହୋଇ ପଡ଼ିଗଲା । ସେ ନିଜେ ଭୁଇଁରେ ଲୋଟି ପଡ଼ିଥାନ୍ତା; କିନ୍ତୁ ଅନ୍ୟ ଜଣକ ଦୁଆରୁ ଧାଇଁଆସି ତାକୁ ଟାଣିଧରି କହିଲା,–‘‘ହତ୍ୟାକର ନାହିଁ–ହତ୍ୟା କରନାହିଁ । ଆଜି ଥରେ ହତ୍ୟାକଲେ ସେ ମରିବ ନାହିଁ । ଏ ଆଦିତ୍ୟର ଅଚଳ ମୂର୍ତ୍ତି ମାତ୍ର, ଚଳନ୍ତି ଆଦିତ୍ୟ ବର୍ତ୍ତମାନ ସିଂହାସନରେ ଅଧିଷ୍ଠିତ ।’’

Image

 

ଆଠ

 

ଅଳ୍ପ ସମୟ ମଧ୍ୟରେ ଦୁଇଟିଯାକ ଶବର ଯଥାତଥା ବ୍ୟବସ୍ଥା କରିଦେଇ ବିନୋଦ ପ୍ରଭୃତି ଫେରିଲେ ସେଇ ସୁଡ଼ଙ୍ଗ ପଥ ଅଭିମୁଖରେ ।

 

ନୈଶ ଗଗନ ତଳେ ନୈରାଶ୍ୟ ଭରା ପବନାଗୁଡ଼ାକ ସାଇଁ ସାଇଁ ବହି ଯାଉଥାଏ । କେତେବେଳେ ଅବା କେଉଁ ଦୂର ଗଛଗହଳ ମଧ୍ୟରୁ ଗୋଟାଏ ପେଚା ବିକଟ ଚିତ୍କାର କରି ଉଠୁଥାଏ । ତିନିହେଁ ନିଜ ନିଜର ଅବସାଦ ଜର୍ଜରିତ ଶରୀର ଧରି ସୁଡ଼ଙ୍ଗ ଭିତରେ ପ୍ରବେଶ କଲେ-

 

ଆଲୁଅଟି ଜଳୁଥିଲା । ନିସ୍ତବ୍‍ଧତା ଭଙ୍ଗ କରି ଗଗନ ପ୍ରଥମେ କହିଲେ–‘‘ଦାଦା, ବର୍ତ୍ତମାନ ଆପଣ କଣ କରିବେ ବୋଲି ଭାବୁଛନ୍ତି ?’’ ବିନୋଦ ନୀରବ–ତାଙ୍କ ହୃଦୟକୋଣରୁ ଗୋଟାଏ ଦୀର୍ଘନିଃଶ୍ୱାସ ବାହାରି ପଡ଼ି ସୁଡ଼ଙ୍ଗର ଅବରୁଦ୍ଧ ବାୟୁମଣ୍ଡଳ ମଧ୍ୟରେ ଖେଳିଗଲା । ଗଗନ କୌଣସି ଉତ୍ତର ନ ପାଇ ପୁଣି କହିଲେ ‘‘ଘଟଣାଚକ୍ର ଯେପରି ଭାବରେ ପରିବର୍ତ୍ତିତ ହୋଇଛି, ସେଥିରେ ରାଜ୍ୟର ଅବସ୍ଥା ଯେ କଅଣ ହେବ ଆପଣ ଅନୁମାନ କରିପାରୁଥିବେ । କିନ୍ତୁ ସେଥିରେ ମୁଁ ତ ଆଉ କୌଣସି ପ୍ରକାର କାର୍ଯ୍ୟରେ ଲାଗି ନ ପାରେ । ମୁଁ ଏହିଠାରୁ ବିଦାୟ ନେଉଛି-।’’

 

ଏ କଥା ଶୁଣି ବିନୋଦ କାନ୍ଦ କାନ୍ଦ ହୋଇ ଉଠିଲେ । ବର୍ଣ୍ଣହୀନ ଓଷ୍ଠ ଦୁଇଟା କମ୍ପି ଉଠୁଥାଏ । ସେ ଗଗନଙ୍କର ହାତ ଦୁଇଟି ଧରି ପକେଇ କହିଲେ–‘‘ଗଗନ, ବର୍ତ୍ତମାନ ତୁମେ କେବଳ ଆମର ଗତି । ତୁମ ବ୍ୟତୀତ ରାଜ୍ୟ, ରାଜା ରାଣୀ ଏବଂ ଆମ୍ଭମାନଙ୍କ ଅବସ୍ଥା ନିତାନ୍ତ ଶୋଚନୀୟ ହୋଇପଡ଼ିବ ।’’

 

ଶ୍ରାବଣ ରାତିର ବିଜୁଳି ଗାରପରି କି ଗୋଟାଏ ଭାବ କ୍ଷଣକ ମଧ୍ୟରେ ଗଗନଙ୍କ ମନ ଭିତରେ ଖେଳିଗଲା–ସେ ଚମକି ପଡ଼ି କହିଲେ–‘‘ରାଜା ! ଆପଣ କଅଣ ଭାବନ୍ତି, ଏବେ ସୁଦ୍ଧା ରାଜା ଜୀବିତ ଅଛନ୍ତି ?’’

 

ବିନୋଦ କଥାରେ ଟିକିଏ ଜୋର ଦେଇ କହିଲେ–‘‘ନିଶ୍ଚୟ ।’’

 

‘‘–କିପରି ? ମୁଁ ଭାବୁଛି ସେମାନେ ତାଙ୍କୁ କୌଣସି ଗୁପ୍ତ ସ୍ଥାନକୁ ନେଇ ହତ୍ୟା କରିଥିବେ ।’’

 

‘‘–ନାଁ, ମୋହନ ଏଡ଼େ ବୋକା ନୁହେଁ । ସେ ଅବଶ୍ୟ ଜାଣି ପାରିଥିବ ଯେ ଆଦିତ୍ୟଙ୍କୁ ହତ୍ୟା କରିବା ଫଳରେ ତାର ପଥ ଅଧିକ କଣ୍ଠକିତ ହୋଇ ପଡ଼ିବ ।’’

 

‘‘କାହିଁକି ? ଆପଣ ତ କହୁଥିଲେ ରାଜାଙ୍କୁ ଯେ କୌଣସି ଭାବେ ହତ୍ୟା କରି ପାରିଲେ ରାଜ୍ୟ ପାଇବାରେ ଲାଲମୋହନର ଦାବୀ ସର୍ବପ୍ରଥମ ।’’

 

‘‘–କହୁଥିଲି । କିନ୍ତୁ ସେମାନେ ଯାହାକୁ ହତ୍ୟା କରିବାକୁ ନେଲେ ସେ ତ ଏଇକ୍ଷଣି ରାଜ୍ୟର ରାଜା ନୁହେଁ–କେହି ମଧ୍ୟ ନୁହେଁ । ବର୍ତ୍ତମାନ ସୁନ୍ଦରଗଡ଼ର ପ୍ରକୃତ ରାଜା ତୁମେ–ଆଦିତ୍ୟ ପ୍ରତାପ ତୁମେ । ସେମାନେ ଯାହାକୁ ନେଇଛନ୍ତି ସେ ‘ଗଗନ ବିହାରୀ’, ରାଜାଙ୍କର ଜଣେ ବନ୍ଧୁ ମାତ୍ର-। ତେବେ ସେମାନେ ରାଜ୍ୟ ପାଇବେ କିପରି ?’’

 

ଗଗନ ଗୁମ୍ଫାର ପଥର କାନ୍ଥଗୁଡ଼ାକ ପରି ନିସ୍ତବ୍‍ଧ ପରି ଠିଆହୋଇ ରହିଲେ । ରାଜନ ବିନୋଦଙ୍କୁ ଉତ୍ତର ଦେଇ କହିଲେ, ‘‘ବାସ୍ତବିକ କଥା, କିନ୍ତୁ ସେମାନେ ଯଦି ଆଦିତ୍ୟଙ୍କୁ ହତ୍ୟା ନ କରି ପ୍ରଜାମାନଙ୍କ ଆଗରେ ଏବଂ କୋମ୍ପାନୀ ସରକାର ଆଗରେ କହନ୍ତି ଯେ, ଦେବାନ୍ ଆଉ ସେନାପତି ମିଳି ଅନ୍ୟ ଜଣକୁ ରାଜା କରିଛନ୍ତି-?’’

 

ବିନୋଦ କହିଲେ–‘‘ବର୍ତ୍ତମାନର ରାଜା ଆଦିତ୍ୟ ନୁହନ୍ତି ଏକଥା ପ୍ରମାଣ କରିବା ଅବଶ୍ୟ ସେମାନଙ୍କ ପକ୍ଷେ ଆଦୌ ସହଜସାଧ୍ୟ ନୁହେଁ; ତେବେ ସେଥିରେ ତାଙ୍କର କଣ ଲାଭ ହେବ କହନ୍ତୁ ଦେଖି ? ଦୀନବନ୍ଧୁଙ୍କ ସିଂହାସନରେ ତ ଆଉ ଲାଲମୋହନ ବସି ପାରିବ ନାହିଁ ? ବସିବେ ଏ ଆଦିତ୍ୟ କିମ୍ବା ସେ ଆଦିତ୍ୟ ।’’

 

ରାଜନଙ୍କ ବୁଦ୍ଧି ଆଉ ବେଶି ଦୂର ଚାଲିଲା ନାହିଁ । ସେ କହିଲେ–‘‘ତେବେ ଆପଣ କଣ କହୁଛନ୍ତି ?’’

 

ବିନୋଦ କହିଲେ–‘‘ସେମାନେ ଆଦିତ୍ୟଙ୍କୁ ଏପରି ଭାବରେ ନେଇଯାଇ ବଡ଼ ଭୁଲକାମ କରିଛନ୍ତି । ତେଣୁ ମୋର ଧାରଣା ସେମାନେ ତାଙ୍କୁ କୌଣସି ଗୁପ୍ତ ସ୍ଥାନରେ ଲୁଚାଇ ରଖି ଅନ୍ୟ ସୁଯୋଗର ଅପେକ୍ଷାରେ ରହିବେ ।’’

 

ଏକଥା ଶୁଣି ଗଗନଙ୍କ ଅବରୁଦ୍ଧ ପ୍ରାଣଟା ମୁକ୍ତ ଜଳସ୍ରୋତ ପରି ଉତ୍ସ୍ୱସିତ ହୋଇ ଉଠିଲା । ସେ ଦୁଇହାତ ଯୋଡ଼ି ବଡ଼ ବିକଳ ଭାବରେ କହି ଉଠିଲେ–‘‘ଦାଦା, ଆପଣଙ୍କ ମନ୍ତ୍ରଣା ଯାହା ହେଉନା କାହିଁକି, ମତେ କିନ୍ତୁ ଏଥିରୁ ନିଶ୍ଚୟ ଆପଣ ମୁକ୍ତି ଦେବେ । ମୁଁ ଏପରି ନାଟକୀୟବେଶ ଧାରଣ କରି ରଙ୍ଗମଞ୍ଚରେ ଠିଆହୋଇ ପାରିବି ନାହିଁ । ପ୍ରକାଶ୍ୟ ଭାବରେ ମୋ ନିଜ ସ୍ଥାନରେ ରହି, ରାଜ୍ୟ ପାଇଁ ବା ରାଜାଙ୍କ ପାଇଁ ପ୍ରାଣ ଉତ୍ସର୍ଗ କରିପାରେ–କିନ୍ତୁ ଏପରି ଭାବରେ ଆଉ ନୁହେଁ ।’’

 

ବିନୋଦ ଏହାର ଉତ୍ତର ଦେବାକୁ ଗଲାବେଳେ ଉତ୍ତେଜନାରେ ତାଙ୍କ ପ୍ରାଣ ପୂରିଯାଇଥିଲା । ତଥାପି ସେ ବିନୟୀ ହୋଇ କହିଲେ–‘‘ଗଗନ ତୁମ ପରି କ୍ଷତ୍ରିୟ ଯୁବକ ମୁଖରୁ ଏକଥା ଶୁଣି ମୋ ପ୍ରାଣରେ ହତାଶାର ତୀବ୍ର ସ୍ରୋତ ବହିଯାଉଛି–ଅବସାଦରେ ହୃଦୟ ଭାଜି ପଡ଼ୁଛି-। ଆଗରୁ କହିଛି, ତୁମ ବ୍ୟତୀତ ମୋର ସମସ୍ତ ବିଚାରବୁଦ୍ଧି ପଙ୍ଗୁ ହୋଇ ପଡ଼ିବ, ଏ ଭୀଷଣ ଷଡ଼ଯନ୍ତ୍ର ବିପକ୍ଷରେ ତୁମେ ମୋର ଏକମାତ୍ର ଅସ୍ତ୍ର । ରଙ୍ଗମଞ୍ଚରେ ଆଉ କିଛି ସମୟ ଠିଆ ହେବା ପାଇଁ ତୁମେ ଯେପରି ବିବ୍ରତ ହୋଇ ପଡ଼ିଲଣି, ସେକଥା ଦେଖି ମୋ ପରି ସୂତ୍ରଧରର କି ସାଧ୍ୟ ନାଟକଟି ପୂର୍ଣ୍ଣାଙ୍ଗ କରିପାରିବ ? ଫଳରେ ଦର୍ଶକ-ପ୍ରଜାବୃନ୍ଦଙ୍କ ସମକ୍ଷରେ ଲାଞ୍ଛିତ, ଅପଦସ୍ଥ ହେବାକୁ ହେବାସିନା ? ଏ ସାରା ବିଶ୍ଵ ତ ଏକ ରଙ୍ଗମଞ୍ଚ । ଆଜୀବନ ଆମକୁ କୌଣସି ନା କୌଣସି ଭୂମିକାରେ ଅଭିନୟ କରିବାକୁ ହେଉଚି । ଦୀନବନ୍ଧୁ କିଛି ସମୟ ସୁନ୍ଦରଗଡ଼ ରଙ୍ଗମଞ୍ଚରେ ଅଭିନୟ କରିଗଲେ–ଶାସକ ଭାବରେ–ତା ପରେ ଆସିଲେ ଆଦିତ୍ୟ-ଇଆ ମଧ୍ୟରେ ତୁମର ଗୋଟିଏ କ୍ରେଡ଼ାଙ୍କ ମାତ୍ର । ମୋର ସାରା ଜୀବନ ଏଇପରି ସୂତ୍ରଧର ଭାବରେ କାଟିଗଲାଣି । କିନ୍ତୁ କାହିଁ, ଦିନେ ତ ମୁଁ ଅବସାଦ ବୋଧ କରିନାହିଁ ? ତୁମର ଯୁବକ ରକ୍ତ ଏପରି ଅବସ୍ଥାରେ ଊନ୍ମତ୍ତ ହୋଇ ଉଠିବା ପରିବର୍ତ୍ତେ ଅବସନ୍ନ ହୋଇ ପଡ଼ୁଥିବା ଦେଖିଲେ ମୋ ପ୍ରାଣରେ କ୍ଷୋଭ ଲାଗୁଛି । ଆଉ ମଧ୍ୟ ଏହା ତୁମର ପିତୃରାଜ୍ୟ । ଏ ଭୂମିଖଣ୍ଡକୁ ରକ୍ଷା କରିବା ପାଇଁ ନ୍ୟାୟ, ଅନ୍ୟାୟ ସକାଳ ପନ୍ଥାର ଆଶ୍ରୟ ନେବା ତୁମର ପବିତ୍ର କର୍ତ୍ତବ୍ୟ ଓ ଧର୍ମ । ଆବଶ୍ୟକ ହେଲେ ହୃଦୟର ପ୍ରତ୍ୟେକ ତନ୍ତ୍ରୀକୁ ଛିଣ୍ଡେଇ ଆଣି ମାତୃଭୂମି ଗଳାରେ ବନମାଳା କରି ପିନ୍ଧେଇ ଦେବା ହେବ ତୁମର ପୌରୁଷ-। ଏଠାରେ ଧର୍ମାଧର୍ମ ବିଚାର, ପାପ ପୁଣ୍ୟର ଯୁକ୍ତିକୁ ଦୂର ସାଗର ବକ୍ଷରେ ନିକ୍ଷେପ କରିବାକୁ ହେବ ।

 

ମାତୃଭୁମିର ଖାଲଖଣାକୁ ନିଜର ଶରୀର ପାତରେ ସମତଳ କରିବାକୁ ହେବ । ମୁଁ ଜାଣେ, ଯଦି ତୁମେ ସେପରି ନୀଚମନା ହୋଇଥାନ୍ତ, ତେବେ ଏ ସୁଯୋଗ ପାଇଁ ନିଜକୁ ଆଦିତ୍ୟପ୍ରତାପ ରୂପେ ପ୍ରତିଷ୍ଠିତ କରିପାରିଥାନ୍ତ । ସେଠି ଆମେ ମଧ୍ୟ ତୁମର ଗତି ପଥରେ ବାଧା ଦେବାପାଇଁ ସମ୍ପୂର୍ଣ୍ଣ ଅକ୍ଷମ ହୋଇ ପଡ଼ନ୍ତୁ । କିନ୍ତୁ ମୁଁ ଆଗରୁ ତୁମର ଦେବଚରିତ୍ରର ଆଭାସ ପାଇଛି-। ତେଣୁ ତୁମକୁ ଏ କାର୍ଯ୍ୟରେ ବ୍ରତୀ କରାଇଛି । ଏପରି ଅବସ୍ଥାରେ ରାଜ୍ୟ ବିପଦ୍‍ଗ୍ରସ୍ତ ଦେଖି ତୁମେ ନୀରବ ରହିବା କି ଯୁକ୍ତିସଙ୍ଗତ ହେବ ? ବାହାରେ ରହି ଗଗନ ଭାବରେ କି ତୁମେ ଆମକୁ ଆଉ ରକ୍ଷା କରି ପାରିବ ?’’

 

ଗଗନ ଆଉ ସମ୍ଭାଳି ପାରିଲେ ନାହିଁ । ବିନୋଦଙ୍କ କଥା ଶେଷ ନ ହେଉଣୁ ସେ ବ୍ୟାକୁଳ ହୃଦୟରେ ତାଙ୍କ ହାତ ଦୁଇଟି ଧରି ପକାଇଲେ । ତାଙ୍କ ମସ୍ତକ ସ୍ଵତଃ ଅବନତ ହୋଇ ପଡ଼ିଲା । ତପ୍ତ ଲୋତକରେ ବିନୋଦଙ୍କର ଦୁଇପାଦ ଓଦା ହୋଇଗଲା । ସେ କହି ଉଠିଲେ–‘‘ଯଥେଷ୍ଟ ହୋଇଛି ଦାଦା, ଯଥେଷ୍ଟ ହୋଇଛି !’’

Image

 

ନଅ

 

ଅର୍ଦ୍ଧ-ଚେତନ ଓ ଅର୍ଦ୍ଧ-ସ୍ଵପ୍ନାବସ୍ଥା ମଧ୍ୟରେ ଜାଗ୍ରତ ହୋଇ ଆଦିତ୍ୟ ଦେଖିଲେ, ଚାରିଆଡ଼ ଅନ୍ଧକାର ପୂର୍ଣ୍ଣ । କବାଟର ଜଳା ମଧ୍ୟଦେଇ ସାମାନ୍ୟ ଆଲୋକ ରେଖା ଦେଖାଯାଉଛି । ଗୋଟାଏ କିପରି ବୀଭତ୍ସ ଗନ୍ଧରେ ନାକ ଫାଟି ପଡ଼ୁଛି । ତଳର ଥଣ୍ଡାରେ ଦେହରୁ ଖଣ୍ଡେ କାଟିହୋଇ ଗଲାପରି ଲାଗୁଛି । ତାଙ୍କର ବିସ୍ମୟାନ୍ଦୋଳିତ ମନ ମଧ୍ୟରେ ପ୍ରଥମ ପ୍ରଶ୍ନ ଉଠିଲା–‘‘ମୁଁ କିଏ ?’’ ସେ ଭାବିବାକୁ ଲାଗିଲେ–‘‘ମୁଁ ପରା ଯୁବରାଜ ଆଦିତ୍ୟ ? ମୁଁ ପରା କାଲି ଶିକାର କରି ଆସିଥିଲି ! ଆରେ ମୁଁ ତ କାଲି ସିଂହାସନରେ ଅଭିଷିକ୍ତ ହେବି । ଆଉ ଭାବୁଛି କଣ ? ଏବେ ମୁଁ କେଉଁଠି ? ଉଃ କି ଦୁର୍ଗନ୍ଧମୟ ଏ ଘରଟା ! ଏଇଟା ତ ହରିପୁର ଦୁର୍ଗର କୌଣସି କୋଠରୀ ନୁହେଁ-। ମୁଁ ଏଠାକୁ କାହିଁକି ଆସିଲି ? କିପରି ଆସିଲି ? ମୋର ପଲଙ୍କ କାହିଁ ? ଏପରି ତଳଟାରେ ମୁଁ ପଡ଼ିଛି କାହିଁକି ? –ମୋତେ କୋଠରୀ ମଧ୍ୟରେ ଅବରୁଦ୍ଧ କରି ଚାଲି ଯାଇଛନ୍ତି–ଉଃ, କି ଦୁଷ୍ଟ ଏଗୁଡ଼ାକ-’’

 

ସେ ପାଟିକରି ଡାକିଲେ–‘‘ରଘୁଆ ! ରଘୁଆ ।’’ କିନ୍ତୁ କୌଣସି ଉତ୍ତର ପାଇଲେ ନାହିଁ । ପୁଣି ଭାବିବାକୁ ଲାଗିଲେ–‘‘ହୁଁ ସେ ଲୋକ ଦୁଇଟା କିଏ ମୋତେ ଆଣି ଏ ଘରେ ଛାଡ଼ିଦେଇ ଗଲେ–ରାଜନ, ବିନୋଦ ଦାଦା ? ମୁଁ ଦୋଳି ଖେଳୁଥିଲି; ଦୋଳି ଛିଡ଼ିଯିବାରୁ ମୋତେ ଟେକି ଆଣିଲେ । ତେବେ କବାଟ ବନ୍ଦ କଲେ କାହିଁକି ? କମ୍ ସାହସ ଏମାନଙ୍କର ! ମୁଁ ଆଦିତ୍ୟ ପ୍ରତାପ ନରେନ୍ଦ୍ର ରାଏ, ମୋତେ ଆଣି ତଳେ ପକେଇ ଦେଇଛନ୍ତି–ମୋର ପଲଙ୍କ ନାହିଁ ନା ତୁଳିତଳ୍ପ ନାହିଁ-?’’

 

ସେ ପୁଣି ଉତ୍ତେଜିତ ହୋଇ ଡାକିଲେ–‘‘ବିନୋଦ ଦାଦା, ବିନୋଦ ଦାଦା-କବାଟ ବନ୍ଦକଲ କାହିଁକି ? ଫିଟାଅ ।’’

 

ତେବେ ବି କୌଣସି ଉତ୍ତର ନାହିଁ । କ୍ରୋଧରେ ହୃଦୟ ଜଳି ଉଠିଲା–ସେ ଉଠିଯାଇ କବାଟ ନିଜେ ଫିଟାଇବା ପାଇଁ ଇଚ୍ଛାକାଲେ । କିନ୍ତୁ ତାଙ୍କର ମନହେଲା ଯେପରି ସେ ଗୋଡ଼ ଦୁଇଟା ଉପରୁ ନିଜର ଅଧିକାର ହରେଇଛନ୍ତି । ଏଣେ କ୍ଷୁଧାରେ ଉଦର ହାଉ ହାଉ କରୁଛି । ଦୁଇ ହାତରେ ଭରାଦେଇ ସେ ଉଠିବାକୁ ଚେଷ୍ଟା କଲେ । କିନ୍ତୁ ମନେହେଲା ଯେପରି ତାଙ୍କ ସାଙ୍ଗେ ସାରା ସଂସାରଟା ଲେଉଟି ପଡ଼ିଲା । ସେ କଚାଡ଼ି ହୋଇ ତଳେ ପଡ଼ିଗଲେ ।

 

ପୁଣି ଉଠି ଠିଆ ହେବାପାଇଁ ସେ ଆଉ ସାହସ କଲେନାହିଁ । ଶିଶୁ ଭଳି ଦୁଇହାତ ଏବଂ ଦୁଇଆଣ୍ଠୁ ଉପରେ ହାମୁଡ଼ି ରହିଲେ । ସେ ବିସ୍ମିତ ହୋଇ ପଡ଼ିଲେ ଯେ ସେ ହଠାତ୍ ଏପରି ନିଜର ଯୌବନ ସୁଲଭ ଶକ୍ତି ହରାଇ ଅଶୀବର୍ଷର ବୃଦ୍ଧପରି ହୋଇ ପଡ଼ିଲେ କିପରି ? ସେ ଯେ ନିଜେ ଯୁବରାଜ ଆଦିତ୍ୟ, ତାହା ଆଉ ବିଶ୍ୱାସ ହେଲାନାହିଁ ମନେହେଲା, ଯେପରି ଅଭିଶାପଗ୍ରସ୍ତ ହୋଇ କ୍ଷଣକ ଭିତରେ ଏପରି ନିସ୍ତେଜ ହୋଇ ପଡ଼ିଛନ୍ତି । ସେ ଆଦିତ୍ୟପ୍ରତାପର ପ୍ରେତାତ୍ମା ! ଏଇଟା କି ଗୋଟାଏ ମାୟାପୁରୀ ? –ଏସବୁ କଣ ଖାଲି ସ୍ଵପ୍ନ ?

 

ସେ ଯାହାହେଉ ଏଥିରୁ ତ ପୁଣି ମୁକ୍ତି ପାଇବାକୁ ହେବ । ଆଦିତ୍ୟ ହାମୁଡ଼ି ହାମୁଡ଼ି ଚାଲିଲେ ସେଇଆଡ଼େ, ଯେଉଁଠି ଶୋଇବା ଘରର କବାଟ ଥିବା କଥା ତାଙ୍କର ମନେହେଲା । କିନ୍ତୁ ଦୁଇପାଦ ଯାଇଛନ୍ତି, କିଛି ଗୋଟାଏ ଢୁକିନା ମୁଣ୍ଡରେ ବାଜିଲା–ସେ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ । କ୍ଷୁଧା ଓ ଯନ୍ତ୍ରଣାରେ ଆଖି ଦେଇ ଟପ ଟପ ଅଶ୍ରୁ ଗଡ଼ିବାକୁ ଲାଗିଲା । ସେ ହାତମାରି ଦେଖିଲେ ଆଗରେ ପଥର କାନ୍ଥ ।

 

ହାମୁଡ଼ି ହାମୁଡ଼ି ଯାଇ କବାଟ ପାଖେ ପହଞ୍ଚି ଆଦିତ୍ୟ ଦେଖିଲେ ତାହା ବାହାରୁ ବନ୍ଦ । ସେ ଡାକିବାକୁ ଚେଷ୍ଟାକଲେ, କିନ୍ତୁ କ୍ଷଣକ ମଧ୍ୟରେ ସେ ଶକ୍ତିଟିକ ମଧ୍ୟ ଲୋପ ପାଇଲା । ସେ ସେତେବେଳକୁ ଏପରି ଦୁର୍ବଳ ବୋଧ କରୁଥିଲେ ଏବଂ ଏପରି ଏକ ଭୋତିକ କାଣ୍ଡ ମଧ୍ୟରେ ଏତେଦୂର ଭୀତ, ବିସ୍ମିତ ଏବଂ ସ୍ତବ୍‍ଧ ହୋଇ ଯାଇଥିଲେ ଯେ, ଶତଚେଷ୍ଟା ସତ୍ତ୍ୱେ ମୁଖରୁ କଥା ବାହାରିଲା ନାହିଁ, କେବଳ ଫାଉଁ ଫାଉଁ କରି ନିଶ୍ୱାସଗୁଡ଼ାକ ଛାତିଟାକୁ ଖାଲି କରି ବାହାରକୁ ଚାଲିଗଲା । ସେ ସେହିଠାରେ ବସିପଡ଼ି ହାତରେ କବାଟକୁ ମାରିବାକୁ ଆରମ୍ଭ କଲେ । ତଦ୍ଦ୍ଵାରା ଖୁବ୍ ଶବ୍ଦ ହେଲେ ସୁଦ୍ଧା କାହାରି ଉତ୍ତର ନାହିଁ । ଭାବିଲେ ଜଗତଟା କଣ ଏକବାରେ ଜନଶୂନ୍ୟ ହୋଇ ପଡ଼ିଛି ? ବାହାରେ କେହି ଆଉ ଉତ୍ତର ଦେବାପାଇଁ ନାହାନ୍ତି ?

 

ଆଉ ଏକ ଉପାୟ ଦିଶିଲା । ସେଇଠାରେ ଭୂମିରେ ଲମ୍ବହୋଇ ପଡ଼ିଯାଇ ଦୁଇଗୋଡ଼ରେ କବାଟକୁ ଦୁମ୍ ଦୁମ୍ କରି ମାରିଲେ । ବାହାରୁ ଗୋଟାଏ ଭୀଷଣ ରୁକ୍ଷ ସ୍ଵର ଶୁଣାଗଲା–‘‘ଚୁପ୍‍କର !’’

 

ଯୁବରାଜଙ୍କ ପ୍ରତି ଏଡ଼େ କଡ଼ା କଥା । ତଥାପି ଆଦିତ୍ୟ ସେଥିରେ ବଡ଼ ତୃପ୍ତି ବୋଧକଲେ । ତାଙ୍କ ହୃଦୟ ମରୁଭୂମି ଉପରେ ଏହା ଆଷାଢ଼ର ମେଘ ଗର୍ଜ୍ଜନ ପରି ଶୁଣାଗଲା । ପ୍ରାଣରେ ଟିକିଏ ଆଶାର ସଞ୍ଚାର ହେଲା । ମନୁଷ୍ୟ କଣ୍ଠ ସ୍ଵର ଆଉଥରେ ଶୁଣିବା ପାଇଁ ସେ ପୁଣି ଦୁମ୍ ଦୁମ୍ କରି ପିଟିଲେ-ଏଥର କିନ୍ତୁ ବାହାରୁ ଜଣେ କିଏ କବାଟ ଫାଙ୍କରେ ମୁହଁ ରଖି କହିଲା ପରି କହିଲା–‘‘ଯଦି ପୁଣି ଗୋଳମାଳ କରୁ ତେବେ ତୋତେ ହତ୍ୟା କରାଯିବ ।’’

 

‘‘ହତ୍ୟା କରାଯିବ !’’ ଏହା ଯେପରି ଶତ ବଜ୍ରର ନିଷ୍ଠୁର ଶକ୍ତି ନେଇ ଘର ଭିତରେ ପଶିଗଲା । ଛାତି କମ୍ପି ଉଠିଲା । ସେ ଭାବିଲେ–‘‘ତେବେ ବର୍ତ୍ତମାନ ମୁଁ ବନ୍ଦୀ-ହତ୍ୟା କରାଯିବା ପୂର୍ବରୁ ? କାହିଁକି ? କିଏ ମୋର ଏଡ଼େ ସବଳ ଶତ୍ରୁ ରାଜ୍ୟରେ ଥିଲା ? କିଏ ବନ୍ଦୀ କଲା ? ରାଜନ-ବିନୋଦ ଦାଦା କଅଣ ମୋତେ ଆଣି ଏ ଘରେ ବନ୍ଦୀ କଲେ ? ମୋଠାରୁ ରାଜ୍ୟ ଅପହରଣ କରିବା ପାଇଁ ? ଉଃ ! କି ମାରାତ୍ମକ କୃତଘ୍ନତା !"

 

ଏଇ ସମୟରେ ସେ ଦେଖିଲେ ତାଙ୍କ ଆଖିଆଗେ ସେହି ଘରର ଅବରୁଦ୍ଧ ବାୟୁ, ଅନ୍ଧାର ଏବଂ ଦୁର୍ଗନ୍ଧଗୁଡ଼ାକ ଯେପରି ଏକାଠି ହୋଇ ଆପେ ଆପେ କେତେଗୁଡ଼ିଏ ସଜୀବମୂର୍ତ୍ତି ଗଢ଼ି ହୋଇଗଲେ ଏବଂ ଆଗରେ ଠିଆହୋଇ ତାଚ୍ଛଲ୍ୟ ଭାବରେ ହସି ହସି ଘରଟାକୁ ଫଟେଇ ଦେବାକୁ ଲାଗିଲେ ସମସ୍ତଙ୍କ ଆଗରେ ଠିଆ ହୋଇଛି ଶ୍ୟାମ ରଣସିଂହ । ଆଦିତ୍ୟ ଚମକି ପଡ଼ିଲେ–ହୃଦୟରୁ ରକ୍ତ ଶୁଖି ଆସିଲା–ସେ ବାତୁଳ ପରି କହି ଉଠିଲେ–‘‘ଏଁ ଶ୍ୟାମ ! ଶ୍ୟାମ ! ତୁ ଏଠି କାହିଁକି ? ତୋ ପଛରେ କିଏ ? –ମାଳତୀ ? ନା, ମୋତେ ଖାଇଯାଅ ନାହିଁ । କ୍ଷମାଦିଅ । ମୁଁ ପରା କାଲି ତୁମର ସବୁ ରାଜା ହେବି ? ସେତେବେଳେ ତୁମକୁ ଯଥେଷ୍ଟ ପୁରସ୍କାର ଦେବି ।’’

 

ମୂର୍ତ୍ତିଗୁଡ଼ାକ ବିକଟ ହାସ୍ୟ କରି କହିବାକୁ ଲାଗିଲେ–‘‘ଏଇଟା ହରିପୁର କି ସୁନ୍ଦରଗଡ଼ର ରତ୍ନ ପଲଙ୍କ ନୁହେଁ,–ବନ୍ଦୀଶାଳ । ତୁ ବନ୍ଦୀ ! ଆଦିତ୍ୟ, କି ପୁରସ୍କାର ଦେଇ ପାରିବୁ ତୁ ?’’

 

ଆଦିତ୍ୟ ଚେତନାଶୁନ୍ୟ ହୋଇ ପଡ଼ିଲେ । କେତେ ସମୟ ଏହିପରି ଭାବରେ କଟିଗଲା ତାହା ତାଙ୍କୁ ଜଣା ନାହିଁ । ପୁଣି ଚେତା ହେବାପରେ ଦେଖିଲେ ଅନ୍ଧାର ଆହୁରି ଘନେଇ ଯାଇଛି । କବାଟ ସେହିପରି ବନ୍ଦଅଛି । କିନ୍ତୁ କବାଟ ପାଖରେ ଗୋଟିଏ ଥାଳିରେ କେତେକ ଖାଇବା ଜିନିଷ ଥୁଆ ହୋଇଛି । ସେଗୁଡ଼ାକ ସେ ଅସୁର ପରି ଗଳିବାକୁ ଲାଗିଲେ ।

Image

 

ଦଶ

 

ଏଇ କେତେଦିନ ମଧ୍ୟରେ ସୁନ୍ଦରଗଡ଼ ରାଜ୍ୟରେ ଏକ ଅଭାବନୀୟ ପରିବର୍ତ୍ତନ ଘଟି ଯାଇଛି, ଯାହାକି ବାଟର ଭିକ୍ଷୁଙ୍କଠାରୁ ରାଜ୍ୟର ପ୍ରତିଷ୍ଠିତ ଜଣାଶୁଣା ଲୋକେ ମଧ୍ୟ ଲକ୍ଷ୍ୟ କରି ପାରିଛନ୍ତି । ଆଦ୍ୟ ପଉଷର ବରଫ-ଶୀତଳ ସନ୍ଧ୍ୟାରେ ଯଦି କୁସୁମ-ରେଣୁଭରା ଚଇତର ପ୍ରାଣମତାଣିଆ ବସନ୍ତ ବହିଯାଏ ତେବେ ସେଇଟାକୁ ଲୋକେ ଯେପରି ବିଚିତ୍ର ପରିବର୍ତ୍ତନ ହେଲା ବୋଲି ଭାବିବେ, ଏ ପରିବର୍ତ୍ତନ ଠିକ୍ ସେଇପରି । ରାଜ୍ୟରେ ଯେକୌଣସିଠାରେ ଦୁଇଚାରିଜଣ ଏକତ୍ର ହେଲେ ଏଇ ବିଷୟଟା ହିଁ ସେମାନଙ୍କର ଅସ୍ପଷ୍ଟ କଥାବାର୍ତ୍ତାର ପ୍ରଧାନ ବସ୍ତୁ ହୋଇ ପଡ଼ିଲା । କେହି କେହି କହନ୍ତି–ଶୁଣିଛ, ତ ଭାଇ ବକ୍ରିଶ ସିଂହାସନ କଥା ? ଗଉଡ଼ ପିଲାଟା ହୁଙ୍କା ଉପରେ ବସିଲେ ବିକ୍ରମାଦିତ୍ୟଙ୍କ ପରି ବୁଦ୍ଧି ଧରେ । କିନ୍ତୁ ଅଧିକାଂଶ ଲୋକ କହନ୍ତି ଏହା ବିନୋଦ ସିଂହଙ୍କ ମନ୍ତ୍ରଣାର ଶକ୍ତି ।

 

ସମସ୍ତେ ଭାବିଥିଲେ, ଦୀନବନ୍ଧୁଙ୍କ ପରେ ଆଦିତ୍ୟଙ୍କ ଅମଳରେ ଏ ରାଜ୍ୟ ଛାରଖାର ହୋଇଯିବ । ତାଙ୍କର ଅତ୍ୟାଚାରରେ ନାରୀର ସତୀତ୍ୱ, ପୁରୁଷର ଜୀବନ, ଗୁଣୀର ଗୁଣ ବଜାରର ଫଳ ପରିବାରେ ପରିଣତ ହେବ । କିନ୍ତୁ ଅଭିଷେକ ପରେ ଏଇ କେତେଟା ଦିନ ଭିତରେ ନୂଆ ରାଜାଙ୍କଠାରେ ଅଭୂତପୂର୍ବ ପରିବର୍ତ୍ତନ ଦେଖି ସେମାନେ ଏକବାରେ ବିସ୍ମିତ ହୋଇ ପଡ଼ିଛନ୍ତି । କି ଆଚାର, କି ବିଚାର, କି ଚାଜନୀତି, ଦାନ, ଧର୍ମ, ସବୁଥିରେ ନୂଆ ରାଜା ବୁଢ଼ା ରାଜାଙ୍କୁ ବଳି ଯାଇଛନ୍ତି । ଏ ତ କମ ପରିବର୍ତ୍ତନ ନୁହେଁ–ନରକ ସ୍ଵର୍ଗରେ ପରିଣତ ହୋଇଛି । କିନ୍ତୁ କଂସାରୀ ସାହିର ବରଜୁ ଚଉଧୁରୀ କୌଣସି ପରିବର୍ତ୍ତନ ହୋଇଛି ବୋଲି ସ୍ୱୀକାର କରି ପାରନ୍ତି ନାହିଁ । ତାଙ୍କ ମତରେ ‘‘ଏହାହିଁ ପ୍ରାକୃତିକ ଗତି । ଚିଲମଟା ଟାଣୁ ଟାଣୁ ଶାଗରୁ ପଦେକୁ ମୁଗରୁ ପଦେ ମିଶେଇ ସେ ଗୋଟେ ଶ୍ଳୋକ ବୋଲନ୍ତି–‘ଯେସା ବୀର୍ଯ୍ୟା ତେସାଂକୁରା-ଆଗେ ଧାବତି ଧାବତି-’ ଯିବ କୁଆଡ଼େ । ବାପର ତ ପୁଅ ସେ । କେତେବେଳେ କଣ ହୋଇଥିଲା ବୋଲି ସବୁବେଳେ କଣ ସେଇ କଥା ରହିବ ?’’

 

X X X

 

ଗଗନ ସାରା ରାଜ୍ୟର ପ୍ରଜାଙ୍କୁ ଭୁଲାଇବା ପାଇଁ ଯେତେ କଷ୍ଟ ସ୍ୱୀକାର କରି ନାହାନ୍ତି କେବଳ ରାଣୀ ସୁଶୀଳାକୁମାରୀଙ୍କ ନିକଟରେ ଧରା ନ ପଡ଼ିବା ପାଇଁ ତାଠାରୁ ଶତଗୁଣ ଶ୍ରମସ୍ୱୀକାର କରିଛନ୍ତି । ସୁଶୀଳାକୁମାରୀ ସୁଶିକ୍ଷିତା ଏବଂ ବୁଦ୍ଧିମତୀ । ଅଭିଷେକ ପରେ ତାଙ୍କ ନିକଟରୁ ନିଜକୁ ଦୂରରେ ରଖିବା ପାଇଁ ଚେଷ୍ଟା କରି ଗଗନଙ୍କ ସକଳ ପ୍ରକାର ଛଳନାର ଆଶ୍ରୟ ନେବାକୁ ହୋଇଛି । ତେବେ ସୁଦ୍ଧା ସେ କାର୍ଯ୍ୟାନୁରୋଧରେ ତାଙ୍କ ସହିତ ଏକାଧିକ ଥର ବାକ୍ୟାଳାପ କରିବାକୁ ବାଧ୍ୟ ହୋଇଛନ୍ତି ।

 

କିନ୍ତୁ ସେଇ ଅଳ୍ପ ସମୟର ସମ୍ଭାଷଣରେ ସୁଶୀଳା କି ଏକ ଅଜ୍ଞାତ ଆକର୍ଷଣରେ ରାଜାଙ୍କ ପ୍ରତି ଆକୃଷ୍ଟ ହୋଇ ପଡ଼ିଲେ ତାହା ସେଇ କେବଳ ଜାଣନ୍ତି । ସେ ଅନୁଭବ କଲେ ଯେପରି ତାଙ୍କର ଦାମ୍ପତ୍ୟ ଜୀବନ ସେଇଠାରୁ ଆରମ୍ବ ହେଲା । ଗତ ତିନିବର୍ଷ ସେ ଗୋଟାଏ ଅଭିଶପ୍ତ ଜୀବନର ଦୁଃସହ ଯନ୍ତ୍ରଣା ହୃଦୟରେ ଧରି କାଳ କାଟୁଥିଲେ । ଯେଉଁ ଯୁବରାଜଙ୍କ ଅତ୍ୟାଚାରରେ ଯୁବତୀ ସମାଜ ସତୀତ୍ୱରେ ଜଳାଞ୍ଜଳି ଦେବାକୁ ବାଧ୍ୟ ହୋଇଥିଲେ, ଯେଉଁ ପ୍ରଜାପୀଡ଼କର ନିର୍ଯ୍ୟାତନାରେ ଲୋକେ ଧନ ଜୀବନର ଆଶା ଛାଡ଼ିଥିଲେ–ଯେ ନାରୀକୁ ପୁରୁଷର ସମ୍ଭୋଗର ସାମଗ୍ରୀ ଭାବରେ, କ୍ରୀଡ଼ାର ପୁତ୍ତଳିକା ଭାବରେ କେବଳ ଦେଖୁଥିଲା–ସେଇ କି ଏଇ ରାଜା ! ଏପରି ଆଶ୍ଚର୍ଯ୍ୟ ପରିବର୍ତ୍ତନ କି ଜଗତରେ ସମ୍ଭବ ! ତାଙ୍କ ହୃଦୟ ଭିତରୁ ଯେପରି କେହି କହି ଉଠେ "ଅସମ୍ଭବ" ।

 

ଗଗନ ଯେ ସୁଶୀଳାଙ୍କ ସରଳ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ନ ଥିଲେ ଏପରି ନୁହେଁ । କିନ୍ତୁ ତାଙ୍କର ଉଦାର ହୃଦୟ ମୁହୂର୍ତ୍ତକ ପାଇଁ ମଧ୍ୟ ପାପ ଛାୟାରେ କଳୁଷିତ ହୋଇ ନାହିଁ । ସେ ସୁଶୀଳାଙ୍କ ସୌନ୍ଦର୍ଯ୍ୟରେ ମୁଗ୍‍ଧ ହୋଇଥିଲେ–ଅନ୍ତରେ ଅନ୍ତରେ ତାଙ୍କର ପ୍ରଶଂସା ଗାଇଥିଲେ ଭ୍ରମର ପ୍ରକୃତି ନେଇ ନୁହେଁ, ପ୍ରାକୃତିକ ସୌନ୍ଦର୍ଯ୍ୟ ପିପାସୁ ଭାବରେ–ସେ ଯେପରି ସରସୀ ସୋପାନରେ ବସି ଅର୍ଦ୍ଧପ୍ରସ୍ଫୁଟିତ ଶୀକର ସ୍ନାତ ପ୍ରଭାତ-ନଳିନୀଟି ପ୍ରତି ଆକୃଷ୍ଟ ହୋଇପଡ଼େ । ତାର ସେଠାରେ ତିଳେ ସୁଦ୍ଧା ସ୍ୱାର୍ଥ ନାହିଁ, ତୃପ୍ତି ନାହିଁ, ଅତୃପ୍ତ ମଧ୍ୟ ନାହିଁ–ଏକଥା ଜାଣିସୁଦ୍ଧା, ସେ ପୂର୍ଣ୍ଣପ୍ରାଣରେ ତାର ପ୍ରଶଂସା ଗାନ କରିଯାଏ । ଗଗନ ଠିକ୍ ସେହିପରି ଭାବରେ ଦୁଇଚକ୍ଷୁ ଦେଇ ରୁପସୀ ସୁଶୀଳାଙ୍କର ତରଳ ଯୌବନ ଶାଣିତ ସୌନ୍ଦର୍ଯ୍ୟର ସ୍ତୁତି ଗାନ କରିଥିଲେ ମାତ୍ର । କିନ୍ତୁ ତାଙ୍କର ସେଠାରେ ଆଶା ନାହିଁ, କି ସ୍ୱାର୍ଥ ନାହିଁ । ଅଗ୍ରଜଙ୍କ ସହଧର୍ମିଣୀ ଭାବରେ ସେ ତାଙ୍କର ଭକ୍ତି ଓ ସମ୍ମାନର ପାତ୍ର ।

 

କିନ୍ତୁ ସୁଶୀଳାଙ୍କ ହୃଦୟ ବୁଝିଛି ଅନ୍ୟ ପ୍ରକାର । ସେ ବୁଝିଛନ୍ତି, ଯେଉଁ ଅମୁଲ୍ୟ ମଣିଟି ଆଜିଯାଏଁ କର୍ଦ୍ଦମାକ୍ତ ହୋଇ ନିଷ୍ପ୍ରଭ ହୋଇ ଯାଇଥିଲା, ତାହା କେଉଁ ଆକାଶର ଅମୃତ ଧାରାରେ ଧୋଇ ହୋଇ ଆପେ ଆପେ ତେଜିୟାନ ହୋଇ ଉଠିଛି । ତାକୁ ଯେତେଶୀଘ୍ର ପାରନ୍ତି ସେ ହୃଦୟରେ ଗ୍ରହଣ କଲେ ହିଁ ଜୀବନ ସାର୍ଥକ ହେବ । ଯାହାକୁ ସେ ଗତ ତିନିବର୍ଷ ଧରି ଘୃଣାକ୍ଷରେ ମଧ୍ୟ ଚାହୁଁ ନ ଥିଲେ, ସେ ଆଜି ନୂତନ ସାଜରେ ସାଜିଛି, ତାକୁ ଯେତେଶୀଘ୍ର ସମ୍ଭବ ଦେବତା ରୂପେ ଅନ୍ତରରେ ପ୍ରତିଷ୍ଠା କରିବାକୁ ହେବ ।

 

କିନ୍ତୁ ଏ ପୁଣି କି ପରିବର୍ତ୍ତନ । ସୁଶୀଳା ଅଭୀଷ୍ଟ ବସ୍ତୁ ପ୍ରତି ଯେତିକି ଟାଣି ହୋଇ ଯାଉଛନ୍ତି, ତାହା କାହିଁକି ସେତିକି ଦୂରତର ହେଉଛି–ବୈଶାଖର ରିକ୍ତ ପ୍ରାନ୍ତରର ମରୀଚିକା ପରି ? ସୁଶୀଳା ଯେଉଁଦିନଠାରୁ ରାଜାଙ୍କ ପ୍ରତି ଆକୃଷ୍ଟ, ରାଜା ସେହି ମୁହୂର୍ତ୍ତରୁ ପୁଣି ଦୂରରୁ ଦୁରକୁ ଯାଉଛନ୍ତି । ବାସ୍ତବିକ ମରୀଚିକା ନୁହନ୍ତି ତ ? ଆଜି ସାରା ରାତି ରାଜକାର୍ଯ୍ୟରେ ବ୍ୟସ୍ତ । କାଲି ଦିନ ତମାମ୍ କଚେରୀ ଘରେ । ତା ପରଦିନ ହରିପୁରରେ କୌଣସି ଅଭିଯୋଗର ତଦନ୍ତରେ–ଏହିପରି ଶୁଣି ଶୁଣି ସୁଶୀଳାଙ୍କ ନବ ବିକଶିତ ପ୍ରୀତି କୁସୁମତି କ୍ରମେ ନୈରାଶ୍ୟ ଝଞ୍ଜାରେ ନିଷ୍ପ୍ରଭ ହୋଇପଡ଼େ । ସେ ଯେତେବେଳେ ଶୁଣନ୍ତି ପ୍ରଜାବୃନ୍ଦ ନୂଆ ରାଜାଙ୍କ ଶାସନରେ ଅଧିକ ସୁଖଶାନ୍ତିରେ ଅଛନ୍ତି–ସମସ୍ତେ ରାଜାଙ୍କର ଦୀର୍ଘଜୀବନ କାମନା କରୁଛନ୍ତି–ସେତେବେଳେ ସେ ପବିତ୍ରତର ଆନନ୍ଦର ସତ୍ତା ହୃଦୟରେ ଅନୁଭବ କରନ୍ତି–ଏକାକିନୀ ଦୀପ ଶିଖାଟି ପରି ପଲଙ୍କ ଉପରେ ବସି ଗଦ୍‍ଗଦ୍ ଚିତ୍ତରେ ହାତ ଯୋଡ଼ନ୍ତି କେଉଁ ଦେବତାଙ୍କ ଉଦ୍ଦେଶ୍ୟରେ ।

Image

 

ଏଗାର

 

ସେ ଦିନର ସେ ରକ୍ତାକ୍ତ ଘଟଣା ପରେ ଗୋଟି ଗୋଟି ହୋଇ ତିରିଶଟି ଦିନ କାଳଗର୍ଭରେ ଲୁଚି ଗଲାଣି । ଅଥଚ ଲାଲମୋହନଙ୍କ ଆଗରେ ଅନ୍ୟ କୌଣସି ପ୍ରକାର ସୁନାର ହରିଣ ଦେଖା ଦେଇନାହିଁ । ସେ ବର୍ତ୍ତମାନ ବୁଝିପାରିଛନ୍ତି ଆଦିତ୍ୟଙ୍କୁ ନେଇ ଆସି କେଡ଼େ ବଡ଼ ଭୁଲ କରିଛନ୍ତି ସେ–ଏହାଦ୍ୱାରା ସୁନ୍ଦରଗଡ଼ ଗୋଟାଏ ଦୁର୍ବଳ ଆଦିତ୍ୟ ହାତରୁ ଯାଇ ଜଣେ ସବଳ ଆଦିତ୍ୟ ହାତରେ ପଡ଼ିଛି । ଜଣେ ଅତ୍ୟାଚାରୀ, ପ୍ରଜାପୀଡ଼କ କବଳରୁ ଖସି ଜଣେ ସୁଶାସକର ବାହୁଛାୟା ତଳେ ଆଶ୍ରୟ ନେଇଛି । ପ୍ରଜାମାନେ କ୍ରମେ ଅଧିକ ରାଜଭକ୍ତ ହୋଇ ପଡ଼ୁଛନ୍ତି । ଏଣେ ସେ ନିଜେ କ୍ରମେ ତାତିଲା କରେଇରୁ ଖସି ନିଆଁରେ ପଡ଼ୁଛନ୍ତି । ଅଥଚ ମଧୁଗଡ଼ର ବନ୍ଦୀଶାଳାରେ ବୃଥାରେ ଗୋଟିଏ ପ୍ରାଣୀ ପଚି ସଢ଼ି ମରଣ ପଥର ପଥିକ ହୋଇ ସାରିଲାଣି । ତାକୁ ଜଗି ରଖିବାକୁ ଯାଇ ସେ ନିଜେ ବି ପ୍ରାଣାନ୍ତକ । ପ୍ରତି ନିମିଷରେ ବିପଦର ଆଶଂକା । ହଠାତ୍ ଯଦି କିଛି କଥା ବାହାରେ ପ୍ରକାଶ ପାଇଯାଏ ତେବେ ସବୁରି ତାଳ ଛିଡ଼ିବ ତାଙ୍କରି ମୁଣ୍ଡରେ । ବିନୋଦ ସିଂହଙ୍କ ଅଖଣ୍ଡ ନୀରବତା ତାଙ୍କୁ ବଡ଼ ଭୀତକ୍ରସ୍ତ କରି ପକାଉଛି । ଏସବୁ ଦେଖି ଶୁଣି ଲାଲମୋହନଙ୍କ ଛାତିରେ ପଥର ପଡ଼ିଗଲା । ସେ ଭାବିଲେ ପୂର୍ବଭଳି ଏଥର ମଧ୍ୟ ତାଙ୍କର ସବୁ ଚେଷ୍ଟା ପାଣି ଫାଟି ଯାଉଛି । ଆଦିତ୍ୟ ହାତ ମୁଠାରେ ଥିଲେ ମଧ୍ୟ ଗଗନଙ୍କୁ ଶେଷ ନ କଲେ କି ଆଉ ରାଜ୍ୟ ଲାଭ ସ୍ଵପ୍ନ ଦେଖିହେବ ? ତାହା ତ ଆଉ ତେତେ ସହଜ ନୁହେଁ । ତାଙ୍କର ସବୁ ସାହସ, ଉତ୍ସାହ କେଉଁଆଡ଼େ ଉଭେଇ ଗଲା । ହତାଶାରେ ପ୍ରାଣ ପୁରିଗଲା । ସେ ମୋହନଙ୍କୁ ଡାକି କହିଲେ–‘‘ଭାଇ ମୋହନ, ରାଜା ତ ହେଲି । ମୋର ସାରା ଜୀବନଟା ଏହିପରି ରାଜା ହେଉ ହେଉ କଟିଗଲା । ବର୍ତ୍ତମାନ ଫାଶ ପକାଇବାକୁ ଯାଇ ନିଜେ ଯେ ଫାଶରେ ପଡ଼ିଛି–ଏହାର ପ୍ରତିକାର କଅଣ ?’’

 

ମୋହନ ଆମୋଦ ବୋଧ କଲାପରି ହୋ ହୋ ହସି ଦେଇ କହିଲା,–‘‘ଇଆ ଗୋଟେ କଥା ନା ? ଏଥିପାଇଁ ଲୋକେ ଇମିତି ହୁଅନ୍ତି । ଆମ ହାତରେ ଯେତେବେଳେ କାକୁଡ଼ି ଅଛି, ଛୁରୀ ଅଛି, ଆମର ଭୟ କାହାକୁ ? ଯେଉଁ ମୁହୂର୍ତ୍ତରେ ବିଚାରିବା ହାସଲ୍‍ କରି ଦେଇ ପାରିବା ।’’

 

କୁଞ୍ଚିତ କପାଳଟାକୁ ଉପରକୁ ଟେକି ଲାଲମୋହନ କହିଲେ–‘‘କିନ୍ତୁ ମାସେ ହେଲା ତୁମର ଏ ବିଚାରଟା ବିଚାରରେ ହିଁ ରହିଲା । ଆମେ ଏବେ ହାତର ଛୁରୀଟି କାକୁଡ଼ି ଉପରେ ନ ରଖି ନିଜ ବେକ ଉପରେ ରଖି ବସିଛେ ।’’

 

ମୋହନ ଟିକିଏ ଗମ୍ଭୀର ହେଲାପରି କହିଲା–‘‘ଇମିତି ଅଧୈର୍ଯ୍ୟ ହେଲେ କି କାମ ହୁଏ-? ଆଗ ଦେଖ କୁଆଡ଼ର ପାଣି କୁଆଡ଼େ ଯାଉଛି ? ତାପରେ କିଛି କରିବା । ଟିକିଏ ଗୋଡ଼ ଖସିଲେ ଆମେ ସିଂହାସନରୁ ଖସି ଶ୍ମଶାନରେ ଯେ ପଡ଼ିବା ଏକଥା କଣ ପାଶୋରି ଯାଉଚ ?’’

 

ଲାଲମୋହନ ବ୍ୟତିବ୍ୟସ୍ତ ହୋଇ କହି ଉଠିଲେ–‘‘ନାଇଁ ଭାଇ, ମୁଁ ଆଉ ରାଜା ହୋଇ ପାରିବିନି । ମୋ କପାଳରେ ବିଧାତା ବାଟର ଭିଖାରି ହେବା ହିଁ ଲେଖିଛି । ଆଉ ଅପେକ୍ଷା କରିପାରିବିନି । ମୁଁ ଏଇ ସ୍ଥାନର ହିଁ ଉପଯୁକ୍ତ ।’’

 

ମୋହନର ମୁହଁର ରଙ୍ଗ ହଠାତ୍ ପରିବର୍ତ୍ତିତ ହୋଇଗଲା । ସେ ରାଗିଯାଇ କହିଲା–‘‘କିଏ କହିଲା ତୁମେ ରାଜା ହେବନି ? ନ ହେଲେ ତ ମୁଁ ଛାଡ଼ିବିନି । ଯେଉଁଥିରେ ହାତ ଦେଇଛ ତାହା କରିବାକୁ ବାଧ୍ୟ ତୁମେ । ମନେ ନାହିଁ, ମୋତେ ମୋର ସକଳ ସମ୍ପତ୍ତି ଓ ପୈତୃକ ଅଧିକାରରୁ ବିଚ୍ୟୁତ କରାଇ ଏ ପଥର ପଥିକ କରାଇଛ ତୁମେ !’’

 

ଲାଲମୋହନ ବରଡ଼ା ପତ୍ର ପରି ଥରିବାକୁ ଲାଗିଲେ–ତୁଣ୍ଡ ଖନି ମାରିଗଲା । କିଏ ତୋଟି ଚିପି ଦେଲା ପରି କହିଲେ–‘‘ତେବେ ଉପାୟ ?’’

 

ମୋହନ ପୁଣି ହସି ଦେଇ କହିଲା–‘‘ବେଶ୍ ସେକଥା ପଚାର, କହିବି । ଉପାୟ ବହୁତ । ଆଜି ରାତି ରାତି ଆଦିତ୍ୟଙ୍କୁ ନେଇ ସୁନ୍ଦରଗଡ଼ ନିକଟରେ ଛାଡ଼ି ଦେଇ ଆସ, ଦେଖିବ, କାଲି ସୁନ୍ଦରଗଡ଼ରେ ହୁଲ୍‍ସ୍ଥୂଲ୍ ପଡ଼ିଯିବ । ବିନୋଦ ସିଂହଙ୍କ ଭଦ୍ରତା, ନ ଜାଣିଲା ପଣିଆ କୁଆଡ଼େ ଉଡ଼ିଯିବ । ଦୁଇଟା ରାଜା ଦେଖି ଲୋକେ ତାଙ୍କ ପଛରେ କାତି ଧରି ଗୋଡ଼େଇବେ ।’’

 

ଲାଲମୋହନ ଟିକିଏ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଥିଲେ । ସେ କହିଲେ–‘‘କିନ୍ତୁ ଆଦିତ୍ୟର ଅବସ୍ଥା ଏବେ ଯାହା ହୋଇଛି, ତାକୁ ଦେଖିଲେ ରାଜ୍ୟର କେହି ତାକୁ ରାଜା ବୋଲି ଚିହ୍ନି ପାରିବ ନାହିଁ । ତାଠାରେ ଅଛି ଦୁଇଖଣ୍ଡ ହାଡ଼, ଖଣ୍ଡେ ଚମ–ଯେ କେହି କହିବ ପାଗଳଟାଏ । ଯଦିବା ଚିହ୍ନିବେ, ସେଥିରେ ଆମର ଲାଭ କଅଣ ? ବିନୋଦ ସିନା ବିପଦରେ ପଡ଼ିବ ? ଆମେ ତ ଯାହା ସେଇଆ । ଆମର କୀର୍ତ୍ତି ମଧ୍ୟ ପ୍ରକାଶ ପାଇବ ।’’

 

ମୋହନ କହିଲା–‘‘ତେବେ ଆମକୁ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ହେବ, ନୂଆ ଭାବରେ, ନୁହେଁ ? ଆଜି ରାତିରେ ଏ ଅଧ୍ୟାୟର ଆରମ୍ଭ କରାଯାଉ, ଆଦିତ୍ୟର ରକ୍ତକୁ ପୂଜାର ଉପକରଣ କରି ।"

 

ଲାଲମୋହନ ନୀରବ ।

Image

 

ବାର

 

ରାତ୍ରିର ପ୍ରଥମ ପ୍ରହର । ପରଦା ଅନ୍ତରାଳରେ ରହି ସୁଶୀଳା ଗୋଟିକ ପରେ ଗୋଟିଏ ଘଟଣା ଶୁଣି ଯାଉଥାନ୍ତି । ପ୍ରତ୍ୟେକଟି ତାଙ୍କୁ କୌଣସି ଏକ ବାଜିକରର କୁହୁକ ପରି ଜଣା ପଡ଼ୁଥାଏ-। କିନ୍ତୁ ବିନୋଦଙ୍କର ଶେଷ ବାକ୍ୟଟି ଯେପରି ତାଙ୍କ ହୃଦୟ ମଧ୍ୟରେ ପଶି ପ୍ରତ୍ୟେକ ତନ୍ତ୍ରୀକୁ ଖଣ୍ଡ ଖଣ୍ଡ କରି କାଟି ପକାଇଲା । ମନେହେଲା, ପୃଥିବୀଟା ତାଙ୍କ ଗୋଡ଼ ତଳୁ ଖସି ଖସି କେଉଁ ପାତାଳ ମଧ୍ୟରେ ପଡ଼ିଯାଉଛି ।

 

ସେ କମ୍ପିତ ବୁକୁଟାକୁ ହାତରେ ଚିପିଧରି ସେଠାରେ ବସି ପଡ଼ିଲେ । ସାରା ବିଶ୍ଵ ତାଙ୍କୁ ରହସ୍ୟମୟ, ନୀରବ, ନିସ୍ତବଧ ବୋଧହେଲା । ସତେ ଯେପରି କେଉଁ ଅନନ୍ତ କାଳରୁ ଏ ସାହାରା ମରୁ ଉପରେ ପ୍ରାଣୀ ଜଗତର ସୃଷ୍ଟି ହୋଇନାହିଁ–‘‘ବର୍ତ୍ତମାନ ରାଜା ଆଦିତ୍ୟ ନୁହନ୍ତି ଗଗନ-’’ ଏଇ ବାକ୍ୟଟା କେବଳ ବିନୋଦଙ୍କ କଣ୍ଠରୁ ବାହାରି ସମସ୍ତ ବାୟୁମଣ୍ଡଳ ପୂରିଯାଇଛି ।

 

ପରଦାର ଅପର ପାର୍ଶ୍ୱରୁ ବିନୋଦ ପୁଣି କହିଲେ–‘‘ତୁମେ ମୋର କନ୍ୟା ସମାନ । କର୍ତ୍ତବ୍ୟର ଅନୁରୋଧରେ, ରାଜ୍ୟକୁ ବିପଦରୁ ରକ୍ଷା କରିବାକୁ ଯାଇ, ରାଜା ଏବଂ ପ୍ରଜାଙ୍କ ମଙ୍ଗଳ ଲାଗି ଯାହା କରିବାକୁ ବାଧ୍ୟ ହୋଇଛି, କରିଛି । ଜଟିଳ ରାଜନୀତି କ୍ଷେତ୍ରରେ ନିନ୍ଦା ବା ପ୍ରଶଂସା ପାଇଁ ସ୍ଥାନ ନାହିଁ । ସେ ଭାବ ଆଗରେ ରଖି ମଧ୍ୟ ମୁଁ କିଛି କରିନାହିଁ । ଏଇ ଦୋଷରେ ତୁମେ ଯଦି ମୋତେ ପ୍ରାଣଦଣ୍ଡ ଆଦେଶ କର ତେବେ ତାହା ହସି ହସି ବରଣ କରିବି । ତୁମେ ବୀରର ସନ୍ତାନ, ବୀରାରମଣୀ-ପ୍ରଜାର ହିତଲାଗି ଯାହା ହୋଇଛି ସେଥିରେ କ୍ଷୁବ୍‍ଧ ହେବନାହିଁ ବୋଲି ମୋର ବିଶ୍ୱାସ । ଭାବିଥିଲି ଅଭିଷେକର ପରଦିନ ଆଦିତ୍ୟଙ୍କୁ ଆଣି ତାଙ୍କ ସ୍ଥାନରେ ବସେଇ ଦେବି ଏବଂ ଗଗନଙ୍କୁ ବିଦାୟ ଦେବି । ତେଣୁ ଅଭିଷେକ ଦିନ ଏକଥା ତୁମକୁ ଜଣାଇବା ପାଇଁ ସୁଯୋଗ ପାଇ ନ ଥିଲି ଏବଂ ଆବଶ୍ୟକ ମଧ୍ୟ ବୋଧ କରି ନ ଥିଲି । କିନ୍ତୁ ଘଟଣା ସ୍ରୋତ ହଠାତ୍ ପରିବର୍ତ୍ତିତ ହୋଇଗଲା । ତାର ପ୍ରତିରୋଧ କରିବା ପାଇଁ ମୁଁ ପୁଣି ଗଗନଙ୍କୁ ସିଂହାସନରେ ରଖିବାକୁ ବାଧ୍ୟହେଲି–ଆଉ ଦିନେ ଦୁଇଦିନ ପାଇଁ । ଅଥଚ ଏକମାସ ଗତ ହେଇଥିଲେ ମଧ୍ୟ ଉଦ୍ଦେଶ୍ୟ ସଫଳ ହେଲାନାହିଁ । ଯଦି ଆବଶ୍ୟକ ହୋଇ ନ ଥାନ୍ତା ତେବେ ଏସବୁ ବିଷୟ ମଧ୍ୟ ତୁମକୁ ଜଣେଇ ବୃଥା ମନୋବେଦନା ସହ୍ୟ କରିବାକୁ ଦେଇ ନଥାନ୍ତି । କିନ୍ତୁ ଆଉ ଉପାୟ ନାହିଁ । ଅନୁସନ୍ଧାନ ଫଳରେ ବିଶ୍ଵସ୍ତ ସୂତ୍ରରୁ ଜଣା ପଡ଼ିଛି, ଆଦିତ୍ୟ ଜୀବିତ ଅଛନ୍ତି–ତାଙ୍କର ଶାରୀରିକ ଅବସ୍ଥା ନିତାନ୍ତ ଶୋଚନୀୟ । ତେଣୁ ଉଦ୍ଦେଶ୍ୟ ସିଦ୍ଧହେଲେ, ଗଗନଙ୍କ ପରିବର୍ତ୍ତେ ହଠାତ୍ ଆଦିତ୍ୟଙ୍କୁ ଦେଖି ତୁମେ ପରିସ୍ଥିତିକୁ ବରଦାସ୍ତ କରି ପାରିବ ନାହିଁ ବୋଲି ବାଧ୍ୟହୋଇ ଏସବୁ ତୁମ ନିକଟରେ ଆଗରୁ ଖୋଲି କହୁଛି ।’’

 

ବିନୋଦ ଏହିପରି ଯେତେ କଥା କହିଗଲେ ସୁଶୀଳା ସେସବୁ ଆଦୌ ମନେ ରଖି ପାରିଲେ ନାହିଁ । ସେ ନିର୍ଜୀବ ଭାବରେ ପଡ଼ି ରହିଥାନ୍ତି । ଅନିଚ୍ଛା ସତ୍ତ୍ୱେ କଥାଗୁଡ଼ାକ ତାଙ୍କ କାନଦେଇ ଶୁଣା ଯାଉଥାଏ ।

 

କିଛି ସମୟ ପରେ ପ୍ରକୃତିସ୍ଥା ହୋଇ ସୁଶୀଳା କହିଲେ–‘‘ଆପଣଙ୍କ କାର୍ଯ୍ୟର ପ୍ରତିବାଦ କରିବାର ଶକ୍ତି ମୋର ନାହିଁ । ମୁଁ ଅବଳା, ଜାଣେନା ରାଜନୀତିର ଦନ୍ତ କେଡ଼େ ତୀକ୍ଷ୍‍ଣ–ତାର ବିଷ କେଡ଼େ ଉତ୍କଟ ! କିନ୍ତୁ ମୁଁ ଦେଖୁଛି, ଏ ସାରା ଜଗତରେ ମୁହଁ ଦେଖାଇବା ପାଇଁ ମୋର ଆଉ ସ୍ଥାନ ନାହିଁ । ତେଣୁ ମୁଁ ମୋର ଯାହା କର୍ତ୍ତବ୍ୟ କରି ଯିବି । ଆପଣ ମୋତେ ବାଧା ନ ଦେଇ ବରଂ ଅନୁମତି ଦିଅନ୍ତୁ ।’’

 

ବିନୋଦଙ୍କ ଛାତି କମ୍ପି ଉଠିଲା । କି ବାକ୍ୟରେ ରାଣୀଙ୍କୁ ସାନ୍ତ୍ୱନା ଦେବେ ଖୋଜି ପାଇଲେ ନାହିଁ । କହିଲେ–‘‘ତୁମର ଉଦ୍ଦେଶ୍ୟ କଅଣ ବୁଝି ପାରିଲି ନାହିଁ ?’’

 

ସୁଶୀଳା ବିଚଳିତ ହେଲାପରି କହିଲେ–‘‘ବୁଝି ପାରିବେ ନାହିଁ । ରାଜନୀତି ଚର୍ଚ୍ଚା କରି କରି ଆପଣଙ୍କ ମସ୍ତିଷ୍କ ସାରଶୁନ୍ୟ ହୋଇ ପଡ଼ିଛି; ନାରୀ ହୃଦୟର ଉଦ୍ଦେଶ୍ୟ ବୁଝିବା ପାଇଁ ଅକ୍ଷମ ହୋଇ ପଡ଼ିଛି । ମୋ ସରଳ ବିଶ୍ୱାସର–ଅସହାୟ ଅବସ୍ଥାରେ ଏବଂ ଆପଣଙ୍କ ପ୍ରତି ଅକୃତ୍ରିମ ଶ୍ରଦ୍ଧାର ସୁଯୋଗ ରାଜନୀତି କ୍ଷେତ୍ରରେ ବ୍ୟବହୃତ ହୋଇଛି । ମୁଁ କହିବାର ଅର୍ଥ–ଏ ପାପ ଭାରାକ୍ରାନ୍ତ ଜୀବନ–’’

 

ବିନୋଦ ବାଧାଦେଇ କହିଲେ–‘‘ପାପ ? କେଉଁଥିରେ ପାପ ? ତୁମେ ତ ଭୁଲ ବୁଝିଲ । ଏଇଥିରେ କି ଜଗତରେ ପାପ ହୁଏ ? ତେବେ କର୍ତ୍ତବ୍ୟପରାୟଣତା ଆଉ କଅଣ ? ଅଜ୍ଞାତରେ ହେଲେ ସୁଦ୍ଧା ତୁମେ ତୁମର କର୍ତ୍ତବ୍ୟ କରିବା ବ୍ୟତୀତ ଆଉ କି ପାପ କରିଅଛ ? ତୁମର ସେଇ କର୍ତ୍ତବ୍ୟ ଜ୍ଞାନ ହିଁ ଆଜି ସୁନ୍ଦରଗଡ଼କୁ ‘ସୁନ୍ଦରଗଡ଼’ କରି ରଖିଛି । ତୁମେ ଗଗନଙ୍କୁ ନିଃସନ୍ଦେହ ଭାବରେ ଆଦିତ୍ୟ ବୋଲି ଭାବି ଥିବାରୁ ହିଁ ଆଜି ଆଉ କାହାରି ମନରେ ସନ୍ଦେହର ଛାୟାପାତ ସୁଦ୍ଧା ହୋଇନାହିଁ । ମୋର ରାଜନୈତିକ ସୁକ୍ଷ୍ମବିଚାର କାର୍ଯ୍ୟକାରୀ ହୋଇଛି ଓ ବିପଦ୍‍ରାଶି କ୍ରମେ ଉଭେଇ ଯାଇଛି । ଆଜି ତୁମର କର୍ତ୍ତବ୍ୟ-ପରାୟଣତା ବିନିମୟରେ ଦୀନବନ୍ଧୁଙ୍କ ସିଂହାସନ ତାଙ୍କ ଉତ୍ତରାଧିକାରୀଙ୍କ ପାଇଁ କିଣା ଯାଇଛି । ଯେଉଁଥିରେ ପାପ ହୁଏ, ବାସ୍ତବିକ ସେପରି କଥା ଏଥିରେ କିଛି ନାହିଁ । ଯଦି କିଛି ଥାଏ ତେବେ ତାହା ମୋର, ତୁମର ନୁହେଁ । ତୁମେ ସରଳ ଚିତ୍ତରେ ଗଗନଙ୍କୁ ରାଜା ବୋଲି ଭାବିବା ସ୍ୱାଭାବିକ । ଆଉ ତାହା ସେଇ ଭାବନାରେ ହିଁ ପର୍ଯ୍ୟବଶିତ ହୋଇଛି । କହିପାର, ‘ବାହାର ଲୋକେ ନିନ୍ଦା କରିବେ ।’ କିନ୍ତୁ ମୋର ଦୃଢ଼ ବିଶ୍ୱାସ, ଏକଥା ଆଜି ସୁଦ୍ଧା ମୁକ୍ତବାୟୁ ମଣ୍ଡଳ ସ୍ପର୍ଶ କରି ନାହିଁ କିମ୍ବା ମୋର ଏ ଶୁଷ୍କ ଶିରା ପ୍ରଶିରାରେ ଶୋଣିତଧାର ପ୍ରବାହିତ ହେଉଥିବା ପର୍ଯ୍ୟନ୍ତ ତାହା କରିବାକୁ ଦେବି ନାହିଁ ।’’

 

ବିନୋଦ ଆଉ କିଛି କହି ପାରିଲେ ନାହିଁ । ସୁଶୀଳା ମଧ୍ୟ କୌଣସି ଉତ୍ତର ଦେଲେ ନାହିଁ ।

 

ବିନୋଦ ସିଂହ କେତେବେଳେ ସେଠାରୁ ବିଦାୟ ନେଇ ଚାଲିଗଲେ ସୁଶୀଳା ଜାଣି ନାହାନ୍ତି । ସେ ସେଇଠାରେ ସେଇ ଅବସ୍ଥାରେ ପଡ଼ି ରହିଲେ । ହୃଦୟ ମଧ୍ୟରେ କି ଏକ ବିଷମ ବାତ୍ୟା ବହି ଚାଲିଥାଏ । ବର୍ତ୍ତମାନ ସେ ଜାଣି ପାରିଲେ, ଯାହା ପଛରେ ସେ ଶୀତଳ ଜଳ ଭାବି ଶୁଷ୍କ କଣ୍ଠରେ ଧାଇଁଥିଲେ, ବାସ୍ତବିକ ତାହା ମରୀଚିକା ।

 

ଏଇ ସମୟରେ କାହାର ଧୀର ପଦକ୍ଷେପ ଗୃହର ବାୟୁସ୍ତରକୁ ସାମାନ୍ୟ କମ୍ପିତ କରିଦେଲା । ସୁଶୀଳା ମୁଣ୍ଡ ଟେକି ଦେଖିଲେ ଆଗରେ ସେଇ ମୂର୍ତ୍ତିମାନ ମରୀଚିକା ଗଗନ–ହତ୍ୟାକାରୀ ଦୋଷ ସ୍ୱୀକାର କଲା ଭଳି ଅବନତ ମସ୍ତକ ଓ ବଦ୍ଧ ଅଞ୍ଜଳି ହୋଇ ଦଣ୍ଡାୟମାନ । ସୁଶୀଳା ଉଠି ପଡ଼ି ଠିଆ ହେଲେ । ସେତେବେଳେ ମଧ୍ୟ ଲଜ୍ଜା ଯେପରି ଜମାଟ ବାନ୍ଧି ତାଙ୍କ ମୁଣ୍ଡ ଉପରେ ଲଦି ହୋଇଗଲା । ମସ୍ତକ ନତ ହୋଇ ପଡ଼ିଲା । ଅସଂଯତ ଅଳକା ପନ୍ତି ଆଗକୁ ଝୁଲି ପଡ଼ିଲା । ଆଖି ଅଶ୍ରୁ ଛଳ ଛଳ ହୋଇ ଉଠିଲା ।

 

ଗଗନ ନମସ୍କାର କରି କହିଲେ–‘‘ରାଣି, ଜାଣିଛି ମୋର ଦୋଷ ଅକ୍ଷମଣୀୟ । କିନ୍ତୁ ବିନୋଦ ଦାଦାଙ୍କ ପ୍ରରୋଚନାରେ ଭାଇଙ୍କୁ ବିପଦରେ ସାହାଯ୍ୟ କରିବା ପାଇଁ ଏ କାର୍ଯ୍ୟରେ ହାତ ଦେଇଥିବାରୁ ନିଜକୁ ଦୟାର ପାତ୍ର ବୋଲି ମନେ କରେ । ଯଦି ଅଜ୍ଞାତସାରରେ କାହାରି ପ୍ରତି କିଛି ଦ୍ରୋହାଚରଣ କରିଥାଏ ତେବେ–’’

 

ସୁଶୀଳାଙ୍କ କୋମଳ ଆଖି ଦୁଇଟି ଦେଇ ଶ୍ରାବଣର ବର୍ଷା ଧାରା ପରି ଲୋତକ ଗଳି ପଡ଼ିଲା । ଛାତି ତଳେ ଯେଉଁ ଭୀଷଣ ଝଡ଼ ତୋଫାନ ଲାଗିଥିଲା ତାର ସ୍ପଷ୍ଟ ଛବି ମୁଖମଣ୍ଡଳରେ ଅଙ୍କିତ ହୋଇଗଲା । ସେ ଗଗନକୁ ଆଉ ବେଶି କହିବାକୁ ନ ଦେଇ ହୃଦୟ ଚିରି କେତେ କଅଣ କହିଯିବା ପାଇଁ ଚେଷ୍ଟା କଲେ; କିନ୍ତୁ ପାରିଲେ ନାହିଁ । ଅନ୍ତରରୁ ଉତ୍‍ଥିତ ବାଷ୍ପସ୍ରୋତ ସେ ସୁଯୋଗ ଦେଲା ନାହିଁ । ସେ ବ୍ୟଥିତ ପ୍ରାଣରେ ଗଗନଙ୍କ ହାତ ଦୁଇଟି ଧରି ପକେଇ ଶିଶୁ ଭଳି କାନ୍ଦି କାନ୍ଦି କହି ଉଠିଲେ–‘‘କ୍ଷମା ଦେବି ? କେଉଁ ଅପରାଧରେ ? କ୍ଷମା ପରିବର୍ତ୍ତେ ଏ ସ୍ୱର୍ଗୀୟ ଉଦାରତାର ବିନିମୟରେ ଯାହା ଦେଇଥାନ୍ତି ତାହା ମୋର ଅଜ୍ଞାତରେ ତୁମେ ବଳପୂର୍ବକ ଆଗରୁ କାଢ଼ି ନେଇଛ । ମୁଁ ନିଃସ୍ଵ ହୋଇ ପଡ଼ିଛି । ନାରୀର ହୃଦୟ କେବେ ତା ନିଜର ଆୟତ୍ତ ନୁହେଁ । ଯେଉଁଠାରେ ତାର ଉପଯୁକ୍ତ ଆସନ ପାଏ, ଶତବାଧା ସତ୍ତ୍ୱେ ସେଇଠାରେ ନିଜର ସର୍ବସ୍ଵ ଅର୍ପଣ କରିଦିଏ । ଅନ୍ୟତ୍ର ଶତ ପ୍ରଲୋଭନରେ ଆକୃଷ୍ଟ ହୁଏ ନାହିଁ । ସେଇ ଅବସ୍ଥାରେ ମୁଁ ମୋର ସର୍ବସ୍ଵ ତୁମ ନିକଟରେ ସମର୍ପଣ କରି ଦେଇଛି । ଆଉ ତାହା ଫେରି ପାଇବାର ଶକ୍ତି ନାହିଁ । ତୁମେ ଗ୍ରହଣ ନ କଲେ ମଧ୍ୟ ଆଉ ଫେରି ଆସିବ ନାହିଁ । ଆଜି ସମସ୍ତଙ୍କ ଦୃଷ୍ଟିରେ ମୁଁ ରାଣୀ ହୋଇପାରେ । କିନ୍ତୁ ମୋର ହୃଦୟ ନୁହେଁ । ତୁମେ ମୁହୂର୍ତ୍ତକ ପରେ ଏ ନରକମୟ ରାଜ୍ୟରୁ ବିଦାୟ ନେଇପାର; କିନ୍ତୁ ମୋ ଅନ୍ତରରୁ ନୁହେଁ । ମୋର ଏ ଶରୀରଟା ପୁଣି କିଛିଦିନ ପରେ ଏଠାରେ ପଦଦଳିତ ହୋଇପାରେ–କିନ୍ତୁ ମୋ ଭିତରୁ ମୁଁ ଆଜି ମୁକ୍ତ । ମୁଁ ଏଣିକି ତୁମରି ମୂର୍ତ୍ତି–’’

 

ଏ କରୁଣ ଦୃଶ୍ୟ ଦେଖିବା ପାଇଁ–ରମଣୀ ଅନ୍ତରର ବିକଳ କ୍ରନ୍ଦନ ଶୁଣିବା ପାଇଁ ଗଗନ ଆଉ ବେଶି ସମୟ ଧୈର୍ଯ୍ୟ ଧରିପାରିଲେ ନାହିଁ । କହିଲେ–‘‘ରାଣି ! ରାଣି ! ଏ ମହତ୍ ଭାବର ପ୍ରତିଦାନ ପାଇଁ ମୁଁ ସାରା ଜଗତକୁ ମଧ୍ୟ ଅଭାବ ବୋଧ କରୁଛି । ମୋର ନୀରସ ପ୍ରାଣବା ଏହାର ସମତୁଲ ହେବ କିପରି ? ମୁଁ ଚେଷ୍ଟାକରି ବରାବର ଦୂରରେ ରହିଛି । ଜାଣିଛି, ତୁମେ ସରଳ ଅନ୍ତରରେ ମୋରି ଅପେକ୍ଷାରେ କେତେ ବିନିଦ୍ର ରଜନୀ ଯାପିଛ–କେତେ ସନ୍ତାପ ଭୋଗିଛ; କିନ୍ତୁ ସେତେବେଳେର ସେ ସ୍ଵପ୍ନାବସ୍ଥାର ଭୁଲକୁ କି ଜାଗ୍ରତ ଅବସ୍ଥାରେ ଆଉ ଅନୁସରଣ କରାଯାଏ ? ସେ ସବୁ ଭ୍ରମଧାରଣା ମନରୁ ପୋଛି ପକାଅ ରାଣି ! ତୁମେ ସୁଶିକ୍ଷିତା ଏବଂ ବିଚକ୍ଷଣ ବୁଦ୍ଧିମତୀ । ଇଆ ଦ୍ୱାରା ତୁମେ ନିଜପ୍ରତି ଅନ୍ୟାୟ କରୁ ନାହଁ କି ?’’

 

ସଙ୍ଗେ ସଙ୍ଗେ ରାଣୀଙ୍କର ମୁଖମଣ୍ଡଳ ପ୍ରଭାତର ଶିଶିର ବିନ୍ଦୁସିକ୍ତ ଅର୍ଦ୍ଧପ୍ରସ୍ଫୁଟିତ ଗୋଲାପ ପରି ରକ୍ତାଭ ହୋଇ ଉଠିଲା । ସେ କହିଲେ–‘‘ଭ୍ରମ ଧାରଣା ? କାହାର ? ଏ ଭ୍ରମ ଧାରଣା ମଧ୍ୟରେ ହିଁ ମୁଁ ନିଜର ପ୍ରକୃତ ପଥ ଖୋଜି ପାଇଛି । ହୃଦୟକୁ ଅଧିକ ସରସ କରି ଗଢ଼ି ପାରିଛି । ଯାତନାମୟ ଜୀବନ ପଥକୁ ଅଧିକ ସରଳ, ସୁଖମୟ କରି ତିଆରି କରିବା ଶିକ୍ଷା ପାଇଛି-। ତାହା ଭ୍ରମ ହେଉ, ଅନ୍ୟାୟ ହେଉ,–ତାହା ହିଁ ମୋର ଗନ୍ତବ୍ୟ ପଥ ।’’

 

ଏହି ସମୟରେ ବାହାରେ ଗୋଟାଏ କିଛି ସଙ୍କେତ ଧ୍ଵନି ବାଜି ଉଠିଲା । ଗଗନ ଚମକି ପଡ଼ି କହିଲେ–‘‘ଏଇ ବାଜିଲା; ବିଦାୟ ରାଣି ! ବାସ୍ତବିକ ଅନ୍ୟାୟ କଲ ଏ ଅଧମକୁ ହୃଦୟରେ ସ୍ଥାନ ଦେଇ । ଜାଣେନା ମୋର ଶକ୍ତି ଅଛି କି ନା ତୁମର ସେ ଉଦାର ଦାନର ମହତ୍ତ୍ୱ ଉପଲବ୍‍ଧି କରିବା ପାଇଁ । ନା, ନା, ଏ ଦୁର୍ଭାଗାର ନାମ ପର୍ଯ୍ୟନ୍ତ ହୃଦୟରୁ ପୋଛିଦିଅ ରାଣି,–ନଚେତ୍ ଆଜୀବନ ମୋତେ ଏ ସ୍ୱପ୍ନିଳ ଘଟଣା ଜାଲରେ ଆବଦ୍ଧ ରହିବାକୁ ହେବ ସିନା ? ଏ ପ୍ରାଣଟାକୁ ତୁମରି ଦାନର ପ୍ରତିଦାନ ରୂପେ ସମର୍ପିବାକୁ ବାଧ୍ୟ ହେବି ସିନା ? ଆଉ ସମୟ ନାହିଁ–ବିଦାୟ ।’’

 

କୋହ ସଙ୍ଗେ ସଙ୍ଗେ ସୁଶୀଳାଙ୍କ ମୁଖରୁ ବାହାରି ପଡ଼ିଲା–‘‘ବିଦାୟ ଦେବି ? କିନ୍ତୁ ମନ ଯେ ମାନୁନାହିଁ । ଜୀବନର ସକଳ ଶୃଙ୍ଖଳ ଛିନ୍ନ ହୋଇ ଉଠୁଛି । ସ୍ଥିରହୁଅ ଆଉ ମୁହୂର୍ତ୍ତକ ପାଇଁ ମାତ୍ର ମୋର କ୍ଷୁଧିତ ଚକ୍ଷୁ ଦୁଇଟି ଏ ସୌମ୍ୟ ମୂର୍ତ୍ତି ଦେଖୁ ଦେଖୁ ଛାତିକୁ ପଥର କରି ତା ଉପରେ ଏକ ଅନାବିଳ ପ୍ରତିଚ୍ଛବି ଲେଖି ନିଏ ।’’

 

ଗଗନଙ୍କ ଚକ୍ଷୁ ଲୋତକ ପୂର୍ଣ୍ଣ ହୋଇ ଆସିଲା । ସେ ସେଇଠାରେ ଉତ୍କଣ୍ଠା ଜର୍ଜ୍ଜରିତ ଅବସ୍ଥାରେ ଦଣ୍ଡାୟମାନ ହୋଇ ରହିଲେ । ହଠାତ ରାଣୀ ଗୋଟିଏ ରକ୍ତଗୋଲାପ ଗୁଚ୍ଛ ଆଣି ଗଗନଙ୍କ ହାତରେ ଦେଇ କହିଲେ–‘‘ଜାଣିଛି, ରକ୍ତଗୋଲାପରେ ତୁମର ଅତ୍ୟନ୍ତ ଆଦର । ଯେଉଁଦିନ ପ୍ରଥମେ ମୋର କକ୍ଷର ମଧ୍ୟରେ ବସି ରକ୍ତଗୋଲାପଗୁଡ଼ିକ ଧରି ନିର୍ନିମେଷ ନୟନରେ ଚାହିଁ ରହିଥିଲ–ସେ ପ୍ରାଣାରାମ ଦୃଶ୍ୟ ଏ ଛାତିରେ ଲେଖି ହୋଇ ଯାଇଛି । ତାପରେ କେତେଦିନର ମୋର କେତେ ସାଦର ଗୋଲାପ ଗୁଚ୍ଛ ଯେ ମଉଳି ଝଡ଼ି ପଡ଼ିଛି ତାର ଇୟତ୍ତା ନାହିଁ । ତେଣୁ ଆଜିର ଏ ବିଦାୟ ରଜନୀରେ ଏଇ ମୋର ଅନ୍ତରର ଉପହାର । ଯଦି ଜୀବନରେ ଆଉଥରେ ସାକ୍ଷାତ୍ ହୁଏ, ତେବେ ନିଜ ହାତରେ ପୁଣି ଗୋଟିଏ ପ୍ରୀତି-ପୁଷ୍ପ ସମର୍ପଣ କରିବି । କିନ୍ତୁ ଏ ମିଳନ ବିଦାୟ ମୁହୂର୍ତ୍ତର-ଏ ନିର୍ମ୍ମମ ରାତ୍ରିର ସ୍ମୃତିସଙ୍କେତ ସ୍ଵରୂପ ପ୍ରତିବର୍ଷ ଏହି ଦିବସରେ ଗୋଟିଏ ‘ରକ୍ତଗୋଲାପ’ ଆଖିର ଲୋତକ, ହୃଦୟର ବେଦନା ମିଶେଇ ତୁମେ ଯେଉଁଠି ଥାଅ ପ୍ରେରଣ କରିବି । ଗ୍ରହଣ କରି ଏ ଅଭାଗିନୀର ଆକାଙ୍‍କ୍ଷା ଚରିତାର୍ଥ କରିବ ତ ?’’

 

ଗଗନ ଉତ୍ତର ଦେଇ ପାରିଲେ ନାହିଁ । ସେ ସୁଶୀଳାଙ୍କ ସୁକୋମଳ କରପଲ୍ଲବରୁ ରକ୍ତଗୋଲାପ ଗୁଚ୍ଛଟି ନିଜର କମ୍ପିତ ହସ୍ତରେ ସ୍ପର୍ଶ କରିବା ମାତ୍ରେ ଏକ ଅପୂର୍ବ ବିଦ୍ୟୁତ ଶିହରଣ ପାଇଁ ସେଠାରେ ନତଜାନୁ ହୋଇ ବସିପଡ଼ିଲେ । କିନ୍ତୁ ପୁଣି ବାହାରୁ ସଂକେତ ଧ୍ଵନି କେଉଁ ଦୂର ରଣପ୍ରାଙ୍ଗଣର ଡିଣ୍ଡିମବତ୍ ଶୁଣାଗଲା । ସେ ପ୍ରାଣେ ପ୍ରାଣେ ଅନୁଭବ କଲେ, ସେ ଯେପରି ଅନାୟତ୍ତ ହୋଇ ପଡ଼ିଛନ୍ତି । କର୍ତ୍ତବ୍ୟର ଅଦୃଶ୍ୟ ହସ୍ତ ତାଙ୍କୁ ଧୀରେ ଧୀରେ ଟାଣି ନେଇଗଲା । ରାଣୀ ମୂର୍ଛିତା ହୋଇ ଭୂପତିତା ହେଲେ ।

Image

 

ତେର

 

ଚତୁର୍ଦ୍ଦିଗ ଘନ ଅନ୍ଧକାରରେ ଆଚ୍ଛାଦିତ । ଚଇତର ଅଦିନିଆ ମେଘରେ ମୁହୁର୍ମୁହୁ ଖେଳିଯାଉଛି ବିଦ୍ୟୁତ୍ ଚମକ । କେତେବେଳେ ସାମାନ୍ୟ ଅସରାଏ ବର୍ଷିଦେଇ ଖଣ୍ଡେ ଖଣ୍ଡେ ମେଘ ବାତ୍ୟା ମୁଖରେ ଉଡ଼ି ଉଡ଼ି ଚକ୍ରବାଳ ରେଖା ତଳେ ମିଳେଇ ଯାଉଛନ୍ତି ଏବଂ ଚପଳା ଚମକରେ ବିଲ-ବନ-ପ୍ରାନ୍ତର ସୁନାର ଝଳିରେ କ୍ଷଣକ ପାଇଁ ଝଲସି ଉଠୁଛି । ତା ସଙ୍ଗେ ସଙ୍ଗେ ଉଲ୍ଲୁକର ହୁଁ ହୁଁ ହୁଳୁ ହୁଳୁ ଧ୍ଵନି ମୃତ୍ୟୁ ଦେବତାର ବିଜୟ ଗୀତି ପରି ଚତୁର୍ଦ୍ଦିଗ ମୁଖରିତ କରି ଦେଉଛି ।

 

ଗଛ ପତରର ଟପ୍ ଟପ୍ ପାଣି ତଳେ ମୁଣ୍ଡ ପତେଇ ଦେଇ ତିନିଜଣ ଅଶ୍ଵାରୋହୀ ଦ୍ରୁତ ଗତିରେ ମଧୁଗଡ଼ ଦୁର୍ଗ ନିକଟରେ ଦେଖାଦେଲେ । ବିଜୁଳିର ପ୍ରତି ଝଲକରେ ସେମାନଙ୍କର ବୁକୁ ଚମକି ପଡ଼ୁଥାଏ । ରାତି ପହରକୁ ଗଡ଼ିଗଲାଣି । ଆଗରେ ମଧୁଗଡ଼ ଦୁର୍ଗର ମେଘନାଦ ପାଚେରୀ–କେଉଁକାଳୁ କେତେ ଶତ୍ରୁର ନିର୍ମ୍ମମ ଘାତପ୍ରତିଘାତ ସହି ସଗର୍ବେ ଠିଆ ହୋଇ ରହିଛି । ତାରି ଦେହରେ ଆସି ଛପିଗଲେ ଅଶ୍ଵାରୋହୀ ତିନିଜଣ ।

 

ଜଣେ ପଚାରିଲା–‘‘କିଛି ଅନୁମାନ କରି ପାରୁଛ ରାଜନ ?’’

 

ରାଜନ କହିଲେ–‘‘ନା କିଛି ନୁହେଁ ।’’

 

ଅନ୍ୟ ଦୁଇଜଣ ବିନୋଦ ସିଂହ ଏବଂ ଗଗନ । ରାଜନ ତିନୋଟି ଲମ୍ବ ଦଉଡ଼ିର ଗୋଟିଏ ଅଗରେ ଘୋଡ଼ାଗୁଡ଼ିକର ଲଦନକୁ ବାନ୍ଧିଦେଇ ଘୋଡ଼ା ଉପରେ ଚଢ଼ି ପାଚେରୀ ଉପରକୁ ଉଠିଗଲେ ଏବଂ ସେଠାରୁ ଦଉଡ଼ିଗୁଡ଼ିକୁ ପାଚେରୀ ଭିତରକୁ ଖସେଇ ଦେଲେ । ଗଗନ ମଧ୍ୟ ପାଚେରୀ ଉପରକୁ ଉଠି ଆସିଲେ । ବିନୋଦ ଘୋଡ଼ା ଉପରେ କାନ୍ଥ ଦେହକୁ ଲାଗି ବସିଥାନ୍ତି।

 

ଦୁର୍ଗ ଭିତରେ ଜନ ମାନବର ସାରା ଶବ୍ଦ ନାହିଁ । କିଛି ସମୟ ଅପେକ୍ଷା କରି ସେମାନେ ଦଉଡ଼ି ସାହାଯ୍ୟରେ ତଳକୁ ଆସିଲେ ଏବଂ କାନ୍ଥ ଦେହରେ ଛପି ବସି ରହିଲେ ।

 

ବିଶ୍ଵସ୍ତ ସୂତ୍ରରୁ ଯେଉଁ ସମ୍ବାଦ ମିଳିଥିଲା, ସେଥିରୁ ଜଣାପଡ଼େ ଦୁର୍ଗ ବନ୍ଦୀଶାଳାର ଦକ୍ଷିଣ କୋଠରୀରେ ଆଦିତ୍ୟଙ୍କୁ ରଖାଯାଇଛି । ରାଜନ ସେଇ କୋଠରୀ ଆଡ଼େ ଗତିକଲେ, ଠିକ୍ ବିରାଡ଼ି ମୁଷାକୁ ଛକି ଛକି ଗଲାପରି । ସେ ପାହାଚ ଉପରକୁ ଉଠିଲେ । କୋଠରୀ ଭିତରରୁ ଆଲୁଅର ଏକ ରେଖା କବାଟ ଫାଙ୍କଦେଇ ଦେଖାଯାଉଛି । ସେ କବାଟ ସନ୍ଧି ପାଖେ କାନ ଦେଇ ଠିଆ ହେଲେ । ବାହାରୁ ପବନର ସୁ ସୁ ନାଦରେ କିଛି ଶୁଣା ନ ଗଲେ ମଧ୍ୟ ଭିତରେ ଯେ କେହି ଦୁଇଜଣ କଥାବାର୍ତ୍ତା ହୋଇ ଆସୁଛନ୍ତି ଏକଥା ସେ ବେଶ୍ ଅନୁମାନ କରି ପାରିଲେ । ହଠାତ୍ ଏହି ସମୟରେ ଭିତରୁ କବାଟ ଫିଟିବାର ସୂଚନା ପାଇ ସେ କିଂକର୍ତ୍ତବ୍ୟବିମୁଢ଼ ହୋଇପଡ଼ିଲେ । କିନ୍ତୁ ପରମୁହୂର୍ତ୍ତରେ ଦୁଆର ବନ୍ଧ ଉପରେ ସାକର ପଟା ଓ ଓରା କାଠକୁ ଧରି ମାଙ୍କଡ଼ ପରି ଉପରକୁ ଉଠିଗଲେ । ସଙ୍ଗେ ସଙ୍ଗେ କବାଟ ଫିଟିଲା–ଦୁଇଟା ଲୋକ ଘରଭିତରୁ ବାହାରି ସିଧା ସିଧା ଅନ୍ଧାର ଭିତରେ ମିଳେଇ ଗଲେ ।

 

ତେଣେ ଗଗନ ପାହାଚ ତଳେ ନାଳ ଭିତରେ ଲପଟେଇ ପଡ଼ିଯାଇଥିଲେ । ଲୋକ ଦୁଇଟି ଯିବାପରେ ସେ ପିଣ୍ଡା ଉପରକୁ ଉଠି ଆସିଲେ । ରାଜନ ତଳକୁ ଖସି ଆସି ତାଙ୍କ କାନରେ କହିଲେ–‘‘କିଏ ଗଲା ଜାଣ ?’’

 

‘‘–ଜାଣେ, ସେଇ ଦୁଇଜଣ, ନୁହେଁ ?’’

 

ଦୁଆର ଖୋଲା ରଖି ଲୋକ ଦୁଇଟା ଚାଲି ଯିବାରୁ ଏମାନଙ୍କ ମନରେ ସନ୍ଦେହ ପଶିଲା–ହୁଏତ ଏ ଘରଟା ହୋଇ ନ ଥିବ । କିନ୍ତୁ ଗୁପ୍ତଚର କଥା ଉପରେ ନିର୍ଭର କରି ଉଭୟେ ଆସ୍ତେ ଘର ଭିତରେ ପ୍ରବେଶ କଲେ ଏବଂ ଭିତରୁ କବାଟ ବନ୍ଦ କରିଦେଲେ । ମୁକ୍ତ ଅସି ହସ୍ତରେ ପ୍ରତ୍ୟେକ ପଦରେ ଆଗକୁ ଉଙ୍କି ମାରି ମାରି ସେମାନଙ୍କୁ ଭିତରକୁ ଯିବାକୁ ହେଉଥାଏ । କ୍ରମେ ସେମାନେ ଏକ ଅଣଓସାରିଆ ଗୋହିରୀ ଘର ଦେଇ ଚାଲିଲେ । ତାର ଦୁଇ ପାଖରେ କେତେଗୋଟି ଛୋଟ ଛୋଟ କୋଠରୀ । ସବୁଗୁଡ଼ିକର କବାଟ ଖୋଲାଅଛି । ଗୋହିରୀ ଶେଷ ମୁଣ୍ଡକୁ ଆସି କବାଟ ସନ୍ଧିଦେଇ ସେମାନେ ଦେଖିଲେ ଆର ପାଖେ ଏକ ବିସ୍ତୃତ କକ୍ଷ, ମଝିରେ ଗୋଟିଏ ଆଲୁଅ ଜଳୁଛି । ଆଲୁଅ ଚାରିପାଖେ ଦୁଇ ତିନୋଟି ଖାଲି ଆସନ ।

 

ରାଜନ ଆଲୁଅଟି ଧରିଆସି ପଶ୍ଚିମ ଧାଡ଼ିର ଶେଷ କୋଠରୀରେ ପଶିଲେ । ସେଇଟା ମଧ୍ୟ ଖୋଲାଥିଲା । ଘର ମଝିରେ ପହଞ୍ଚିବା ମାତ୍ରେ କାନ୍ଥ ଦେହର ଲୌହ କବାଟ ତାଙ୍କ ଆଖିରେ ପଡ଼ିଲା । ସେ ଅନ୍ୟପାଖ କାନ୍ଥର ଲୁହା ଶିକୁଳିଟି ଟାଣିବା ସଙ୍ଗେ ସଙ୍ଗେ କବାଟଟି ଖୋଲିଗଲା । କବାଟ ତଳେ ଗୋଟିଏ ଦୁର୍ଗନ୍ଧମୟ କୂପ । ଭିତରକୁ କେତେଗୁଡ଼ିଏ ଅଣଓସାରିଆ ପାହାଚ ପଡ଼ିଛି-। ସେମାନେ ଆସ୍ତେ ତଳକୁ ଓହ୍ଲାଇ ଆସିଲେ ।

 

ଦଶ ବାରଟି ପାହାଚ ଆସିବା ପରେ ଆଗରେ ଆଉ ଗୋଟିଏ ଛୋଟ କୋଠରୀ ଦେଖାଗଲା । କୋଠରୀ ଦୁଆର ମେଲା ପଡ଼ିଛି । ଭିତରେ କେହି ନାହାନ୍ତି । ଘର ମଝିରେ ଖଣ୍ଡେ ମଇଳା ଲୁଗା ମାତ୍ର ମୋଡ଼ିହୋଇ ସାପ ପରି ପଡ଼ିଥିଲା । ଉଭୟେ ପରସ୍ପରକୁ ଚାହିଁ ରହିଲେ ।

 

ସନ୍ଦେହର ଅକୂଳ ସମୁଦ୍ର ମଧ୍ୟରେ ଆନ୍ଦୋଳିତ ହୋଇ ରାଜନ ଓ ଗଗନ ପୁଣି ଉପରକୁ ଉଠିଲେ । ଗୋହିରୀ ଘରକୁ ଫେରି ଆସିବା ପରେ ମୋହନ ଏବଂ ଲାଲମୋହନ କାହିଁକି ଯେ କବାଟ ବାହାରୁ ମେଲା କରିଦେଇ ଗଲେ ସେକଥା ସେମାନେ ବୁଝିପାରିଲେ । ଆଦିତ୍ୟଙ୍କୁ ଏମାନେ ଯେ ଅନ୍ୟ କୌଣସି ସ୍ଥାନକୁ ନେଇ ଯାଇଛନ୍ତି ଏ କଥା ସ୍ପଷ୍ଟ ଜଣାଗଲା । ତଥାପି ସେମାନେ ସମୟ ନଷ୍ଟ ନ କରି ଅନ୍ୟ ପ୍ରତ୍ୟେକ କୋଠରୀ ତନ୍ନ ତନ୍ନ କରି ଖୋଜିବାକୁ ଲାଗିଲେ ।

 

ଗୋଟିଏ କୋଠରୀର ଭିତର କାନ୍ଥରେ ଏକ ପଞ୍ଜର ଦେଖାଗଲା । ହୁଏତ ଏଇଟା ମଧ୍ୟ କୌଣସି ଏକ ଗୁପ୍ତ ଗୃହର ପଥ ହୋଇଥିବ ଭାବି ଗଗନ ସେଇଟିକୁ ଫିଟେଇବାକୁ ଚେଷ୍ଟା କରୁଛନ୍ତି, ଏଇ ସମୟରେ ପଞ୍ଜରର ଅନ୍ୟପାଖରୁ କେହି ଦୁଇ ତିନି ଜଣ କଥା ହେଉ ଥିବାର ଶୁଣାଗଲା । କିନ୍ତୁ କଥାବାର୍ତ୍ତାର ସମସ୍ତ ଅଂଶ କେବଳ ଅସ୍ପଷ୍ଟ ଫସ୍ ଫସ୍ ଶବ୍ଦ ମାତ୍ର । ସେଥିରୁ ଏତିକି ଅନୁମାନ କରି ହେଲା ଯେ–ମୋହନ ଯାଇଛନ୍ତି ସିଦ୍ଧ ଗୁମ୍ଫା ।

Image

 

ଚଉଦ

 

Unknown

ସିଦ୍ଧ ଗୁମ୍ଫା ମଧୁରଗଡ଼ଠାରୁ ପ୍ରାୟ ଦୁଇକୋଶ ବାଟ, ଘନ ଜଙ୍ଗଲ ମଧ୍ୟଦେଇ । ଏହି ଗୁମ୍ଫା ସାତଗୋଟି ଭିନ୍ନ ଭିନ୍ନ କୋଠରୀରେ ବିଭକ୍ତ । ସାଧାରଣତଃ ପାହାଡ଼ ଉପରେ ଚଢ଼ି ଏହି ଗୁମ୍ଫାକୁ ଯିବାକୁ ହୁଏ । କିନ୍ତୁ ସେ ବାଟେ ଗଲେ ବାହାରର ଦୁଇଟି ବଖରା ବ୍ୟତୀତ ଆଉ ଭିତରକୁ ଯାଇହୁଏ ନାହିଁ । ତେଣିକି ପଥ ଏଡ଼େ ଅଣଓସାରିଆ, ଅନ୍ଧକାର ଏବଂ ଚେମଣିମାନଙ୍କର ପ୍ରାଦୁର୍ଭାବ ଏତେ ବେଶି ଯେ, ସେ ଭିତରେ ମୁହୂର୍ତ୍ତେ ମାତ୍ର ରହି ସଶରୀର ନରକ ଯନ୍ତ୍ରଣା ଭୋଗ କରିବା ପାଇଁ କୌଣସି ସଜୀବ ମାନବ ଇଚ୍ଛା କରିବ ନାହିଁ । ଲୋକେ ବିଶ୍ୱାସ କରନ୍ତି ସିଦ୍ଧ ପୁରୁଷଙ୍କର କେବଳ ସେ ଭିତରକୁ ଯିବାର ଅଧିକାର ଅଛି । ସେଇମାନେ କେବଳ ତା ଭିତରକୁ ଯାଇପାରିବେ-

 

X X X

 

ଆକାଶ ଟିକିଏ ପରିଷ୍କୃତ ହୋଇ ଆସିଛି । ପବନର ଗତି ମଧ୍ୟ ବନ୍ଦ ହୋଇ ଯାଇଛି । ଚନ୍ଦ୍ରଟା ପାତଳା କଳା ମେଘ ତଳେ ଅସ୍ପଷ୍ଟ ଭାବରେ ଦେଖା ଯାଉଥାଏ । ଗଗନ, ରାଜନ ଏବଂ ବିନୋଦ ଅଶ୍ଵପୃଷ୍ଠରେ ଅତି ସାବଧାନତା ସହକାରେ ଛୁଟି ଥାନ୍ତି । ଘନ ଅରଣ୍ୟର ଭୀଷଣ ନୀରବତା ଭଙ୍ଗକରି, ଅଶ୍ଵଗତିର ଶବ୍ଦ ସହିତ ଝିଲ୍ଲୀ ଶବ୍ଦ ଗୋଟାଏ ଗଣ୍ଡଗୋଳର ସୃଷ୍ଟି କରୁଥାଏ।

 

ବିନୋଦ ସିଦ୍ଧ ଗୁମ୍ଫା ଦୁଆରେ ଠିଆହୋଇ ଭିତରେ କେହି ଅଛି କି ନାହିଁ ଆଦୌ ଅନୁମାନ କରିପାରିଲେ ନାହିଁ । ସେ ଧୀରେ ଧୀରେ ଭିତରକୁ ଅଗ୍ରସର ହେଲେ । ଗଗନ ଏବଂ ରାଜନ ପଛେ ପଛେ ଚାଲିଥାନ୍ତି । ଗୁମ୍ଫାର ପ୍ରତ୍ୟେକ ବଖରା ପଥର ଘର ପରି ସମତଳ ଏବଂ ବିସ୍ତୃତ । ଠାଏ ଠାଏ ଗୋଟାଏ ଗୋଟାଏ ପଥର ଖମ୍ବ ରାକ୍ଷସ ପରି ଠିଆ ହୋଇ ରହିଛି । ସେମାନେ ଚତୁର୍ଥ ଗୁମ୍ଫାରେ ପହଞ୍ଚିବା ପରେ ପାଖ ବଖରାରେ ଆଲୁଅ ଜଳୁଥିବା ଦେଖାଗଲା ଏବଂ ସେ ଭିତରୁ ମନୁଷ୍ୟ କଥାବାର୍ତ୍ତା ଶୁଣାଗଲା । ବିନୋଦ ଆଗେ ଆଗେ ଯାଇ ଦୁଆର ମୁହଁରେ ଠିଆ ହୋଇ ଯାହା ଦେଖିଲେ ସେଥିରେ ସେ ଆଉ ଚକ୍ଷୁର ପକ୍ଷ୍ମପାତ କରି ପାରିଲେ ନାହିଁ ।

 

ଗୁମ୍ଫା ଭିତରେ ଏକ ପାଖରେ ସିଂହାସନ ଉପରେ ଲହ ଲହ ଜିହ୍ଵା କରାଳବଦନା ଉଲଗ୍ଣ କାଳୀମୂର୍ତ୍ତି–ପାଦ ପର୍ଯ୍ୟନ୍ତ ମନ୍ଦାର ଏବଂ ବେଲପତ୍ରର ମାଳ ବିଳମ୍ବିତ । ସମ୍ମୁଖରେ ବହୁବିଧ ପୂଜାର ଉପକରଣ–ଧୁପଗନ୍ଧରେ ଚତୁର୍ଦ୍ଦିଗ ପୁରି ରହିଛି । କାଳୀମୂର୍ତ୍ତିର ପାଦଦେଶରେ ବଦ୍ଧ ହସ୍ତପଦ ମନୁଷ୍ୟଟାଏ ଲମ୍ବହୋଇ ପଡ଼ିଛି–ବେକରେ ଗୋଟାଏ ରକ୍ତ ମନ୍ଦାର ମାଳ, କପାଳରେ ବୃତ୍ତାକାର ସିନ୍ଦୂର ଟୋପା; କିନ୍ତୁ ନିକଟରେ ସାଧକ ନାହିଁ କି ଉତ୍ତର ସାଧକ ନାହିଁ । ଏଇ ମାତ୍ର ସେମାନେ ସ୍ଥାନ ଛାଡ଼ି ଚାଲିଗଲା ଭଳି ମନେ ହେଲା ।

 

ବିନୋଦ ପ୍ରକୃତିସ୍ଥ ହୋଇ ଗୁମ୍ଫା ଚାରିଆଡ଼େ ଥରେ ଆଖି ବୁଲେଇ ଆଣି ଧାଇଁଗଲେ ସିଂହାସନ ନିକଟକୁ । ବଳି ପଶୁ ବେଶରେ ଆଦିତ୍ୟଙ୍କୁ ପାଇ ସୁଦ୍ଧା ତାଙ୍କର ହୃଦୟ ଆନନ୍ଦରେ ନାଚି ଉଠିଲା । ଚକ୍ଷୁରୁ ଲୋତକ ଧାର ବହିଗଲା । ହାତ ଗୋଡ଼ରୁ ଦଉଡ଼ିଗୁଡ଼ାକ କାଟି ପକେଇ ସେ ତାଙ୍କୁ ଛାତି ଉପରେ ଚିପି ଧଇଲେ ।

 

ରାଜନ ଏବଂ ଗଗନ ବିସ୍ମୟ ବିସ୍ଫାରିତ ନେତ୍ରରେ ପାଖରେ ଠିଆ ହୋଇଥାନ୍ତି । ମୋହନ ଏବଂ ଲାଲମୋହନ କେଉଁବାଟ ଦେଇ ଯେ ଉଭେଇ ଗଲେ ତାହା ସେମାନେ ଆଦୌ ଅନୁମାନ କରିପାରିଲେ ନାହିଁ । ଶିଶୁକୁ ଶୁଆଇଲା ବେଳେ ମାଆ କାନ୍ଧରେ ପକେଇଲା ପରି ଗଗନ ଆଦିତ୍ୟଙ୍କ ସଂଜ୍ଞାହୀନ ଶରୀରଟା କାନ୍ଧରେ ଟେକି ଧରି ଚାଲିଲେ । ରାଜନ ଆଲୁଅଟି ଧରି ଆଗେ ଆଗେ ଚାଲିଥାନ୍ତି ।

 

ପୂର୍ବାକାଶ ଅରୁଣ କିରଣର ଅପରୂପ ଝଳିରେ ହସି ଉଠିଲା ବେଳକୁ ସେମାନେ ଆସି ସୁନ୍ଦରଗଡ଼ ସୁଡ଼ଙ୍ଗ ଦ୍ୱାର ଆଗରେ ହେଲେଣି । ଆଦିତ୍ୟଙ୍କୁ ରାଜନଙ୍କ କାନ୍ଧକୁ ଟେକିଦେଇ ଗଗନ କହିଲେ–‘‘ବର୍ତ୍ତମାନ ବିଦାୟ ନେଉଛି ଦାଦା !’’

 

ବିନୋଦଙ୍କ ତୁଣ୍ଡରେ ବାକ୍ୟ ଆସିଲା ନାହିଁ । ସେ ଗଗନଙ୍କୁ କୁଣ୍ଢେଇ ପକେଇଲେ । ଦୁଇଆଖିର ଅଖଣ୍ଡ ଅଶ୍ରୁଧାର–ପ୍ରତ୍ୟେକ ବିନ୍ଦୁରେ ହୃଦୟର ଶତ ଆଶୀର୍ବାଦ ଧରି ଗଗନଙ୍କ ମସ୍ତକ ସିକ୍ତ କରିଦେଲା ।

 

ରାଜନଙ୍କୁ ବିଦାୟ ସମ୍ଭାଷଣ ଜଣାଇ ଗଗନ ପାହାଡ଼ ତଳକୁ ଓହ୍ଲାଇ ଆସିଲେ ଏବଂ ଅଶ୍ଵ ଆରୋହଣ କରି ଗଛ ଗହଳି ମଧ୍ୟରେ ଅଦୃଶ୍ୟ ହୋଇଗଲେ ।

Image

 

ପନ୍ଦର

 

ଆଦିତ୍ୟଙ୍କ ଅସ୍ଥିଚର୍ମସାର ଶରୀର ବହନ କରି ବିନୋଦ ଓ ରାଜନ ନଅର ମଧ୍ୟରେ ଗୋପନରେ ପ୍ରବେଶ କଲେ । ସଙ୍ଗେ ସଙ୍ଗେ ପ୍ରଚାରିତ ହେଲା ଯେ ପୂର୍ବରାତ୍ରିରୁ ରାଜାଙ୍କର ଶ୍ରୀଅଙ୍ଗ ହଠାତ୍ କଠିନ ରୋଗାକ୍ରାନ୍ତ ହୋଇ ପଡ଼ିଛି । ଫଳରେ ରାଜାଙ୍କ ସହିତ ଦେଖାସାକ୍ଷାତ୍ ତ ଦୂରର କଥା ଦୈନନ୍ଦିନ କାର୍ଯ୍ୟକ୍ରମ ମଧ୍ୟ ରୋକି ଦିଆଯାଇଛି ।

 

X X X

 

ଦିବାନ ବିନୋଦ ସିଂହଙ୍କ ଚିକିତ୍ସା ରାଣୀ ସୁଶୀଳାଙ୍କ ଅକ୍ଲାନ୍ତ ସେବା ଶୁଶ୍ରୂଷାରେ ଆଦିତ୍ୟ ଯଥାଶୀଘ୍ର ରୋଗମୁକ୍ତ ହୋଇ ପୁର୍ବସ୍ୱାସ୍ଥ୍ୟ ଫେରି ପାଇଲେ । କିନ୍ତୁ ସେ ଯେତିକି ପୁର୍ବ ଅବସ୍ଥାକୁ ଫେରି ଆସୁଥାନ୍ତି, ବନ୍ଦୀ ଜୀବନର ଘଟଣାଗୁଡ଼ିକ ସେତିକି ତାଙ୍କ ମନରେ ଗୋଟି ଗୋଟି ହୋଇ ଉଙ୍କିମାରି ଉଠୁଥାଏ । ସେ ହରିପୁରଠାରୁ ମଧୁଗଡ଼କୁ ନିଆ ହୋଇଥିଲେ, ଯେତେବେଳେ ବିଷର ପ୍ରଭାବ ଗାଢ଼ ନିଦ୍ରାରେ ପରିଣତ ହୋଇଥିଲା । ମାସାବଧି ବନ୍ଦୀଶାଳ ମଧ୍ୟରେ ସେ ଦିବାଲୋକର ସଂସ୍ପର୍ଶରେ ତ ଆସିପାରି ନ ଥିଲେ, ତା ଛଡା ଅଧିକାଂଶ ସମୟ ଅନ୍ଧକୂପ ମଧ୍ୟରେ ରୁଗ୍‍ଣ ଅଥବା ଅଚେତନ ଅବସ୍ଥାରେ ରକ୍ଷାପାଇ ଥିଲେ । ମଧୁଗଡ଼ଠାରୁ ସିଦ୍ଧ ଗୁମ୍ଫାକୁ ଏବଂ ସେଠାରୁ ସୁନ୍ଦରଗଡ଼ ପ୍ରାସାଦକୁ ମଧ୍ୟ ସେ ନିଆ ଯାଇଥିଲେ ସମ୍ପୂର୍ଣ୍ଣ ହତଚେତନ ଅବସ୍ଥାରେ । ତେଣୁ ଏ ସମସ୍ତ ଘଟଣା ତାଙ୍କୁ ବହୁଦିନପ୍ରସାରୀ ସ୍ୱପ୍ନିଳ ଅସମ୍ବଦ୍ଧ ମାନସିକ ବିକୃତି ଭଳି ବୋଧ ହେଉଥାଏ ଏବଂ ସେ ଏଗୁଡ଼ିକର ବାସ୍ତବତା ସମ୍ପର୍କରେ ସନ୍ଧିଗ୍‍ଧ ହୋଇ ରୋଗଶଯ୍ୟାରେ ବିନୋଦଙ୍କୁ ନାନା ପ୍ରଶ୍ନ ପଚାରୁଥାନ୍ତି ।

 

ଏଭଳି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦିନେ ନା ଦିନେ ଯେ ଦେବାକୁ ହେବ ତାହା ବିନୋଦ ଅନୁମାନ କରି ପ୍ରସ୍ତୁତ ଥିଲେ । ତେଣୁ ରାଜାଙ୍କ ପ୍ରଶ୍ନର ଉତ୍ତର ଦେଲାବେଳେ ଘଟନାଗୁଡ଼ିକୁ ଏପରି ସୁସଂଯତ ଭାବେ ସଂଶ୍ଳିଷ୍ଟ କରି ଚିତ୍ରିତ କଲେ ଯେ ଆଦିତ୍ୟଙ୍କ ହୃଦୟ ଗଗନଙ୍କର ଅସୀମ ଉଦାରତାର ପରିଚୟ ପାଇ କୃତଜ୍ଞତାରେ ପୁରିଗଲା ।

 

ମୋହନ ଓ ଲାଲମୋହନଙ୍କ ଷଡ଼ଯନ୍ତ୍ର ବୃତ୍ତାନ୍ତ ଶୁଣି ଆଦିତ୍ୟ ଅତ୍ୟନ୍ତ ବିଚଳିତ ହୋଇ ପଡ଼ିଲେ ଏବଂ ତାହାର ସ୍ଥାୟୀ ପ୍ରତିକାର କରିବା ପାଇଁ ପୁଣି ଗଗନଙ୍କ ସାହାଯ୍ୟ ନେବା ନିମନ୍ତେ ବ୍ୟଗ୍ର ହୋଇଉଠିଲେ । କିନ୍ତୁ ବିନୋଦ ସିଂହ ଏ ପ୍ରସ୍ତାବକୁ ସମର୍ଥନ ଦେବା ଦୂରେ ଥାଉ, ବରଂ ଏସବୁ ଘଟନାକୁ ଗୋପନ ରଖିବା ନିମନ୍ତେ ତାଙ୍କୁ ଉପଦେଶ ଦେଲେ । ସେ ସ୍ପଷ୍ଟ ଜଣାଇ ଦେଲେ ଯେ ରାଜ୍ୟର ମଙ୍ଗଳ ଉଦ୍ଦେଶ୍ୟରେ, ଏ ରାଜସିଂହାସନର ନିରାପତ୍ତା ରକ୍ଷା ନିମିତ୍ତ ଏବଂ ରାଜବଂଶର ସମ୍ମାନ ରକ୍ଷା ପାଇଁ ଆଜିଯାଏଁ ଘଟିଥିବା ସମସ୍ତ ବିପତ୍ତିକୁ ଗୋପନ ରଖାଯାଇଛି । ସୁତରାଂ ଗଗନଙ୍କ ପ୍ରକାଶ୍ୟ ଆବିର୍ଭାବରେ ପ୍ରଜାମାନଙ୍କ ମଧ୍ୟରେ ଅଯଥା ସନ୍ଦେହ ସୃଷ୍ଟି ହୋଇପାରେ ।

 

କିନ୍ତୁ ଏସବୁ ରହସ୍ୟ ସାଧାରଣଙ୍କ ନିକଟରୁ ଯେତେ ଚାପି ରଖିଲେ ମଧ୍ୟ ଏକାରାତିକେ ମୋହନର ନିରୁଦ୍ଦେଶ ହେବା, ଲାଲମୋହନଙ୍କର ଆକସ୍ମିକ ମୃତ୍ୟୁ ଘଟିବା ଏବଂ ରାଜାଙ୍କର ଭୀଷଣ ଅସୁସ୍ଥତା ସମ୍ବାଦ ଅନେକଙ୍କ ହୃଦୟରେ ସନ୍ଦେହରେ ଗୋଟିଏ ଗଭୀର ରେଖା ଟାଣି ଦେଲା । ରାଜ୍ୟ ତମାମ୍ ନାନାପ୍ରକାର ଜନରବ ପ୍ରଚାରିତ ହେବାକୁ ଲାଗିଲା । କିଏ କହିଲା ମୋହନ ଲାଲମୋହନଙ୍କୁ ହତ୍ୟା କରିଛି ଏବଂ ରାଜାଙ୍କୁ ଗୁଣି କରି ପକାଇଛି । ଆଉ କିଏ କହିଲା ସର୍ପାଘାତରେ ଲାଲମୋହନଙ୍କର ମୃତ୍ୟୁ ହୋଇଛି–ରାଜାଙ୍କ ଦେହରେ ଭୁତ ପ୍ରବେଶ କରିଛି ଇତ୍ୟାଦି-

 

ଆଦିତ୍ୟ ନିଜ ରାଜ୍ୟରେ ରାଜା ହେଲେ ସତ; କିନ୍ତୁ ତାଙ୍କୁ ଜଣାଯାଉଥାଏ ଯେପରି ଆଉ କାହାରି ସିଂହାସନରେ ତାଙ୍କୁ ନାମ ମାତ୍ର ରାଜା କରି ବସେଇ ଦିଆଯାଇଛି । ସେ ଆଉ କାହାର ଆବରଣ ତଳେ ନିଜକୁ ରାଜାକରି ସଜେଇଛନ୍ତି । ପ୍ରଜାମାନେ ତାଙ୍କର ପ୍ରଶଂସା ଗାନ କରୁଛନ୍ତି, ଅଥଚ ତାଙ୍କର ନିଜ ହୃଦୟ ତାହା ଗ୍ରହଣ କରି ଗର୍ବ ଅନୁଭବ କରି ପାରୁନାହିଁ । ସେ ବୋଧକଲେ ଯେପରି କି ଗଗନଙ୍କ ଅନୁଗ୍ରହରୁ ସେ ଆଜି ରାଜା ହୋଇଛନ୍ତି । ଏଥିପାଇଁ ସେ ମନେ ମନେ ଲଜ୍ଜା ବୋଧକଲେ । ଯେଉଁ ପୈତୃକ ରାଜ୍ୟ ଉପରେ ତାଙ୍କର ଜନ୍ମଗତ ଅଧିକାର ଆଜି ସେ ତାହା ଅନ୍ୟ ହାତରୁ ଦାନ ସ୍ଵରୂପ ପାଇଛନ୍ତି, ଏକଥା ଭାବିଲା ବେଳେ ତାଙ୍କର ଅହଂଭାବ ଆହତ ହେଲା ଏବଂ ଗର୍ବୋନ୍ନତ ମସ୍ତକ ଅବନତ ହୋଇ ପଡ଼ିଲା ।

 

ଆଦିତ୍ୟ ରାଜ୍ୟ ଶାସନ କରିବାର କିଛିଦିନ ମଧ୍ୟରେ ଦେଖିଲେ ତାଙ୍କ ଅନୁପସ୍ଥିତିରେ ମାସ ଗୋଟାକ ମଧ୍ୟରେ ପ୍ରଜାଗଣ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି । ସେମାନଙ୍କ ମନରେ ପୂର୍ବର ଭୃତ୍ୟଭାବ ପରିବର୍ତ୍ତେ ଏକ ସ୍ୱାଧୀନ ମନୋଭାବ ଜାଗ୍ରତ ହୋଇ ଯାଇଛି । ସେମାନେ ବର୍ତ୍ତମାନ ଅବଶ୍ୟ ପ୍ରକାଶ କରୁଛନ୍ତି–ରାଜା ପ୍ରଜାର ପ୍ରଭୁ, ଅଥଚ କାର୍ଯ୍ୟରେ ଦେଖାଉଛନ୍ତି ଯେ ପ୍ରଜା ରାଜାର ଦାସ ନୁହେଁ, ବରଂ ଏକାଧାରେ ରାଜା ପ୍ରଜାର ପ୍ରଭୁ ଏବଂ ଦାସ । ସେମାନଙ୍କ ପ୍ରତ୍ୟେକ କଥାରେ, ପ୍ରତ୍ୟେକ ଇଙ୍ଗିତରେ ଫୁଟି ଉଠୁଛି–ପ୍ରଜା ଯୋଗୁଁ ରାଜା, ପ୍ରଜାର ବାହୁଛାୟା ତଳେ ରାଜାର ଆଶ୍ରୟ, ପ୍ରଜାର ଅନ୍ନରେ ରାଜା ପ୍ରତିପାଳିତ । କି ଅଧିକାର ଅଛି ରାଜାର ସେ ଗରିବ ପ୍ରଜାଙ୍କର ସ୍ୱେଦସିକ୍ତ ଧନ ନିଜର ଭୋଗ ବିଳାସରେ ଉଡ଼େଇ ଦେବ ?

 

ବାସ୍ତବରେ ଗଗନ ରାଜ୍ୟ ମଧ୍ୟରେ ଏଇ ଭାବର ପ୍ରଚାର କରି ଏବଂ ବ୍ୟବହାରରେ ପ୍ରମାଣିତ କରି ସାଧାରଣଙ୍କ ମନ କିଣି ନେଇଥିଲେ । ଏସବୁ ଆଦିତ୍ୟଙ୍କ ପକ୍ଷେ ବଡ଼ ଅସହ୍ୟ ବୋଧହେଲା । ତେଣୁ ତାଙ୍କ ହୃଦୟର ଯେଉଁ ଅଂଶଟା ଗଗନଙ୍କ ପ୍ରତି କୃତଜ୍ଞତାରେ ପୁରିଥିଲା ତାହା କ୍ରମେ ଉତ୍‍କଟ ଘୃଣାଦ୍ୱାରା ଅଧିକୃତ ହୋଇ ଯିବାକୁ ଲାଗିଲା ।

 

ଆଦିତ୍ୟ ବନ୍ଦୀ ହେବାପରେ ଅବଶ୍ୟ ତାଙ୍କର ସ୍ଵଭାବଗତ ଉତ୍ସୃଙ୍ଖଳତା ବହୁ ପରିମାଣରେ କମିଯାଇଥିଲା । ସେ ପୂର୍ବାପେକ୍ଷା ଅଧିକ ଶାନ୍ତ ଓ ଭଦ୍ର ହୋଇ ପଡ଼ିଥିଲେ । ତଥାପି ଗଗନ ଏବଂ ଆଦିତ୍ୟଙ୍କ ଶାସନ ପ୍ରଣାଳୀ ମଧ୍ୟରେ ଯେ ପାର୍ଥକ୍ୟ ତାହା ପ୍ରଜାସାଧାରଣ ସ୍ପଷ୍ଟ ରୂପେ ବାରି ପାରିଥିଲେ । ଥରେ ଜଣେ ପ୍ରଜା ପ୍ରକାଶ୍ୟ ଭାବରେ ରାଜାଙ୍କୁ ଆସି ପଚାରିଲା–‘‘ମହାରାଜ, କିଛିଦିନ ତଳେ ତ ଛାମୁ ସ୍ୱୀକାର କରୁଥିଲେ ଯେ ପ୍ରଜା ହିଁ ରାଜ୍ୟର କେନ୍ଦ୍ରଶକ୍ତି–ପ୍ରଜା ହିଁ ରାଜାର ପୃଷ୍ଠପୋଷକ, ରାଜ୍ୟର ସର୍ବେସର୍ବା, ବର୍ତ୍ତମାନ ପୁଣି କାହିଁକି ଛାମୁ ସେଇ ପ୍ରଜାଙ୍କ ଉପରେ ଉତ୍‍ପୀଡ଼ନ ଆରମ୍ଭ କରୁଛନ୍ତି ?’’

 

ଏକଥା ଶୁଣି ଆଦିତ୍ୟଙ୍କର ଦୁଇଆଖି ଦେଇ ଅଗ୍ନିକଣା ଫୁଟି ଉଠିଲା । କ୍ରୋଧରେ ହୃଦୟ ଜଳିଗଲା । ଗୋଟାଏ ସାମାନ୍ୟ ପ୍ରଜାର ପୁଣି ଏତେଦୂର ଆସ୍ପର୍ଦ୍ଧା ଯେ ସେ ସମ୍ମୁଖକୁ ଆସି ଏପରି କଥା ପଚାରନ୍ତା ! ଏ କଣ କମ୍ ଦୁଃସାହସର ପରିଚାୟକ ! କିନ୍ତୁ ଚାରା କଅଣ ? କଅଣ ବୋଲି ଉତ୍ତର ଦେବେ ସେ ? ସେ ବହୁ କଷ୍ଟରେ କ୍ରୋଧ ସମ୍ବରଣ କରି ସେଠାରୁ ଉଠି ଚାଲିଗଲେ-। ସେ ମନେ ମନେ ଭାବିବାକୁ ଲାଗିଲେ–ଗଗନ ମାସ ଗୋଟାକ ମଧ୍ୟରେ ରାଜ୍ୟର ସର୍ବନାଶ କରିଦେଇ ଯାଇଛି । ଫଳରେ ମୋର ଭବିଷ୍ୟତକୁ ନିଆଁ ପାଉଁଶ ଭିତରେ କୁହୁଳାଇ ଦେଇଛି । କେଉଁ ମୁହୂର୍ତ୍ତରେ ବିଦ୍ରୋହ ବହ୍ନି ଜଳି ଉଠିବ କେଜାଣି ?

Image

 

ଷୋହଳ

 

ସିଦ୍ଧଗୁମ୍ଫା ମଧ୍ୟରେ ମୋହନ ଓ ଲାଲମୋହନ ଯେତେବେଳେ ଆଦିତ୍ୟଙ୍କୁ ହତ୍ୟା କରିବାକୁ ଯାଉଥିଲେ, ଠିକ୍ ସେଇ ମୁହୂର୍ତ୍ତରେ ବାହାରୁ ଗୁମ୍ଫା ମଧ୍ୟରେ କେହି ପ୍ରବେଶ କରୁଥିବା କଥା ଲକ୍ଷ୍ୟ କରି ପାରିଥିଲେ । ମୋହନ ଦେଖି ପାରିଲା ତିନି ଜଣ ଲୋକ ଛପି ଛପି ଭିତରକୁ ପଶି ଆସୁଛନ୍ତି । ଏମାନେ ଯେ ବିନୋଦ ଏବଂ ରାଜନ ପ୍ରଭୃତି ହୋଇଥିବେ ଏଥିରେ ତାହାର ସନ୍ଦେହ ରହିଲା ନାହିଁ । ଲାଲମୋହନ ଏ କଥା ଶୁଣିବା ମାତ୍ରେ କାଳୀଙ୍କ ପଛ ପାଖର ଗୋପନ ପଥ ଦେଇ ପ୍ରାଣ ଭୟରେ ପଳାଇଗଲା । ମୋହନ ସେଠାରେ ଲୁଚି ରହି ଆଗନ୍ତୁକମାନଙ୍କୁ ପ୍ରତିଆକ୍ରମଣ କରିବ କି ଚାଲିଯିବ ପ୍ରଥମେ ଠିକ୍ କରି ପାରିଲା ନାହିଁ । କିନ୍ତୁ ଏକା ଏକା ଏ କାର୍ଯ୍ୟରେ ଅଗ୍ରସର ହୋଇ ନ ପାରି ଲାଲମୋହନର ପଥ ଅନୁସରଣ କଲା ।

 

ଲାଲମୋହନ ଶତ୍ରୁ ହସ୍ତରୁ ଖସି ଚାଲି ଆସିଲା ସତ; କିନ୍ତୁ କାଳ ହାତରୁ ଫିଟିଯିବାକୁ କି ଚାରା ତାର ଅଛି ? ମୋହନ ଘୋଡ଼ା ବନ୍ଧା ହୋଇଥିବା ଗଛମୂଳକୁ ଆସି ଦେଖିଲା ଲାଲମୋହନ ନିଜ ଘୋଡ଼ା ପାଖେ ଲମ୍ବ ହୋଇ ଭୂମିରେ ପଡ଼ିଛି । ପ୍ରାଣବାୟୁ ଉଡ଼ି ଯାଇଛି । ସେ ଏହାର କୌଣସି କାରଣ ଅନୁସନ୍ଧାନ କରିପାରିଲା ନାହିଁ । ଅନୁସନ୍ଧାନ କରିବା ପାଇଁ ସମୟର ମଧ୍ୟ ନିତାନ୍ତ ଅଭାବ । ହୁଏତ ପଛରେ ଶତ୍ରୁମାନେ ଅନୁସରଣ କରି ଆସୁଥିବେ । ଲାଲମୋହନର ଅଭାବରେ ଏ ସାରା ଜଗତ ତାକୁ ଶୁନ୍ୟ ବୋଧ ହେଲା । ଆଖିପିଛୁଳାକେ ତାର ସମସ୍ତ ଆଶା ଆକାଙ୍‍କ୍ଷା ପାଣି ଫୋଟକା ପରି କେଉଁଆଡ଼େ ଉଭେଇ ଗଲା । ସେ ମନେକଲା ସୁନ୍ଦରଗଡ଼ରେ ତାର ଆଉ ସ୍ଥାନ ନାହିଁ । ଚାରିଆଡ଼ୁ ଗୋଟାଏ ଅଦୃଶ୍ୟ ବିଭୀଷିକା ମାଡ଼ି ପଡ଼ୁଛି । ମଝିରେ ସେ ଏକାକୀ–ସାହା ନାହିଁ, ଭରସା ନାହିଁ । ଘୋଡ଼ା ଉପରେ ଚଢ଼ି ସେ ରାତି ରାତି ରାଜ୍ୟ ଛାଡ଼ି ଚାଲିଗଲା ।

 

ରାଜ୍ୟ ବାହାରେ ମୋହନର ଅବସ୍ଥା ନିତାନ୍ତ ଶୋଚନୀୟ ହୋଇପଡ଼ିଲା । ସେ ନାନା ରାଜ୍ୟ ବୁଲି ଆସିବା ପରେ କୋମ୍ପାନୀ ସରକାରର ରାଜଧାନୀ ଗଞ୍ଜାମ ସହର ହିଁ ତାକୁ ସବୁଠାରୁ ନିରାପଦ ବୋଧହେଲା । ଗୋଟିଏ ଗଳି ଭିତରେ ଛୋଟିଆ ଘରଟିଏ ଭଡ଼ା ନେଇ ସେ ସେଇଠାରେ ବାସକଲା–ପରିଚୟ ଦେଲା ଘର ପୁରୀ ଜିଲ୍ଲାରେ, ନାମ ଅର୍ଜ୍ଜୁନ ପଟ୍ଟନାୟକ ।

 

ଦିନେ ମୋହନ ଶୁଣିଲା, ଲାଲମୋହନର ଓ ତାର ସମସ୍ତ ସମ୍ପତ୍ତି ରାଜା ହସ୍ତଗତ କରିଛନ୍ତି । ଜାଗିରି ବ୍ୟାଜ୍ୟାପ୍ତ କରାଯାଇଛି ଏବଂ ତା ସ୍ଥାନରେ ଅନ୍ୟ ଜଣେ ଦୁର୍ଗରକ୍ଷକ ନିଯୁକ୍ତ ହୋଇଛି । ସେ ବଡ଼ ମର୍ମ୍ମାହତ ହୋଇ ପଡ଼ିଲା । ନିଜର ଜନ୍ମସ୍ଥାନକୁ ଫେରିଯାଇ ସେଇ ଚିର ପରିଚିତ ବିଲ, ବନ, ପ୍ରାନ୍ତର ମଧ୍ୟରେ ସୁଖ ସନ୍ତୋଷରେ ଜୀବନ ଅତିବାହିତ କରିବାପାଇଁ ପୁଣି ତାର ପ୍ରାଣ କାନ୍ଦି ଉଠିଲା । ତାର ଅବଶ୍ୟ ନିଜର ବୋଲି ସେଠାରେ କେହି ନ ଥିଲା । ପିତାମାତା ଦୁଇତିନି ବର୍ଷ ଆଗରୁ ଚାଲି ଯାଇଛନ୍ତି ନିଜେ ଅବିବାହିତ । ତେବେ ସୁଦ୍ଧା କି ଗୋଟାଏ ଅଜ୍ଞାତ ବନ୍ଧନ ତାକୁ ଟାଣିବାକୁ ଲାଗିଲା । ସେ ଭାବିଲା ଆଦିତ୍ୟଙ୍କ ପାଖରେ ଯାଇ କ୍ଷମାପ୍ରାର୍ଥନା କରିବ । ସେ ପରବୁଦ୍ଧିରେ ପ୍ରତାରିତ ହୋଇ ଏପରି ଅନର୍ଥ ସୃଷ୍ଟି କରିଥିଲା ବୋଲି ମିନତି କରିବ । କିନ୍ତୁ ସେ କି କ୍ଷମା ଦେବେ ?

 

ଏଇ ସମୟରେ ସୁନ୍ଦରଗଡ଼ରେ ହରିବନ୍ଧୁ ବେବର୍ତ୍ତା ଥାନ୍ତି ଜଣେ ରାଜପାରିଷଦ । ସେ ମୋହନର ମାଉସୀ ପୁଅ ଭାଇ ହୁଅନ୍ତି । ମୋହନ ୟାଙ୍କରି ମଧ୍ୟସ୍ଥତାରେ ଆଦିତ୍ୟଙ୍କ ନିକଟକୁ କ୍ଷମା ପ୍ରାର୍ଥନା କରି ବାର୍ତ୍ତା ପଠାଇଲା । କିନ୍ତୁ ଫଳ କିଛି ହେଲା ନାହିଁ । ଲାଲମୋହନକୁ ହତ୍ୟାକରିବା ଅପରାଧରେ ମୋହନର ସମ୍ପତ୍ତି ବ୍ୟାଜ୍ୟାପ୍ତ କରାଯାଇଛି ଏବଂ ସେଇ ଦୋଷରେ ତାକୁ ରାଜ୍ୟ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ କହି ଆଦିତ୍ୟ ରୁକ୍ଷ ଭାଷାରେ ମନା କରିଦେଲେ ।

 

ମୋହନର ଶେଷ ଆଶା ଟିକକ ମଧ୍ୟ ଲୋପ ପାଇଲା । କ୍ରମେ ନିଜ ଉଦରପାଇଁ ଅନ୍ନ ସଂସ୍ଥାନ କରିବା ତା ପକ୍ଷେ କଷ୍ଟକର ହୋଇ ଉଠିଲା । ତେଣୁ ଏଇ ଉଦର ଚିନ୍ତା ତାକୁ ବାଧ୍ୟକଲା ଖଣ୍ଡାମୁଠାରୁ ହାତଛାଡ଼ି ଖଡ଼ିମୁଣ୍ଡାରେ ପକାଇବା ପାଇଁ । ସେ ସେଠାରେ ଗୋଟିଏ ଚାହାଳି କରି କେତୋଟି ପିଲାଙ୍କୁ ଖଡ଼ିପାଠ ପଢ଼ାଇବାକୁ ଲାଗିଲା ।

 

ଏହିପରି ଭାବରେ ପ୍ରାୟ ଦେଢ଼ ବର୍ଷ କଟିଗଲାଣି । ମୋହନ ଦିନେ ଖରାବେଳେ ନିରୁଦ୍ଦେଶ୍ୟ ଭାବରେ ବୁଲିଆସି ଋଷିକୂଲ୍ୟା କୂଳରେ ଗୋଟାଏ ବରଗଛମୂଲେ ବସି ପଡ଼ିଲା । ସାଗର ବକ୍ଷର ଶୀତଳ ପବନ ତରଙ୍ଗ ଖେଳି ଯାଉ ଯାଉ ତାର ରୁକ୍ଷ କେଶଗୁଡ଼ାକ ଉଡ଼େଇ ଦେଇ ଯାଉଥାଏ । ସେ ବଡ଼ କ୍ଳାନ୍ତି ବୋଧକଲା । ଗୋଟାଏ ଦୀର୍ଘନିଃଶ୍ୱାସ ତ୍ୟାଗ କରି ସେ ଗଛମୂଳକୁ ଆଉଜି ପଡ଼ିଲା । ତାର ନିଃଶ୍ୱାସ ସଙ୍ଗେ ଅବରୁଦ୍ଧ ହୃଦୟର ବେଦନା ରାଶି ସତେ ଯେପରି ଚାରିଆଡ଼େ ବିଛେଇ ହୋଇ ପଡ଼ିଲା । ସଙ୍ଗେ ସଙ୍ଗେ ଗତ ଘଟଣାଗୁଡ଼ାକ ଗୋଟି ଗୋଟି ହୋଇ ତା ଆଖି ଆଗେ ଦିଶିଗଲା–ଠିକ୍ ଗତକାଲି ଯେପରି ସେସବୁ ଘଟିଯାଇଛି ସେ ଆଖିଆଗେ ତାହାର ଚିତ୍ର କଳ୍ପନା କରୁ କରୁ ଭାବିବାକୁ ଲାଗିଲା–ଲୋଭର ପରିଣାମ–ତୃଷ୍ଣାର ଶେଷ ଫଳ ତେବେ ଏଇ-! ହତ୍ୟା, ରକ୍ତପାତ କେବଳ ତାର ପୁରସ୍କାର ? ପଥର ଭିକାରୀ ହେବା ହିଁ ନିୟତିର ନିର୍ଦ୍ଦେଶ-!

 

ସମୟ ସମୟେ ବୃକ୍ଷର ପତ୍ର ଗହଳି ମଧ୍ୟରୁ ଖଣ୍ଡ ଖଣ୍ଡ ସୂର୍ଯ୍ୟକିରଣ ତାର ନିଷ୍ପ୍ରଭ, ରକ୍ତହୀନ ଦେହଟା ଉପରେ ବିଞ୍ଚିହୋଇ ପଡ଼ୁଥାଏ । କେତେବେଳେ ବା ପବନ ସଙ୍ଗେ ରୁଷିକୂଲ୍ୟାର ରଜତ ଶୁଭ୍ର ବାଲୁକାରାଶି ତା ଉପରେ ଆସି ସିଞ୍ଚି ହୋଇ ଯାଉଥାଏ । ଏହିପରି ସେ ସେଠାରେ ଯେ କେତେ ସମୟ ବସି ରହିଲା, ସେ ଜାଣେନା । କିନ୍ତୁ ହଠାତ୍ ତାର ଚିନ୍ତାସ୍ରୋତ ମଧ୍ୟରେ ଗୋଟିଏ ନୂଆଭାବ ଉଜାଣି ଉଠି ଆସିଲା । ସେ ମୁଣ୍ଡଟେକି ଚତୁର୍ଦ୍ଦିଗକୁ ନିରୀକ୍ଷଣ କଲା । ଶୁଷ୍କ ପତ୍ରର ମର୍ମର ମଧ୍ୟରେ ସେ ଯେପରି ଗୋଟାଏ ଉଦ୍‍ବୋଧନ ସଙ୍ଗୀତ ଶୁଣିବାକୁ ପାଇଲା । ରକ୍ତ ଗନ୍ଧରେ ବାଘର ନିଶ ଫୁଲି ଉଠିଲା ପରି ମୁହୂର୍ତ୍ତକେ ତାର କଳା ନିଶ ଦୁଇ ପଟା ଫୁଲି ଉଠିଲା, ଶିରାପ୍ରଶିରାର ଶୋଣିତ ପ୍ରବାହ ଉତ୍ତେଜିତ ହୋଇ ପଡ଼ିଲା । ସେ ସେଇଠାରେ ଭୂମିଟାକୁ ଦମକା ମାରି ଠିଆହୋଇ ପଡ଼ିଲା ।

 

ଦୁଇଟା ଶଙ୍ଖଚିଲ ଘନ ନୀଳ ଆକାଶ ଗର୍ଭରେ ଦୂର ସାଗର ବକ୍ଷର ଦୁଇଟି କ୍ଷୁଦ୍ର ବୋଇତ ପରି ଚେକାମାରି ଭାସି ଯାଉଥିଲେ । ମୋହନ ସେ ଦୁଇଟାକୁ ଲକ୍ଷ୍ୟ କରୁ କରୁ ମନେ ମନେ କହିଲା–ତାହାହେଲେ ମୋର ପଥ ଏବେ ସୁଦ୍ଧା ମୁକ୍ତ ଅଛି । ଏବେ ସୁଦ୍ଧା ମୋର ପୁର୍ବଗୌରବ ଫେରି ପାଇବାର ଶକ୍ତି ମୋର ମୁଠା ଭିତରେ ଅଛି ! ଏଇଥର ହୁଏତ ଆଦିତ୍ୟ ମୋର ପୋଷା କୁକୁର ହୋଇ ରହିବ, ନଚେତ୍ ରାଜ୍ୟ ଛାରଖାର ହେବ । ହୁଏତ ବିନୋଦ ସିଂହ ମୋର ଦାସ ହୋଇ ରହିବ, ନଚେତ୍ ମୃତ୍ୟୁ ବରଣ କରିବ । ଏଇଥର ହୁଏତ ମୁଁ ମୋର ଜୀବନର ଅଭିଳାଷ ପୂରଣ କରିବି ନଚେତ୍ ପଶ୍ଚାତ୍ତାପ କରିବାପାଇଁ ମୁହୂର୍ତ୍ତେ ମାତ୍ର ଜୀବନ ରଖିବି ନାହିଁ । ମୋହନର ପ୍ରାର୍ଥନା ଉପରେ ପଦାଘାତ ! କମ୍ ସାହସ ?

 

ମୋହନ ସେଠାରୁ ଉଠି ଚାଲିଗଲା ଗାଁ ଆଡ଼କୁ । ତା ପରଦିନଠାରୁ ଅର୍ଜ୍ଜୁନ ଅବଧାନଙ୍କୁ ଗଞ୍ଜାମ ସହରରେ ଆଉ କେହି ଦେଖିନାହିଁ ।

 

X X X

 

ନାରାୟଣୀ ଖୋଲ ଖଲ୍ଲିକୋଟ ରାଜ୍ୟର ଏକ ପ୍ରଧାନ ଦେବୀପୀଠ । ବାଣପୁର ଏବଂ ଖଲ୍ଲିକୋଟ ମଧ୍ୟରେ ପ୍ରାକୃତିକ ପ୍ରାଚୀରସ୍ଵରୂପ ଯେଉଁ ଭାଲେରୀ ପର୍ବତ କ୍ରମନିମ୍ନ ହୋଇ ନୀଳାମ୍ବୁ ଚିଲିକାର ଜଳରାଶି ମଧ୍ୟକୁ ଭେଦକରି ଯାଇଛି, ତାହାରି କ୍ରୋଡ଼ରେ ଖଲ୍ଲିକୋଟ ସୀମା ମଧ୍ୟରେ ନାରାୟଣୀଙ୍କ ଦେବାଳୟ ଅବସ୍ଥିତ । ଛବିଳ ଉତ୍କଳ ବକ୍ଷରେ ଏ ସ୍ଥାନର ଛବିଟି ବିଶେଷ ଉଲ୍ଲେଖଯୋଗ୍ୟ । ଦେବାଳୟଟି ଗୋଟିଏ ପ୍ରଶସ୍ତ କନ୍ଦରା ମଧ୍ୟରେ–ଚାରିପାଖେ ଆମ୍ବ, ପଣସ, ଅଶୋକର ନିଘଞ୍ଚ ଜଙ୍ଗଲ । ତରୁରାଜି ଏତେ ଉଚ୍ଚକୁ ଉଠି ଯାଇଛନ୍ତି ଯେ ସୂର୍ଯ୍ୟଠିକ୍ ମୁଣ୍ଡ ଉପରେ ନ ହେଲେ ଏଠାରେ କିରଣପାତ ହୁଏ ନାହିଁ । ତେଣୁ ସ୍ଥାନଟି ଖୁବ୍ ଶୀତଳ–ବିଶେଷତଃ ଗ୍ରୀଷ୍ମ ଋତୁରେ ଏଠାରେ ବାସକରିବା ଅତ୍ୟନ୍ତ ଆମୋଦପ୍ରଦ ବୋଧହୁଏ । ସବୁଠାରୁ ବିଶେଷ ଆକର୍ଷଣୀୟ ବସ୍ତୁ ହେଉଛି ଏଠାର ସ୍ଵଚ୍ଛ ସଦନୀରା ନାରାୟଣୀ ଝରଣା । ପାହାଡ଼ର କେଉଁ ଅଜ୍ଞାତ ପ୍ରଦେଶରୁ କୁଳୁକୁଳୁ ତାନରେ ସତେ ଯେପରି ନାରାୟଣୀଙ୍କ ପ୍ରତ୍ୟକ୍ଷ ମହିମା ଗାଇ ଗାଇ ପାଷାଣ ସୋପାନ ଉପରେ ନାଚି ନାଚି ବହି ଯାଉଛି । ଦେବାଳୟ ନିକଟରେ ଗୋଟିଏ ବିସ୍ତୃତ ଗଭୀର କୁଣ୍ଡ-। ଝରଣାର ସ୍ରୋତ ଏଠାରେ ଅଟକି ଯାଇ ପୁଣି ତଳକୁ ଗଡ଼ି ଯାଉଛି । ଦୁଇପାଖେ ଅଯତ୍ନପାଳିତ ସପୁରୀର ଜଙ୍ଗଲ । ଏଇ ଝରଣାଟି ହିଁ ପ୍ରଧାନତଃ ବୈଶାଖ ଜ୍ୟେଷ୍ଠରେ ଆଖପାଖ ଗ୍ରାମର ଯୁବକ ଦଳଙ୍କୁ ଟାଣି ଆଣେ । ସେମାନେ ରାତିଏ ଦୁଇରାତି ଏଠାରେ କଟେଇ ମଉଜ ମଜଲିସ୍ କରି ଫେରନ୍ତି ।

 

ଏବେ କେତେଦିନ ହେଲା ଜଣେ ଜଟା କୌପୀନଧାରୀ ସନ୍ନ୍ୟାସୀ ଏଠାରେ ଅବସ୍ଥାନ କରୁଅଛନ୍ତି । ସନ୍ନ୍ୟାସୀ ଦେଖିବାକୁ ଖୁବ୍ ସୁସ୍ଥସବଳ, ବୟସ ପ୍ରାୟ ପଚିଶି ତିରିଶି ଭିତରେ । କିନ୍ତୁ ଭସ୍ମ ବିଲେପିତ କପାଳରେ କେତୋଟି ରେଖା ପୌଢ଼ତ୍ୱର ଆଭାସ ଦେଉଅଛି । ଯେଉଁ ଯୁବକମାନେ ଏଠାକୁ ଆସନ୍ତି, ଦେଖନ୍ତି, ସନ୍ନ୍ୟାସୀ ଦିନସାରା ଧ୍ୟାନମଗ୍ନ । ନିକଟରେ ଷୋଳ ସତର ବର୍ଷର ଜଣେ ଶିଷ୍ୟ ସନ୍ନ୍ୟାସୀଙ୍କ ସେବାକାର୍ଯ୍ୟରେ ନିରତ ।

 

ବାବାଜୀ ନିଜ ଚେଲାଙ୍କ ବ୍ୟତୀତ ଆଉ କାହାରି ସହିତ କଥାବାର୍ତ୍ତା କରନ୍ତି ନାହିଁ । କେହି କିଛି ଦ୍ରବ୍ୟ ଠାକୁରାଣୀଙ୍କଠାରେ ଭୋଗ କରି ସାରିବା ପରେ ଦେଲେ ସେ ଆନନ୍ଦରେ ଗ୍ରହଣ କରନ୍ତି ଏବଂ ଗୁରୁଶିଷ୍ୟ ଉଭୟେ ସେବା କରନ୍ତି । ନଚେତ୍ କାହାରିକୁ କିଛି ମାଗନ୍ତି ନାହିଁ । ଅନ୍ୟଦିନେ ସେମାନେ କଣ ଖାଆନ୍ତି ଜାଣିବାର ଉପାୟ ନ ଥାଏ । ସେ କଥା ଚେଲାକୁ ପଚାରିଲେ ସେ କହେ, ‘‘ଗୁରୁଙ୍କ ଆଦେଶ, ସେ କଥା କାହାରିକୁ କହିବୁ ନାହିଁ ।"

 

ଏହିପରି ଭାବରେ କିଛିଦିନ କଟିଗଲା । ବାବାଜୀଙ୍କର ଅଟଳ ସାଧନା ଦେଖି ଲୋକଙ୍କର ବିଶେଷ ଭକ୍ତି ଜାତ ହେଲା । ସେମାନେ ଭାବିଲେ ଏ ଜଣେ ନିଶ୍ଚୟ ମହାପୁରୁଷ । ତାଙ୍କ ମାହାତ୍ମ୍ୟ କ୍ରମେ ପାଖପୁଖା ଗାଁ ଗଣ୍ଡାରେ ରାଷ୍ଟ୍ର ହୋଇଗଲା । ଗ୍ରାମବାସୀମାନେ ଭକ୍ତିସହକାରେ ଫଳ, ଫୁଲ, କ୍ଷୀର ଏବଂ ଅନ୍ୟାନ୍ୟ ଆହାର ସାମଗ୍ରୀ ଗାଁ ଗାଁ ପାଳିକରି ଆଣିଦେଲେ । କେହି କେହି ମଧ୍ୟ ତାଙ୍କ ପଦତଳେ ଦୁଇଚାରି ଅଣା ଦକ୍ଷିଣା ଥୋଇ ଆସିବାକୁ ଭୁଲିଲେ ନାହିଁ ।

 

କିନ୍ତୁ କେତେଦିନପରେ ସନ୍ନ୍ୟାସୀଙ୍କ ନିକଟରେ ଚେଲାଟି ଆଉ ଦେଖା ଗଲା ନାହିଁ । ଲୋକେ ଭାବିଲେ ବୋଧହୁଏ ଚେଲାଙ୍କର ଦୀକ୍ଷା ଗ୍ରହଣ ଶେଷ ହୋଇଛି ।

Image

 

ସତର

 

ସେଇ ଦିନ–ସୁଶୀଳାଙ୍କ ଜୀବନର ସେଇ ପବିତ୍ର ସ୍ମୃତି-ଗର୍ବ ଦିନ । ସେଇ ନିର୍ମମ ବିଚ୍ଛେଦ–ବ୍ୟଥାଭରା ଦିନ ସୁଶୀଳାଙ୍କ ଜୀବନରେ ଆଉ ଥରେ ମାତ୍ର ଦେଖାଇଦେଇ ଚାଲିଯାଇଛି । ସେଦିନ ମଧ୍ୟ ପ୍ରଭାତରେ ପ୍ରାଚୀ ଏବଂ ସନ୍ଧ୍ୟାରେ ପ୍ରତୀଚୀ ଦିଗ୍‍ବଳୟ ସ୍ଵର୍ଣ୍ଣ-ଆଭାରେ ରଞ୍ଜିତ ହୋଇଛି । ସେଦିନ ଲତାକୁଞ୍ଜରେ କୁସୁମ ହସିଛି, ବାୟୁ ତରଙ୍ଗରେ ବିହଗ ନାଚିଛି । ରାଣୀ ସୁଶୀଳା ମଧ୍ୟ ସେଦିନ ଜ୍ୱାଳାମୟ ପ୍ରାଣର ସ୍ମୃତିମିଶ୍ରିତ ‘ରକ୍ତଗୋଲାପ’ ଟିଏ ଗଗନଙ୍କ ନିକଟକୁ ଉପହାର ପଠେଇଛନ୍ତି ଏବଂ ଗଗନ ତାହା ସାଦରେ ଗ୍ରହଣ କରି ନିଜର ପ୍ରଶସ୍ତ ହୃଦୟର ଖାଲି ଆସନରେ ସ୍ଥାନ ଦେଇଛନ୍ତି ସେଇ ଦିନଟି ପୁଣି ଆସନ୍ତା କାଲି ସମସ୍ତ ସରସ-ନୀରସତା ବହନକରି ଦେଖା ଦେବ ।

 

ରାତ୍ରି ଘଡ଼ିଏ ହେବ । ସୁଶୀଳା ନିଜ କକ୍ଷ ମଧ୍ୟରୁ କମ୍ପିତ ହସ୍ତରେ ହସ୍ତୀଦନ୍ତ ନିର୍ମିତ ରତ୍ନଖଚିତ ଗୋଟିଏ କ୍ଷୁଦ୍ର ପେଟିକା ଏବଂ ଖଣ୍ଡିଏ ପତ୍ର ରୂପାଥାଳିରେ ଆଣି ରାଜନଙ୍କ ନିକଟରେ ରଖିଦେଲେ । ତାଙ୍କ ଅଜଣାରେ ଦୁଇଆଖି ଦେଇ ଦୁଇ ଟୋପା ତପ୍ତ ଲୋତକ ସେହି ପେଟିକା ଉପରେ ପଡ଼ିଗଲା । ସେ ତାଙ୍କ ପଣତରେ ଲୁହତକ ପୋଛିଦେଇ ନତମସ୍ତକରେ ଠିଆ ହେଲେ କିଛି କହିବେ ବୋଲି । କିନ୍ତୁ ମୁଖରୁ କଥା ଫୁଟିଲା ନାହିଁ, କେବଳ ଆରକ୍ତ ଅଧରଟା ଥରି ଉଠୁଥାଏ-। ଆବେଗପୂର୍ଣ୍ଣ ହୃଦୟର ଉଦାସ ଚାହାଣିରେ ସେ କେବଳ ପେଡ଼ିଟି ପ୍ରତି ଚାହିଁ ରହିଥାନ୍ତି-। ଅନ୍ତରେ ଅନ୍ତରେ ଯେପରି ଗୋଟାଏ ନିର୍ମମ ବେଦନା ତାଙ୍କୁ ଅଥୟ କରି ପକାଉଥାଏ । ପଣତଟାକୁ ସେ ମୁହଁ ଉପରେ ଚାପି ଧରିଲେ ।

 

ଗତବର୍ଷ ଠିକ୍ ଏଇଦିନ ରାଜନ ଏଇପରି ଏକ ଉପହାର ଧରି ବାଣପୁର ଯାଇଥିଲେ । ତେଣୁ ସେ ଜାଣନ୍ତି ଆଜି ମଧ୍ୟ ଏ ପେଡ଼ିଟି ଭିତରେ ଗୋଟିଏ ସରଳା ନାରୀ ହୃଦୟର ଗତ ତିନିଶ ଷାଠିଏ ଦିନର ପୁଞ୍ଜୀଭୂତ ଅବ୍ୟକ୍ତ ବେଦନା ରାଶି ରକ୍ତରଗୋଲାପ ମଧ୍ୟରେ ସଂଚିତ ହୋଇଅଛି । ତାହା ସେହି ଦୁଃଖିନୀ ରମଣୀର ସର୍ବସ୍ଵ ବହନ କରି ଯାଉଛି ଅନ୍ୟ ଜଣକ ଆଗରେ ତାର ମୁକଭାଷାରେ ପ୍ରାଣ ଖୋଲି ସବୁ ଗାଈ ଯିବା ପାଇଁ । ତେଣୁ କୌଣସି ପ୍ରଶ୍ନ ବା ଉତ୍ତରର ଆବଶ୍ୟକତା ନ ଥିଲା । ରାଜନ ନୀରବରେ ସେ ଉପହାର ଓ ଚିଠି ନିଜ କୁରୁତା ଭିତରେ ରଖିଲେ-। ତାପରେ ସେ ରାଣୀଙ୍କୁ ଅଭିବାଦନ କରି ଚାଲି ଆସିଲେ–ବାଣପୁର ଯିବା ପୂର୍ବରୁ ଥରେ ଦିବାନଙ୍କ ସଙ୍ଗେ ସାକ୍ଷାତ କରିଯିବା ପାଇଁ ।

 

ବିନୋଦ ସିଂହ ସେତେବେଳକୁ ରାଜପ୍ରାସାଦରୁ ନିଜ ଆବାସକୁ ଚାଲି ଯାଇଥିଲେ । ରାଜନ ତାଙ୍କ ଆବାସକୁ ଯାଇ ଦେଖିଲେ ସେ ଘରର ପଞ୍ଜର ପାଖରେ ବସି ଚିନ୍ତାମଗ୍ନ । କୋଳରେ ଗୋଟିଏ ତିନି ଚାରି ବର୍ଷର ଶିଶୁ । ପାଖରେ କୌଣସି ପ୍ରକାର ଖେଳନା ନ ପାଇ ତାଙ୍କର ଶୁଭ୍ର ଦାଢ଼ିଗୁଡ଼ାକୁ ନିଜର କୋମଳ ଅଙ୍ଗୁଳିରେ ଟାଣିବାରେ ଲାଗିଛି । ନିକଟରେ ପଦଶବ୍ଦ ଶୁଣି ବିନୋଦ ଚାହିଁ ଦେଖିଲେ ଆଗରେ ରାଜନ । ପଚାରିଲେ, ‘‘କେତେବେଳେ ଯାଉଛ ?’’ ରାଜନ କହିଲେ–‘‘କାଲି ସକାଳୁ ।’’

 

–‘‘ଆଣିଲ ?’’

 

–‘‘ଆଜ୍ଞା, କିନ୍ତୁ ଏଥର ଦୁଇଟି ।’’

 

–‘‘ଦୁଇଟି କଅଣ ?’’

 

ବିନୋଦଙ୍କ କପାଳଟା ଅସ୍ୱାଭାବିକ ଭାବରେ କୁଞ୍ଚି ହୋଇଗଲା । ରାଜନ ଧୀରେ ଧୀରେ କହିଲେ–‘‘ଉପହାର ଏବଂ ଗୋଟିଏ ଚିଠି ।’’

 

‘‘–ଚିଠି ! ନା ନା ନେବାକୁ ହେବନାହିଁ । ପୋଡ଼ି ଦିଅ ଏଇଠି ।’’

 

ରାଜନ ନମ୍ର ସ୍ଵରରେ କହିଲେ–‘‘କିନ୍ତୁ ମୁଁ ଗ୍ରହଣ କରିଛି ଯେତେବେଳେ ତାଙ୍କ ନିକଟରୁ, ପୋଡ଼ି ଦେବାଟା ନିତାନ୍ତ ଅନ୍ୟାୟ ହେବ ।’’

 

ବିନୋଦ କିଛି ସମୟ ଚିନ୍ତାକରି କହିଲେ–‘‘ଯଦି ଅନ୍ୟ କାହାରି ହାତରେ ପଡ଼େ ?’’

 

ସାମାନ୍ୟ ଉତ୍ତେଜିତ ହେଲା ଭଳି ରାଜନଙ୍କ ତୁଣ୍ଡରୁ ସ୍ଵତଃ ବାହାରି ପଡ଼ିଲା–‘‘ତା ପୂର୍ବରୁ ତାର ଛିନ୍ନଶିର ମୋ ହାତରେ କିମ୍ବା ମୋ ଛିନ୍ନ ମସ୍ତକ ଭୁତଳରେ ଲୁଣ୍ଠିତ ହୋଇଥିବ ।’’

 

‘‘–ଏକା ଯାଉଛ ?’’

 

‘‘ନା ମୋର ଚାକର ବନମାଳୀ ବି ଯାଉଛି ।’’

 

ବିନୋଦ ଟିକିଏ ବିରକ୍ତ ହୋଇ କହିଲେ–‘‘ଦେଖୁଛି ତୁମେ ବିପଦକୁ ହାତେ ହାତେ କିଣି ଆଣୁଛ ।’’

 

ରାଜନ ସାମାନ୍ୟ ଅବଜ୍ଞା ବ୍ୟଞ୍ଜକସ୍ଵରରେ ଉତ୍ତର କଲେ–‘‘ଆଜ୍ଞା, ବନମାଳୀକୁ ସେପରି ଭାବିବେନି । ଗତ ମାସ ତିନିଟା ଭିତରେ ଦେଖିଛି, ତାପରି ବିଶ୍ୱାସୀ ଟୋକା ଦୁନିଆରେ ମିଳିବା ଅସମ୍ଭବ । ଆଉ ମଧ୍ୟ ସେ ଜାଣିନି ମୁଁ କୁଆଡ଼େ, କାହା ପାଖକୁ ଯାଉଛି । ଉଦ୍ଦେଶ୍ୟ ଜାଣିବା ତ ଦୂରର କଥା । ସେ କେବଳ ମୋ ପଛେ ପଛେ ଅନୁସରଣ କରିବ । ସେ ଖୁବ୍ ବିଶ୍ଵାସୀ ଏବଂ ଭଲ ଘୋଡ଼ା ଚଢ଼ିଜାଣେ ବୋଲି ମୁଁ ତାକୁ ସାଙ୍ଗରେ ନେଉଛି ।’’

 

ବିନୋଦ ମୁହଁ ଫେରେଇ ନେଲେ । କହିଲେ–‘‘ହଁ, ତୁମେ ତ ଆଉ ପିଲା ନୁହଁ । ତୁମକୁ ଏଥର ଗୋଡ଼େ ଗୋଡ଼େ ସାବଧାନ ହେବାକୁ ହେବ । ଆଜି ଗୁରୁବାର ହେଲା; କାଲି ଅପରାହ୍ନରେ ରାଜା ଆଉ ମୁଁ ହରିପୁର ଚାଲିଯାଉଛୁ । ରବିବାର ଦିନ ହରିବନ୍ଧୁ ଏବଂ ରାଜାଙ୍କ ମଧ୍ୟରେ କଅଣ ଗୋଟାଏ ଗୁପ୍ତ ପରାମର୍ଶ ଅଛି । ତୁମେ ଫେରିବା ସଙ୍ଗେ ସଙ୍ଗେ ହରିପୁର ଯିବ ।’’

 

ରାଜନ ‘ଆଜ୍ଞା’ କହି ଉଠି ଠିଆହେଲେ ।

 

ବିନୋଦ ପୁଣି ପଚାରିଲେ–‘‘କେତେ ଦିନ ଛୁଟି ନେଇଛ ?’’

 

‘‘ମୋଟେ ତିନିଦିନ’’–ରାଜନ ଏତିକି କହି ସମ୍ମାନ ପ୍ରଦର୍ଶନ-ପୂର୍ବକ ବିଦାୟ ନେଇଗଲେ-

Image

 

ଅଠର

 

ଯୌବନର ଅଜ୍ଞାତ ସ୍ପର୍ଶରେ ବାଳିକାର ରୂପଲାବଣ୍ୟ ବିକଶି ଉଠିଲା ପରି ଚୋରା ବସନ୍ତର ମୃଦୁ ଆଲିଙ୍ଗନରେ ପଥପାର୍ଶ୍ୱର ବୃକ୍ଷରାଜି ନୂତନ ପତ୍ରସମ୍ଭାରରେ ଶୋଭା ପାଉଅଛି । ଗୁଳ୍ମଲତାପୂର୍ଣ୍ଣ ଜଙ୍ଗଲର ପ୍ରତି କୁଞ୍ଜ କୁସୁମ ସମ୍ଭାରରେ ହସି ଉଠୁଛି । ପବନର ପ୍ରତି ତରଙ୍ଗରେ ମଳୟ ସୌରଭ ସଙ୍ଗେ ବନ ବିହଗର ମଧୁର କାକଳୀ ଭାସି ବୁଲୁଛି । କିନ୍ତୁ ଏସବୁକୁ ଅବଜ୍ଞା କରି ରାଜନ ଚାଲିଛନ୍ତି ତାଙ୍କର ଲକ୍ଷ୍ୟ ସାଧନରେ । ସେ ଯେ କୌଣସି ପ୍ରକାରେ ଆଜି ବାଣପୁରରେ ପହଞ୍ଚିବାକୁ ହେବ । ସେତେବେଳକୁ ସୂର୍ଯ୍ୟ ପଶ୍ଚିମ ଆକାଶକୁ ଗଡ଼ି ଗଲେଣି ।

 

ରାଜନଙ୍କ ମନ ଓ ଧ୍ୟାନ ଥାଏ ନିଜର କୁରୁତା ମୁଣାରେ । ଥର ଥର କରି ତାଙ୍କର ଡାହାଣ ହାତଟା ଉପହାର ଏବଂ ପତ୍ର ନିରାପଦରେ ଥିବା ଦେଖି ଆସୁଥାଏ । ସେ ସମୟେ ସମୟେ ଫେରି ଚାହିଁ ଶୀଘ୍ର ଘୋଡ଼ା ଚଳାଇବା ପାଇଁ ବନମାଳୀକୁ କହି ନିଜ ଘୋଡ଼ାକୁ ଚାବୁକ ଲଗେଇ ଦେଉ ଥାଆନ୍ତି ।

 

ଖଲ୍ଲିକୋଟ ଗଡ଼ ଆହୁରି କୋଶେ ବାଟ ଅଛି । ରାଜନ ଘୋଡ଼ା ଉପରୁ ଫେରି ଚାହିଁ ଦେଖିଲେ ବନମାଳୀର ଘୋଡ଼ା ବହୁତ ଦୂରରେ ଲୁଚି ଯାଇଛି । ହୁଏତ ସେ କୌଣସି ଗଛ ଆଢ଼ୁଆଳରେ ରହି ଯାଇଥିବ ଭାବି ସେ ଅଗ୍ରସର ହେବାକୁ ଲାଗିଲେ।

 

ଖଲ୍ଲିକୋଟ ଗଡ଼କୁ ପଛରେ ରଖି ସେ ପ୍ରାୟ ଅଧକୋଶେ ବାଟ ଚାଲି ଆସିଲେଣି, ଅଥଚ ବନମାଳୀର ଆଉ ଦେଖାନାହିଁ । ବେଳ ଆଉ ମାତ୍ର ଘଡ଼ିଏ ଅଛି । ରାଜନ ବାଧ୍ୟହୋଇ ଘୋଡ଼ାର ଗତି ବନ୍ଦ କରିଦେଲେ । କିଛି ସମୟ ବିତିଯିବା ପରେ ଦୂରରୁ ବନମାଳୀର ଘୋଡ଼ା ଦେଖାଗଲା । ସେ ଧଇଁସଇଁ ହୋଇ ଆସି ଘୋଡ଼ାକୁ ବନ୍ଦ କରିଦେଇ ଆଗ କହି ପକାଇଲା–‘‘ବାବୁ, ଏ ଘୋଡ଼ାଟା ଭାରି ଅସାଧ୍ୟ । ଗଡ଼ ସେପାଖେ ମୋତେ ପ୍ରାଣାନ୍ତକ କରିଦେଲା–ଦୁଇଥର ଖସି ପଡ଼ିଥାନ୍ତି । ବଡ଼ କଷ୍ଟକରି ସାଧ୍ୟକଲି।’’

 

ରାଜନ ବାଟରେ ଅପେକ୍ଷା କରି କରି ବିରକ୍ତ ହୋଇ ଉଠିଥିଲେ ମଧ୍ୟ ବନମାଳୀଠାରୁ ଆଗତୁରା କୈଫିୟତ୍‍ଟା ଶୁଣି ଆଉ କିଛି କହି ପାରିଲେ ନାହିଁ । ଦୁର୍ଘଟନାରେ ସାମାନ୍ୟ ଦୁଃଖ ପ୍ରକାଶ କରି ଅପେକ୍ଷାକୃତ ଶୀଘ୍ର ଗତିରେ ଘୋଡ଼ା ଛାଡ଼ିଦେଲେ।

 

କ୍ରମେ ସନ୍ଧ୍ୟା ମାଡ଼ି ଆସିଲା–ଭାଲେରୀ ଶିଖର ଦେଶରେ ପ୍ରକୃତି ରାଣୀର ମଥାମଣି ପରି କ୍ଷୁଦ୍ର ତାରାଟିଏ ଚକ୍ ଚକ୍ କରି ଉଠିଲା । ସାନ୍ଧ୍ୟଛାୟାର ପତଳା ସ୍ତର ଭେଦକରି ଅଦୁର ଚିଲିକାର ଶୀତଳ ପବନ ଯେପରି ଗୋଟାଏ ଉଦ୍‍ଭ୍ରାନ୍ତ ଜୀବନୀ ଶକ୍ତି ଧରି ଲତା ଗହଳର ରନ୍ଧ୍ରେ ରନ୍ଧ୍ରେ ଭେଦି ଚାଲିଛି । ଦଳ ଦଳ ଜଳଚର ପକ୍ଷୀ ସେଇ ପବନ ସ୍ରୋତରେ ମାଳାକାରରେ ଜଟିଆ ଖିଖର ଆଡ଼େ ଭାସି ଚାଲିଛନ୍ତି । ଆଗରେ ପ୍ରାୟ କୋଶେ ବାଟ ଜଙ୍ଗଲ ପଥ-ଭାଲେରୀ ପାଦତଳ ଦେଇ ଯାଇଛି । ରାଜନ ଠିକ୍ ଜଙ୍ଗଲ ଆରମ୍ଭ ସ୍ଥାନକୁ ଆସି ଫେରି ଚାହିଁଲେ । ପୁଣି ବନମାଳୀ ଅଦୃଶ୍ୟ ହୋଇଛି ।

 

ସେ ଏଥର ବଡ଼ ବିରକ୍ତ ହୋଇ ପଡ଼ିଲେ । ଗୋଟାଏ କିଛି ଅଜଣା ସନ୍ଦେହରେ ତାଙ୍କ ମନଟା ଆନ୍ଦୋଳିତ ହୋଇ ଉଠିଲା । ସଙ୍ଗେ ସଙ୍ଗେ ଉପହାର, ପତ୍ର ଏବଂ ତରବାରି ନିରାପଦ ଅଛି କି ନାହିଁ ଦେଖିନେଲେ । କିନ୍ତୁ କରିବେ କଅଣ ? ଆଉରି ଚାରି ପାଞ୍ଚକୋଶ ବାଟ ଆଗରେ ପଡ଼ିଛି-। ସେ ଭାବିଲେ–‘‘ବନମାଳୀ ଆସୁ କି ନ ଆସୁ ମୋତେ ତ ନିଶ୍ଚୟ ବାଣପୁର ଆଜି ଯିବାକୁ ହେବ-।’’

 

ସେ ଅଗ୍ରସର ହେବାକୁ ଲାଗିଲେ । କିଛି ସମୟ ପରେ କୃଷ୍ଣ ଦ୍ଵିତୀୟାଚନ୍ଦ୍ର ଚିଲିକାର ନୀଳ ଜଳ ତରଙ୍ଗ ଭେଦକରି ଦେଖାଦେଲା । ଜ୍ୟୋସ୍ନାବିଧୌତ ଅନୁଚ୍ଚ ଲହରୀଗୁଡ଼ାକ ତରୁଣୀ ବକ୍ଷର ରତ୍ନହାର ପରି ଚକ୍ ଚକ୍ କରି ଉଠିଲେ–ସତେ ଯେପରି ଚିଲିକା ସେଗୁଡ଼ିକୁ ଏକାଠି କରି ଚନ୍ଦ୍ରକୁ ଉପହାର ଦେବା ପାଇଁ ସଜାଉଛି ।

 

ରାଜନ ବନମାଳୀର ଆଶା ତ୍ୟାଗକରି ଏକାକୀ ଜଙ୍ଗଲ ପଥଦେଇ ଅଶ୍ଵ ଚଳାଇବାକୁ ଲାଗିଲେ । ଖଣ୍ଡେ ଦୂର ଯିବାପରେ ହଠାତ୍ ତାଙ୍କ ମନରେ କାହିଁକି ଗୋଟାଏ ଭୟର ସଂଚାର ହେଲା । କିନ୍ତୁ ସେ ତାହାକୁ ଖାତିରି ନ କରି ଆଗକୁ ଦୃଷ୍ଟି ନିବଦ୍ଧ କରିଥାନ୍ତି ।

 

ମନୁଷ୍ୟ ବିପଦର ଆଶଙ୍କା କଲାବେଳେ ବିପଦ ପଡ଼ିବ କି ନା ସ୍ଥିର କରିବାକୁ ନ ଯାଇ ବିପଦ ନିଶ୍ଚୟ ପଡ଼ିବ ଭାବି ସାବଧାନ ହେବା ଉଚିତ । ରାଜନ ଯଦି ଏଇପରି ଭାବରେ ଆଗରୁ ସାବଧାନ ହୋଇଥାନ୍ତେ ହୁଏତ ସେ ଉପସ୍ଥିତ ବିପଦକୁ ଅତିକ୍ରମ କରି ଯାଇପାରିଥାନ୍ତେ । କିନ୍ତୁ ସେତେବେଳକୁ ତାଙ୍କ ମନ ଗୋଟାଯାକ ବନମାଳୀର ସନ୍ଦେହଜନକ ବ୍ୟବହାରରେ ପୁରି ଯାଇଥିଲା । ସେ ସେଇ ବିଷୟରେ ଚିନ୍ତା କରୁ କରୁ ଶୀଘ୍ର ଶୀଘ୍ର ଅଗ୍ରଗତି କରୁଥିଲେ ।

 

ରାଜନ ଛତରଗଡ଼ ଗାଁ ପାରହୋଇ କିଛି ଦୂର ଯାଇଛନ୍ତି, ଏଇ ସମୟରେ ତାଙ୍କ ପଛେ ପଛେ ଦଶ ବାର ଜଣ ମନୁଷ୍ୟ ଧାଇଁ ଆସିଲା ପରି ଶୁଣାଗଲା । ସେ ଯେଉଁ ମୁହୂର୍ତ୍ତରେ ଘୋଡ଼ା ଉପରୁ ମୁହଁ ଫେରେଇ ଶବ୍ଦଟାର କାରଣ ଜାଣିବା ପାଇଁ ଚେଷ୍ଟା କରିଛନ୍ତି ଠିକ୍ ସେତିକିବେଳେ ତାଙ୍କର ଘୋଡ଼ାଟା ଆଗରୁ କିଛି ବାଧା ପାଇ ଲେଉଟି ପଡ଼ିଲା । ସେ ନିଜେ ଛିଞ୍ଚାଡ଼ି ହୋଇ ପଥ ଧାରରେ ପଡ଼ିଲେ । ସଙ୍ଗେ ସଙ୍ଗେ ଛଅ ସାତ ଜଣ ଲୋକ ତାଙ୍କ ଉପରେ ଆସି ମଡ଼େଇ ପଡ଼ିଲେ-

 

ଏପରି ଆକସ୍ମିକ ବିପଦରେ ମନୁଷ୍ୟର ମାନସିକ ଅବସ୍ଥା କିପରି ଥାଏ, ତାହା ବର୍ଣ୍ଣନା କରିବା ଅସମ୍ଭବ । ରାଜନ ଦଶ ବାରଟା ସବଳ ହାତ ତଳେ ଅଜ୍ଞାନ ହୋଇ ପଡ଼ି ରହିଲେ । କେତେଗୁଡ଼ାଏ ଲୋକ ଯେ ତାଙ୍କ ହାତ ଗୋଡ଼ ଧରି ମାଡ଼ି ବସିଛନ୍ତି ଏହା ବ୍ୟତୀତ ସେ ଆଉ କିଛି ଭାବି ପାରିଲେ ନାହିଁ । ବାହାରୁ କୌଣସି ଶବ୍ଦ ମଧ୍ୟ ସେତେବେଳେ ତାଙ୍କ କାନରେ ପଶୁ ନ ଥାଏ । ସେ ଅନୁଭବ କଲେ ଲୋକଗୁଡ଼ାକ ତାଙ୍କୁ ମାଡ଼ି ବସି ଲେଉଟେଇବାକୁ ଚେଷ୍ଟା କରୁଛନ୍ତି ।

 

ସେ ପର ମୁହୂର୍ତ୍ତରେ ପ୍ରକୃତିସ୍ଥ ହୋଇ ଆଖି ଫିଟେଇ ଦେଖିଲେ ରାକ୍ଷାସ ପରି କେତେଗୁଡ଼ାଏ ଭୀଷଣ ମୁଖ ତାଙ୍କ ଛାତି ଉପରେ କଟମଟ କରି ଚାହିଁ ରହିଛନ୍ତି । ମୁହୂର୍ତ୍ତେ ମାତ୍ର ଅପେକ୍ଷା ନ କରି ସେ ଏକ ଦମକାରେ ଲୋକଗୁଡ଼ାଙ୍କୁ ଛିଞ୍ଚାଡ଼ି ଦେଇ ଠିଆ ହୋଇ ପଡ଼ିଲେ । ସେ ତରବାରିକୁ ଅର୍ଦ୍ଧକୋଷମୁକ୍ତ କରିଛନ୍ତି କି ନାହିଁ ସଙ୍ଗେ ସଙ୍ଗେ ଦୂରରୁ ଅନ୍ୟ ଗୋଟାଏ ଲୋକ ତାଙ୍କୁ ଆସି ଧକ୍‍କା ଦେଲା । ଏ ଲୋକଟା ପ୍ରତି ତାଙ୍କର ଆଦୌ ଲକ୍ଷ୍ୟ ନ ଥିଲା । ସେ ପୁଣି ଭୁଇଁରେ ଲମ୍ବହୋଇ ପଡ଼ିଗଲେ ଏବଂ ଲୋକଟା ତାଙ୍କ ଛାତି ଉପରେ ବସି ପଡ଼ିଲା । ସେ ଦେଖିଲେ ଏ ଜଣେ ଜଟାଯୁଟ ବିମଣ୍ଡିତ ଯୁବକ ସନ୍ନ୍ୟାସୀ । ଅନ୍ୟ ଲୋକଗୁଡ଼ାକ ପୁଣି ତାଙ୍କୁ ମାଡ଼ି ବସୁ ବସୁ ସେ ଦୁଇ ହାତରେ ସନ୍ନ୍ୟାସୀର ଜଟାକୁ ଧରି ତାକୁ ତଳେ ପକାଇ ଦେବାକୁ ଚେଷ୍ଟା କରିବା ମାତ୍ରେ ଜଟାଗୁଡ଼ାକ ଖସି ପଡ଼ିଲା । ସେ ଦେଖିଲେ ଛାତି ଉପରେ ବସିଛି ମୋହନ ! ତାର ଆଖି ଦୁଇଟା କୁରାଳ ଚକ୍ରପରି ଘୁର୍ଣ୍ଣାୟମାନ । ବିଜୟ ଗର୍ବରେ ମୁହଁଟା ଭାଜି ପଡ଼ୁଛି ଏବଂ ସେ କ୍ରମେ ତାଙ୍କ କୁରୁତା ମୁଣା ଭିତରକୁ ହାତ ପୁରାଇବା ପାଇଁ ଚେଷ୍ଟା କରୁଛି ।

 

ମୋହନ ଯେ ତାଙ୍କ ବାଣପୁର ଆସିବାର ସମସ୍ତ ସୁରାକ ପାଇଛି ଏହା ଅନୁମାନ କରିବା ପାଇଁ ବେଶି ସମୟ ଲାଗିଲା ନାହିଁ । ସେ ମୋହନର ହାତର ଗତି ବନ୍ଦ କରିବା ପାଇଁ ଚେଷ୍ଟା କରୁ କରୁ ପିମ୍ପୁଡ଼ି ମେଳରେ ସାପ ପଡ଼ି ଛଟପଟ ହେଲାପରି ହେଉଥାନ୍ତି । କିନ୍ତୁ ହାତ ଗୋଡ଼ ସବୁ ବନ୍ଦ । ସମସ୍ତ ଚେଷ୍ଟା ବିଫଳ ହେଲା । ମୋହନ କୁରୁତା ମୁଣାରୁ ଉପହାରଟି କାଢ଼ିନେଇ ଗୋଟାଏ ବିକଟ ହସରେ ଚଉଦିଗ କମ୍ପେଇ ଦେଲା ।

 

ଉପହାରଟି ଗଲେ ସୁଦ୍ଧା ରାଜନ ଏକ ପ୍ରକାର ଆଶ୍ଵସ୍ତ ହୋଇ ପଡ଼ି ରହିଲେ । କାରଣ ସେତେବେଳେ ସୁଦ୍ଧା ତାଙ୍କଠାରେ ଉପହାରଠାରୁ ବହୁ ମୂଲ୍ୟ ଜିନିଷଟି ଥିଲା । ମୋହନ ନିଶ୍ଚୟ ଏହାର ସନ୍ଧାନ ପାଇନାହିଁ ।

 

ମାତ୍ର ପରକ୍ଷଣରେ ଘଟଣା ଭିନ୍ନ ରୂପ ଧାରଣ କଲା । ମୋହନ ଗୋଟିଏ ହାତରେ ପେଡ଼ିଟି ଧରି, ଅନ୍ୟ ହାତରେ ପୁଣି ମୁଣା ଦରାଣ୍ଡିବାକୁ ଲାଗିଲା । ଏଥର ଆଉ ରକ୍ଷା ନାହିଁ । ପତ୍ରଟି ତାର ଲୌହ ମୁଷ୍ଟି ଭିତରେ ପଡ଼ିଗଲା ।

 

ପତ୍ରଟିକୁ ମୋହନ ହାତରେ ଦେଖି ରାଜନଙ୍କ ଆଖି ଦୁଇଟା ସ୍ଵତଃ ବୁଜି ହୋଇଗଲା । ସେ ନିର୍ଜୀବ ଭାବରେ ପଡ଼ି ରହିଲେ । ମୋହନର ଆଦେଶକ୍ରମେ ଗୋଟାଏ ଲୋକ ଆଲୁଅ ହୁଳାଟାଏ ଧରି ଆସିଲା । ସେ ଚିଠିଟି ଖୋଲି ପଢ଼ୁ ପଢ଼ୁ ତଳେ ସୁଶୀଳା କୁମାରୀଙ୍କର ସ୍ୱାକ୍ଷର ଦେଖି ହୋ ହୋ କରି ହସି ପକାଇଲା ଏବଂ କହିଲା–‘‘ଓହୋ, ଏ ଯେ ପ୍ରେମପତ୍ର ! ଏଇ ତ ଯଥେଷ୍ଟ ! ଅନନ୍ତ ଏ ଚିଠି କଥାତ ତୁ କହିନୁ ।’’

 

ଉତ୍ତର ମିଳିଲା–‘‘ନା, ମୁଁ ଜାଣେନା ।’’

 

ରାଜନଙ୍କୁ ଏଇ ଅନନ୍ତର ସ୍ଵରଟା ବଡ଼ ପରିଚିତ ବୋଧହେଲା । ସେ ଆଖି ଫିଟେଇ ଦେଖିଲେ ତାଙ୍କର ସେଇ ବିଶ୍ଵସ୍ତ ଭ୍ରୃତ୍ୟ ବନମାଳୀ ହିଁ ଆଲୋକ ପାଖରେ ଠିଆ ହୋଇଛି । ବନମାଳୀ ହିଁ ଅନନ୍ତ–ମୋହନର ଗୁପ୍ତଚର ।

 

ଏଇ ସମୟରେ ମୋହନ ହସି ହସି କହିଲା–‘‘ଏଇତକ ଜାଣି ପାରିଲୁ ନି ? ନାରାୟଣୀ ଖୋଲରେ ଦୁଇମାସ ଚେଲା ହୋଇ ମଧ୍ୟ କିଛି ଶିଖି ପାରିଲୁ ନାହିଁ ତା ହେଲେ ।’’

Image

 

ଉଣିଶ

 

ରାଜନଙ୍କ ଛାତି ଉପରେ ବସି ମୋହନ ଚିଠିଟା ପଢ଼ୁ ପଢ଼ୁ ପ୍ରତ୍ୟେକ ପଦରେ ଯଥେଷ୍ଟ ଆମୋଦ ଉପଭୋଗ କରୁଥାଏ । ପ୍ରତ୍ୟେକ ଅକ୍ଷରରେ ଯେପରି ତା ପାଇଁ କିଛି ଗୋଟାଏ ନୂଆ ଆନନ୍ଦର ସାମଗ୍ରୀ ରଖାଯାଇଛି । ସେ ସେଥିରେ ତନ୍ମୟ ହୋଇଯାଇ ଅଦୂର ଭବିଷ୍ୟତର କଳ୍ପିତ ସୁଖ ସମ୍ପଦ ଭିତରେ ଏତେଦୂର ନିଜତ୍ୱ ହଜାଇ ବସିଲା ଯେ ସେ ଗୋଟାଏ କ୍ଷତ ସିଂହ ଉପରେ ବସିଥିବା କଥା ତା ମନରୁ କ୍ଷଣକ ପାଇଁ ଲୁଚିଗଲା,–ତାର ହସ୍ତପଦର ଜୋର ସାମାନ୍ୟ ହାଲୁକା ହୋଇ ପଡ଼ିଲା । ଏଇ ଅବସରରେ ରାଜନ ଶେଷଥର ପାଇଁ ନିଜର ସମସ୍ତ ଶକ୍ତି ଏକତ୍ର କରି ହୁଁ କାରଦେଇ ଉଠିଲେ । ମୋହନ ତଳେ ଗଡ଼ି ପଡ଼ିଲା । ଅନ୍ୟ ଲୋକ ଗୁଡ଼ାକ ଦୁଇପାଖେ ବିଞ୍ଚି ହୋଇ ପଡ଼ିଲେ । ରାଜନ ଆଣ୍ଠୁ ଉପରେ ଠିଆ ହୋଇ ପ୍ରାଣ ବିକଳରେ ଚିଠିଟାକୁ ମୋହନ ହାତରୁ ଟାଣି ଆଣିଲେ,–ପର ମୁହୂର୍ତ୍ତରେ ତାହାକୁ ପାଟି ଭିତରେ ପୁରେଇ ଉଦରସ୍ଥ କରି ଦେଇଥାନ୍ତେ । କିନ୍ତୁ ସମୟ ସେଥିପାଇଁ ଅପେକ୍ଷା କଲା ନାହିଁ । ସେ ଚିଠିଟାକୁ ପାଟିରେ ପୁରାଉ ପୁରାଉ ହଠାତ୍ ମୋହନ ଏବଂ ଅନ୍ୟମାନେ ଚିତ୍କାର କରି ତାଙ୍କ ଉପରେ ମାଡ଼ି ପଡ଼ିଲେ । ରାଜନ ସେମାନଙ୍କ ତଳେ ମାଂସ ପିଣ୍ଡୁଳା ପରି ପଡ଼ିଗଲେ । ମୋହନ ପୁଣି ତାଙ୍କ ଛାତି ଉପରେ ବସି ପଡ଼ିଲା ଏବଂ ଗର୍ଜ୍ଜନ କରି ଉଠିଲା ‘‘–ଛୁରୀ ! ମୋ ଛୁରୀ !’’

 

ଏଇ ସମୟରେ ଅନ୍ୟ ଗୋଟିଏ ଲୋକର ପରିଚୟ ପାଇ ରାଜନ ତଳେ ପଡ଼ି ରହି ମଧ୍ୟ ଚମକି ପଡ଼ିଲେ । ମୋହନ ଛୁରୀ ମାଗିବା ଦେଖି ଗୋଟାଏ ଲୋକ କହୁଛି–‘‘ମୋହନ ପ୍ରତିଜ୍ଞା କରିଛୁ, ହତ୍ୟାକର ନାହିଁ ।’’

 

ଲୋକଟା ନିକଟରେ ଠିଆ ହୋଇଥିଲା । ଯେତେଦୂର ସମ୍ଭବ ସେ ନିଜର ସ୍ଵର ବଦଳେଇ କହିବାକୁ ଚେଷ୍ଟା କରିଛି । ତେବେ ସୁଦ୍ଧା ରାଜନଙ୍କୁ ତାହା ଅଜ୍ଞାତ ରହିଲା ନାହିଁ । ହରିବନ୍ଧୁ ବେବର୍ତ୍ତା ମଧ୍ୟ ଏ ଦଳରେ ମିଶିଥିବା ଦେଖି ସେ ବିସ୍ମିତ ହୋଇଗଲେ ।

 

ହରିବନ୍ଧୁଙ୍କ ନିଷେଧର ଉତ୍ତରରେ ମୋହନର ଗଳା ମଧ୍ୟରୁ ଗୋଟାଏ କେବଳ ତାଚ୍ଛଲ୍ୟଭରା ହାସ୍ୟ ଧ୍ଵନି ଉଠିବାକୁ ଲାଗିଲା । ସେ ଗୋଟାଏ ଲୋକର ଅଣ୍ଟାରୁ ଛୁରୀଟା ଜୋରରେ ଟାଣି ଆଣି ରାଜନଙ୍କ ଛାତି ଉପରେ ଟେକି ଧରିଲା ।

 

ରାଜନ ନିଃସହାୟ ଭାବରେ ତଳେ ପଡ଼ି ଦେଖିଲେ ଶେଷ ମୁହୂର୍ତ୍ତ ଖୁବ୍ ନିକଟ । ତାଙ୍କ ଜୀବନର ଗତି ପଥରେ ଜଗତର ସୀମା ଆଉ ଖୁବ୍ ଅଳ୍ପ ଦୂର ମାତ୍ର ବାକି ଅଛି । ତେବେ ସୁଦ୍ଧା ସେ ପ୍ରାଣେ ପ୍ରାଣେ ଆନନ୍ଦ ଅନୁଭବ କଲେ । ବିନୋଦ ସିଂହଙ୍କ ଆଗେ ସେ ଯାହା ପ୍ରତିଜ୍ଞା କରି ଆସିଥିଲେ ତାହା କାର୍ଯ୍ୟରେ ପରିଣତ ହେଉଛି–ଏହାହିଁ ତାଙ୍କ ମନରେ ଯଥେଷ୍ଟ ଶାନ୍ତି ଏବଂ ଆଶ୍ୱାସନା ଆଣିଦେଲା । ସେ ଆଖି ବନ୍ଦକରି ଶେଷ ମୁହୂର୍ତ୍ତର ଅପେକ୍ଷାରେ ରହିଲେ ।

 

ଆଖି ପଲକ ନ ପଡ଼ୁଣୁ ମୋହନର ଶାଣିତ ଛୁରୀଟା ରାଜନଙ୍କ ଧମନୀର ତପ୍ତ ରକ୍ତରେ ସିକ୍ତ ହୋଇ ଉଠି ଥାନ୍ତା; ମାତ୍ର ଠିକ୍ ସେଇ ମୁହୂର୍ତ୍ତରେ ତା ପଛରେ ଗୋଟାଏ କିଛି ଭୀଷଣ ଗଣ୍ଡଗୋଳ ଉଠିଲା । ମୋହନ ଦବି ଯାଇ, ଫେରିଚାହିଁ ଦେଖିଲା କେତେଜଣ ଯୁବକ ଲାଠି ହାତରେ ତାରି ଆଡ଼କୁ ଧାଇଁଛନ୍ତି । ସେ ଉଠି ପଡ଼ି ବଣ ଭିତରକୁ ପଶିଗଲା ।

 

ରାଜନ ପୁଣି ଅଚେତ ହୋଇ ପଡ଼ିଲେ । ଦିନ ସାରା ପଥଶ୍ରମ ପରେ ଏ ଖଣ୍ଡଯୁଦ୍ଧର ଘାତପ୍ରତିଘାତ ଓ ସମ୍ମୁଖରେ ମୃତ୍ୟୁର ଭୀଷଣ ଚିତ୍ର ତାଙ୍କୁ ଯେତିକି ଦୁର୍ବଳ ଏବଂ ହତାଶ କରିପାରି ନ ଥିଲା ବନମାଳୀର ବିଶ୍ୱାସଘାତକତା ଏବଂ ପତ୍ରର ଅପହରଣରେ ସେ ସେତିକି ଶକ୍ତିହୀନ ହୋଇ ପଡ଼ିଥିଲେ । ବାହାରର ଗଣ୍ଡଗୋଳ ତାଙ୍କୁ କେବଳ ଗୋଟାଏ ସ୍ଵପ୍ନ ପରି ବୋଧ ହେଉଥିଲା ।

 

ବାଣପୁରର କେତେଜଣ ଯୁବକ ମହାଜନ ଗଞ୍ଜାରେ ଲୁଣ ବେପାର କରନ୍ତି । ସେମାନେ ଗୋଟାଏ ଶଗଡ଼ରେ ବସି ଏଇବାଟେ ଆସିଲାବେଳେ ମୋହନ ଏବଂ ତାହାର ଅନୁଚରଗଣ ରାଜନଙ୍କୁ ଆକ୍ରମଣ କରୁଥିବାର ଦେଖିଲେ । କେହି ପଥିକ ଦସ୍ୟୁଦଳଦ୍ୱାରା ଆକ୍ରାନ୍ତ ହୋଇଛି ଭାବି ସେମାନେ ସାହାଯ୍ୟ କରିବାକୁ ଦୌଡ଼ିଲେ । କିନ୍ତୁ ମୋହନ ଏବଂ ଅନ୍ୟମାନେ ବଣ ଭିତରେ ପଶିଯିବା ଦେଖି ସେମାନେ ରାଜନଙ୍କ ନିକଟକୁ ଫେରିଆସି ତାଙ୍କୁ ଉଠେଇ ବସେଇଲେ ।

 

ବ୍ୟବସାୟୀମାନଙ୍କର ସାମାନ୍ୟ ଚେଷ୍ଟା ପରେ ରାଜନ ସଚେତ ହେଲେ । ମାତ୍ର ପାଗଳଙ୍କ ପରି କେତେବେଳେ କଅଣ କହୁ କହୁ କହୁଥାନ୍ତି–‘‘ବାଣପୁର-ଗଗନ ବିହାରୀ’’ । ଏଇଥିରୁ ଯୁବକ ଦଳ ଭାବିଲେ ବୋଧହୁଏ ଲୋକଟି ତାଙ୍କ ଗ୍ରାମର ଗଗନ ବିହାରୀ ନରେନ୍ଦ୍ର ରାଏଙ୍କ ବନ୍ଧୁବାନ୍ଧବ ହେବେ । ତେଣୁ ସେମାନେ ଅଧିକ ଯତ୍ନ ସହକାରେ ତାଙ୍କୁ ଟେକି ନେଇ ଶଗଡ଼ରେ ଶୁଆଇ ବାଣପୁର ଚାଲିଲେ ।

 

X X X

 

ରାଜନ ଯେତେବେଳେ ମୋହନର ଆକ୍ରମଣରେ ନିଃସହାୟୁ ହୋଇ ଛତ୍ରଗଡ଼ଠାରେ ପଡ଼ିଛନ୍ତି ଠିକ୍ ସେତିକିବେଳେ ଗଗନ ବାଣପୁରର ନିଜ କକ୍ଷ ମଧ୍ୟରେ ଚିନ୍ତାମଗ୍ନ । ତାଙ୍କ ମନ ମଧ୍ୟରେ ଅତୀତର ସ୍ମୃତି ଖେଳି ବୁଲୁଛି । ସେ ବାହ୍ୟଜ୍ଞାନ ଶୁନ୍ୟ ହୋଇ ସେଇ ସ୍ମୃତିଗ୍ରନ୍ଥର ପ୍ରତ୍ୟେକ ପୃଷ୍ଠା ତନ୍ନ ତନ୍ନ କରି ଦେଖୁଛନ୍ତି । ପ୍ରତି ପଲକରେ ହୃଦୟ ମଧ୍ୟରେ ଗୋଟିଏ ଆତୁର ବିହ୍ଵଳତା ଜାଗି ଉଠୁଛି ।

 

ରାତ୍ରି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ତାଙ୍କ ମନରେ ଧାରଣା କ୍ରମେ ବଦ୍ଧମୂଳ ହେଉଥାଏ ଯେ ରାଜନ ଆଉ ଆସିବେ ନାହିଁ । ସେ ଭାବୁଥାନ୍ତି–‘‘ଅବାସ୍ତବ, ଶୂନ୍ୟ ଉପରେ ପ୍ରତିଷ୍ଠିତ ସ୍ମୃତିର ସ୍ଥାୟୀତ୍ୱ ଖୁବ୍ ସସୀମ ସମୟ ପାଇଁ ମାତ୍ର । ଆଉ ସେଇ ଅସ୍ପଷ୍ଟ ସ୍ମୃତିକୁ ସମ୍ବଳ କରି ଜୀବନର ସକଳ ସରସତାରେ ଜଳାଞ୍ଜଳି ଦେଇ ପ୍ରାଣଟାକୁ ରିକ୍ତ ମରୁଭୂମିରେ ପରିଣତ କରିଦେବାକୁ ପ୍ରକାରାନ୍ତରେ ଆତ୍ମହତ୍ୟା କୁହାଯିବ ସିନା ? ଯାହାର ରୂପ ପୁଣି ଚର୍ମ ଚକ୍ଷୁରେ ଆଉଥରେ ଦେଖିବାକୁ ପାଇବା ମଧ୍ୟ ଅସମ୍ଭବ, ତାର ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଜୀବନର ସକଳ ସୁଖ ସନ୍ତୋଷକୁ ବଳି ଦେବାପାଇଁ ଜଗତର କୌଣସି ମନୁଷ୍ୟ କେବେ ଇଚ୍ଛା କରିବ ନାହିଁ । ସେ ଦିନ ଯାଇଛି । ସେ ସ୍ମୃତି ଅତୀତର ଅନ୍ଧକାର ମଧ୍ୟରେ ଲୋପପାଇଛି–ବୃଥାରେ ପିପାଷୁ ପ୍ରାଣଟାକୁ ତିଳ ତିଳ କରି ଜାଳି ମରିବେ ସେ କାହାପାଇଁ ? ସେ କି ତାର ହୃଦୟ କୋଣରେ ତାଙ୍କ ଉଦ୍ଦେଶ୍ୟରେ ଆଉ ତିଳାର୍ଦ୍ଧ ସ୍ଥାନ ଖାଲି ରଖିଥିବ?"

 

ଏଇ ସମୟରେ ଗୋଟାଏ ଶଗଡ଼ ରାସ୍ତାଦେଇ ମନ୍ଥର ଗତିରେ ଯାଉ ଯାଉ ତାଙ୍କରି ଦୁଆର ଆଗରେ ଅଟକି ଗଲା । ସେ ଉଠି ପଡ଼ି ସନ୍ଦିଗ୍‍ଧ ମନରେ ବାହାରକୁ ଗଲେ । ପିଣ୍ଡାରେ ପହଞ୍ଚି ଦେଖିଲେ ଦୁଇ ଜଣ ଲୋକ ରାଜନଙ୍କ ଦୁଇହାତ ଧରି ପାହାଚ ଉପରକୁ ଟେକି ଆଣୁଛନ୍ତି । ସେ ଚମକି ପଡ଼ିଲେ ।

 

ଗଗନଙ୍କୁ ଦେଖିବା ମାତ୍ରେ ରାଜନଙ୍କ ଆଖି ଅଶ୍ରୁପୁର୍ଣ୍ଣ ହୋଇଗଲା । ସେ ବଡ଼ କଷ୍ଟରେ କହି ପକାଇଲେ–‘‘ସବୁ ସରିଛି।’’

 

‘ସରିଛି’ ! ଏକଥା ଗଗନଙ୍କ ହୃଦୟ ଭିତରୁ ପ୍ରତିଧ୍ଵନିତ ହୋଇ ଉଠିଲା । କିନ୍ତୁ ସେ ରାଜନଙ୍କ ଅବସ୍ଥା ଦେଖି ଅତ୍ୟନ୍ତ ମର୍ମାହତ ହୋଇ ପଡ଼ିଲେ ଏବଂ ତାଙ୍କୁ ଘର ଭିତରକୁ ଟେକି ନେଇ ଶୁଶ୍ରୂଷା କରିବାକୁ ଲାଗିଲେ ।

Image

 

କୋଡ଼ିଏ

 

ରାଜନ ଶୁକ୍ରବାର ପ୍ରଭାତରୁ ବାଣପୁର ଆସିବା ପରେ ସେଇଦିନ ଅପରାହ୍ନରେ ବିନୋଦ ସିଂହ ରାଜାଙ୍କ ସଙ୍ଗେ ହରିପୁର ଚାଲିଗଲେ । ଶନିବାର ଦିନସାରା ସେ ହରିପୁରରେ ବଡ଼ ଚିନ୍ତିତ ଭାବରେ ସମୟ ଅତିବାହିତ କରୁଥାନ୍ତି । କୌଣସି କାର୍ଯ୍ୟରେ ମନ ଲାଗୁ ନ ଥାଏ । ପଦ ପଦକେ ସେ ଯେପରି କିଛି ଗୋଟାଏ ବାଧା ପାଉଥାନ୍ତି । ଶେଷରେ ବସି ରହିବା ମଧ୍ୟ ସବୁଠାରୁ ବେଶି ବିରକ୍ତିକର ବୋଧ ହେଲା । ସେ ଦୁର୍ଗ ଛାତ ଉପରେ ଖୋଲାବାୟୁ ସେବନ କରି ଟିକିଏ ଶାନ୍ତି ପାଇବା ପାଇଁ ଉପରକୁ ଉଠି ଆସିଲେ ।

 

ସେତେବେଳକୁ ପ୍ରତିଚୀ ଦିଗ୍‍ବଳୟ ଦେହରେ ସେଦିନର ଶେଷ ଆଲୋକରେଖା କେବଳ ଲେଖା ରହିଥାଏ । ଦୂର ଆକାଶରେ ଦଳ ଦଳ ପକ୍ଷୀ ପବନ ସ୍ରୋତରେ ଭାସି ଯାଉ ଯାଉ କେତେବେଳେ ଅନ୍ତରୀକ୍ଷର ଗାଢ଼ ନୀଳିମା ସଙ୍ଗେ ମିଶି ଯାଉଥାନ୍ତି, କେତେବେଳେ ବା ନୀଳ ପାହାଡ଼ ଦେହରେ ସ୍ଫଟିକ ମାଳପରି କ୍ଷଣକ ପାଇଁ ଝଲସି ଉଠୁଥାନ୍ତି ।

 

ବିନୋଦ ସିଂହ ଛାତ ଉପରେ ପଦଚାରଣ କରି ବେଶ୍ ଶାନ୍ତି ବୋଧ କଲେ । ସେ ଉତ୍ତର ପାଖ ଛାତ କାନ୍ଥି ଉପରେ ଦୁଇ ହାତ ଭରାଦେଇ ଠିଆ ହେଲେ ଚତୁର୍ଦ୍ଦିଗରେ ପ୍ରକୃତିର ପ୍ରଶାନ୍ତ ଦୃଶ୍ୟ ଦେଖିବା ପାଇଁ । କିନ୍ତୁ ତା ପରିବର୍ତ୍ତେ ଗଡ଼ଖାଇ ଆରପାଖେ ଗୋଟାଏ ସାମାନ୍ୟ ଘଟଣା ହଠାତ୍ ତାଙ୍କ ଦୃଷ୍ଟି ଆକର୍ଷଣ କଲା । ସେ ନିର୍ନିମେଷ ନୟନରେ ସେଇଆଡ଼େ ଚାହିଁ ରହିଲେ । ଦେଖିଲେ ଗୋଟାଏ ଲୋକ ଘୋଡ଼ା ଉପରୁ ଓହ୍ଲାଇ କ୍ରମେ ଜଳପୂର୍ଣ୍ଣ ଖାଇ ଭିତରକୁ ପଶି ଆସୁଛି । ବିନୋଦ ଏ ଘଟଣାରେ ବିସ୍ମିତ ହୋଇ ପଡ଼ିଲେ । ଲୋକଟା କି ଉଦ୍ଦେଶ୍ୟରେ ଯେ ଏତେବଡ଼ ଦୁଃସାହସିକ କାର୍ଯ୍ୟ କରୁଛି ସେ ଆଦୌ ଭାବି ପାରିଲେ ନାହିଁ ।

ସେ ସଙ୍ଗେ ସଙ୍ଗେ ଛାତ ଉପରୁ ଓହ୍ଲାଇ ଆସିଲେ । ପାଚେରୀର ଗୋଟିଏ ଚୋରା ଦୁଆର ଦେଇ ସେ ପାଚେରୀ ବାହାରକୁ ଗଲେ ଏବଂ ପାଚେରୀ କଡ଼େ କଡ଼େ ସେଇଆଡ଼େ ଛପି ଛପି ଚାଲିଲେ । ଲୋକଟା ପରିଖାର ଜଳରାଶି ମଧ୍ୟରେ ଅଧାଅଧି ଚାଲି ଆସିଲା ବେଳକୁ ବିନୋଦ ସେଠାରୁ ଅଳ୍ପ ଦୂରରେ ଏକ ଗଛ ଆଢ଼ୁଆଳରେ ଲୁଚି ବସିଲେ । ପ୍ରତି ପଦରେ ଲୋକଟା ଖାଇର ଆବଦ୍ଧ ଜଳର ଦଳ-ଜାଲ ସଙ୍ଗେ ଯୁଦ୍ଧ କରି କରି ଆଗକୁ ଚାଲିଥାଏ । ଶେଷରେ ସେ ବହୁ କଷ୍ଟରେ ଆସି ପାଚେରୀ କଡ଼େ ଉଠିଲା ଏବଂ ସେଠାରୁ କୁମ୍ଭୀର ପରି ଘୋସାରି ହୋଇ ଆସି ଭୂଇଁ ଉପରେ ବସି ପଡ଼ିଲା । ପ୍ରାଣନ୍ତକ ପରିଶ୍ରମରେ ତାର ଛାତିଟା ଯେପରି ଫାଟି ଯାଉଥାଏ, ଶ୍ୱାସ ପ୍ରଶ୍ୱାସ ଭୀଷଣ ବେଗରେ ଚାଲିଥାଏ । ଦେହ ଗୋଟାଯାକ ଦଳ ଏବଂ କାଦୁଅରେ ପୁରି ଯାଇଛି । ତେବେ ସୁଦ୍ଧା ସେ ମୁହୂର୍ତ୍ତକ ପାଇଁ ସେଠାରେ ନିଶ୍ଚିନ୍ତ ହୋଇ ବସି ପାରିଲା ନାହିଁ । ଧରା ପଡ଼ିଯିବା ଭୟରେ ତାର ଆଖି ଦୁଇଟା ପ୍ରଥମେ ଗୋପନ ଆଶ୍ରୟ ଖୋଜି ବୁଲିଲା ।

କମ୍ପିତ ଦେହରେ ଲୋକଟା ଯେତିକି ନିକଟକୁ ଆସୁଥାଏ ବିନୋଦଙ୍କ ହୃତ୍‍କମ୍ପ ସେତିକି ବଢ଼ୁଥାଏ । ଖୁବ୍ ନିକଟକୁ ଆସିବା ଯାଏଁ ମଧ୍ୟ ସେ ତାକୁ ଚିହ୍ନି ପାରିଲେ ନାହିଁ, ଅଥଚ ଶାରୀରିକ ଗଠନରୁ ପରିଚିତ ପରି ଜଣା ପଡ଼ୁଥାଏ । ସେ ଆତ୍ମଗୋପନ କରିବାପାଇଁ ସେଇ ବୃକ୍ଷ ନିକଟକୁ ଆସିବାରୁ ବିନୋଦ ତା ମୁହଁଟା ସ୍ପଷ୍ଟଭାବରେ ଦେଖିବାକୁ ପାଇଲେ । ତାଙ୍କ ଛାତିଟା ଦମ୍ କିନା ଚମକିଗଲା । ସେ ଉଠିପଡ଼ି ଲୋକଟାକୁ କୁଣ୍ଢେଇ ଧରି ପକାଇଲେ । ଭୟ, ଉତ୍‍କଣ୍ଠା ଓ ବିସ୍ମୟରେ କହି ପକାଇଲେ–‘‘ଗଗନ ! ତୁମେ ! ଏଠି ! ଏପରି ଅବସ୍ଥାରେ ?’’

ଗଗନ କୌଣସି ପ୍ରହରୀ ଦ୍ୱାରା ଧୃତ ହୋଇଛନ୍ତି ଭାବି ଚମକି ପଡ଼ିଲେ । କିନ୍ତୁ ଆଗରେ ବିନୋଦଙ୍କୁ ଦେଖି ସେ ଉଦ୍‍ବେଳିତ ହୃଦୟରେ କହି ପକାଇଲେ–‘‘ଦାଦା, ତୁମେ ଏଠାରେ ! ପତ୍ର ମୋହନ ହାତରେ ପଡ଼ିଛି ।’’

କେଉଁ ପତ୍ର ମୋହନ ହାତରେ ପଡ଼ିଚି ଏ କଥା ପଚାରି ବୁଝିବା ବିନୋଦଙ୍କ ପକ୍ଷେ ଆବଶ୍ୟକ ହେଲାନାହିଁ । ‘‘ପତ୍ର ମୋହନ ହାତରେ ପଡ଼ିଛି’’ ଏ ବାକ୍ୟଟା ଯେପରି ବଜ୍ରର ଭୀଷଣତା ନେଇ ତାଙ୍କ କାନ ଭିତରେ ପଶିଗଲା । ଭୁକମ୍ପରେ କୋଠାଘର କମ୍ପିଲା ପରି ତାଙ୍କ ଦେହ ଥରିବାକୁ ଲାଗିଲା । ‘‘ମୋହନ ହାତରେ ପଡ଼ିଛି ?’’ ଏତିକି କହି ସେ କିଛି ସମୟ ଯାଏଁ ନିସ୍ତବ୍‍ଧ ହୋଇ ଠିଆହେଲେ । ଶତଚେଷ୍ଟା ସତ୍ତ୍ୱେ ମୁହଁ ଖୋଲି ଆଉ ପଦେକଥା କହିପାରିଲେ ନାହିଁ । ତାପରେ ଅତି ଅନୁଚ୍ଚ ସ୍ଵରରେ କହିଲେ–‘‘ରାଜନ କାହିଁ ?’’

ଗଗନ କହିଲେ–‘‘ବାଣପୁରରେ ଆମ ଘରଠାରେ ଅଛନ୍ତି । ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି । ତାଙ୍କର ଚିକିତ୍ସାର ବ୍ୟବସ୍ଥା କରିଦେଇ ମୁଁ ଚାଲିଆସିଲି ସଂବାଦଟା ଆପଣଙ୍କୁ ଦେବାପାଇଁ-।’’

ବିନୋଦଙ୍କର ଚିନ୍ତାଶକ୍ତି ସେତେବେଳେ ଆଦୌ ନ ଥିଲା । ସେ କୌଣସି ଉତ୍ତର ନ କରି ଗଗନଙ୍କର ହାତ ଧରି ଚୋରା ଦୁଆର ଦେଇ ଦୁର୍ଗ ଭିତରକୁ ଚାଲିଲେ ।

ନିଜ କୋଠରୀ ଭିତରେ ପହଞ୍ଚି ଦ୍ୱାରରୁଦ୍ଧକରି ବିନୋଦ ପ୍ରଥମେ ଗଗନଙ୍କୁ ବେଶ ପରିବର୍ତ୍ତନ କରିବା ନିମନ୍ତେ ପରିଚ୍ଛଦ ଆଣିଦେଲେ । ତାପରେ ଉଭୟେ ମେଜ ପାଖରେ ଦୁଇଟି ଚଉକିରେ ବସିଲେ । ମେଜ ଉପରେ ଗୋଟିଏ ଆଲୋକ ଖୁବ୍ କ୍ଷୀଣ ଭାବରେ ଜଳୁଥାଏ । ଗଗନ ରାଜନଙ୍କଠାରୁ ଚିଠି ହଜିବା ସମ୍ବନ୍ଧେ ଯାହା ଯାହା ଶୁଣିଥିଲେ ବିଶଦ ଭାବରେ କହିଗଲେ । ବିନୋଦ ଗାଲରେ ହାତ ଦେଇ ସେ ସବୁ କେବଳ ଶୁଣି ଯାଉଥାନ୍ତି । ଶେଷରେ କହିଲେ–‘‘ମୁଁ ଆଗରୁ ଏ ବିଷୟରେ ରାଜନଙ୍କୁ ଖୁବ୍ ସତର୍କ କରିଥିଲି । କିନ୍ତୁ ସେ ମୋ କଥା ଶୁଣିଲେ ନାହିଁ । ଯାହା ହୋଇଛି, ହୋଇ ଯାଇଛି । ବର୍ତ୍ତମାନ ସେମାନେ ଏ ଚିଠି ଆଉ ଉପହାର ନେଇ କଅଣ କରିବେ ବୋଲି ତୁମେ ଭାବୁଛ ?’’

ଗଗନ କହିଲେ,–‘‘ରାଜନଙ୍କଠାରୁ ଶୁଣିଲି କାଲି ସକାଳୁ ରାଜାଙ୍କ ସହିତ ହରିବନ୍ଧୁଙ୍କର କିଛି କଥାବାର୍ତ୍ତା ଅଛି । ହୁଏତ ଏଇ ସୁଯୋଗରେ ସେମାନେ ରାଜାଙ୍କ ଛାମୁରେ ସେ ସବୁ ଉପସ୍ଥାପିତ କରି ସେ ସମ୍ବନ୍ଧେ ସମସ୍ତ କଥା ଜଣାଇ ଦେବେ ?’’

‘‘ହଁ ତା ହୋଇପାରେ, ତେବେ ସେଥିରେ ମୋହନର ବିଶେଷ ଲାଭ କଅଣ ହେବ ?’’

‘‘–ତଦ୍ଦ୍ଵାରା ସମସ୍ତ ରହସ୍ୟ ରାଜା ଅବଗତ ହେବେ । ଆପଣମାନେ ବିପଦରେ ପଡ଼ିବେ-। ରାଣୀଙ୍କୁ ଅଧିକ ନିର୍ଯ୍ୟାତନା ସହ୍ୟ କରିବାକୁ ହେବ ଏବଂ ମୋହନ ରାଜାଙ୍କର ବିଶ୍ଵସ୍ତପାତ୍ର ହୋଇ ଉପଯୁକ୍ତ ପ୍ରତିହିଂସା ନେବ ଓ ସଙ୍ଗେ ସଙ୍ଗେ ନିଜର ଅନ୍ୟ ଉଦ୍ଦେଶ୍ୟ ସାଧନ କରିବ–ଏଇଆ ହୋଇପାରେ । ଆଉ କଅଣ ହେବ ?’’

ବିନୋଦଙ୍କର ଭ୍ରୂଲତା ଦୁଇଟା କୁଞ୍ଚିତ ହୋଇଗଲା । ସେ ଏକ ଲୟରେ ଗଗନଙ୍କ ମୁହଁକୁ ଚାହିଁ ରହି କହିଲେ–‘‘ହୁଁ, ତା ବି ହୋଇପାରେ–ତେବେ ମୋହନ ତ ନିଜେ ରାଜାଙ୍କ ନିକଟକୁ ଆସିବା ପାଇଁ କଦାପି ସାହସ କରିବ ନାହିଁ ।’’

‘‘–ନା, ସେ ଆସିବା ତ ଦରକାର ନାହିଁ । ପ୍ରଥମେ ହରିବନ୍ଧୁଙ୍କ ଦ୍ୱାରା ସେଗୁଡ଼ିକ ରାଜାଙ୍କ ନିକଟକୁ ପଠାଇ ଦେବ ।’’

‘‘–ତାହାହେଲେ ତୁମେ କଅଣ କରିବ ବୋଲି ଭାବୁଛ ?’’

‘‘–ମୋ ଭାବନାରେ ଥାଏ କଅଣ ? ଆପଣ ଚେଷ୍ଟା କରି କାଲି ରାଜାଙ୍କ ସହିତ ହରିବନ୍ଧୁର ସାକ୍ଷାତ କରାଇ ନ ଦେଲେ ଏହା ଭିତରେ ସେ ଦୁଇଟି ଜବତ୍ କରିବା ପାଇଁ ହୁଏତ ଆମେ କୌଣସି ଉପାୟ କରି ପାରିବା ।’’

‘‘–ଦିନ ଗୋଟାକ ଭିତରେ ଆଉ କଅଣ କରିହେବ ?’’

ଗଗନ ଟିକିଏ ବିସ୍ମିତ ହେଲାପରି କହିଲେ–‘‘ଦିନେ କଅଣ କହୁଛନ୍ତି, କିଛିକ୍ଷଣ ମଧ୍ୟରେ ସ୍ଵର୍ଗ ପାତାଳ ଓଲଟାଇ ଦିଆଯାଇ ପାରେ ।’’

‘‘–କିନ୍ତୁ ଯେ କୌଣସି ପ୍ରକାରେ ହେଉନା କାହିଁକି, କାଲି ହରିବନ୍ଧୁଙ୍କୁ ରାଜାଙ୍କଠାରୁ ଅଲଗା କରି ରଖି ହେବ ନାହିଁ । ରାଜା ତାଙ୍କଠାରୁ ଅଶ୍ୱଶାସ୍ତ୍ର ସମ୍ବନ୍ଧେ କିଛି ଶିକ୍ଷା କରିବା ପାଇଁ ବଡ଼ ଉଦ୍‍ବିଗ୍ନ ହୋଇ ପଡ଼ିଛନ୍ତି ।’’

ଗଗନଙ୍କ ମୁହଁଟା ଏକବାରେ କଳା ପଡ଼ିଗଲା । ସେ କହିଲେ, ‘‘ତେବେ ଉପାୟ ?’’

ବିନୋଦ ନୀରବ ରହିଲେ ।

Image

 

ଏକୋଇଶ

 

ପରଦିନ ବେଳ ପ୍ରାୟ ଛ' ଘଡ଼ି ହେବ । ହରିପୁର ସିଂହଦ୍ଵାରେ ଛାମୁ ପାଇକ ବିଜୟ ବିଷୋଇ ଠିଆ ହୋଇ ଦ୍ୱାରପାଳ ଦୁହିଁଙ୍କ ସଙ୍ଗେ ଦୁଃଖସୁଖ କଥାବାର୍ତ୍ତା ହେଉଥାଏ । ଏଇ ସମୟରେ ଖଣ୍ଡେ ଦୂରରୁ ଅଶ୍ଵ ଗତିର ଶବ୍ଦ ତା କାନରେ ପଡ଼ିଲା । ସେ ଦାଣ୍ଡ ମଝିକୁ ଚାଲିଆସି ଦେଖିଲା ହରିବନ୍ଧୁ ବେବର୍ତ୍ତା ଘୋଡ଼ା ଉପରେ ଆସୁଛନ୍ତି । ସେ ତାର ଦୀର୍ଘ ଭାଲିକୁ କାନ୍ଧରେ ରଖି ବେବର୍ତ୍ତାଙ୍କୁ ଗୋଟାଏ ଲମ୍ବା ଦଣ୍ଡବତ ପକାଇଲା ଏବଂ ଘୋଡ଼ା ନିକଟକୁ ଆସି ଆଗ ପଛକୁ ଚାହିଁବାକୁ ଲାଗିଲା, ସତେ ଯେପରି ସେ ବେବର୍ତ୍ତାଙ୍କୁ ଏକୁଟିଆ ପାଇଲେ କେତେଗୁଡ଼ାଏ ଗୁପ୍ତ ସମ୍ବାଦ ତାଙ୍କ କାନରେ କହି ପକାଇବ । ବେବର୍ତ୍ତେ ମଧ୍ୟ ବିଜୟର ହାବଭାବ ଦେଖି ତାର ଉଦ୍ଦେଶ୍ୟଟା କେତେକ ପରିମାଣରେ ଠଉରେଇ ପାରିଲେ । ସେ ଘୋଡ଼ାରୁ ଓହ୍ଲେଇ ବିଜୟକୁ ପଚାରିଲେ,–‘‘କି ବିଜୟ, ଆଗ ପଛକୁ ଏତେ ଚାହୁଁଛୁ କାହିଁକି ?’’

 

ବିଜୟ କାନ୍ଧର ଭାଲି ଉପରେ ହିଁ ଦୁଇହାତ ଯୋଡ଼ି କହିଲା–‘‘ହଜୁର, ଶୁଣିଲି ଆପଣ ଏହିକ୍ଷଣି ଛାମୁକୁ ଯିବେ । ଆପଣଙ୍କ ଅନ୍ନପାଣିରେ ଗରିବର ପେଟ ବେଳେବେଳେ ଥଣ୍ଡା ହୁଏ ବୋଲି ଗୋଟାଏ କଥା ଜଣା କରି ଦେବାକୁ ଆସିଲି ।’’

 

ବିଜୟର କଥା ଶୁଣି କାହିଁକି କେଜାଣି ହରିବନ୍ଧୁ ଟିକିଏ ଶଙ୍କିତ ହୋଇ ପଡ଼ିଲେ, ଅଥଚ ଆଗ୍ରହାନ୍ୱିତ ହୋଇ ପଚାରିଲେ–‘‘କଅଣ, କଥା କଅଣ କହୁନୁ ?’’

 

ବିଜୟ କହିଲା–‘‘ହଜୁର, ଆଉ କିଛି ନୁହେଁ । ଆଜି ଶ୍ରୀହଜୁର ଭାରି କୋପ ହୋଇ ଅଛନ୍ତି । ଶ୍ରୀହଜୁରରେ ଦେଖା କଲାବେଳେ ଟିକିଏ ଦେଖି ଚାହିଁ ଚଳିବେ ।’’

 

ହରିବନ୍ଧୁଙ୍କ ମୁହଁଟା ସାମାନ୍ୟ ବେରଙ୍ଗିଆ ହୋଇଗଲା । ସେ ପଚାରିଲେ–‘‘କାହିଁକି ? କୋପର କାରଣ ?’’

 

ବିଜୟ ମୁଡ଼ିକିହସା ଦେଇ କହିଲା–‘‘ଛାମୁଙ୍କ ମଥାରେ ଆଜି ଗୋଟେ ଧଳା ବାଳ ଦେଖାଗଲା । ସେଇଥିକି ଦୋଷ ହୋଇଛି ରାଜ୍ୟ ଯାକର । ସମସ୍ତଙ୍କ ଉପରେ ଆଜି ଖପା ହୋଇଛନ୍ତି ।’’

 

ହରିବନ୍ଧୁ ଏ କଥାରେ ନ ହସି ରହି ପାରିଲେ ନାହିଁ । ସେ କିଛି ସମୟ ଯାଏ କଣ ମନେ ମନେ ବିଚାରି କହିଲେ–‘‘ଯାହା ହୋଇଛି ତ ହୋଇଛି–ତୁ ଟିକିଏ ଯାଇ ଜଣା କରିଦେଲୁ ।’’

 

କଥାଟା ତାଙ୍କ ତୁଣ୍ଡରୁ ବାହାରିଛି କି ନାହିଁ ବିଜୟ ଭିତରକୁ ଚାଲିଗଲା । ହରିବନ୍ଧୁ ଘୋଡ଼ାଟାକୁ ଛାଇରେ ବାନ୍ଧି ଦେବାପାଇଁ ଦୁଆରୀକୁ କହି ସିଂହଦୁଆରେ ଅପେକ୍ଷା କରି ରହିଲେ । କିଛି ସମୟ ପରେ ବିଜୟ ଫେରି ଆସି କହିଲା–‘‘ଛାମୁ ରଙ୍ଗମହଲା ତଳ କୋଠରୀରେ ବିଜେ କରିଛନ୍ତି । ବଡ଼ ଅଭିମାନିଆ ହେଲାପରି ଶ୍ରୀମୁଖ ଶୁଖିଯାଇଛି । ହେଲେ, ଆପଣ ଆସିଛନ୍ତି ଶୁଣି ସଙ୍ଗେ ସଙ୍ଗେ ଡାକି ଆଣିବାକୁ ହୁକୁମ୍ କଲେ ।’’

 

ହରିବନ୍ଧୁଙ୍କ ହୃଦୟ ସାଗରରେ ଗୋଟାଏ ପୁନିଅଁରଜୁଆର ଖେଳିଗଲା । ସେ ହସ ହସ ହୋଇ ତରତରରେ ଭିତରକୁ ଚାଲିଲେ ।

 

ଆଗରେ ବିଜୟ ବାଟ ଦେଖାଇଲା ଭଳି ତଡ଼େଇ ତଡ଼େଇ ଚାଲିଥାଏ । ହରିବନ୍ଧୁ ଯାଉ ଯାଉ ବିଜୟକୁ ପଚାରିଲେ–‘‘ଛାମୁଙ୍କ ପାଖରେ ଆଉ କିଏ ଅଛି ?’’

 

ବିଜୟ ମଧ୍ୟ ଚାଲୁ ଚାଲୁ ଉତ୍ତର ଦେଲା–‘‘ନା, ଆଉ କେହି ନାହାନ୍ତି । ଛାମୁ କଣ ଆଜି କାହାକୁ ପାଖରେ ପୁରେଇ ଦେଉଛନ୍ତି ? ଦିବାନଙ୍କୁ ତ କୁକୁର ଘେଉଡ଼ା କରିଦେଲେ ।"

 

ଏକଥା ଶୁଣି ହରିବନ୍ଧୁଙ୍କୁ ଧରାଟା ସରାପରି ଜଣାଗଲା । ରାଜାଙ୍କ ନିକଟରେ ବିନୋଦଙ୍କଠାରୁ ତାଙ୍କର ଆସନ ଏବଂ ପ୍ରତିପତ୍ତି ଯେ ଖୁବ୍ ବେଶି ଏ ଧାରଣାଟା ତାଙ୍କର ବଦ୍ଧମୂଳ ହୋଇ ଆସିଲା ।

 

ରଙ୍ଗମହଲର ତଳ କୋଠରୀ ଦ୍ୱାର ଅଳ୍ପ ମେଲାଥିଲା । ବିଜୟ ଯାଇ ସେଇଠାରେ ଠିଆହେଲା ଏବଂ ହରିବନ୍ଧୁ ଭିତରକୁ ପଶିଗଲେ । ଦେଖିଲେ, ବାସ୍ତବିକ ରାଜା ଭାରି ବିମର୍ଷ ଭାବରେ ଗୋଟାଏ ଅନ୍ଧାରିଆ ସ୍ଥାନରେ ବସିଛନ୍ତି । ପଛରେ ଗୋଟାଏ ପରଦା ଝୁଲୁଛି । ପରଦାର ଅଧେ ଛାଇ ତାଙ୍କରି ଉପରେ ପଡ଼ିଛି । ହରିବନ୍ଧୁ ଅଭିବାଦନ କରି ଠିଆହେଲେ ।

 

ହରିବନ୍ଧୁଙ୍କୁ ଦେଖି ରାଜାଙ୍କର ସବୁ ଗାମ୍ଭୀର୍ଯ୍ୟ, ସୂର୍ଯ୍ୟ କିରଣରେ କୁହୁଡ଼ି ପରି କେଉଁଆଡ଼େ ଉଭେଇ ଗଲା । ସେ ଆଦର ସହକାରେ ତାଙ୍କୁ ବସିବା ପାଇଁ ପଞ୍ଜର ପାଖେ ଗୋଟାଏ ଆସନ ଦେଖେଇ ଦେଇ କହିଲେ–‘‘ମୁଁ ଆଜି ଆପଣଙ୍କ ସଙ୍ଗେ ସାକ୍ଷାତ୍ କରିବା ପାଇଁ ବଡ଼ ଉତ୍କଣ୍ଠିତ ହୋଇ ପଡ଼ିଛି ।’’

 

ରାଜାଙ୍କ ତୁଣ୍ଡରେ ଏପରି କଥା ଶୁଣି ହରିବନ୍ଧୁ ନିଜକୁ ଆହୁରି ସାତତାଳ ଉଚ୍ଚ ମନେକଲେ । ସେ କୃତଜ୍ଞତା ପ୍ରକାଶର ସଙ୍କେତ ରୂପେ ଦୁଇହାତ ମଳୁ ମଳୁ ଦରହସିତ ମୁଖରେ କହିଲେ–‘‘ହେଃ, ଅଧୀନର ସେଇଟା ଅତିରିକ୍ତ ସୌଭାଗ୍ୟର ବିଷୟ । ଅଧୀନ ମଧ୍ୟ ଛାମୁରେ ଗୋଟାଏ ବଡ଼ ଜରୁରୀ କଥା ଜଣା କରିବା ପାଇଁ ବ୍ୟତିବ୍ୟସ୍ତ ହୋଇ ଧାଇଁଛି !’’

 

ରାଜା ଆସନ ଉପରେ ଆଉଜି ବସିରହି କହିଲେ–‘‘ସେଇ ଅଶ୍ୱଶାସ୍ତ୍ର ବିଷୟ ନା ?’’

 

ହରିବନ୍ଧୁଙ୍କ ହାତ ମନ୍ଥାଟା କ୍ରମେ କ୍ଷିପ୍ରତର ଗତିରେ ଚାଲିବାକୁ ଲାଗିଲା । ପାଟିଟା ସେଇପରି ଭାବରେ ଅଧା ଓସାରି ହୋଇଥାଏ, କହିଲେ–‘‘ନାହିଁ, ହଜୁରୁ ଆଉ ଗୋଟାଏ କଥା ।’’

 

ରାଜାଙ୍କ ସ୍ଵରଟା ସେତେବେଳେ ଯେପରି ତରଳ କୋମଳ ଭାବରେ ଭରିଯାଇ ଥାଏ । କହିଲେ–‘‘ହଁ, ‘ଆଉ ଗୋଟାଏ କଥା ଥିଲେ ପରେ କହିବ । ମୁଁ ପ୍ରଥମେ ଅଶ୍ୱଶାସ୍ତ୍ରର ଗୋଟିଏ ଗୁପ୍ତ ତଥ୍ୟନେଇ ପ୍ରଶ୍ନ କରିବି ।’’

 

କ୍ଷଣକେ ହରିବନ୍ଧୁଙ୍କ ଦଶପଣିଆ ହସଟା ଗାଲ ଭିତରେ ଲୁଚିଗଲା । ସେ ଭ୍ରୂଲତା ଦୁଇଟା ଟେକି ଦେଇ ଧୀର ଗଳାରେ ପଚାରିଲେ–‘‘ବିନୋଦ ସିଂହ ଛାମୁକୁ ଏବେ ଆସିବେ ?’’

 

‘‘ହଁ, କିଛି ସମୟ ପରେ ଆସିବେ । ମୁଁ ତାଙ୍କୁ ଅନ୍ୟ କାର୍ଯ୍ୟରେ ପଠେଇଛି ।" ଏକଥା ଶୁଣି ହରିବନ୍ଧୁ ନିଜ କାମଟା ଆଗ ହାସଲ କରିଦେବା ପାଇଁ ବ୍ୟଗ୍ର ହୋଇ ଉଠିଲେ ଏବଂ ଦୁଇ ହାତ ଯୋଡ଼ି କହିଲେ–‘‘କିନ୍ତୁ ଅଧୀନର ଗୋଟାଏ ବଡ଼ ଜରୁରୀ କଥା ଛାମୁରେ ଜଣାକରିବାର ଅଛି ।’’

 

ରାଜା କହିଲେ–‘‘ହଁ, ତୁମର ଗୁପ୍ତକଥା ଜରୁରୀ କଥା ଅଛି, କହିବ । ଏଡ଼େ ତର ତର କାହିଁକି ? ଆମ ଗୁପ୍ତକଥା ଆଗ ସରୁ ।’’

 

ମାତ୍ର ରାଜାଙ୍କ କଥାଗୁଡ଼ାକ ହରିବନ୍ଧୁଙ୍କ କାନରେ ଆଦୌ ପଶିଲା ନାହିଁ । ସେ ନିଦରେ ବାଉଳି ହେଲା ପରି କହି ଉଠିଲେ–‘‘ମୋର ଭାଇ ମୋହନ ଗୋଟାଏ ବଡ଼ ଗୁରୁତର ସମ୍ବାଦ ପଠେଇଛି ।’’

 

ମୋହନ ନାମ ଶୁଣିବା ମାତ୍ରେ ରାଜାଙ୍କର ଗତ ମୁହୂର୍ତ୍ତର ଆଦର ଅଭ୍ୟର୍ଥନା କେଉଁଆଡ଼େ ଉଭେଇ ଗଲା । ମୁହଁଟା ଆରକ୍ତ ଦେଖାଗଲା । ସେ ଆସନର ଦୁଇ ବାହା ଉପରେ ଭରାଦେଇ ବିରକ୍ତିପୂର୍ଣ୍ଣ ସ୍ଵରରେ କହିଲେ–‘‘ନା ନା, ସେକଥା ମୁଁ ମୋଟେ ଶୁଣିବିନି । ତୁମକୁ ସେକଥା ମୋ ଆଗରେ କହିବାକୁ ବି ଦେବିନି !’’

 

ହରିବନ୍ଧୁଙ୍କ ଉତ୍ତେଜନା ସ୍ରୋତରେ ଏକାବାରେ ଭଟ୍ଟା ପଡ଼ିଗଲା । ତେବେ ସୁଦ୍ଧା ସେ ଦ୍ୱିତୀୟ ଥର ପାଇଁ ସାହସ ବାନ୍ଧି କହିଲେ–‘‘କ୍ଷମା କରନ୍ତୁ, ସେଥିରେ ମହାରାଜାଙ୍କ ବିପକ୍ଷରେ ଗୋଟାଏ ଷଡ୍‍ଯନ୍ତ୍ରର ପ୍ରମାଣ ମିଳୁଛି ।’’

 

ଏଥର ହରିବନ୍ଧୁଙ୍କର ଜୟ ହେଲା । ରାଜା ଷଡ୍‍ଯନ୍ତ୍ର କଥା ଶୁଣି ମନ୍ତ୍ରମୁଗ୍‍ଧ ସର୍ପ ପରି ଏକବାରେ ଦବିଗଲେ । ତାଙ୍କର ପ୍ରଶସ୍ତ ଆରକ୍ତ କପାଳଟା ସଙ୍କୁଚିତ ହୋଇପଡ଼ିଲା । ସେ ବିସ୍ମିତ ହେଲାପରି ପଚାରିଲେ–‘‘ଷଡ୍‍ଯନ୍ତ୍ର ? କାହାଦ୍ୱାରା ?’’

 

ଏ ସୁଯୋଗରେ ହରିବନ୍ଧୁ ସବୁଗୁଡ଼ାକ କଥା ଗୋଟାଏ ବାକ୍ୟରେ କହିଦେଇ ଶେଷ କରିବା ପାଇଁ ଉଦ୍‍ଗ୍ରୀବ ହୋଇ ଉଠିଲେ । କିନ୍ତୁ ଗତ ଅଭିଷେକ ବେଳେ ଯେଉଁ କାରସାଦି ହୋଇଥିଲା ସେ କଥା ଆଗ କହିବେ, କି ଏବର ଉପହାର କଥା ଆଗ କହିବେ ହଠାତ୍ ଠିକ୍ କରି ପାରିଲେ ନାହିଁ । ଢୋକ ଗିଳୁ ଗିଳୁ କହିଲେ–‘‘ଯେଉଁମାନେ ଛାମୁଙ୍କର ଅତ୍ୟନ୍ତ ବିଶ୍ୱାସର ପାତ୍ର, ଯେଉଁମାନେ ରାଜଦ୍ୱାରରେ ସବୁଠାରୁ ବେଶି ଅନୁଗୃହୀତ ସେଇମାନଙ୍କ ଦ୍ୱାରା ।’’

 

‘‘–ବୁଝି ପାରିଲି ନାହିଁ । କିଏ ସେମାନେ ?’’

 

‘‘–ନାମ କହିବାକୁ ସାହସ ହେଉନାହିଁ । କହିଲେ ଛାମୁ ଅଧୀନର କଥା ବିଶ୍ୱାସ କରିପାରିବେ ନାହିଁ ।’’

 

‘‘–ତେବେ ବିଶ୍ୱାସ କରିବାର ଅନ୍ୟ ଉପାୟ ?’’

 

‘‘–ଉପଯୁକ୍ତ ପ୍ରମାଣ ଅଛି ।’’

 

‘‘କି ପ୍ରମାଣ, କାହିଁ ?’’ କ୍ରମେ ରାଜା ଉତ୍ତେଜିତ ହୋଇ ଉଠିଲେ ।

 

‘‘–ହଜୁର, ଖଣ୍ଡିଏ ଚିଠିଅଛି । ତାହା ସବୁ ବିଷୟର ଉପଯୁକ୍ତ ପ୍ରମାଣ ଦେବ ।’’

 

ରାଜା ବାମ ହାତଟା ଆଗକୁ ବଢ଼େଇ ଦେଇ କହିଲେ–‘‘କାହିଁ ସେ ଚିଠି ? ଦିଅ ଶୀଘ୍ର, ଦାଦା ଆସିପାରନ୍ତି ।’’

–‘‘କିନ୍ତୁ, ଅଧୀନଠାରେ ତାର ଗୋଟିଏ ପ୍ରତିଲିପି ଅଛି ମାତ୍ର ।’’

 

‘‘ଓହୋ, ପ୍ରତିଲିପିଟାଏ ମାତ୍ର’’–କହି ରାଜା ଆସନ ଉପରକୁ ପୁଣି ଆଉଜି ପଡ଼ିଲେ । ତାଙ୍କର ସମସ୍ତ ଉତ୍ସାହ କ୍ଷଣକ ମଧ୍ୟରେ ମରିଗଲା ।

 

ହରିବନ୍ଧୁ କହିଲେ–‘‘ଅସଲ ମୂଳ ଲେଖା ମୋହନଠାରେ ଅଛି । ଆଦେଶ ହେଲେ ସେ ନିଜେ ଧରି ଛାମୁକୁ ଆସିବ । ତାହା ଗୋଟାଏ ‘ପ୍ରେମ–ପତ୍ର’ ।’’

 

ରାଜା ଚମକି ପଡ଼ିଲେ । ଶିରାରେ ଶିରାରେ ତାଙ୍କର ବିଦ୍ୟୁତ୍ ଚମକି ଖେଳିଗଲା । ମୁହଁଟା ବର୍ଷଣମୂଖୀ ମେଘପରି ଗମ୍ଭୀର ହୋଇଗଲା । କହିଲେ–‘‘ପ୍ରେମପତ୍ର ? କାହାର–ରାଣୀଙ୍କର-?’’

 

ହରିବନ୍ଧୁଙ୍କ ନିଜ ତଣ୍ଟିଟା ଚିପି ହୋଇଗଲା ପରି ବୋଧହେଲା ସେ ଥରି ଉଠିଲେ । ପ୍ରେମପତ୍ର ରାଣୀଙ୍କର, ଏକଥା ସେ ନିଜ ମୁଖରେ କହିବା ପାଇଁ ଆଦୌ ସାହାସ କଲେ ନାହିଁ । କହିଲେ–‘‘ଆଜ୍ଞା, ତାହା ଗଗନଙ୍କ ନିକଟକୁ ଲେଖାଯାଇଛି ।’’

 

ଆଖି ପଲକରେ ରାଜାଙ୍କ ପ୍ରାଣରେ ଯେଉଁ ଝଡ଼ ତୋଫାନର ସୃଷ୍ଟି ହୋଇଗଲା, ଅନ୍ୟ ସମୟ ହୋଇଥିଲେ ବୋଧହୁଏ ସେ ତାହା ଆଦୌ ସହ୍ୟ କରି ପାରି ନଥାନ୍ତେ । କିନ୍ତୁ ଚିଠି ନ ଦେଖିଲା ପର୍ଯ୍ୟନ୍ତ ସେ ଏ କଥାଟା ଆଦୌ ବିଶ୍ଵାସ କରି ପାରିଲେ ନାହିଁ । ଛାତିଟାକୁ ଚିପିଧରି କମ୍ପିତ ଅଧରରେ ଧୀରେ ଧୀରେ କହିଲେ–‘‘କାହିଁ ସେ ପ୍ରତିଲିପି–ଦିଅ, ଦିଅ–ମୁଁ ଦେଖିନିଏ ଆଗ।’’

 

ହରିବନ୍ଧୁଙ୍କ ରକ୍ତ ମଧ୍ୟ ସେତେବେଳକୁ ଉତ୍ତପ୍ତ ହୋଇ ଉଠିଥିଲା । ସେ ଚଞ୍ଚଳ ଚଞ୍ଚଳ କୁରୁତା ଫିଟେଇ ନକଲଟି ବାହାର କରିବାରେ ଲାଗିଲେ । ବାହାର ଆଲୋକରେ ତାଙ୍କର କଟିବଦ୍ଧ ଛୁରୀଟା ଚକ୍‍ଚକ୍ କରି ଉଠିଲା । ସେ ଅଣ୍ଟାରୁ ଘେରାଏ ପତଳା ଲୁଗା ଫିଟାଇ ଚିଠିଟି ବାହାର କଲେ ।

 

ଏଣେ ରାଜା ଏତେଦୂର ବିଚଳିତ ହୋଇ ପଡ଼ିଥିଲେ ଯେ, ହରିବନ୍ଧୁଙ୍କ ଚିଠି ବାହାର କରିବା ସମୟତକ ମଧ୍ୟ ତାଙ୍କୁ ଗୋଟାଏ ଯୁଗପରି ବୋଧ ହେଲା । ଚିଠିଟା ବାହାରକୁ ଦିଶିବା ମାତ୍ରେ ସେ ଟାଣି ନେବା ପାଇଁ ଆଗକୁ ଝାଙ୍କି ପଡ଼ିଲେ । ପଞ୍ଜର ଦେଇ ପଡ଼ୁଥିବା ଆଲୋକରେ ତାଙ୍କର ଆରକ୍ତ ମୁଖମଣ୍ଡଳ ସ୍ପଷ୍ଟ ଦିଶିଗଲା । ଠିକ୍ ଏଇ ସମୟରେ ହରିବନ୍ଧୁ ଚିଠିଟା ବଢ଼େଇ ଦେଉ ଦେଉ ଆଲୋକରେ ରାଜାଙ୍କ ମୁହଁଟା ଦେଖି ଚିତ୍କାର କରି ଉଠିଲେ । ହାତଟାକୁ ଜୋରରେ ଟାଣି ଆଣି ସେ ପଛକୁ ଡେଇଁ ପଡ଼ିଲେ ଏବଂ ଆଖି ପଲକରେ ଛୁରୀଟାକୁ ଅଣ୍ଟାରୁ ଟାଣି ଆଣି କହି ଉଠିଲେ–‘‘ଏଁ ଗଗନ, ଗଗନ !’’

 

ଗଗନ ଆଦିତ୍ୟଙ୍କ ଭୂମିକାରେ ଖୁବ୍ ଦକ୍ଷତା ସହକାରେ ଅଭିନୟ କରି ଆସିଥିଲେ ମଧ୍ୟ ଶେଷକୁ ଧରା ପଡ଼ିଗଲେ । ପରମୁହୂର୍ତ୍ତରେ ହୁଏତ ହରିବନ୍ଧୁଙ୍କ ଛୁରୀକା ଘାତରେ ସେ ଗୋଟାଏ ରକ୍ତାକ୍ତ ଶବରେ ପରିଣତ ହୋଇଥାନ୍ତେ । କିନ୍ତୁ ଛୁରୀର ତୀକ୍ଷ୍‍ଣଧାର ତାଙ୍କ ବକ୍ଷ ଦେଶର ନିକଟବର୍ତ୍ତୀ ହେବା ଆଗରୁ ଗୋଟାଏ ଶାଣିତ ଖଡ଼୍‍ଗର ଅଗ୍ରଭାଗ ହରିବନ୍ଧୁଙ୍କ ବକ୍ଷକୁ ଲକ୍ଷ୍ୟକରି ଦେଖାଗଲା । ତାଙ୍କ ଛୁରୀର ଗତି ସେଇଠାରେ ବନ୍ଦ, ହରିବନ୍ଧୁ ଦେଖିଲେ ସମ୍ମୁଖରେ କରାଳ ମୂର୍ତ୍ତି ବିନୋଦ ସିଂହ ସ୍ୱୟଂ । ଝଡ଼ ତୋଫାନ ପରେ ବୃକ୍ଷଲତା ପରି ସେ ସେଇଠାରେ ନିଶ୍ଚଳ ହୋଇ ଠିଆହୋଇ ରହିଲେ–ଛାତିର କମ୍ପନ, ଆଖିର ଡୋଳା ପର୍ଯ୍ୟନ୍ତ ଅଚଞ୍ଚଳ । ତାପରେ ଧୀରେ ଧୀରେ ଛୁରୀ ସହ ତାଙ୍କର ହାତଟା ତଳକୁ ଖସି ଯାଇ ଦେହ ସହିତ ଲମ୍ବି ରହିଲା ।

 

ଗଗନ ପାଖରେ ଠିଆହୋଇ ହରିବନ୍ଧୁଙ୍କ ରକ୍ତହୀନ ମୁଖର ବିକୃତ ଭାବଭଙ୍ଗି ଦେଖୁ ଦେଖୁ ଆମୋଦ ବୋଧ କରୁଥାନ୍ତି । ସେ ଆସ୍ତେ ଆସ୍ତେ ତାଙ୍କ ହାତରୁ ଛୁରୀ ଓ ଚିଠି ବାହାର କରିନେଲେ । ତେବେ ସୁଦ୍ଧା ହରିବନ୍ଧୁ କାଠ କୁଣ୍ଢେଇ ପରି ନୀରବ–ନିଶ୍ଚଳ ।

 

ବିନୋଦ ମୁକ୍ତ ଅସିକୁ ସେଇପରି ଭାବରେ ଧରି ରଖି ହରିବନ୍ଧୁଙ୍କୁ ପଚାରିଲେ–‘‘ମହାଶୟ, ଆପଣ ବୋଧହୁଏ ମୋହନ ଭାଇଙ୍କ ପ୍ରରୋଚନାରେ ଚଳନ୍ତା ଚକରେ ହାତ ପୂରେଇଛନ୍ତି । ଆଚ୍ଛା କହନ୍ତୁ ଦେଖି, ବର୍ତ୍ତମାନ ଆପଣଙ୍କର ସେ ସଦାଶୟ ଭାଇ କେଉଁଠାରେ ଅଛନ୍ତି ?’’

 

ଗଗନ କେତେବେଳେ ଯେ ବାଣପୁରରୁ ଆସି ଏଠାରେ ଆଦିତ୍ୟଙ୍କ ବେଶ ଧାରଣ କଲେ, ସେକଥା ଭାବି ହରିବନ୍ଧୁ ଚମତ୍କୃତ ହୋଇ ଠିଆ ହୋଇଥାନ୍ତି । ତାଙ୍କୁ ବେଶି ଆଶ୍ଚର୍ଯ୍ୟ ବୋଧ ହେଉଥାଏ, ଗଗନଙ୍କର ଅବିକଳ ରାଜାଙ୍କ ପରି ଅଭିନୟ, ବିନୋଦଙ୍କର କୌଶଳ ଏବଂ ବିଜୟର ଧୂର୍ତ୍ତତା । ବିନୋଦଙ୍କ ପ୍ରଶ୍ନ ସତ୍ତ୍ୱେ ସେ ନୀରବରେ ଠିଆ ହୋଇ ରହିଲେ ।

 

ବିନୋଦ ପୁଣି କଣ କହିବାକୁ ଯାଉଛନ୍ତି, ଏଇ ସମୟରେ ବାହାରୁ କବାଟ ଉପରେ ଆଘାତ ଶୁଣାଗଲା । ବିଜୟ ବାହାରୁ କହୁଛି–‘‘ଆଜ୍ଞା ଛାମୁଙ୍କର ମଣୋହି ସରିଛି । ବେବର୍ତ୍ତେ ଆସିଥିବା କଥା ଶୁଣି ତାଙ୍କୁ ଖୋଜି ଖୋଜି ଛାମୁ ଏଇଆଡ଼େ ବିଜେ କରୁଛନ୍ତି ।’’

 

ଏପରି ଆକସ୍ମିକ ଘଟଣାରେ କଣ କରିବାକୁ ହେବ, ବିନୋଦ ଠିକ୍ କରିପାରିଲେ ନାହିଁ-। ସେ ତରବାରିଟା ଟେକି ଧରି ତରତରରେ ହରିବନ୍ଧୁଙ୍କୁ କହିଲେ–‘‘ଏଇ ମୁହୂର୍ତ୍ତକ ପରେ ତୁମ ସହିତ ଆମର ପୁଣି ଦେଖାହେବ । କିନ୍ତୁ ଏଇକ୍ଷଣି ତୁମେ ଯେତେବେଳେ ରାଜାଙ୍କ ସହିତ ଦେଖା କରିବାକୁ ଯାଉଛ, ଆଗରୁ କହି ରଖୁଛି, ଏ ଘଟଣା ସମ୍ବନ୍ଧେ, ଏ ଚିଠି ସମ୍ବନ୍ଧେ, ଏ ଭଦ୍ରବ୍ୟକ୍ତିଙ୍କ ସମ୍ବନ୍ଧେ ପ୍ରତ୍ୟେକ ବିନ୍ଦୁ–ବିସର୍ଗ ଏଇ ମୁହୂର୍ତ୍ତରେ ଭୁଲିଯାଅ । ରାଜାଙ୍କୁ ସାକ୍ଷାତ୍ କଲାବେଳେ ମୁଁ କିମ୍ବା ବିଜୟ ସେଠାରେ ନିଶ୍ଚୟ ଥିବୁ । ଯଦି ଛାମୁରେ ଏ ବିଷୟରେ ଏକ ଶବ୍ଦ ନାମ ମାତ୍ର ସଙ୍କେତ, ସାମାନ୍ୟ ଅଭିନୟ ବା ଲକ୍ଷଣ ପ୍ରକାଶ କର, କହ ବା ଦେଖାଅ, ତେବେ ସେଇ ପଲକରେ ତୁମର ତପ୍ତ ଶୋଣିତରେ ଧରାତଳ ରଞ୍ଜିତ ହେବ । ପରେ ଫଳାଫଳ ଯାହାହେଉ-।’’ ତେବେ ସୁଦ୍ଧା ହରିବନ୍ଧୁ ନିରୁତ୍ତର ଏବଂ ଅଚଞ୍ଚଳ ।

 

ବିନୋଦ ଗଗନଙ୍କୁ ଚାହିଁ କହିଲେ–‘‘ତୁମେ ପରଦା ଭିତରକୁ ଚାଲିଯାଅ । ଯଦି ବିପଦର କୌଣସି ସଙ୍କେତ ପାଅ, ତେବେ ସିଡ଼ି ଦେଇ ଉପରକୁ ଉଠିଯିବ । ତାପରେ ତୁମେ ଜାଣ ଯେ ସୁଡ଼ଙ୍ଗ ପଥଦେଇ କିପରି ଯିବାକୁ ହେବ ।’’

 

ଗଗନ ଚିଠି ଧରି ଭିତରକୁ ପଶିଗଲେ । ସଙ୍ଗେ ସଙ୍ଗେ ବାହାରେ ପଦଶବ୍ଦ ସହ ଆଦିତ୍ୟଙ୍କ ଗର୍ଜ୍ଜନ ଶୁଭିଲା–‘‘ମୋତେ ବୋଧହୁଏ ଆଜି ରାଜ୍ୟସାରା ବୁଲିବାକୁ ହେବ ।’’

 

ବିନୋଦ ଏ ଗର୍ଜ୍ଜନ ଶୁଣି ଖଣ୍ଡାକୁ ଖୋଳ ମଧ୍ୟରେ ରଖୁ ରଖୁ ବିଜୟ କବାଟଟା ଖୋଲିଦେଲା । ଆଦିତ୍ୟ ଘର ଭିତରକୁ ପଶି ଆସିଲେ । ସେ ହରିବନ୍ଧୁଙ୍କୁ ଚାହିଁ ବିରକ୍ତିପୂର୍ଣ୍ଣ ସ୍ଵରରେ କହିବାକୁ ଲାଗିଲେ–‘‘କି ବେବର୍ତ୍ତେ; ଏଣିକି ତୁମ ସଙ୍ଗେ ଦେଖାପାଇବାକୁ ହେଲେ ଆଗରୁ ମୋର ଗୋଡ଼ହାତକୁ ବେଶ୍ ପ୍ରସ୍ତୁତ ରହିବାକୁ ହେବ, ନୁହେଁ?’’

 

ହରିବନ୍ଧୁଙ୍କ ପକ୍ଷେ ଏହା ଚଡ଼କ ଉପରେ ପୁଣି ଏକ ଟଣକର ଘାଆ । ଆଦିତ୍ୟଙ୍କର କୋପାଗ୍ନିର ଶିଖା ଯେ କେତେ ଉପରକୁ ଉଠେ, ସେ ଜାଣନ୍ତି । ତେଣୁ ରାଜାଙ୍କର କ୍ରୋଧ ଦେଖି ସେ ଲଇଁ ସଇଁ ପ୍ରଣିପାତ କରି ଠିଆ ହେଲେ । ବିପଦ ଉପରେ ବିପଦ ପଡ଼ିବାର ଦେଖି ସେ ବିବ୍ରତ ହୋଇ ପଡ଼ିଲେ । କଣ କହିବାକୁ ହେବ, ସ୍ଥିର କରିପାରିଲେ ନାହିଁ । ତୁଣ୍ଡ ଖନି ମାରିଗଲା । କିନ୍ତୁ ତାଙ୍କ କଥାଟାକୁ ମିଶେଇ ନେଇ ତାଙ୍କ ପକ୍ଷରୁ ବିନୋଦ କହିଲେ–‘‘ନା, ହରିବନ୍ଧୁ ଅନେକ ସମୟ ହେଲା ଆସି ଅପେକ୍ଷା କରିଛନ୍ତି । ମଣୋହି ହେଉଥିବାର ଶୁଣି ମୁଁ ତାଙ୍କୁ ଏଠାକୁ ଡାକିଆଣି ଦୁଇପଦ କଥାବାର୍ତ୍ତା ହେଉଥିଲି ।’’

 

ରାଜାଙ୍କର ସେତେବେଳର କୋପଦୃଷ୍ଟିରୁ ରକ୍ଷା ପାଇବା ପାଇଁ ହରିବନ୍ଧୁଙ୍କୁ ଏହା ଏକ ଅପୂର୍ବ ସୁଯୋଗ ଦେଲା । ସେ ବିନୋଦଙ୍କ କଥାକୁ ସମର୍ଥନ କରି ହାତଯୋଡ଼ି କହିଲେ–‘‘କ୍ଷମା କରନ୍ତୁ, କଚେରୀ ଘରପାଖେ ଅପେକ୍ଷା କରି କରି ଏଠି ଟିକିଏ ଆସି ବସି ପଡ଼ିଥିଲି ।’’

 

ଦୁଇ ତୁଣ୍ଡରୁ ଏକାକଥା ଶୁଣି ରାଜାଙ୍କର କ୍ରୋଧ ଶାନ୍ତ ହୋଇଗଲା । ‘‘ଏବେ କଚେରୀକୁ ଆସ’’ କହି ରାଜା ବୁଲିପଡ଼ି ଘରୁ ବାହାରିଗଲେ । ତାଙ୍କ ପଛେ ପଛେ ହରିବନ୍ଧୁ, ବିନୋଦ ଏବଂ ଶେଷରେ ବିଜୟ କଚେରୀ ଘରକୁ ଗଲେ ।

Image

 

ବାଇଶ

 

ହରିପୁରର ସୁସଜ୍ଜିତ କଚେରୀ ଘର ମଝିରେ ରାଜା ଆଦିତ୍ୟପ୍ରତାପ ଆସନ ଗ୍ରହଣ କରି ସାରିବା ପରେ ଡାହାଣ ପାଖେ ବସିଲେ ହରିବନ୍ଧୁ । ବିନୋଦ ହରିବନ୍ଧୁଙ୍କର ଠିକ୍ ସାମନାରେ ରାଜାଙ୍କ ବାମ ପାଖେ ବସି ନିଜ ଜଙ୍ଘ ଉପରେ କୋଷମୁକ୍ତ ଅସିଟିକୁ ରଖି ତାର ମୁଠାଉପରେ ହାତ ରଖିଥାନ୍ତି । ଅସିର ଅଗ୍ରଭାଗ ଥାଏ ଠିକ୍ ହରିବନ୍ଧୁଙ୍କ ଛାତିକୁ ଲକ୍ଷ୍ୟ କଲାଭଳି । ହୁଏତ ହରିବନ୍ଧୁ କିଛି ବିଷୟ ପ୍ରକାଶ କରିଦେବେ, ଏଇ ଭୟରେ ସେ ବି ଚିନ୍ତିତ ଥାନ୍ତି । ସେ ଗୋଟିଏ ସରଳା ଅବଳାର ଆତ୍ମସମ୍ମାନ ରକ୍ଷା କରିବା ପାଇଁ ଆଜି ନିଜର ପ୍ରାଣପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ । ମନେ ମନେ ସେ ଠିକ୍ କରିସାରିଛନ୍ତି ଏବଂ ଦ୍ୱାରପାଳ ବିଜୟକୁ ସେଇ ଉପଦେଶ ଦେଇଛନ୍ତି, ଯଦି ହରିବନ୍ଧୁ କୌଣସି କଥା ସେଠାରେ ପ୍ରକାଶ କରିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କର ବାକ୍ୟପୂର୍ଣ୍ଣ ହେବା ପୂର୍ବରୁ ତାଙ୍କୁ ନିଶ୍ଚୟ ସେହିଠାରେ ଶେଷ କରିବାକୁ ହେବ । ରାଣୀ ସୁଶୀଳାଙ୍କ ସମ୍ମୁଖରେ ସେ ପ୍ରତିଜ୍ଞା କରିଛନ୍ତି, ଯେ ଜୀବନ ଥାଉ ଥାଉ ଏ ଗୋପନ ତଥ୍ୟ କଦାପି ମୁକ୍ତ ବାୟୁମଣ୍ଡଳ ସ୍ପର୍ଶ କରାଇ ଦେବେ ନାହିଁ । ବିଜୟ ମଧ୍ୟ ନିଜର ଶାସ୍ତ୍ର ଛୁଇଁ ଶପଥ କରିଛି । ହରିବନ୍ଧୁଙ୍କ ମୁଖରୁ ସେ ସମ୍ପର୍କୀୟ ପ୍ରଥମ ବାକ୍ୟ ଆରମ୍ଭ ହେବା ମାତ୍ରେ ଦୁହିଁଙ୍କ ମଧ୍ୟରୁ ଯେ କେହି ସୁବିଧା ଅନୁସାରେ ଅସ୍ତ୍ର ଚାଳନ କରିବ ।

 

ରାଜା ପ୍ରଥମେ ବିନୋଦଙ୍କୁ ପଚାରିଲେ–‘‘ଦାଦା ଆଜି ଆପଣଙ୍କ ହାତେ ହାତେ ଶସ୍ତ୍ର କାହିଁକି ?’’

 

ଏହି ପ୍ରଶ୍ନରେ ବିନୋଦଙ୍କ ମନରେ ଗୋଟାଏ ଦକ ଛୁଇଁଲା । କିନ୍ତୁ ସେ ସଙ୍ଗେ ସଙ୍ଗେ ହସ ହସ ମୁଖରେ ଉତ୍ତର କଲେ–‘‘ଭାବିଛି, ଆଜି ତୁମ ସାଙ୍ଗେ ପାରିଧିକୁ ଯିବି । ରାଜନ ନ ଥିବାରୁ ତୁମକୁ ଏକୁଟିଆ ଛାଡ଼ି ଦେବାପାଇଁ ଇଚ୍ଛା ହେଉନାହିଁ !’’

ଆଦିତ୍ୟ କହିଲେ–‘‘ନା, ନା, ଏ ବୃଦ୍ଧ ବୟସରେ ଆପଣ ଆଉ ସେ ସବୁ କାର୍ଯ୍ୟରେ ଅଗ୍ରସର ହୁଅନ୍ତୁ ନାହିଁ । ଆଜି ମୋ ସଙ୍ଗେ ପାରିଧିକୁ କେହି ଯିବା ଅନାବଶ୍ୟକ । ବିଜୟ ମଧ୍ୟ ଏହିଠାରେ ଥାଉ । ଶିକାର ଘରଠାରେ ମୁଁ ଯଥେଷ୍ଟ ଲୋକର ବ୍ୟବସ୍ଥା କରିଛି । ବିଶେଷତଃ ଆଜି ବେବର୍ତ୍ତେ ଅଛନ୍ତି । ସେ ଯିବେ ।’’

ତାପରେ ସେ ହରିବନ୍ଧୁଙ୍କ ଆଡ଼କୁ ମୁହଁ ଫେରାଇ କହିଲେ–‘‘ତୁମେ ପରା ମୋତେ ଆଜି ଅଶ୍ୱଶାସ୍ତ୍ରର କେତେକ ଗୁପ୍ତତଥ୍ୟ ଜଣାଇବ ବୋଲି ଜବାବ କରିଥିଲ ? ଆଉ ଏପରି ବିମର୍ଷ ଭାବରେ ବସିଛ କାହିଁକି ?"

ହରିବନ୍ଧୁ ନୀରବରେ ସବୁ ଲକ୍ଷ୍ୟ କରୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଅନ୍ୟମନସ୍କ ହୋଇ ପଡ଼ିଥିଲେ । ତେଣୁ ରାଜାଙ୍କ ପ୍ରଶ୍ନର ଉତ୍ତର ସେ ହଠାତ୍ ଦେଇ ପାରିଲେ ନାହିଁ । ଏଣେ ବିନୋଦଙ୍କର ପ୍ରତ୍ୟେକ ବ୍ୟବହାର, କଥାବାର୍ତ୍ତା ତାଙ୍କ ହୃଦୟ ଭିତରେ ଶେଳବିଦ୍ଧ କରି ଦେଉଥାଏ । ସେ ଥରେ ଥରେ ବିନୋଦଙ୍କୁ ଏବଂ ତାଙ୍କର ବସିବାର ଭଙ୍ଗି ଲକ୍ଷ୍ୟକରି ଆଖି ଫେରେଇ ନେଉଥାନ୍ତି-। ରାଜାଙ୍କ ଆଡ଼ୁ କଥା ଆରମ୍ଭ କରିବା ପାଇଁ ସୂଚନା ପାଇ ସେ ଖୁବ୍ ସାହସ ସହକାରେ କିଛି କହିବାକୁ ଚେଷ୍ଟାକଲେ । କିନ୍ତୁ ତାଙ୍କ ସ୍ଵରଟା କାହିଁକି ମନୋମତ ଉଚ୍ଚ ସ୍ପଷ୍ଟ ନ ହୋଇ ଫଟା ବେରନ୍ଧିଆ ବଂଶୀର ସ୍ଵର ପରି କେବଳ ସଁ ସଁ ଶୁଣାଗଲା । ସେ କହିଲେ–‘‘ମୁଁ ଆଜି ଗୋଟାଏ ଘଟଣାରେ ବଡ଼ ବିବ୍ରତ ହୋଇପଡ଼ିଛି । ତେଣୁ-’’

 

ତାଙ୍କୁ ବାଧା ଦେଇ ରାଜା କହିଲେ–‘‘କହୁନାହଁ ସ୍ପଷ୍ଟ କରି କଣ କହିବ । ନୂଆ ଅପରିଚିତ ବ୍ୟକ୍ତିଙ୍କ ପରି ଢୋକ ଗିଳୁଛ କାହିଁକି ?’’

 

ଏଇ ସମୟରେ ବିନୋଦଙ୍କର ଡାହାଣ ହାତଟା ଆସ୍ତେ ଆସ୍ତେ ଖଡ଼୍‍ଗର ମୁଠି ଉପରେ ସଚଳ ହୋଇ ଉଠିଲା । ହରିବନ୍ଧୁ କଣେଇ-କରି ଥରେ ସେ ଆଡ଼କୁ ଚାହିଁ ଦେଇ, ଅବଧାନଙ୍କ ବେତ ଭୟରେ ଚାଟମାନେ ପିନ୍ଧାଲୁଗାକୁ ଖୋସାଖୋସି କରି ଢୋକ ଗିଳି ଗିଳି କହିଲା ପରି କହିଲେ–‘‘ମୋର ଆଜି ଗୋଟାଏ-"ଏତିକି କହି ରହିଗଲେ । ବାକ୍ୟର ଆର ଅଂଶଟା କିପରି ପୁରଣ କରିବାକୁ ହେବ, ଆଦୌ ସ୍ମରଣ ହେଲା ନାହିଁ ।’’

 

ହରିବନ୍ଧୁଙ୍କ ଭଙ୍ଗି ଦେଖି ରାଜା ହସି ହସି କହିଲେ–‘‘ଆଜି କିଛି ନିଶା ଖାଇଛ ହରିବନ୍ଧୁ-? କ'ଣ ଏମିତି ପିଲାଙ୍କ ପରି କହୁଛ । କ’ଣ ତୁମର ଗୋଟାଏ-?’’ ସେ ପୁଣି ବିନୋଦଙ୍କ ଆଡ଼କୁ ଫେରି ପଡ଼ି କହିଲେ–"ହରିବନ୍ଧୁଙ୍କ କଥାରୁ କଣ ବୁଝିଲ ଦାଦା?"

 

ବିନୋଦ ନିର୍ବିକାର ପୁରୁଷଟିଏ ପରି ବସିଥାନ୍ତି । ସେ ମଧ୍ୟ ଥଟ୍ଟାକରି ଉତ୍ତର କଲେ–‘‘ବୁଝିଲି, 'ତାଙ୍କର ଆଜି ଗୋଟାଏ’’ –ଉଭୟେ ହସି ଉଠିଲେ ।

 

ଏ ମଧ୍ୟରେ ହରିବନ୍ଧୁ ବାକ୍ୟର ପୂର୍ବାର୍ଦ୍ଧଟା ସଂଶୋଧନ କରି ଏବଂ ଉତ୍ତରାର୍ଦ୍ଧଟା ପୂର୍ଣ୍ଣ କରି ନେଇ କହିଲେ–‘‘ଛାମୁରେ ଆଜି ଅଧୀନର ଆଉ ଗୋଟାଏ ଗୁପ୍ତ ବିଷୟ ଜଣା କରିବାର ଅଛି’’

 

ଆଦିତ୍ୟଙ୍କ ମୁହଁଟା ହଠାତ୍ ଗମ୍ଭୀର ହୋଇଗଲା । କହିଲେ ‘‘ଗୁପ୍ତ ବିଷୟ ? ଆଉ ଗୋଟାଏ ? କହ ତେବେ ।’’

 

ହରିବନ୍ଧୁ କହିଲେ–‘‘ଛାମୁ ତ ବର୍ତ୍ତମାନ ଏକାକୀ ନାହାନ୍ତି ?’’

 

ବିନୋଦ ଦେଖିଲେ, ହୁଏତ ହରିବନ୍ଧୁଙ୍କ ଗୁପ୍ତ ଜଣାଣ ଶୁଣିବା ପାଇଁ ତାଙ୍କୁ ପରମୁହୂର୍ତ୍ତରେ କିଛି ସମୟ ସେ ସ୍ଥାନ ଛାଡ଼ି ଚାଲିଯିବା ପାଇଁ ଆଦେଶ ହୋଇପାରେ । ହରିବନ୍ଧୁଙ୍କ କଥା ଶେଷ ନ ହେଉଣୁ ସେ ରାଜାଙ୍କୁ ଚାହିଁ କହି ପକାଇଲେ–‘‘ହରିବନ୍ଧୁଙ୍କ ଗୁପ୍ତ କଥା ନା, ମୁଁ ତାହା ବହୁତ ଆଗରୁ ଜାଣେ । ତାଙ୍କୁ ଯେତେଥର ମନା କଲେ ମଧ୍ୟ ସେ ସେଇ ମୋହନର ଗୁପ୍ତ କଥା ଛାଡ଼ି ପାରୁନାହାନ୍ତି ।’’

 

ମୋହନର ନାମ ଶୁଣି ଏବଂ ହରିବନ୍ଧୁ ସେଇ ମୋହନ ସମ୍ପର୍କରେ କଣ କହିବାକୁ ଯାଉଛନ୍ତି ଭାବି ରାଜା ବିରକ୍ତିପୂର୍ଣ୍ଣ ସ୍ଵରରେ କହି ଉଠିଲେ–‘‘ବୋଧହୁଏ ଏଇସବୁ ବାଜେ କଥା ବ୍ୟତୀତ ତୁମର ଆଉ କିଛି କହିବାର ନାହିଁ ବେବର୍ତ୍ତା ? ମୁଁ ଯେତେଥର କହିଲି ସେ ହତ୍ୟାକାରୀ ଚଣ୍ଡାଳର ନାମ ମୋ ଆଗରେ ଧରିବ ନାହିଁ, ତୁମେ ସେତିକି ଥର ମୋତେ ବିରକ୍ତ କରି ସେଇକଥା ଆରମ୍ଭ କର । ଏଇ ଶେଷଥର ପାଇଁ ତୁମକୁ ସାବଧାନ କରି ଦେଉଛି–ସେ ପିଶାଚର ନାମ ମୋ ଆଗରେ ଉଚ୍ଚାରଣ ସୁଦ୍ଧା କରିବ ନାହିଁ ।’’

 

କଥା ଆରମ୍ଭରୁ ରାଜାଙ୍କର ଏ କ୍ରୋଧ ଦେଖି ହରିବନ୍ଧୁ ଦୁଇହାତ ଯୋଡ଼ି ଥରି ଉଠିଲେ । କିନ୍ତୁ ସାହସର ସହିତ ରାଜାଙ୍କର ଭୁଲ ଧାରଣାଟାକୁ ସଂଶୋଧନ କରିଦେବା ପାଇଁ କହିଲେ–‘‘କିନ୍ତୁ ମହାରାଜ, ଯେଉଁ ଗୁପ୍ତ ବିଷୟ ମୋହନ..."

 

ରାଜା ଆଉ କହିବାକୁ ଦେଲେ ନାହିଁ । ଅପେକ୍ଷାକୃତ ଉଚ୍ଚସ୍ଵରରେ ତାଚ୍ଛଲ୍ୟ ଭାବରେ କହି ଉଠିଲେ–"ବୁଝିଛି, ବୁଝିଛି, ସେଇ ‘କିନ୍ତୁ ମହାରାଜ’–‘ସେଇ ଗୁପ୍ତ ବିଷୟ’ –‘ସେଇ ମୋହନ’ । ମୁଁ ଜାଣେ ତୁମର ମୋହନ କିପରି ଉଦାର–ତାର ଗୁପ୍ତ ବିଷୟ କେତେ ଗୁରୁତର । ଯଦି ଆବଶ୍ୟକୀୟ ବିଷୟରେ କିଛି କହିବାକୁ ଅଛି ଶୀଘ୍ର କହ ! ନଚେତ୍...’’

 

ହରିବନ୍ଧୁ ହାତ ମଳି ମଳି ଅନୁନାସିକ ସ୍ଵରରେ କହିଲେ ‘‘–ସେ–ସେଇକଥା ମହାରାଜ । ମୋହନ-"

 

ରାଜା କ୍ରୋଧରେ ଅଧୀର ହୋଇ ପଡ଼ିଲେ । ହରିବନ୍ଧୁ ସେଇ ମୋହନ ବିଷୟ ପୁଣି ଆରମ୍ଭ କରିବାକୁ ଯାଉଥିବାର ଦେଖି ତାଙ୍କର ଆଖି ଦୁଇଟା ଲାଲ ପଡ଼ିଗଲା । ସେ ଉଠିପଡ଼ି ଚାଲି ଯାଉ ଯାଉ ଗର୍ଜ୍ଜନ କରି କହିଲେ–"ଏପରି ଅଭିନୟ ଦେଖି ସମୟ ନଷ୍ଟ କରିବା ମୋର ଅଭ୍ୟାସ ନୁହେ । ବିଜୟ, ଘୋଡ଼ା ଠିକ୍ କର !"

 

ରାଜାଙ୍କ ସଙ୍ଗେ ବିନୋଦ ମଧ୍ୟ ଉଠି ଆସିଲେ ।

 

ହରିବନ୍ଧୁ ବିନୋଦଙ୍କର ଏସବୁ କୁଟ ଜାଲ ଭିତରେ ଘାଣ୍ଟିହୋଇ ସେତେବେଳକୁ ଦରପ୍ରାଣ ହୋଇ ଯାଇଥିଲେ । ତାଙ୍କର ବୁଦ୍ଧିବୃତ୍ତି ଏକପ୍ରକାର ଲୋପ ପାଇଥିଲା । ରାଜା ଉଠି ଚାଲିଯିବାରୁ ସେ ହତାଶ ପ୍ରାଣରେ ମନେ ମନେ ବିନୋଦଙ୍କୁ ଅଭିଶାପ ଦେଇ କଚେରୀ ଘରୁ ଉଠି ଆସିଲେ । କିନ୍ତୁ ଘରଦୁଆର ମୁହଁରେ ପହଞ୍ଚିଲା ବେଳକୁ ବିନୋଦ ଫେରିଆସି ବାହାରୁ କବାଟ ବନ୍ଦ କରିଦେଲେ । ସେ ସେଇ ଘରେ ହେଲେ ବନ୍ଦୀ ।

 

ମାତ୍ର ଖୁବ୍ କମ୍ ସମୟ ପରେ ବିନୋଦ ହରିବନ୍ଧୁଙ୍କୁ ମୁକ୍ତ କରିବା ପାଇଁ ବାଧ୍ୟ ହେଲେ । କାରଣ ରାଜା ପାରିଧିକୁ ଚାଲିଯିବା ପରେ ବିଜୟ ଆସି କହିଲା ଯେ, ଗୋଟାଏ ଲୋକ ହରିବନ୍ଧୁଙ୍କ ନାମରେ ପତ୍ରଟାଏ ଧରି ଆସିଛି । ମାଗିବାରୁ କହୁଛି ସେ ତାହା ହରିବନ୍ଧୁଙ୍କ ହାତରେ କେବଳ ଦେବ ।

 

ବିନୋଦ କଚେରୀ ଘର ଫିଟେଇ ଦେଖିଲେ ହରିବନ୍ଧୁ ଗୋଟାଏ କୋଣରେ ମୁଣ୍ଡପୋତି ବସିଛନ୍ତି । ସେ ତାଙ୍କର ହାତଟା ଧରି ପକେଇ କହିଲେ–‘‘ମନରେ କଷ୍ଟ ହେଲା ବେବର୍ତ୍ତେ ? ଏଇ ତୁମର ଚିଠିଟାଏ ଆସିଛି । ନେବ ଆସ ।’’

 

ହରିବନ୍ଧୁ କୌଣସି ଉତ୍ତର ନ ଦେଇ ଉଠି ପଡ଼ିଲେ ଏବଂ ହାତଟା ଛଡ଼େଇ ନେଇଯିବା ପାଇଁ ଚେଷ୍ଟା କଲେ । କିନ୍ତୁ ବିନୋଦଙ୍କର ଡାହାଣ ହାତରେ ସେତେବେଳେ ସୁଦ୍ଧା ମୁକ୍ତ ଅସି ଭୂମିଠାରୁ ଲମ୍ବଭାବରେ ଅବସ୍ଥାନ କରୁଥିବା ଦେଖି ସେ ସାହସ କଲେ ନାହିଁ ।

 

ଦୁଇଜଣ ଅନ୍ତରଙ୍ଗ ବନ୍ଧୁଙ୍କ ପରି ହରିବନ୍ଧୁ ଏବଂ ବିନୋଦ ବାହାରକୁ ଆସିଲେ । ସେତେବେଳେ ସେଠାରେ ପତ୍ରବାହକ ଏବଂ ବିଜୟ ବ୍ୟତୀତ ଆଉ କେହି ନ ଥିଲେ । ପତ୍ରବାହକ ହରିବନ୍ଧୁଙ୍କୁ ପତ୍ରଟି ଦେଇ ଦେବା ସଙ୍ଗେ ସଙ୍ଗେ ବିନୋଦ ତାଙ୍କୁ ଆସ୍ତେ ଆସ୍ତେ ପୁଣି ଘର ଭିତରକୁ ଟାଣି ଆଣିଲେ । ବିଜୟ ସେମାନଙ୍କ ପଛେ ପଛେ ଆସି ଭିତରୁ କବାଟ ବନ୍ଦ କରିଦେଲା । ଘର ମଝି ସରିକି ହେବା ପରେ ବିନୋଦ କହିଲେ–‘‘ଭାଇ ହରିବନ୍ଧୁ ! ମୁଁ ସେତେବେଳେ କହିଥିଲି, ଆମର ଆଉ ଥରେ ସାକ୍ଷାତ ହେବ । ବର୍ତ୍ତମାନ କହ ଦେଖି, ଏ ପତ୍ର କେଉଁଠାରୁ ଆସିଛି ? ମନେ ରଖିଥାଅ ଯଦି ଚିରି ଦିଅ ତେବେ ଏଇ...’’ଖଡ୍‍ଗର ଅଗ୍ରଭାଗ ଟେକି ଧରି ପୁଣି କହି ଲାଗିଲେ, "ହୁଁ, ପଢ଼ ଏଥର କଅଣ ଲେଖା ଅଛି ।"

 

ଏହି ସମୟରେ ଗଗନ ରଙ୍ଗ ମହଲର ସିଡ଼ି ଦେଇ କଚେରୀ ଘର ମଧ୍ୟକୁ ଓହ୍ଲାଇ ଆସିଲେ । ତାଙ୍କୁ ଦେଖି ହରିବନ୍ଧୁଙ୍କର ମଳିନ ମୁଖ ଅଧିକ ବିକୃତ ହୋଇ ଉଠିଲା । ସେ ଆଉ ‘କିନ୍ତୁ’ ନ କରି ଚିଠିଟି ଖୋଲିଲେ । ସେଥିରେ ମାତ୍ର ଗୋଟିଏ ଧାଡ଼ି ଲେଖାଥିଲା–‘‘ମାହାନ୍ତି ସାହି ବନ୍ଧୁଆ ଘର’’ ତଳେ କାହାରି ସ୍ୱାକ୍ଷର ବି ନାହିଁ ।

Image

 

ତେଇଶ

 

ହରିବନ୍ଧୁ ଚିଠି ପଢ଼ି ସାରିବା ପରେ ବିନୋଦ ଥଟ୍ଟାକଲା ପରି ପଚାରିଲେ–‘‘ଆଚ୍ଛା ହରିବନ୍ଧୁ, କହି ପାରିବ ଏ ଚିଠିଟା କେଉଁଠାରୁ ଆସିଛି–ଆଉ ଏହାର ଅର୍ଥ କଅଣ ?’’

 

ହରିବନ୍ଧୁ ବିରକ୍ତି ପ୍ରକାଶ କରି କହିଲେ–‘‘କିମିତି ଜାଣିବି ଚିଠି କିଏ ଦେଇଛି ? ଏଥିରେ ତ କାହାରି ସ୍ୱାକ୍ଷର ନାହିଁ !"

 

ବିନୋଦ କହିଲେ–‘‘କିଛି ଅନୁମାନ ବି କରି ପାରୁନାହିଁ ?’’

 

‘‘–ନା, ଏଥିରୁ ମୁଁ କୌଣସି ଅର୍ଥ ବାହାର କରିପାରୁ ନାହିଁ ।’’

 

‘‘–ବୋଧହୁଏ ଏଇଟା କାହାରି ଠିକଣା ହେବ !’’

 

‘‘–ହୋଇଥିବ, କିନ୍ତୁ ମୁଁ କୌଣସି ବନ୍ଧୁଆ ମାକୁ ଚିହ୍ନେନା ।’’

 

‘‘–ହଁ, ଚିହ୍ନି ନ ଥାଇ ପାର ! ମୁଁ ଭାବୁଛି, ଏଥିରେ ସୁନ୍ଦରଗଡ଼ର ମାହାନ୍ତି ସାହି କଥା ଲେଖାଯାଇଛି । ଏଇ ବୋଧ ହୁଏ ମୋହନର ବର୍ତ୍ତମାନର ଠିକଣା ହେବ । କଅଣ କହୁଛ ?’’

 

ସଙ୍ଗେ ସଙ୍ଗେ ହରିବନ୍ଧୁଙ୍କ ମୁହଁଟା ଶେତା ପଡ଼ିଗଲା । ସେ ରାଜନଙ୍କୁ ବାଣପୁର ପଥରେ ଆକ୍ରମଣ କରି ତା ପରଦିନ ରାଣୀଙ୍କ ପତ୍ରର ପ୍ରତିଲିପି ସହ ନାରାୟଣୀ ଖୋଲଠାରୁ ହରିପୁର ଚାଲିଆସିଥିଲେ । ମୋହନକୁ କହିଥିଲେ ଛଦ୍ମବେଶରେ ସୁନ୍ଦରଗଡ଼ ଯାଇ ସେଠାରେ ତାଙ୍କ ରାଜଦର୍ଶନର ଫଳାଫଳ ଅପେକ୍ଷାରେ ରହିବ । ସେ ଯେଉଁ ଘରେ ରହିବ ତାର ଠିକଣା ଏହିପରି ଭାବରେ ତାଙ୍କ ନିକଟକୁ ପଠାଇବ । ଏ ପ୍ରକୃତ କଥାଟା ବିନୋଦ ଅନୁମାନ କରିପାରିଥିବା ଦେଖି ସେ ସ୍ତମ୍ଭୀଭୁତ ହୋଇ ପଡ଼ିଲେ । ତେବେ ସୁଦ୍ଧା ଧରା ନ ପଡ଼ିବା ପାଇଁ କହିଲେ–‘‘ମୋହନର ଠିକଣା ? ମୋହନ ସୁନ୍ଦରଗଡ଼ ରାଜ୍ୟକୁ ଆସିବ କିପରି ?’’

 

ହରିବନ୍ଧୁଙ୍କୁ ଆଉ କୌଣସି ପ୍ରକାରେ ବିରକ୍ତି ନ କରି ବିନୋଦ କହିଲେ–‘‘ସେ ଯାହାହେଉ, ଚିଠି ଯେତେବେଳେ ତୁମଠାକୁ ଆସିଛି, ସେ ବିଷୟରେ ତୁମେ ଜାଣ ବା ନ ଜାଣ ସେଥିରେ ଆମର କଅଣ ଥାଏ ! ସେ ସମ୍ବନ୍ଧରେ କିଛି ପଚାରିବା ହିଁ ଆମର ଅନ୍ୟାୟ ।’’

 

ତାପରେ ସେ ହରିବନ୍ଧୁଙ୍କ ହାତ ଧରି ଟାଣି ଟାଣି ନେଇ ଘର କୋଣରେ ଏକ ଆସନରେ ବସେଇ ଦେଇ କହିଲେ–‘‘ତୁମେ ଏଠି କିଛି ସମୟ ଧୀରସ୍ଥିର ଭାବରେ ବସି ରହିବ, ବୁଝିଲ ।’’

 

ଗଗନ ପଛରେ ଗୋଟାଏ ଚୌକିରେ ବସି ବୃଦ୍ଧ ବିନୋଦ ସିଂହଙ୍କର ବାଳକସୁଲଭ ହାସ୍ୟକୌତୁକରେ ଆମୋଦ ବୋଧ କରୁଥାନ୍ତି । ଏଇ ସମୟରେ ବିନୋଦ ବିଜୟକୁ ଧରି ତାଙ୍କ ନିକଟକୁ ଆସି ଧୀରେ ଧୀରେ କହିଲେ–‘‘ଆଜିର କାମ ତ ଶେଷ ହୋଇଛି । ବର୍ତ୍ତମାନ କଅଣ କରିବାକୁ ହେବ ଗଗନ ?’’

 

ଗଗନ କହିଲେ–‘‘ହଁ, ହୋଇଛି । ବଳକା କାର୍ଯ୍ୟ ପାଇଁ ଆମକୁ ମଧ୍ୟ ଆଉ ଗୋଟାଏ ଉପାୟ ମିଳିଛି ।’’

 

ବିଜୟ ପାଖରେ ଠିଆ ହୋଇ ସବୁ ଶୁଣୁଥାଏ । ଗଗନ ବିନୋଦଙ୍କ କାନ ପାଖରେ ଧୀରେ ଧୀରେ କେତେ କଅଣ କହିଗଲେ । ପରେ ବିନୋଦ ନିମ୍ନସ୍ଵରରେ ପଚାରିଲେ–‘‘ମୋହନ ଚିଠି ପାଇ ଆସିଲେ କଅଣ ହେବ ?’’

 

ଗଗନ କହିଲେ–‘‘ରାଜା ସେତେବେଳକୁ ଏଠାକୁ ଫେରି ଆସିଥିବେ । ମୋହନ ଶିକାର ଘରକୁ ଆସି ହରିବନ୍ଧୁଙ୍କ ପ୍ରଥମ ରାଜଦର୍ଶନ ପରି ଦର୍ଶନଟାଏ ପାଇବ । ସେତିକିବେଳେ ମୂଳ ଚିଠି ସହିତ ତାକୁ ଜବତ କରିବା ପାଇଁ ବେଶ ସୁବିଧା ହେବ ।’’

 

ବିନୋଦ କିନ୍ତୁ ଉପାୟଟାକୁ ନିତାନ୍ତ ଅଚଳ ଭାବି କହି ପକାଇଲେ–‘‘ତୁମେ କଅଣ ମୋହନକୁ ହରିବନ୍ଧୁ କରି ପାଇଛ ? ସେ ସିଂହଛୁଆଁ, ତାକୁ ଠେକୁଆ ଫାଶରେ ଧରିବା ଅସମ୍ଭବ । ସେ ପ୍ରଥମରୁ ତୁମକୁ ଚିହ୍ନି ନେବ ।’’

 

ଗଗନ କହିଲେ–‘‘ଚିହ୍ନୁ, ସେଥିରେ କ୍ଷତି କଅଣ ? ସେତେବେଳେ ବି ମୋ ହାତରେ ଥିବ ମୋର ତୀକ୍ଷ୍‍ଣଧାର ଅସ୍ତ୍ର । ସେ କିଛି ଗଣ୍ଡଗୋଳ ଆରମ୍ଭ କରିବା ସଙ୍ଗେ ସଙ୍ଗେ ହିଁ–’’

 

ମଝିରେ ବିଜୟ ଗୋଟିଏ ପ୍ରଶ୍ନ ଉଠାଇ କହିଲା–‘‘ବେବର୍ତ୍ତେ ସେତେବେଳକୁ କେଉଁଠି ଥିବେ ?’’

 

ଗଗନ କହିଲେ–‘‘ସେଇଟା ତୁମ ହାତର କଥା । ଯେ କୌଣସି ଗୋଟାଏ ଘରେ ଦିନେ ଦୁଇଦିନ ପାଇଁ ତୁମେ ତାଙ୍କୁ କବାଟ ଦେଇ ରଖିପାର ।’’

 

ବିନୋଦଙ୍କ ମୁହଁଟା ହସ ହସ ହୋଇ ଉଠିଲା । ସେ ହରିବନ୍ଧୁଙ୍କ ନିକଟକୁ ଯାଇ କହିଲେ–‘‘ବେବର୍ତ୍ତେ ତୁମେ ଟିକିଏ କଷ୍ଟ ସ୍ୱୀକାର କରି ଆମ ପାଇଁ ଗୋଟାଏ କାମ କରିଦେବ ?’’

 

ହରିବନ୍ଧୁ ପ୍ରଶ୍ନସୂଚକ ଦୃଷ୍ଟିରେ ତାଙ୍କ ମୁହଁକୁ ଚାହିଁ ରହିଲେ ।

 

ବିନୋଦ କହିଲେ–‘‘ମୋ ପାଇଁ ଖଣ୍ଡେ ଚିଠି ଲେଖିଦେବ ? ତୁମର ଅକ୍ଷର ଖୁବ୍ ସୁନ୍ଦର ନା, ସେଥିପାଇଁ କହିଲି ।’’

 

ଉପସ୍ଥିତ କ୍ଷେତ୍ରରେ ଯେତେଦୂର ସମ୍ଭବ ବିନୋଦଙ୍କ ମନ ତୃପ୍ତ କରିବା ହରିବନ୍ଧୁଙ୍କ କର୍ତ୍ତବ୍ୟ ହୋଇ ପଡ଼ିଛି । ବିଶେଷତଃ ତାଙ୍କ ହାତ ଅକ୍ଷରର ପ୍ରଶଂସା ଶତ୍ରୁମୁଖରେ ଶୁଣି ସେ ଟିକିଏ ଗର୍ବ ଅନୁଭବ କଲେ । କଥା ନ କହି ସେ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ ।

 

ବିନୋଦ ହରିବନ୍ଧୁଙ୍କୁ ମେଜ ନିକଟକୁ ନେଇଗଲେ ଏବଂ ବସିବା ପାଇଁ ଚଉକି ଦେଲେ । ମେଜ ଉପରେ ଚିଠି ଲେଖାର ସମସ୍ତ ଉପକରଣ ଥିଲା । ସେ ଲେଖନୀ ଧରିବା ପରେ ଗଗନ କହିଲେ–‘‘ଉପରେ କୌଣସି ସମ୍ବୋଧନ ଅନାବଶ୍ୟକ । ଲେଖ, ରାଜାଙ୍କ ସଙ୍ଗେ ନିର୍ବିଘ୍ନରେ ସାକ୍ଷାତ୍ ହେଲା ।’’

 

ହରିବନ୍ଧୁ ସେଇଆ ଲେଖିଲେ । ଗଗନ ପୁଣି କହିଲେ ‘‘କିନ୍ତୁ ସେ ଅସଲ ଲେଖାଟି ଦେଖିବାକୁ ଇଚ୍ଛା କରନ୍ତି ।’’

ଏହା ଶୁଣି ହରିବନ୍ଧୁଙ୍କ ହାତ ଥରି ଉଠିଲା । ସେ ଲେଖନୀକୁ ହାତରୁ ପକେଇ ଦେଇ କହିଲେ–"ଏ ଚିଠି କାହା ପାଖକୁ ?"

 

ବିନୋଦ ନିକଟରେ ବସିଥିଲେ । କହିଲେ–‘‘ସେ କଥା ପରେ କହିଲେ ହେବନି ? ଲେଖ ଆଗେ ସମୁଦାୟ ଚିଠିଟା ।’’

 

ମନ୍ତ୍ରପ୍ରଭାବରେ ସାପର ଫଣା ପଡ଼ିଗଲା ପରି ହରିବନ୍ଧୁଙ୍କ ମୁଣ୍ଡ ନଇଁ ପଡ଼ିଲା । ସେ ବାଧ୍ୟ ହୋଇ ପୁଣି କଲମ ଧରି ଗଗନ ଯାହା କହିଲେ ତାହା ଲେଖିଲେ । ଲେଖା ସରିବା ପରେ ଗଗନ ଚିଠିଟି ଆଣି ପଢ଼ିଲେ–‘‘ରାଜାଙ୍କ ସଙ୍ଗେ ନିର୍ବିଘ୍ନରେ ସାକ୍ଷାତ୍ ହେଲା । କିନ୍ତୁ ସେ ଅସଲ ଲେଖାଟା ଦେଖିବାକୁ ଇଚ୍ଛା କରନ୍ତି । ରାଜା ଆଜି ରାତି ଶିକାର ଘରେ ରହିବେ । ଏ ପତ୍ର ପାଇବା ମାତ୍ରେ ଅସଲ ଚିଠି ଏବଂ ଉପହାର ପେଡ଼ିଟି ଧରି ଶିକାର ଘରକୁ ଆସିବୁ । ସେ ତୋତେ ଆଦରର ସହିତ ଗ୍ରହଣ କରିବେ । ବିନୋଦ ସେଠାରେ ନ ଥିବ । ପତ୍ର ଓ ଉପହାର ଆମର ହସ୍ତଗତ ହେବା କଥା ବିନୋଦ ଜାଣି ନାହିଁ । ଗଗନ ଏବେ ସୁଦ୍ଧା ଏଠାକୁ ଆସି ନାହିଁ । ଅନ୍ୟ ଗୋଟାଏ ଜରୁରୀ କାର୍ଯ୍ୟ ଯୋଗୁଁ ମୁଁ ଶିକାର ଘରଠାରେ ନ ଥିବି । ଇତି ।’’

 

ତଳେ ପ୍ରେରକର ନାମ କିମ୍ବା ଉପରେ ପାଇବା ବ୍ୟକ୍ତିର ଠିକଣା ନ ଥିଲେ ହରିବନ୍ଧୁ ବୁଝି ପାରିଲେ ପ୍ରେରକ ସେ ନିଜେ ଏବଂ ପାଇବା ବ୍ୟକ୍ତି ମୋହନ । ତେବେ ସୁଦ୍ଧା ତାଙ୍କର କୌଣସି ଶକ୍ତି ନ ଥିଲା ଏପରି ମାରାତ୍ମକ ଷଡ଼ଯନ୍ତ୍ରର ପ୍ରତିବାଦ କରିବା ପାଇଁ । ସେ ମୁକଙ୍କ ପରି କେବଳ ସ୍ଥିର ଦୃଷ୍ଟିରେ ଚାହୁଁଥାନ୍ତି ।

 

ଗଗନ ଚିଠିଟି ଗୋଟିଏ ଖୋଳରେ ପୁରେଇ ହରିବନ୍ଧୁଙ୍କ ପତ୍ରବାହକକୁ ଦେବାକୁ କହି ବିଜୟକୁ ଦେଇଦେଲେ । ପତ୍ରବାହକ ଉତ୍ତର ଧରି ସୁନ୍ଦରଗଡ଼ ଅଭିମୁଖେ ଚାଲିଗଲା ।

Unknown

 

ବିଜୟ ଫେରିବା ପରେ ବିନୋଦ କହିଲେ–‘‘ବର୍ତ୍ତମାନ ବେବର୍ତ୍ତାଙ୍କ ବିଷୟ କଅଣ କରିବାକୁ ହେବ ?’’

 

ଗଗନ କହିଲେ–‘‘ସେ କାର୍ଯ୍ୟ ତ ବିଜୟର । ତାହା ସେ ଅନାୟାସରେ ସାଧନ କରି ପାରିବ ।’’

 

ବିନୋଦ କହିଲେ–‘‘ସେ କଥା ନିଶ୍ଚୟ । କିନ୍ତୁ ମୋ ମତରେ ବିଜୟ ବେବର୍ତ୍ତାଙ୍କୁ ଧରି ମଧୁଗଡ଼ର ଅତିଥିଶାଳାକୁ ଚାଲିଯାଉ । ସେଇଟା ଖାଲି ପଡିଛି । ତାଙ୍କ ପକ୍ଷରେ ଖୁବ୍ ସୁବିଧାଜନକ ସ୍ଥାନ ହେବ ।’’

 

ଗଗନ ଏବଂ ବିଜୟ ଉଭୟେ ଏଥିରେ ସମ୍ମତ ହେଲେ ।

 

ବିନୋଦ ପୁଣି ବିଜୟକୁ କହିଲେ–‘‘ତୁ ଏଇକ୍ଷଣି ଘୋଡ଼ା ଠିକ୍ କରି ବେବର୍ତ୍ତାଙ୍କ ସଙ୍ଗେ ଚାଲିଯିବା ଉଚିତ । କିନ୍ତୁ ମନେ ରଖିଥାଅ, ଗ୍ରାମ ଭିତର ଦେଇ ଯିବୁ ନାହିଁ । ରାସ୍ତାରେ ଗଲାବେଳେ ଏବଂ ମଧୁଗଡ଼ରେ ଅବସ୍ଥାନ କାଳରେ ହରିବନ୍ଧୁଙ୍କ ଅଭ୍ୟର୍ଥନାରେ ଟିକିଏ ସୁଦ୍ଧା ଅବହେଳା ଯେପରି ନ କରୁ । କାରଣ ଆମ ବେବର୍ତ୍ତେ ବଡ ଅଭିମାନିଆ ଲୋକ । ଯଦି ତାଙ୍କର କୌଣସି ଅଭାବ ହୁଏ, ତେବେ କାହାକୁ କୁହାପୋଛା ନ କରି ଚାଲିଆସିପାରନ୍ତି । ତେଣୁ ଦିନରାତି ଆଖିପତା ନ ପକେଇ ଭାଲି, ଖଣ୍ଡା ଓ ବର୍ଚ୍ଛା ହାତପାଖରେ ରଖିବାକୁ ହେବ । ଏଇଟା ହିଁ ତାଙ୍କ ଅଭ୍ୟର୍ଥନା । ଦିବାନ ତୋତେ ମୋତେ ଦୁଇଦିନ ଛୁଟି ଦେଲେ । ବୁଝିଲୁ । ମଧୁଗଡ଼ ଦୁର୍ଗର ରକ୍ଷକ ନିକଟକୁ ଏଇ ପତ୍ର ନେଇ ଯାଆ । ଏହାପରେ କଣ କରିବାକୁ ହେବ ମୁଁ ସମ୍ବାଦ ଦେବି ।

 

ହରିବନ୍ଧୁ ମୁଣ୍ଡ ପୋତି ବସିଥାନ୍ତି । ବିନୋଦ ପୁଣି କହିଲେ–‘‘ହରିବନ୍ଧୁ,ଏବେ ସୁଦ୍ଧା ସମୟ ଅଛି । ତୁମେ ଭଦ୍ରଲୋକ । ଯଦି ଭଦ୍ରଲୋକ ଭାବରେ ବ୍ୟବହାର ପାଇବା ପାଇଁ ଇଚ୍ଛାକରେ ତେବେ ସେ ପଙ୍କ ଭିତରୁ ଗୋଡ଼ ବାହାର କରି ଆଣ । ମୋହନକୁ ରାତିରେ ଜବତ୍ କରିବାରେ ଆମର ସହାୟ ହୁଅ ।’’

 

ହରିବନ୍ଧୁ ନିରୁତ୍ତର ।

 

କିଛି ସମୟ ପରେ ଦେଖାଗଲା, ହରିବନ୍ଧୁ ଏବଂ ବିଜୟ ଦୁଇଜଣ ବନ୍ଧୁଙ୍କ ପରି ଦୁଇଟି ଘୋଡ଼ାରେ ବସି ମଧୁଗଡ଼ ଅଭିମୁଖେ ଚାଲିଛନ୍ତି । ହରିବନ୍ଧୁ ନିରସ୍ତ୍ର । ବିଜୟର ବର୍ଚ୍ଛା ପ୍ରତି ପଲକରେ ଯେପରି କିଛି ଗୋଟାଏ ଭୀଷଣ ଲୀଳା ସୃଷ୍ଟି କରିବା ପାଇଁ ଅପେକ୍ଷା କରି ରହିଥାଏ । ତାହାର ବଳିଷ୍ଠ ବାହୁ–ଉନ୍ନତ କପାଳ–କଳା ମଚ ମଚ ନିଶ ଓ ଭ୍ରୂଲତା-ଗର୍ବସ୍ଫୀତ ବକ୍ଷ ହରିବନ୍ଧୁଙ୍କ ପ୍ରାଣରେ ମହାଭୀତି ସଞ୍ଚାର କରୁଥାଏ ।

 

ବିଜୟ ଚାଲିଯିବା ପରେ ଗଗନ ଓ ବିନୋଦ ବିଶ୍ରାମ ନେଲା ଭଳି କଚେରୀ ଘରେ ବସି ରହିଲେ । କିନ୍ତୁ ମାନସିକ ବିଶ୍ରାମର ନିତାନ୍ତ ଅଭାବ । ତାଙ୍କ ମନରେ ଏକମାତ୍ର ଚିନ୍ତା ଖେଳୁଥାଏ ଯେ ସେମାନେ ଯେଉଁ ଜାଲ ବିସ୍ତାର କଲେ ତାହାର ଫଳ କେତେଦୂର ସେମାନଙ୍କ ଉଦ୍ଦେଶ୍ୟର ଅନୁକୂଳ ହେବ । ମନୁଷ୍ୟ ଅନ୍ଧକାରମୟ ଭବିଷ୍ୟତ୍ ଉପରେ ଆସ୍ଥା ରଖି କାର୍ଯ୍ୟ କରିଥାଏ । କିନ୍ତୁ ଫଳ ଅନେକଠାରେ ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼ ହୁଏ କିମ୍ବା ବ୍ୟାଧ ଯେଉଁ ଜାଲ ଶିକାର ଉଦ୍ଦେଶ୍ୟରେ ପକେଇ ଥାଏ, କାଳସ୍ରୋତ ନିଜେ ବ୍ୟାଧକୁ ଆଣି ସେଇଥିରେ ପକାଇଦିଏ । କିଏ କହିବ କାଳର ଗତି କେଉଁ ଆଡ଼କୁ ? ତାହା ଏଡ଼େ ସୁକ୍ଷ୍ମ, ଏଡ଼େ ଅଜ୍ଞାତ ଯେ ମନୁଷ୍ୟ କୌଣସି କାଳେ ତାହାର ଥଳକୂଳ ପାଇନାହିଁ । କେବଳ ଆଖି ବୁଜି ଆଗକୁ ଚାଲିଛି ।

 

ବିନୋଦ ଚିନ୍ତା କରୁ କରୁ ହଠାତ୍ ଚଉକିର ବାହା ଉପରେ ଭରା ଦେଇ କହି ଉଠିଲେ–‘‘ମୋର ବିଶ୍ୱାସ ହେଉନି, ହରିବନ୍ଧୁ ପରି ଭୀରୂଟାର ପତ୍ରପାଇ ମୋହନ ରାତିରେ ଶିକାର ଘରକୁ ଆସିବ ।’’

 

ଗଗନଙ୍କଠାରେ ସେତେବେଳେ କୌଣସି ପ୍ରକାର ଉତ୍ତେଜନାର ଲକ୍ଷଣ ପ୍ରକାଶ ପାଉ ନ ଥିଲା । ସେ ସ୍ୱାଭାବିକ ଭାବରେ କହିଲେ–‘‘ନା, ନିଶ୍ଚୟ ଆସିବ । ହରିବନ୍ଧୁ ଯେତେ ଦୁର୍ବଳ ହେଲେ ମଧ୍ୟ ମୋହନର ପୃଷ୍ଠପୋଷକ । ଆଉ ମଧ୍ୟ ଶିକାର ଘରେ ସାକ୍ଷାତ୍ କଥା ଥିବାରୁ ଚିଠିଟା ଅଧିକ ବିଶ୍ୱାସଯୋଗ୍ୟ ହୋଇ ପଡ଼ିବ । ଆପଣାମାନଙ୍କଠାରୁ ଦୂରରେ ସବୁ ବିଷୟ ଜାଣିବା ପାଇଁ ରାଜା ନିଶ୍ଚୟ ଇଚ୍ଛା କରିବାର କଥା । ଏଥିପାଇଁ ଶିକାର ଘରଟା ସବୁଠାରୁ ଉପଯୁକ୍ତ ।’’

 

କଥାଟା ବିନୋଦଙ୍କ ମନକୁ ବେଶ୍ ପାଇଲା । ସେ ଅଧିକ ନିଶ୍ଚିନ୍ତ ହୋଇ ରାତ୍ରିର ଅଭିଯାନ ପାଇଁ କିପରି ପ୍ରସ୍ତୁତ ହେବେ ଭାବିବାକୁ ଲାଗିଲେ ।

 

ହଠାତ୍ ବାହାରୁ କବାଟ ଉପରେ ଆଘାତ ଶୁଣାଗଲା । ଗଗନ ସିଡ଼ି ଦେଇ ଉପରକୁ ଉଠିଗଲେ । ବିନୋଦ କବାଟ ଫିଟେଇ ଦେଲେ । ଦେଖିଲେ, ଦୁଆର ମୁହଁରେ ବିଜୟ ଉର୍ଦ୍ଧଶ୍ୱାସ ହୋଇ ହାତଯୋଡ଼ି ଏକା ଠିଆ ହୋଇଛି । ତା ଦେହରେ ରକ୍ତ ନାହିଁ । ସେ ବିନୋଦଙ୍କୁ ଦେଖି କାନ୍ଦ କାନ୍ଦ ହୋଇ କହି ପକାଇଲା–ଆଜ୍ଞା, ଖସି ଚାଲିଗଲା ।’’

 

ବିନୋଦ ଚମକି ପଡ଼ିଲେ–ସବୁ ବ୍ୟବସ୍ଥା ପାଣି ଫାଟି ଯାଇଛି । ସେ ବିଜୟକୁ ଘର ଭିତରକୁ ଟାଣି ନେଇ କବାଟ ଦେଇ ଦେଲେ । ଗଗନ ମଧ୍ୟ ଓହ୍ଲେଇ ଆସିଲେ । ବିଜୟ ବାଳକ ଭଳି କ୍ରନ୍ଦନ ସ୍ଵରରେ କହିଲା–‘‘ହଜୁର, ମୁଁ ନିତାନ୍ତ ବୋକାଟାଏ । କିନ୍ତୁ ମୋର କୌଣସି ଅପରାଧ ନାହିଁ । ମୁଣ୍ଡିଆ ତଳେ ତଳେ କିଛି ବାଟ ଯାଇଛି, ହଠାତ୍ ମୋ ଘୋଡ଼ାଟା ବଡ଼ ପଥରଟାଏ ଝୁଣ୍ଟି ଲେଉଟି ପଡ଼ିଲା । ମୁଁ ଛିଞ୍ଚାଡ଼ି ହୋଇ ପଡ଼ିଲି । ବର୍ଚ୍ଛାଟା ମୋ ହାତରୁ ଖସି ଦଶ ହାତ ଦୂରରେ ପଡ଼ିଗଲା । ହରିବନ୍ଧୁ ଏକଥା ଦେଖିବା ମାତ୍ରେ ତା ଘୋଡ଼ାର ମୁହଁ ବୁଲେଇ ଦଉଡ଼ିଲା । ମୁଁ ଉଠିପଡ଼ି ତା ଘୋଡ଼ାଟାକୁ ଛୋଟା କରିଦେବା ପାଇଁ ବର୍ଚ୍ଛା ଫିଙ୍ଗିଲି । କିନ୍ତୁ ଦୁଭାଗ୍ୟକୁ ତାହା ଘୋଡ଼ା ଦେହରେ ନ ବାଜି ହରିବନ୍ଧୁର ବାମ ହାତରେ ବାଜିଲା । ସେ ହାତ ଛିଞ୍ଚାଡ଼ି ଛିଞ୍ଚାଡ଼ି ପଳାଇଲା । ତାପରେ ଦେଖିଲି, ମୋ ଘୋଡ଼ାର ଗୋଡ଼ ଭାଙ୍ଗିଯାଇଛି ।"

 

ବାସ୍ତବିକ ବିଜୟ କିପରି ଦୁର୍ଘଟଣାରେ ପଡ଼ି ହରିବନ୍ଧୁଙ୍କୁ ହରେଇଛି ଏକଥା ଗଗନ ଏବଂ ବିନୋଦ ବୁଝି ପାରିଲେ । ଗଗନ ଆଶ୍ୱାସନା ଦେଉ ଦେଉ ବିନୋଦ କହିଲେ–‘‘ବର୍ତ୍ତମାନ କଅଣ କରିବାକୁ ହେବ ଗଗନ ? ହରିବନ୍ଧୁ ତ ଏଇକ୍ଷଣି ସୁନ୍ଦରଗଡ଼ ଚାଲିଯିବ ।"

 

ଗଗନଙ୍କ ମୁହଁରେ ମଧ୍ୟ ବିଷାଦର ମଳିନ ରେଖା ଫୁଟି ଉଠିଥିଲା । ସେ କହିଲେ–‘‘ତାହାହେଲେ ମୁଁ ସୁନ୍ଦରଗଡ଼ ଯାଉଛି । ସେଠାରେ ଯାହା ହେବ ଆଜି ରାତିରେ ଚେଷ୍ଟା କରି ଦେଖିବି ।’’

 

ନିଜର ଅସାବଧାନତା ଯୋଗୁଁ ଏସବୁ ବିପଦ ଆସିଛି ଭାବି ବିଜୟ ମୁଣ୍ଡ ପୋତି ଠିଆ ହୋଇଥାଏ । ଗଗନଙ୍କ କଥା ଶୁଣି ସେ କହିଲା–‘‘ଆଜ୍ଞା ମୁଁ ବି ସାଥିରେ ଯିବି ।’’

 

ବିନୋଦ କହିଲେ–‘‘ନା, ନା, ତୋତେ ଏଠାରେ ରହିବାକୁ ହେବ । ଯଦି ଉଭୟେ ପୁଣି ଏଠାକୁ ଆସନ୍ତି ?’’

 

ଏ ଆଶଙ୍କାଟା ନୂଆ ହେଲେ ମଧ୍ୟ ଅସ୍ୱାଭାବିକ ନୁହେଁ । ଗଗନ କହିଲେ–‘‘ଆଉ ଯଦି ହରିବନ୍ଧୁ ସୁନ୍ଦରଗଡ଼ରେ ପହଞ୍ଚିବା ଆଗରୁ ମୋହନ ଚିଠି ପାଇ ଶିକାର ଘରକୁ ଚାଲିଯାଇଥାଏ ?’’

 

ବିନୋଦ କହିଲେ–‘‘ଗଲେ ସେ ଆଉ କାହାକୁ ଦେଖିବ ? ରାଜା ତ କିଛି ସମୟ ପରେ ଏଠାକୁ ଚାଲି ଆସିବେ । ସେ ଅନ୍ଧାରରେ ଯାଇ ଅନ୍ଧାରରେ ଫେରିବ ।’’

 

ଗଗନ କହିଲେ–‘‘ତାହାହେଲେ ଆପଣ ମୋର ଯିବାର ବନ୍ଦୋବସ୍ତ କରି ଦିଅନ୍ତୁ ।’’

 

ସମସ୍ତଙ୍କ ଅଜଣାରେ ଗଗନଙ୍କୁ ବାହାରେ ଛାଡ଼ି ଦେବାପାଇଁ ବିଜୟକୁ ବେଶି କିଛି କଷ୍ଟ ସ୍ୱୀକାର କରିବାକୁ ହେଲାନାହିଁ । ଗଗନ ପତ୍ରବାହକ ବେଶରେ ଅଶ୍ଵପୃଷ୍ଠରେ ବସି ସୁନ୍ଦରଗଡ଼ ଅଭିମୁଖରେ ଚାଲିଗଲେ ।

Image

 

ଚବିଶ

 

ଗଗନ ବାଣପୁର ଛାଡ଼ିବା ପରେ ରାଜନ ସେଠାରେ ଆଉ ବେଶି ସମୟ ରହି ପାରିଲେ ନାହିଁ । ଯଦୁ ଅବଶ୍ୟ ତାଙ୍କର ସକଳ ପ୍ରକାର ସୁବିଧା କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲା; କିନ୍ତୁ ଯାହାର ମନଭିତରେ ଲଙ୍କାପୋଡ଼ି ଲାଗିଛି, ଓଦାକନା କି ତାକୁ ଶୀତଳ ବୋଧ ହେବ ? ଏଣେ ହରିପୁରରେ କେଉଁ ମୁହୂର୍ତ୍ତରେ ଯେ କଣ ଘଟୁଥିବ, ସେଇ ଚିନ୍ତା ରାଜନଙ୍କୁ ବ୍ୟତିବ୍ୟସ୍ତ କରି ପକାଇଲା । ସେ ସଂପୂର୍ଣ୍ଣ ସବଳ ବୋଧ କରି ନ ଥିଲେ ମଧ୍ୟ ପରଦିନ ସକାଳୁ ସୁନ୍ଦରଗଡ଼ ବାହାରିଲେ । ଯଦୁ ମଧ୍ୟ ତାଙ୍କ ସଙ୍ଗେ ଆସିଲା । ଉଭୟେ ଦୁଇଟି ଘୋଡ଼ା ଉପରେ ସିଧା ଜଙ୍ଗଲ ପଥଦେଇ ଚାଲିଲେ ।

 

ସେମାନେ ସୁନ୍ଦରଗଡ଼ରେ ପହଞ୍ଚିଲା ବେଳକୁ ବେଳ ଆଉ ପହରେ ଅଛି । ରାଜନ ନିଜ ଆବାସକୁ ଯାଇ ବୁଝିଲେ ରାଜା ଏବଂ ବିନୋଦ ହରିପୁର ଚାଲି ଯାଇଛନ୍ତି । ଗଗନ ଯେ ହରିପୁର ଯାଇଥିବେ, ଏଥିରେ ତାଙ୍କର ଆଉ କୌଣସି ସନ୍ଦେହ ରହିଲା ନାହିଁ । ତେଣୁ ସେ ବିଶ୍ରାମ ନ ନେଇ ସଙ୍ଗେ ସଙ୍ଗେ ହରିପୁର ଯିବାକୁ ବାହାରିଲେ ।

 

ସୁନ୍ଦରଗଡ଼ ବଡ଼ ଦାଣ୍ଡ ଅତିକ୍ରମ କରି ରାଜନ ଏବଂ ଯଦୁ ଚନ୍ଦ୍ରମା ସାହି ମୋଡ଼ରେ ଯାଉଛନ୍ତି–ରାଜନ ଦେଖିଲେ, ପ୍ରାୟ ପଚାଶ ହାତ ଦୂରରେ ଅନନ୍ତ ଓରଫ ବନମାଳୀ–ତାଙ୍କର ‘ବିଶ୍ଵସ୍ତ ଭ୍ରୃତ୍ୟ’ ଗୋଟାଏ ଅପ୍ରଶସ୍ତ ଗଳି ଭିତରକୁ ତରତର ହୋଇ ଚାଲିଯାଉଛି । ବୋଧହୁଏ ସେ ଆଗରୁ ରାଜନଙ୍କୁ ଦେଖି ପାରିଛି ।

 

ରାଜନ ଅନନ୍ତକୁ ଦେଖିବାମାତ୍ରେ ଘୋଡ଼ାରୁ ଓହ୍ଲେଇପଡ଼ି ତାକୁ ଧରିବା ପାଇଁ ଧାଇଁଲେ-। ତାଙ୍କର ଓହ୍ଲେଇବାର କାରଣ ବୁଝି ନ ପାରି ଯଦୁ ମଧ୍ୟ ଘୋଡ଼ା ଅଟକାଇ ସେଇଆଡ଼େ ଚାହିଁ ରହିଲା । କିନ୍ତୁ ପରକ୍ଷଣରେ ଅନନ୍ତକୁ ସେଠାରେ ଆଉ କେହି ଦେଖି ପାରିଲେ ନାହିଁ । ରାଜନ ତାକୁ ଯେଉଁଠାରେ ପ୍ରଥମେ ଦେଖିଥିଲେ, ସେ ପର୍ଯ୍ୟନ୍ତ ଆସି ଅପ୍ରସ୍ତୁତ ହେଲାପରି ଠିଆ ହୋଇ ରହିଲେ-। ଆଖି ପଲକରେ ଅନନ୍ତ ଯେ କେଉଁଆଡ଼େ ଲୁଚିଗଲା, ସେ ଆଦୌ ଅନୁମାନ କରି ପାରିଲେ ନାହିଁ ।

 

ରାଜନ ଯେଉଁଠାରେ ଠିଆ ହୋଇଥିଲେ, ତାର ଡାହାଣ ପାଖେ ଗୋଟାଏ ଖୁବ୍ ପୁରୁଣା ଦରଭଙ୍ଗା ଇଟା ଘର–କୌଣସି ପ୍ରସିଦ୍ଧ ଧନୀବଂଶର ଅତୀତ ଗୌରବର ସ୍ମୃତି ବୁକୁରେ ଧରି ଠିଆ ହୋଇଛି । ତାର ଅଧକରେ ଗୋଟିଏ ଦୋକାନ । ବାକି ଅଧକରେ ସାଧାରଣ ବାସଗୃହର କବାଟ ଲାଗିଛି । ଦୋକାନ ପଟା ମଝିରେ ଏକ ଛୋଟ ପଞ୍ଜର, କିନ୍ତୁ ସବୁଗୁଡ଼ିକ ବନ୍ଦ । ଘରଟା ଦେଖି ରାଜନଙ୍କ ମନରେ କାହିଁକି ସନ୍ଦେହ ହେଲା । ସେ ସେଇଟାକୁ ନିରୀକ୍ଷଣ କରି କିଛି ସମୟ ଠିଆହୋଇ ରହିଲେ । ମାତ୍ର ଖାଲି ଇଟା ଦେହରୁ ଅନନ୍ତର କି ତଥ୍ୟ ମିଳିବ ? ଦାଣ୍ଡ ମଝିରେ କେତେ ଲୋକ ନିଜ ନିଜ କର୍ମ ଜଞ୍ଜାଳରେ ଯାଉ ଯାଉ ସେନାପତିଙ୍କୁ ଦେଖି ଆଡ଼େଇ ହୋଇ ପଡ଼ୁଥାନ୍ତି । ସେ କାହାକୁ ବା କଣ ପଚାରିବେ ? ଶେଷରେ ସେ ସେଠାରୁ ଫେରି ଆସିବାକୁ ଭାବୁଛନ୍ତି, ହଠାତ୍ ଦୋକାନ ଘରର ଛୋଟ ପଞ୍ଜରଟା ଖୋଲିଲା । ସେ ବୁଲିପଡ଼ି ପଞ୍ଜର ଆଡ଼କୁ ଚାହିଁଲେ । ଦେଖିଲେ, ଷାଠିଏ ବର୍ଷର ବୁଢ଼ୀଟିଏ ପଞ୍ଜର ଭିତରେ ମୁହଁ ଗଳେଇ ଚାହୁଁଛି । ବୁଢ଼ୀ ତାଙ୍କୁ ଦେଖିବା ମାତ୍ରେ ଚମକି ପଡ଼ିଲା । କିନ୍ତୁ ରାଜନଙ୍କୁ ତାର ଏ ଭାବ ଲକ୍ଷ୍ୟ କରିବାକୁ ନ ଦେଇ ସଙ୍ଗେ ସଙ୍ଗେ ମୁଡ଼ୁକି ହସା ଦେଇ କହିଲା–‘‘ଓହୋ ! କେଡ଼େ ଭାଗ୍ୟ ଆଜି ! କେତେ କାଳକେ ସୁନ୍ଦୁରାଘର ପୁଅଙ୍କୁ ମୋ ଦୁଆରେ ଦେଖିଲି !’’

ରାଜନ ବୁଢ଼ୀ ସହିତ ଆଗରୁ ପରିଚିତ । ଉପସ୍ଥିତ କ୍ଷେତ୍ରରେ ପୁରାତନ ପରିଚୟର ନବୀକରଣ ପାଇଁ ତାଙ୍କୁ ଆଦୌ ସମୟ ନ ଥିଲେ ସୁଦ୍ଧା ଭଦ୍ରତା ଖାତିରରେ କହିଲେ–‘‘କିଏ ବନ୍ଧୁଆ ମା ? ହରିପୁର ଯାଉଥିଲି ତ,ଏଇ ବାଟଦେଇ ଚାଲି ଆସିଲି । ଏ ଦୋକାନ ଖଣ୍ଡିକ କାହାର ?’’

ବୁଢ଼ୀ ମୁହଁରୁ ପାଚେଲା ଝାମ୍ପୁରା ବାଳ କେରାକ ଆଡ଼େଇ ଦେଇ କହିଲା–‘‘ମୋର ବାବୁ-! ସେଇତକ ମୋର ଏବେ ଜୀବିକା ହୋଇଛି ।’’

ରାଜନ କହିଲେ–‘‘ଦୋକାନରେ ବନ୍ଧୁଆ ବସୁଛି ?’’

ଚାହୁଁ ଚାହୁଁ ବୁଢ଼ୀ ଆଖିରେ ଲୁହ ଦେଖାଗଲା । କାନ୍ଦ କାନ୍ଦ ହୋଇ କହିଲା–‘‘ଆହା, ମୋର ବନ୍ଧୁଆ ଥାଆନ୍ତା ଯେବେ ମୁଁ ଏ ବୟସରେ ଝିଅ ବକଟେ ଧରି କିଆଁ ହିନସ୍ତା ହେଉଥାନ୍ତି ! ପଅରି ବରଷଠୁଁ ବାବୁ, ସବୁ ଶରଧା ନିଆଁରେ ପଶି ଯାଇଛି ।’’

ବୁଢ଼ୀର ବିକଳ କଥାରେ ରାଜନଙ୍କ ହୃଦୟ ମଧ୍ୟ ତରଳି ଗଲା । ଟିକିଏ ଦୁଃଖ ପ୍ରକାଶ କରିବା ସଙ୍ଗେ କଥାଟା ବୁଲେଇ ନେଇ କହିଲେ–‘‘ହଁ ହଁ, ଶୁଣିଥିଲି; ଭୁଲରେ ପୁଣି କହି ପକାଇଲି ଏ ଘର ଖଣ୍ଡି ମରାମତ କରି ଭଡ଼ା ଦେଲେ ତ ଚାରି ପଇସା ମିଳନ୍ତା ? ଏତେଗୁଡ଼ାଏ ଘର ଖାଲି ପଡ଼ିଛି ସିନା ?"

ବୁଢ଼ୀର କ୍ରନ୍ଦନ ସ୍ଵର କ୍ଷଣକେ ବଦଳି ଗଲା । ଆଖିରୁ ଲୁହ ପୋଛୁ ପୋଛୁ କହିଲା–‘‘ଦାଣ୍ଡ ଖଣ୍ଡକ କେବେ କିମିତି ଭଡ଼ା ଦିଏ ବାବୁ ! ସବୁ ଘର ମରାମତି କରିବାକୁ ପଇସା କାହୁଁ ପାଇବି ?’’

 

‘‘–ଏବେ କିଏ ଏଠି ଭଡ଼ା ଅଛି ?’’

 

‘‘–ନାଇଁ ଏବେ କେହି ନାହାନ୍ତି ।’’

 

‘‘–ଏଇଲେ ଯେଉଁ ପିଲାଟି ଆସିଲା ସିଏ କଣ କିଣାବିକା କରିବାକୁ ତୁମ ଘରକୁ ଗଲା-?’’

 

ବୁଢ଼ୀର ମୁହଁର ରଙ୍ଗ ହଠାତ୍ ବଦଳି ଗଲା; ଭ୍ରୂଲତା କୁଞ୍ଚି ହୋଇଗଲା । ତରତରରେ କହି ପକାଇଲା–‘‘ କାହିଁ କେହି ତ ଆସିନି ? ଗରାଖ ନ ଥିବାରୁ ଦୋକାନ କବାଟ ପକେଇ ଦେଇଛି, କିଏ ଆଉ ଆସିବ ?’’

 

ବୁଢ଼ୀର ତୁଣ୍ଡରୁ କଥାଗୁଡ଼ାକ ଯେପରି ସ୍ଵରରେ ବାହାରିଲା, ରାଜନ ସେଥିରେ ପୂର୍ଣ୍ଣ ବିଶ୍ୱାସ ନ କରି ରହି ପାରିଲେ ନାହିଁ । ହୁଏତ ଅନନ୍ତ ଆଉ କେଉଁଠି ଲୁଚିଗଲା ଭାବି ସେ ବୁଢ଼ୀଠାରୁ ବିଦାୟ ନେଇ ନିଜ ଘୋଡ଼ା ନିକଟକୁ ଫେରି ଆସିଲେ ।

 

ସେଠାରେ ଓହ୍ଲାଇବାର କାରଣ ଯଦୁକୁ କହୁ କହୁ ଉଭୟେ ପୁଣି ହରିପୁର ଦିଗରେ ଚାଲିଲେ । ସେମାନେ ହରିପୁର ଦୁର୍ଗଦ୍ୱାରରେ ଓହ୍ଲାଇବା ପର୍ଯ୍ୟନ୍ତ ଏଇ ଅନନ୍ତର ଧୂର୍ତ୍ତତା ନେଇ ଉଭୟଙ୍କ ଭିତରେ ନାନା ପ୍ରକାର କଥାବାର୍ତ୍ତା ଚାଲିଥାଏ ।

 

ଦୀପ ଲଗା ବେଳକୁ ସେମାନେ ଆସି ହରିପୁର ଦୁର୍ଗରେ ପହଞ୍ଚିଲେ । ରାଜନ ବିନୋଦଙ୍କ ସଙ୍ଗେ ସାକ୍ଷାତ କରି ସେଦିନ ସେଠାରେ ଯାହା ଯାହା ଘଟି ଯାଇଥିଲା ଶୁଣିଲେ । ଗଗନ ଏକାକୀ ସୁନ୍ଦରଗଡ଼ ଯାଇଥିବା କଥା ତାଙ୍କୁ ବିଶେଷ ବିଚଳିତ କରି ପକାଇଲା । ସେ ବର୍ତ୍ତମାନ ବୁଝିଲେ, ବାଟରେ ବନ୍ଧୁଆ ମା ତାଙ୍କୁ କିପରି ଚିତା କାଟି ଛାଡ଼ି ଦେଇଛି, ତାଘରେ ସେତେବେଳେ ନିଶ୍ଚୟ ଅନନ୍ତ ଏବଂ ମୋହନ ଥିଲେ । ବାଟରେ ସେ ଯେପରି ଭାବରେ ବନ୍ଧୁଆ ମା ବୁଢ଼ୀ ସହିତ ପରିଚିତ ହୋଇ ଆସିଛନ୍ତି, ସେ ସମସ୍ତ କଥା ବିନୋଦଙ୍କୁ କହିଲେ ଏବଂ ସେ ପୁଣି ସୁନ୍ଦରଗଡ଼ ଫେରିଯାଇ ସେଠାରେ ଗଗନଙ୍କୁ ସାହାଯ୍ୟ କରିବା ପାଇଁ ଅନୁମତି ମାଗିଲେ ।

 

ବିନୋଦ ହୁଏତ ତାଙ୍କୁ ଆନନ୍ଦରେ ଅନୁମତି ଦେଇଥାନ୍ତେ, କିନ୍ତୁ ସେତେବେଳକୁ ଗୋଟାଏ ନୂତନ ଉତ୍କଣ୍ଠା ତାଙ୍କର ସମସ୍ତ ଚିନ୍ତାରାଜ୍ୟକୁ ଅଧିକାର କରି ସାରିଥିଲା । ରାତି ପହରେ ହେଲାଣି; ଅଥଚ ସେତେବେଳ ଯାଏ ରାଜା ଶିକାର ଘରୁ ଫେରି ନ ଥିବାରୁ ସେ ବଡ଼ ଉଦ୍‍ବିଗ୍ନ ହୋଇ ପଡ଼ିଥିଲେ । କୌଣସି ଦିନ ରାଜା ଏତେ ରାତିଯାଏଁ ଏକାକୀ ସେଠାରେ ରହନ୍ତି ନାହିଁ । ଏଣେ ଅଦିନିଆ ମେଘରେ ଆକାଶ ଆଚ୍ଛନ୍ନ ହୋଇ ପଡ଼ିଲାଣି । ଘନ ଘନ ବିଜୁଳି ଚମକରେ ଚଉଦିଗ ଝଲସି ଉଠୁଛି । ଯଦି ଏଇ ସମୟ ମଧ୍ୟରେ ମୋହନ ସେଠାକୁ ଆସିଯାଏ, ତେବେ ଫଳ ଯେ କେଡ଼େ ଭୀଷଣ ହୋଇ ଉଠିବ, ସେ କଥା ସେ ଆଦୌ ଭାବିପାରୁ ନ ଥାନ୍ତି । ପ୍ରତ୍ୟେକ ମୁହୂର୍ତ୍ତରେ ସେ ରାଜାଙ୍କର ଆସିବା ପ୍ରତି ଅପେକ୍ଷା କରି ରହିଥାନ୍ତି । ପ୍ରତ୍ୟେକ ପଲକ ତାଙ୍କୁ ଯୁଗ ପରି ବୋଧ ହେଉଥାଏ । ସେ ରାଜନଙ୍କ ପ୍ରଶ୍ନର ଉତ୍ତର ନ ଦେଇ ନୀରବରେ ବସି ରହିଲେ ।

 

ଏଇ ସମୟରେ ଅଦୂରରୁ ଅଶ୍ଵଗତିର ଶବ୍ଦ ଶୁଣିପାରି ବିନୋଦ ପ୍ରାଣ ପାଇଲା ପରି ଚେଇଁ ଉଠି କହି ପକାଇଲେ–‘‘ଏଇ ରାଜା ଆସିଲେ !’’

 

ରାଜନ ମଧ୍ୟ ଠିଆ ହୋଇ ପଡ଼ିଲେ । ଦୁହେଁ ପିଣ୍ଡାକୁ ଆସି ସିଂହଦ୍ୱାର ଆଡ଼େ ଚାହିଁ ରହିଲେ । କିନ୍ତୁ କିଛି ସମୟ ପରେ ଶିକାର ଘର ଜଗୁଆଳ ରାମ ଦଳେଇ ଆସି ସେମାନଙ୍କୁ ଦଣ୍ଡବତ କରି ହାତ ଯୋଡ଼ି ଠିଆ ହେଲା । ବିନୋଦ ପଚାରିଲେ–‘‘କିରେ ରାମ, ମାହାର୍ଜା କାହାନ୍ତି-?’’

 

ରାମ ହାତ ମଳୁ ମଳୁ କହିଲା–‘‘ଆଜ୍ଞା ଛାମୁ ଆଜି ଗୋଟାଏ ବଳବତ୍ତର ସମ୍ବର ବେଣ୍ଟ କରିଛନ୍ତି ।’’

 

ବିନୋଦ କହିଲେ–‘‘ହଁ, ହେଲା କଅଣ ?’’

 

‘‘–ସମ୍ବରଟା ପଛରେ ଲୋକ ଧରି ଆଣୁଛନ୍ତି ।’’

 

"–ଆରେ ମୁଁ ସମ୍ବର କଥା ପଚାରୁନି, ମାହାର୍ଜା ବିଜେ କରୁଛନ୍ତି ?’’

 

ରାମ ଲଜ୍ଜିତ ହେଲା ପରି ପଛକୁ ଘୁଞ୍ଚିଯାଇ କିହଲା–‘‘ଆଜ୍ଞା ଇମିତି କଥାଟାଏ କହିଲେ–ମାହାର୍ଜା ସମ୍ବର ସାଙ୍ଗେ ବିଜେ କରିବେ ?’’

 

ବିନୋଦ ରାମର ବ୍ୟବହାରରେ ନ ହସି ରହି ପାରିଲେ ନାହିଁ । କହିଲେ–‘‘ତେବେ’’

 

‘‘–ଶନିଆ ଶଗଡ଼ରେ ପକେଇ ଆଣୁଚି ।’’

 

ବିନୋଦ ଟିକିଏ ବିରକ୍ତ ହୋଇ କହିଲେ–‘‘ଆରେ ପୋଡ଼ୁ ତୋ ସମ୍ବର । ମାହାର୍ଜା ଶିକାର ଘରଠାରୁ ନଅରକୁ ବିଜେ କରୁଛନ୍ତି କି ନାହିଁ, କାହ ।’’

 

ରାମ ଆଗରେ ଚାଲି ଆସିଲେ ମଧ୍ୟ ତା ମନଟା ସେଇ ସମ୍ବର ପାଖେ ଲାଗି ରହିଥିଲା-। ବିନୋଦଙ୍କ କଡ଼ା କଥାରେ ପ୍ରକୃତିସ୍ଥ ହୋଇ କହିଲା–‘‘ଆଜ୍ଞା ନାହିଁ ।’’

 

‘‘–ତେବେ କଥା କଣ କହୁନୁ କାହିଁକି, ସେଇ ସମ୍ବର କଥା ବିଳିବିଳୋଉଛୁ ?’’

 

‘‘–ନାଇଁ ବାବୁ, ଆଉ କିଛି ନାହିଁ ଯେ,’’ କ୍ରମେ ରାମର ଶରୀର ପୁଲକି ଉଠିଲା । ଢୋକ ଗିଳି ଗିଳି କହିଲା–‘‘ଆଜି ଗୋଟାଏ ଗଜା ସମ୍ବର ମିଳିଲା । ମୁଁ ତା ପଛ ଧରିଥେ । ମାହାର୍ଜା କର ପାଖେ ଦଉଡ଼ୁଥାନ୍ତି । ହଠାତ୍-’’

 

ବିନୋଦଙ୍କ ମନର ଅବସ୍ଥା ସେତେବେଳେ ଯେପରି ଥିଲା, ସେଥିରେ ସେ ରାଗି ଉଠିବା ଆଦୌ ଅସ୍ୱାଭାବିକ ନୁହେଁ । ସେ ଚଢ଼ାସ୍ଵରରେ କହିଲେ–‘‘କିଏ ଅଛ ରେ, ଦୁଇ ଧକିଆ ଦେଇ ୟାର ମାଉଁସ ଖିଆଟା ଛଡ଼େଇ ଦେବଟି !’’

 

ରାମ ଥରି ଉଠିଲା । ଏତିକିରେ ତାର ପୂର୍ଣ୍ଣ ଜ୍ଞାନ ହୋଇଗଲା । କହିଲା–‘‘ଆଜ୍ଞା, ଛାମୁ ଆଜି ବଡ଼ ହାଲିଆ ହୋଇ ପଡ଼ିଛନ୍ତି । ସେଠି ଟିକିଏ ପହୁଡ଼ି ବିଜେ ହେବେ ବୋଲି କହି ଆଜ୍ଞା ହେଲେ ।’’

 

ବିନୋଦ ଏକଥା ଶୁଣି ମୁଣ୍ଡରେ ଚମକି ପଡ଼ିଲା ପରି ବୋଧକଲେ । ତାଙ୍କର ମୁହଁଟା ଆତଙ୍କରେ ବିବର୍ଣ୍ଣ ହେଇଗଲା । ସେ ଆଉ କିଛି କହିପାରିଲେ ନାହିଁ । କିଛି ସମୟ ନିଶ୍ଚଳ ଭାବରେ ଠିଆ ହୋଇ, ରାଜନଙ୍କର ଡାହାଣ ହାତ ଧରି ପକେଇ ଘର ଭିତରକୁ ପଶିଗଲେ ।

Image

 

ପଚିଶ

 

ରାମଠାରୁ ସମ୍ବାଦ ପାଇ ବିନୋଦ ଆଉ ମୁହୂର୍ତ୍ତେ ମାତ୍ର ବିଳମ୍ବ କରି ପାରିଲେ ନାହିଁ । ସେ ଏହାଦ୍ୱାରା ଯାହା ଆଶଙ୍କା କରନ୍ତି, ରାଜନଙ୍କୁ ବୁଝେଇ ଦେଲେ । ରାଜନଙ୍କ ସୁନ୍ଦରଗଡ଼ ଫେରିବା ପ୍ରସ୍ତାବ ଆଉ ଉଠିଲା ନାହିଁ । ଉଭୟେ କ୍ଷଣକ ଭିତରେ ସେ ଭୀଷଣ ରାତ୍ରିର ବଜ୍ର ବତାସ ତଳେ ମୁଣ୍ଡ ପତେଇ ଦେଇ ଦୁଇଟି ଘୋଡ଼ା ଉପରେ ଶିକାର ଘର ଅଭିମୁଖରେ ବାହାରି ପଡ଼ିଲେ।

 

ଅସୁଚୀଭେଦ୍ୟ ଅନ୍ଧକାର । ମଝିରେ ମଝିରେ ଦଲକାଏ ଥଣ୍ଡା ପବନ ଗଛ ପତର ଗୁଡ଼ାକୁ ଦୋହଲାଇ ଦେଇ ଯାଉଥାଏ । ଉଭୟେ ପ୍ରାଣର ମମତା ତ୍ୟାଗକରି ତା ଭିତର ଦେଇ ତୀରବେଗରେ ଛୁଟିବାକୁ ଲାଗିଲେ ।

 

କ୍ରମେ ସେମାନେ ଯାଇ ପାହାଡ଼ର ପାଦ ଦେଶରେ ଉପସ୍ଥିତ ହେଲେ । ପାହାଡ଼ ଉପରକୁ ଉଠିବାକୁ ଆରମ୍ଭ କରୁଛନ୍ତି, ହଠାତ୍ ତାଙ୍କ ପଛରେ ଖଣ୍ଡେ ଦୂରରେ ଘୋଡ଼ାର ଟାପୁ ଶବ୍ଦ ଶୁଣାଗଲା । ରାଜନ ଭାବିଲେ, ଘୋଡ଼ାରେ ନିଶ୍ଚୟ ମୋହନ ଆସୁଛି । ସେ ସେ କଥା ବିନୋଦଙ୍କୁ ଧୀରେ ଧୀରେ କହିଲେ ।

 

ବିଚାର କରି, ସୁବିଧା ଦେଖି କାର୍ଯ୍ୟ କରିବା ପାଇଁ ସମୟର ନିତାନ୍ତ ଅଭାବ । କ୍ରମେ ଅଶ୍ଵର ଗତିଶବ୍ଦ ନିକଟରେ ହୋଇ ଆସୁଥାଏ । ଉଭୟେ ପଥରର ଉଭୟପାଶ୍ଵକୁ ଆଉଜି ପଡ଼ିଲେ ଏବଂ ଆଖି ପଲଙ୍କରେ ଘୋଡ଼ାର ମୁହଁ ଫେରେଇ ମୋହନ ଆସିବା ଆଡ଼କୁ ଦୃଷ୍ଟି ରଖି ଠିଆ ହେଲେ । କଥା ହେଲା, ଦଶ ହାତ ଦୂରରେ ଶବ୍ଦ ଶୁଭିବା ସଙ୍ଗେ ସଙ୍ଗେ ପଥ ରୋଧକରି ଆକ୍ରମଣ କରିବେ ।

 

ଦୁଇଟି ମୁକ୍ତ ତରବାରିର ଲକ୍ଷ୍ୟ ଏକ ଦିଗରେ, ଏକ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ । କିନ୍ତୁ କାହିଁକି କେଜାଣି ପ୍ରାୟ କୋଡ଼ିଏ ତିରିଶ ହାତ ଦୂରରୁ ଶବ୍ଦଟା ମନ୍ଥର ହୋଇ ପଡ଼ିଲା । ସତେ ଯେପରି ଆଗନ୍ତୁକ ବାଟ ହରେଇ ଏଣେ ତେଣେ ଖୋଜୁଛି । ହୁଏତ ପଲକ ନ ପଡ଼ୁଣୁ ଉଭୟ ତରବାରି ଚମକି ଉଠିଥାନ୍ତେ, କିନ୍ତୁ ଏଇ ସମୟରେ ଝଲ୍‍କିନା ଗୋଟାଏ ବିଜୁଳି ମାରିଦେଲା । ସଙ୍ଗେ ସଙ୍ଗେ ଘୋଡ଼ା ଉପରେ ଉଭୟେ ଚମକି ପଡ଼ି ପାଟି କରି ଉଠିଲେ–‘‘ଯଦୁ !’’

 

ଆଗନ୍ତୁକ ମୋହନ ନୁହେଁ, ଯଦୁ–ଏ କଥା ଦେଖି ରାଜନ ଏବଂ ବିନୋଦ ଜଡ଼ ପାଲଟି ଗଲେ । ବିଜୁଳି ନ ମାରିଥିଲେ ଫଳ ଯେ କି ବିଷମୟ ହୋଇଥାନ୍ତା, ଏଇ କଥା ଭାବି ଉଭୟଙ୍କ ତୁଣ୍ଡରେ ଆଦୌ କଥା ଆସିଲା ନାହିଁ । ସେମାନଙ୍କ କଥା ବାରିପାରି ଯଦୁ ସେଆଡ଼ୁ କହି ଉଠିଲା–‘‘କିଏ, ରାଜନ ବାବୁ ? ଆପଣମାନେ ଏଆଡ଼େ ଆସିବା କଥା ଶୁଣି ମୁଁ ପଛରେ ଆପଣଙ୍କ ଘୋଡ଼ାର ଶବ୍ଦ ବାରିବାରି ଆସୁଥିଲି । କିନ୍ତୁ ଏଇ ଖଣ୍ଡେ ଦୂରରୁ ଶବ୍ଦ ନ ଶୁଭିବାରୁ ମତେ ଆଦୌ ବାଟ ଜଣାଗଲା ନାହିଁ ।

 

ବିନୋଦ ପଥ ଉପରକୁ ଆସି ସେତେବେଳେ ସେମାନେ କଅଣ କରିବାକୁ ଯାଉଥିଲେ ଯଦୁକୁ କହୁ କହୁ ଦୁଃଖ ପ୍ରକାଶ କରିବାକୁ ଲାଗିଲେ ଏବଂ ପଚାରିଲେ–‘‘ତୁମେ କାହିଁକି ଏ ରାତିରେ ଆସିଲ ଯଦୁ ?’’

 

ଯଦୁ କହିଲା–‘‘ମୋତେ ଆମ ବାବୁଙ୍କର ଆଦେଶ ରାଜନ ବାବୁ ଭଲ ହେଲାଯାଏ ତାଙ୍କୁ ଅବିଶ୍ରାନ୍ତ ସେବା କରିବାକୁ ହେବ । ସେ ଆହୁରି ସୁସ୍ଥ ସବଳ ହୋଇ ଉଠି ନାହାନ୍ତି । ସେଇ ଯୋଗୁଁ ମୁଁ ବାଣପୁରରୁ ହରିପୁର ଆସିଲି । ବର୍ତ୍ତମାନ ସେ ଶିକାର ଘରକୁ ଆସିଲାବେଳେ ମୁଁ ହରିପୁରରେ ରହିବି କିପରି ?"

 

ଉଭୟେ ଯଦୁର ଆଦର୍ଶ ପ୍ରଭୁଭକ୍ତିର ପ୍ରଶଂସା ନ କରି ରହି ପାରିଲେ ନାହିଁ ।

 

କିଛି ସମୟ ପରେ ସେମାନେ ପାହାଡ଼ ଉଠିଆସି ଶିକାର ଘର ଆଗରେ ଘୋଡ଼ାରୁ ଓହ୍ଲାଇଲେ । ଚତୁର୍ଦ୍ଦିଗ ନିସ୍ତବ୍‍ଧ । ସ୍ଥାନଟା କାହିଁକି ସେମାନଙ୍କୁ ମଡ଼େଇ ପଡ଼ିଲା ପରି ଲାଗିଲା; ଯେପରି ଜଙ୍ଗଲର ଅସ୍ପଷ୍ଟ ଝିଲ୍ଲୀ ଶବ୍ଦ ସଙ୍ଗେ ଗୋଟାଏ ନିର୍ମ୍ମମ ଭୀଷଣତା ମାଡ଼ି ଆସୁଛି ।

 

ବିନୋଦ ଶିକାର ଘର ପିଣ୍ଡା ଉପରକୁ ଉଠି ପଡ଼ୁଛନ୍ତି, ଏଇ ସମୟରେ ଅଦୂରରେ କେଉଁଠାରେ ଗୋଟାଏ ବିକଟ ଚିତ୍କାର ଶୁଣି ସେହିଠାରେ ରହିଗଲେ । ସ୍ୱରଟା ଯେପରି ଠିକ୍ ତାଙ୍କ କାନ ପାଖେ ଶୁଣାଗଲା । ରାଜନ ଓ ଯଦୁ ମଧ୍ୟ ଚିତ୍କାରଟା ଶୁଣି ଥରି ଯାଇଥିଲେ । ବିନୋଦ ପଚାରିଲେ–‘‘ରାଜନ, ଏ କଣ !’’

 

ରାଜନ ନିରୁତ୍ତର । କିନ୍ତୁ ସେ ଅନୁମାନ କରିଛନ୍ତି, ସ୍ଵରଟା ଘର ପଛ ପାଖରୁ ଶୁଣା ଯାଇଛି । କହିଲେ–‘‘ବୋଧହୁଏ ଏଇଟା କୌଣସି ବନ୍ୟଜନ୍ତୁର ସ୍ଵର ।’’ ରାଜନ ଟିକିଏ ରହିଯାଇ ପୁଣି କହିଲେ–‘‘ଆଚ୍ଛା, ଚାଲନ୍ତୁ ଦେଖି ଭିତରକୁ । ପୁଣି ସେମାନେ ଆସ୍ତେ ଆସ୍ତେ ଦୁଆର ଆଡ଼କୁ ଆସିଲେ । ଦେଖିଲେ କବାଟ ଠିଆମେଲା ରହିଛି । କୌଣସି ପ୍ରହରୀର ଦେଖାନାହିଁ । ଭିତରେ କେଉଁଠାରେ ଆଲୋକ ଜଳିଲା ଭଳି ତାର ପ୍ରଭା କେବଳ ଦେଖା ଯାଉଥାଏ । ସେମାନେ ଭିତରକୁ ପଶି ଆସିଲେ ।

 

ଶିକାର ଘର ମଝିରେ ଗୋଟାଏ ମସ୍ତବଡ଼ ଅଗଣା । ତାର ଚାରିପାଖେ ଓସାରିଆ ପିଣ୍ଡା ଏବଂ ଛୋଟ ଛୋଟ କୋଠରୀ । ପୂର୍ବ ପାଖରେ ଗୋଟାଏ ଅପେକ୍ଷାକୃତ ବଡ଼ ଘରେ ରାଜାଙ୍କର ବିଶ୍ରାମାଗାର । ସେମାନେ ଅଗଣା ମଝିକୁ ଆସି ଦେଖିଲେ, ରାଜାଙ୍କର ବିଶ୍ରାମ ଘର ପିଣ୍ଡାରେ ଆଲୋକଟାଏ ଅଣେଇ ହୋଇ ପଡ଼ି ମିଞ୍ଜି ମିଞ୍ଜି ଜଳୁଛି, ତାର ଜୀବନୀଶକ୍ତି କ୍ରମେ ଉଣାହୋଇ ଆସୁଛି । ଦୀପ ପାଖରେ ଦୁଇଟା ରକ୍ତାକ୍ତ ମନୁଷ୍ୟ ଶରୀର ଲୋଟି ପଡ଼ିଛି । ଉଭୟଙ୍କର ଜୀବନଦୀପ ଏକବାରେ ଲିଭିଯାଇଛି । ଏହା ଦେଖି ଆଉ ଆଗକୁ ଯିବାପାଇଁ ବିନୋଦଙ୍କର ଧୈର୍ଯ୍ୟ ଅଣ୍ଟିଲା ନାହିଁ । ରାଜନ ଧାଇଁ ଯାଇ ଦୀପଟି ଟେକି ଧରି ଦେଖିଲେ, ଲୋକ ଦୁଇଟା ରାଜାଙ୍କର ଶରୀରରକ୍ଷୀ । ଜଣଙ୍କର ମୁଣ୍ଡଟା ଗଣ୍ଡି ଦେହରୁ ଏକବାରେ ଅଲଗା ହୋଇଯାଇ ସକାଳ ଯାତନାରୁ ରକ୍ଷା ପାଇଛି । ଅପର ବ୍ୟକ୍ତି କ୍ଷତବିକ୍ଷତ ଶରୀରରେ ପଡ଼ିରହି ଛଟପଟ ହେଉଛି ।

 

ବିନୋଦଙ୍କ ଆଖି ଆଗେ ନାଚିଗଲା ହରିପୁର ଦୁର୍ଗରେ ତିନିବର୍ଷ ତଳର ଏଇପରି ଗୋଟାଏ ଦୃଶ୍ୟ–ଏଇପରି ଦୁଇଟା ରକ୍ତାକ୍ତ ଛବି । ସେ ରାଜନଙ୍କ ନିକଟକୁ ଧାଇଁଗଲେ; କିନ୍ତୁ ସେଠାରେ ମୁହୂର୍ତ୍ତେ ମାତ୍ର ନ ରହି ରାଜାଙ୍କ ବିଶ୍ରାମ ଘର ଆଡ଼କୁ ଧାଇଁଲେ । ତାଙ୍କ ଦେହର ପ୍ରତ୍ୟେକ ତନ୍ତ୍ରୀ ସେତେବେଳେ ବାତ୍ୟା ବେଗରେ ପ୍ରକମ୍ପିତ ହେବାକୁ ଲାଗିଲା । ଛାତିର ପ୍ରତ୍ୟେକ ଅଣୁ ଅଜ୍ଞାତ ଉତ୍କଣ୍ଠାରେ ଆନ୍ଦୋଳିତ ହୋଇ ଉଠିଲା ।

 

ପିଣ୍ଡା ଉପର ଗୋଟାଯାକ ରକ୍ତର ସ୍ରୋତ ଚାଲିଛି । ଦୁଆର ମୁହଁରେ ଗୋଟାଏ ପାଖରେ ଆଦିତ୍ୟଙ୍କର ପ୍ରାଣପ୍ରିୟ ଅର୍ଜ୍ଜୁନା କୁକୁର ଚିରନିଦ୍ରା ଯାଇଛି । ସେତେବେଳେ ମଧ୍ୟ ତାର ବେକ ନିକଟକୁ ତପ୍ତ ରକ୍ତ ଉଦ୍‍ଗାରି ଉଠୁଥିଲା । ଏକଥା ଦେଖି ଘଟଣା କଣ ହୋଇଛି ଭାବିବା ପାଇଁ ବିନୋଦଙ୍କ ଚିନ୍ତାଶକ୍ତିର ଅଭାବ ହେଲା । ସେ ଏସବୁ ପ୍ରତି ଲକ୍ଷ୍ୟ ନ କରି କୋଠରୀ ଭିତରକୁ ପଶି ଆସିଲେ ।

 

ଦେଖିଲେ ସେ ଯାହା ଆଶଙ୍କା କରୁଥିଲେ, ବାସ୍ତବିକ୍ ସେଇଆ ହୋଇଛି । ଆଦିତ୍ୟ ପଲଙ୍କ ତଳେ ନିଶ୍ଚଳ ଭାବେ ପଡ଼ିଛନ୍ତି । ଦେହରେ ଶିକାରୀର ପୋଷାକ । ସମସ୍ତ ଶରୀରଟା ରକ୍ତରେ ସିକ୍ତ ହୋଇପଡ଼ିଛି । ପାଖରେ ତୀକ୍ଷ୍‍ଣ ଧାର ବର୍ଚ୍ଛା ଲମ୍ବହୋଇ ପଡ଼ି ରହିଛି । ବିନୋଦ ସେଇଠାରେ ବସି ପଡ଼ିଲେ । ଆଦିତ୍ୟଙ୍କ ମସ୍ତକ ନିଜ କୋଡ଼ରେ ଟେକିଧରି ଦେଖିଲେ ତାହା ବରଫ ପରି ଥଣ୍ଡା ।

 

ବିନୋଦଙ୍କ ଆଖି ଦୁଇଟା ଫାଟି ପଡ଼ିଲା ପରି ଫୁଲି ଉଠିଲା–ଅଥଚ ଆଖିରେ ଲୁହ ନାହିଁ–ହୃଦୟ ବିଦୀର୍ଣ୍ଣ ହୋଇଗଲା ପରି ବୋଧ ହେଲା । ସେ ମର୍ମାନ୍ତକ ବେଦନା ଆଉ ସହ୍ୟ କରି ପାରିଲେ ନାହିଁ । କ୍ରମେ କ୍ରମେ ତାଙ୍କ ଆଖିରେ ଘର, ଦ୍ୱାର, ମୃତଶରୀର ସବୁ ଅସ୍ପଷ୍ଟରୁ ଅସ୍ପଷ୍ଟତର ଦେଖାଗଲା । ଆସ୍ତେ ଆସ୍ତେ ସମସ୍ତ ଚିନ୍ତା ଓ ଶକ୍ତି ଚାରିଆଡ଼ୁ ଟାଣି ହୋଇ ଏକ ବିନ୍ଦୁରେ କେନ୍ଦୀଭୁତ ହୋଇପଡ଼ିଲା । ଧୀରେ ଧୀରେ ତାଙ୍କର ଆଖିପତା ସଙ୍କୁଚିତ ହୋଇ ଆସିଲା । ବିନୋଦଙ୍କର ଏ ଭାବ ରାଜନ ଆଦୌ ଲକ୍ଷ୍ୟ କରି ପାରି ନ ଥିଲେ । ସେଇଠାରେ ରାଜାଙ୍କ ମୁଣ୍ଡଟି କୋଳରେ ଧରି ସେ ଭୂଇଁ ଉପରେ ଢଳି ପଡ଼ିଲେ ।

 

ସଙ୍ଗେ ସଙ୍ଗେ ରାଜନ ଏବଂ ଯଦୁ ବିନୋଦଙ୍କୁ ଟେକି ଧରିଲେ । ବିନୋଦଙ୍କ ଓହଳି ରହିଥିବା ହାତଟା ଆଲୋକ ଦେହରେ ବାଜି ତାହା ଲେଉଟି ପଡ଼ି ଲିଭିଗଲା ।

 

ଚତୁର୍ଦ୍ଦିଗ ନୀରବ–ନିସ୍ତବ୍‍ଧ–ଅନ୍ଧକାରମାୟ–ମୃତ୍ୟୁ-ଦେବତାର ରାଜଧାନୀରେ ପରିଣତ ହୋଇଗଲା । ଯେପରି ସାରା ବିଶ୍ଵକ୍ରମେ ଏ ନୀରବତା ମଧ୍ୟରେ ମିଳେଇ ଯାଉଛି–ମହା ପ୍ରଳୟର ଗୋଟାଏ ସଂକ୍ଷିପ୍ତ ସଂସ୍କରଣ ! ମଝିରେ ମଝିରେ କେବଳ ମୁମୂର୍ଷୁର ଚିତ୍କାର ମହାପଥ-ପଥିକର ଉଦ୍‍ବୋଧନ ସଙ୍ଗୀତ ପରି ଶୁଣାଯାଉଥାଏ ।

Image

 

ଛବିଶ

 

ମାନବ ଯାହା କିଛି କରେ ବ୍ୟକ୍ତିଗତ ବା ସମୂହ ସ୍ୱାର୍ଥସାଧନା ଉଦ୍ଦେଶ୍ୟରେ । ନଚେତ୍ ଜଗତର କର୍ମକ୍ଷେତ୍ର ସର୍ବଦା ନିସ୍ତରଙ୍ଗ ହୋଇ ପଡ଼ିଥାନ୍ତା । ମନୁଷ୍ୟ କର୍ମମାର୍ଗରେ ଅନୁସରଣ କରିବାକୁ ଗଲାବେଳେ ତା ମନ ମଧ୍ୟରେ ପ୍ରଥମେ ଆଶା-ନୈରାଶ୍ୟର ସଂଗ୍ରାମ ସୃଷ୍ଟି ହୁଏ । କେତେବେଳେ ଆଶାର ଆଲୋକ ଚକ୍ ଚକ୍ କରି ଉଠେ, କେତେବେଳେ ନିରାଶାର ଘନାନ୍ଧକାର ସେ ଆଲୋକରେଖାକୁ ଗ୍ରାସ କରି ପକାଏ । ଯେଉଁଠାରେ ଆଶା ବିଜୟଶ୍ରୀବିମଣ୍ଡିତ ହୁଏ, ସେଠାରେ ମନୁଷ୍ୟ ଅଦମ୍ୟ ଭାବରେ ଗନ୍ତବ୍ୟ ପଥର ଅନୁସରଣ କରେ । ଅନ୍ୟଥା ନୈରାଶ୍ୟର ଧକ୍‍କାରେ ସେ କର୍ମକ୍ଷେତ୍ରରୁ ଅବସର ନିଏ । ସେଇଠାରେ ଜୀବନର ସକଳ ପ୍ରକାର ଆଶା, ଆକାଙ୍‍କ୍ଷା, ସୁଖ, ସ୍ୱାର୍ଥର ଯବନିକା ପଡ଼ିଯାଏ ।

 

ଆଶାବାଦୀ କର୍ମକ୍ଷେତ୍ରରେ ଗତି କରେ ସତ; ମାତ୍ର ସେ ପଥ ଏଡ଼େ ରହସ୍ୟମୟ, ଗୁଢ଼ ଏବଂ ଶତଧା ବିଚ୍ଛିନ୍ନ ଯେ ତା ମଧ୍ୟରୁ ଠିକ୍ ପଥଟା ଧରି ନେବା ସାଧାରଣ କଥା ନୁହେ । ପଥିକ ମରୁଭୂମି ଅତିକ୍ରମ କଲାବେଳେ ଥରେ ଥରେ ଦେଖେ, ତାର ଚାରି ପାଖେ ବହୁ ପଥିକର ପଦଚିହ୍ନ । କିନ୍ତୁ ତା ମଧ୍ୟରୁ କେଉଁଟିର ଅନୁସରଣ କଲେ ସେ ନିରାପଦରେ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ ସେ କଥା ଆଦୌ ଅବଧାରଣା କରିପାରେ ନାହିଁ । କାରଣ ଏକାପରି ପଦଚିହ୍ନଗୁଡ଼ିକ ମଧ୍ୟରୁ ଠିକ୍ କେଉଁଟି ମରୁଦ୍ଵୀପ ଦିଗରେ ଯାଇଛି ଜାଣିବା ନିତାନ୍ତ ଅସମ୍ଭବ । ତେଣୁ ଅନେକ ସମୟରେ ଯେଉଁ ପଦଚିହ୍ନର ଅନୁସରଣ କରିଥିଲେ ସେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାନ୍ତା; ଯଦି ତାର ସବୁଠାରୁ ନିକଟବର୍ତ୍ତୀ ଚିହ୍ନଟି ଧରି ସେ ଚାଲେ ତେବେ ହୁଏତ ତାକୁ କେଉଁ ଅଜ୍ଞାତ ପ୍ରଦେଶରେ ଶୁଷ୍କକଣ୍ଠରେ ପ୍ରାଣପାତ କରିବାକୁ ହୁଏ । ଏଠାରେ 'ଠିକ୍' ଆଉ 'ଭୁଲ' ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ତେବେ ସୁଦ୍ଧା ତାକୁ ତାର ପ୍ରତିଫଳ ଭୋଗ କରିବାକୁ ହୁଏ । ଜଗତରେ ମନୁଷ୍ୟ ଜାଣି ଶୁଣି ଭୁଲ କରୁ ବା ଅଜ୍ଞତାବଶତଃ କରୁ ତାର ପ୍ରତିଫଳ ତାକୁ ଭୋଗ କରିବାକୁ ହେବ ନିଶ୍ଚୟ । ଶତ ଜପ, ପ୍ରାର୍ଥନା, ପୂଜା ଦ୍ୱାରା ସେ ଫଳ ଆଉ କଟିଯାଇ ପାରିବ ନାହିଁ । ହୁଏତ ଏ ପୂଜା–ପ୍ରାର୍ଥନା–ଦ୍ୱାରା ସେ ଅନ୍ୟ ପ୍ରକାରେ ପୁରସ୍କୃତ ହୋଇପାରେ; କିନ୍ତୁ ଯୁକ୍ତ ପାଞ୍ଚକୁ ବିଯୁକ୍ତ ପାଞ୍ଚ ଯେ କଟିଯିବ, ଏ ଗାଣିତିକ ନିୟମ ସେଠାରେ ଆଉ ଖାଟେ ନାହିଁ । ଆଜୀବନ ସତ୍ୟନିଷ୍ଠ ଯୁଧିଷ୍ଠିର ପଦେ ମିଥ୍ୟାର ପାପରୁ ମୁକ୍ତିଲାଭ କରିପାରିଲେ ନାହିଁ । ବାଟୋଇ ଯଦି ପଥ ହରେଇଛି ତେବେ ସେ ପଥରୁ ଫେରି ଆସି ଠିକ୍ ପଥର ଅନୁସରଣ କରିବା ହିଁ ତାର ପ୍ରତିକାର ।

 

ବିନୋଦ ସିଂହ ଠିକ୍ ଏହିପରି ଭାବରେ କର୍ମପଥର ଅନୁସରଣ କରିଥିଲେ । ତାଙ୍କ ହୃଦୟରେ ଆଶାର ଉଜ୍ଜ୍ଵଳ ଧ୍ୱଜା ଦେଖାଦେଇଥିଲା । ଆଦିତ୍ୟଙ୍କର ତଥା ଜନସାଧାରଣଙ୍କର ମଙ୍ଗଳ ଲାଗି ସେ ଯେଉଁ ପଥରେ ଅଗ୍ରସର ହୋଇଥିଲେ ସେଇଟା ତାଙ୍କୁ ଲକ୍ଷ୍ୟ ସ୍ଥଳର ନିକଟବର୍ତ୍ତୀ କରୁଛି ବୋଲି ସେ ମନେ କରିଥିଲେ । ତେଣୁ କର୍ମପଥର କୁଟୀଳ ଗତି ମଧ୍ୟରେ ସେ ଏପରି ଆକସ୍ମିକ ଭାବରେ ଯେ ଆଦିତ୍ୟଙ୍କୁ ହରେଇ ବସିବେ ଏକଥା ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲେ ।

 

ବିନୋଦ ଅଚେତ ହୋଇ ପଡ଼ିବା ପରେ ରାଜନ ସେ ଅନ୍ଧକାର ମଧ୍ୟରେ ବ୍ୟାକୁଳ ଭାବରେ ଏଣେ ତେଣେ ଦରାଣ୍ଡି ହେବାକୁ ଲାଗିଲେ । ତାହାଙ୍କର ମସ୍ତିଷ୍କ ମଧ୍ୟ ଏ ଭୀଷଣ ପରିସ୍ଥିତିରେ ବିକୃତ ହୋଇ ପଡ଼ିଲା । ସେ ଅଗଣା ମଝିକୁ ଆସି ଦେଖିଲେ ଜଗୁଆଳ ରାମ ଦଳବେହେରାର ବସା ଘରେ ଗୋଟିଏ ଦୀପ ଜଳୁଛି । ସେ ଦୀପଟା ଧରି ଆସି ବିନୋଦଙ୍କୁ ସଚେତ କରାଇବାରେ ଲାଗିଲେ ।

 

ଅନେକ ସମୟ ପରେ ବିନୋଦ ଚେତନା ଲାଭକରି ଉଠିଲେ । ସେ ମନେ କରୁଥାନ୍ତି, ଯେପରି ଅନ୍ୟ ଗୋଟାଏ ଜଗତକୁ ସେ ପରିବର୍ତ୍ତିତ ହୋଇ ଯାଇଛନ୍ତି । ତେବେ ସୁଦ୍ଧା ଚେତନାଲାଭ ପରେ ତାଙ୍କ ମୁଖରୁ ପ୍ରଥମ ବାକ୍ୟ ବାହାରିଲା–‘‘ରାଜନ, ସତେ କଣ ଆଉ ଆଦିତ୍ୟ ନାହାନ୍ତି ?" ସଙ୍ଗେ ସଙ୍ଗେ ସେ ସାମାନ୍ୟ ଶିଶୁପରି କ୍ରନ୍ଦନ କରି ଉଠିଲେ । ରାଜନ ଓ ଯଦୁ ମଧ୍ୟ ନ କାନ୍ଦି ରହି ପାରିଲେ ନାହିଁ ।’’

 

ବାହାରେ ସାଇଁ ସାଇଁ ଗର୍ଜନ କରି ଦକ୍ଷିଣା ପବନର ସ୍ରୋତ ଚାଲିଥାଏ । ଆକାଶ ସେତେବେଳକୁ ଟିକିଏ ମେଘବିମୁକ୍ତ ହୋଇ ଆସିଥାଏ । ଖଣ୍ଡ ଖଣ୍ଡ ପାତଳା ମେଘ ଭିତରେ ଚନ୍ଦ୍ରଟା ହସି କାନ୍ଦି ଧାଇଁ ଚାଲିଥାଏ ।

 

ବିନୋଦ ଲୋତକଚକ୍ଷୁରେ ଅଗଣା ମଝିକୁ ଚାଲି ଆସିଲେ । କେଉଁଠାରେ ଗୋଟିଏ କ୍ଷତବିକ୍ଷତ ଶରୀରର ଯନ୍ତ୍ରଣାପୂର୍ଣ୍ଣ ଚିତ୍କାର କ୍ରମେ କ୍ଷୀଣରୁ କ୍ଷୀଣତର ହୋଇ ଆସୁଥାଏ । ବିନୋଦ ଆସି ଦେଖିଲେ, ଲୋକଟା ଶୋଷରେ ପାଟି ପାକୁ ପାକୁ କରୁଛି । ରାଜନଙ୍କୁ ଟିକିଏ ପାଣି ଆଣିବାକୁ କହି ସେ ସେଇଠାରେ ବସି ପଡ଼ିଲେ ।

Image

 

ସତେଇଶ

 

ପାଣି ପିଇ ଟିକିଏ ସତେଜ ବୋଧ କଲା ପରେ ଲୋକଟି କ୍ଷୀଣକଣ୍ଠରେ କହିବାକୁ ଲାଗିଲା–‘‘ବାବୁ, ଶିକାରରୁ ଫେରି ଆସିଲା ବେଳକୁ ଛାମୁ ଖୁବ୍ ହାଲିଆ ହୋଇ ପଡ଼ିଥିଲେ । ସମ୍ବରଟା ପଠେଇ ଦେଇ ସେ ଟିକିଏ ପହୁଡ଼ିବାକୁ ଗଲେ । କଥାହେଲା, ରାତି ପହରକ ସରିକି ହରିପୁର ବିଜେ ହେବେ ।

 

‘‘ସେ ବିଶ୍ରାମ ଘରକୁ ଯିବା ବେଳକୁ ମୁଁ ଅଗଣାରେ ଥିଲି, ବାହାର ଦୁଆର ମେଲା ଥିଲା-। ଏତିକିବେଳେ ସେଇ ମହନା–ଯିଏ ଲାଲମୋହନଙ୍କୁ ମାରି ଦେଇ ଲୁଚି ପଳେଇଥିଲା–ଦୁଆର ମୁହଁରେ ଆସି ଠିଆ ହେଲା । ତା ଦିହ ଚାରିପାଖେ ଶଗଡ଼େ ଚିରା ଲୁଗା ଓହଳି ଥାଏ । ସଳଖେ ମୁହଁଟାକୁ ନ ଚାହିଁଲେ ତାକୁ କେବେ ଚିହ୍ନିହେବ ନାହିଁ । ମୁଁ ତାକୁ ଦେଖିବାମାତ୍ରେ ଦୁଆରକୁ ଧାଇଁଗଲି, ପଚାରିଲି–ତୁ କିଏ ? କୁଆଡ଼େ ଆସିଛୁ ? କିନ୍ତୁ ସେ କିଛି କହିଲାନି । କେବଳ ଗୁମ୍ ମାରି ଠିଆ ହୋଇଥାଏ । ତାପରେ କେତେ କ'ଣ ବିଚାରି ବିଚାରି କହିଲା–ଛାମୁରେ ଜଣା କରିଦେ-। ଯାହାକୁ ଡାକିଥିଲେ ସେ ଆସିଛି । ମୁଁ କହିଲି–ନା, ଛାମୁ ପହୁଡ଼ିବାକୁ ବିଜେ ହେଲେଣି । ସକାଳେ ହରିପୁରଠାରେ ଦେଖା ମିଳିବ ।’’

 

‘‘ସେ ମୋ କଥା ଶୁଣିବା ପର୍ଯ୍ୟନ୍ତ ଅପେକ୍ଷା କଲାନାହିଁ । ମତେ ଜୋରରେ ଠେଲି ଦେଇ ଘର ଭିତରକୁ ପଶିଗଲା । ମୋ ହାତରେ ସେତେବେଳେ କୌଣସି ହତିଆର ନ ଥିଲା । ମୁଁ ତା ପଛେ ପଛେ ଧାଇଁ ଆସି ଦେଖିଲି ସେ ସେତେବେଳକୁ ଯାଇ ମାହାର୍ଜାଙ୍କ କୋଠି ଦୁଆରେ ଉଠିଗଲାଣି ।’’

 

‘‘ମହାରଜା ଠିକ୍ ସେତିକିବେଳେ ପଲକ ଉପରକୁ ବିଜେ ହେଉଥିଲେ । ମୋହନର ପାଦ ଶବ୍ଦ ଶୁଣି ଫେରି ଚାହିଁଲେ । ସଙ୍ଗେ ସଙ୍ଗେ ତାଙ୍କ ଭ୍ରୂଲତା ଦୁଇଟା କୁଞ୍ଚି ହୋଇଗଲା । ଅର୍ଜ୍ଜୁନା ପଲଙ୍କ ତଳୁ ଭାଉ ଭାଉ କରି ଉଠିଲା । ମୋତେ ମୋହନର ପଛରେ ଦେଖି ମାହାର୍ଜା କହିଲେ–ୟାକୁ ଏଠାକୁ କିଏ ଛାଡ଼ିଲା ?’’

 

"ମୁଁ କହିଲି–ମାହାର୍ଜା; ମତେ ନ ମାନି ଚାଲି ଆସିଛି ।

 

‘‘ଛାମୁ ଗର୍ଜି ଉଠିଲେ । କହିଲେ–ଏଇକ୍ଷଣି ୟାକୁ ବନ୍ଦୀକର । ମୁଁ ଏବଂ ବନା ଝପଟି ଯାଇ ତାକୁ ଧଇଲୁ । କିନ୍ତୁ ସେ ଦୁଇ ହାତରେ ଆମ ଦୁହିଁଙ୍କୁ ଆଡ଼େଇ ଦେଇ ମହାର୍ଜାଙ୍କୁ କହିଲା ଛାମୁ ଚିଠି ଦେଖିବାକୁ ମତେ ଡାକି ଏ କଅଣ କରୁଛନ୍ତି ?’’

 

‘‘ମହାରାଜା ବିସ୍ମିତ ଭାବରେ ଚାହିଁ ରହି ପଚାରିଲେ–କି ଚିଠି ? କିଏ ତୋତେ ଡାକିଛି-?’’

 

"ଏକଥା ଶୁଣି ମୋହନ ଗୋଟାଏ ବାତୁଳଙ୍କ ପରି ଖାଲି ଚାହିଁ ରହିଲା । ସତେ ଯେପରି ସେ ଛାମୁଙ୍କ କଥାଗୁଡ଼ାକ ଆଦୌ ବୁଝିପାରୁ ନ ଥାଏ । ମାତ୍ର ସଙ୍ଗେ ସଙ୍ଗେ ସେ ଅଙ୍ଗି ମୁଣାରୁ ଗୋଟିଏ ସାନ ପେଡ଼ି ବାହାର କରି, ଘର ଭିତରକୁ ଗୋଟାଏ ପାଦ ପକାଇବାକୁ ଆରମ୍ଭ କଲା । ଏ କଥା ଦେଖି ଛାମୁ କ୍ରୋଧରେ ଅଜ୍ଞାନ ହୋଇପଡ଼ି ଚିତ୍କାର କଲେ–ସେଇଠି ରହ ।

 

‘‘ମୋହନ ଗୋଟିଏ ପାଦ ଘର ଭିତରକୁ ପକେଇସାରି ଆର ପାଦଟା ଆଉ ଉଠେଇ ପାରିଲା ନାହିଁ । ସେ ନିଆଁକୁଣ୍ଡ ଭିତରେ ଠିଆ ହେଲା ପରି ବୋଧ କରୁଥାଏ । ପ୍ରତି ମୁହୂର୍ତ୍ତରେ ଚମକି ପଡ଼ି ଆଗକୁ ପଛକୁ ଚାହିଁ ଦେଉଥାଏ । ତାପରେ ସେଇ ପେଡ଼ିଟି ଧରି କହିଲା–‘‘ଦେଖନ୍ତୁ ମାହାର୍ଜା ଦେଖନ୍ତୁ ଏଇ ପେଡ଼ିଟି । ତାପରେ ସବୁ ବୁଝି ପାରିବେ ।

 

‘‘ଛାମୁ ମୋତେ ଚାହିଁ ଅପେକ୍ଷାକୃତ ଅନୁଚ୍ଚ ସ୍ଵରରେ ପଚାରିଲେ–କଅଣ କହୁଛି ସିଏ ?’’

 

‘‘ମୁଁ ମଧ୍ୟ ତା କଥାର କୌଣସି ଅର୍ଥ ବୁଝିନି; ମୋହନ ଅଣ୍ଟାରେ ଝୁଲୁଥାଏ ଏକ ଲମ୍ବା ଖଣ୍ଡା । ମୁଁ ବିପଦ ଆଶଙ୍କାରେ ଗ୍ରସ୍ତ ହୋଇ ଠିଆ ହୋଇଥାଏ । ମୋହନର ପାଖ ଛାଡ଼ି ଯିବାପାଇଁ ମଧ୍ୟ ସାହସ ହେଉ ନ ଥାଏ ।

 

‘‘ମୋହନ ଆଉ ବେଶି ସମୟ ଅପେକ୍ଷା କରି ପାରିଲା ନାହିଁ । କହିଲା–ତେବେ ଧର ଏଇ ପେଡ଼ି, ଯଦି ପାଖକୁ ଆସିବାକୁ ଭୟ କର–କହି ପେଡ଼ିଟାକୁ ଛାମୁଙ୍କ ଆଡ଼କୁ ଫିଙ୍ଗି ଦେଲା ।’’

 

‘‘ଏ ଘଟଣା ଅର୍ଜ୍ଜୁନା ଖଟ ତଳେ ରହି ବରାବର ନିରୀକ୍ଷଣ କରୁଥାଏ । ପେଡ଼ିଟା ମୋହନ ହାତରୁ ଖସିଛି କି ନାହିଁ ସେ ଏକା ଖେପାକେ ମୋହନ ଉପରକୁ ଡେଇଁ ଆକ୍ରମଣ କଲା । ସେ ଭାବିଲା ଲୋକଟା ରାଜାଙ୍କୁ ଆକ୍ରମଣ କରୁଛି । ମୋହନ ପଛକୁ ଦୁଇପାଦ ଘୁଞ୍ଚିଗଲେ ମଧ୍ୟ ଅର୍ଜ୍ଜୁନା ତାର ତୋଟିରେ ଦୁଇଟି ଦାନ୍ତ ବସେଇ ଦେଇ ପରମୁହୂର୍ତ୍ତରେ ଚିତ୍କାର କରି ପିଣ୍ଡା ଉପରେ ଲମ୍ବ ହୋଇ ପଡ଼ିଗଲା । ମୋହନର ଛୁରୀ ଠିକ୍ ତାର ଛାତି ଉପରେ ବସି ଯାଇଛି । ଦୁଆର ମୁହଁଟାରେ ରକ୍ତର ସ୍ରୋତ।

 

"ତାପରେ ଛାମୁ କେତେବେଳେ ନିଜର ତରବାରିଟା ପଲଙ୍କ କଡ଼ରୁ ଟାଣି ଆଣିଲେ ମୁଁ ଦେଖି ନାହିଁ । କିନ୍ତୁ ପରକ୍ଷଣରେ ଦେଖିଲି ମୋହନ ଏବଂ ରାଜନଙ୍କର ତଳଉଆର ଛକ କାଟିଲା ଭଳି ରହିଛି । ଦୁହେଁ ଦୁହିଁଙ୍କୁ ଆକ୍ରମଣ କରିଛନ୍ତି । ଏପରି ଅବସ୍ଥାରେ ମୁଁ କଣ କରିବି କିଛି ଠିକ୍ କରି ପାରିଲି ନାହିଁ । ସବୁ ପଲକ ମଧ୍ୟରେ ଘଟି ଯାଇଥାଏ । ସେତେବେଳେ ସୁଦ୍ଧା ମୁଁ ଶସ୍ତ୍ର ହୀନ । କୁକୁରର ଚିତ୍କାର ଶୁଣି ବନା ପାଖ ଘରୁ ଧାଇଁ ଆସୁଥିବାର ମୁଁ ଶୁଣିଲି ଏବଂ ସଙ୍ଗେ ସଙ୍ଗେ ରାଜାଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବାକୁ ଯାଇ ମୋହନକୁ ଲକ୍ଷ୍ୟଭ୍ରଷ୍ଟ କରିବା ପାଇଁ ତାକୁ ଦୁଇହାତରେ ଜୋରରେ ଠେଲି ଦେଲି । ସେ ତଳେ ପଡ଼ିଗଲା । କିନ୍ତୁ ତା ପୂର୍ବରୁ ତାର ଖଣ୍ଡାର ଧାର ମାହାର୍ଜାଙ୍କ ରକ୍ତରେ ଲାଲହୋଇ ଯାଇଥିଲା । ଠିକ୍ ସେଇ ପଲକରେ ରାଜାଙ୍କ ଖଣ୍ଡା ମଧ୍ୟ ବୁଲି ଆସିଥିଲା । ମୋହନକୁ ପେଲି ଦେଇ ମୁଁ ପ୍ରାୟ ତାର ସ୍ଥାନ ଅଧିକାର କରିଥିଲି । ଫଳରେ ମୋର ଏଇ ଦଶା । ତେଣେ ମହାରାଜା କଟା କଦଳୀ ଗଛ ପରି ଲେଉଟି ପଡ଼ିଲେ ।

 

‘‘ମୁଁ ପଡ଼ି ରହି ଦେଖିଲି ମୋହନ ତାର କାମ ଶେଷ କରି ଧାଇଁ ଚାଲି ଯାଉଛି । ଏଇ ସମୟରେ ବନା ତରବାରୀ ଧରି ତାକୁ ଆଗୁଳିଲା । କିନ୍ତୁ ଫଳ ବିପରୀତ ହେଲା ।’’

Image

 

ଅଠେଇଶ

 

ବିନୋଦ ଗୋଟାଏ ପଥର ମୂର୍ତ୍ତିପରି ବସି ରହି ସବୁ ଶୁଣି ଯାଉଥିଲେ । ଅନ୍ୟ କାହାରି ତୁଣ୍ଡରେ ମଧ୍ୟ କଥା ନାହିଁ–ସମସ୍ତେ ନିର୍ବେଦ । ସମସ୍ତଙ୍କ ହୃଦୟ ଯେପରି ଲୌହପିଣ୍ଡରେ ପରିଣତ ହୋଇ ଯାଇଛି ।

 

ବିନୋଦ ବହୁତ ସମୟ ପରେ ଗୋଟାଏ ଉର୍ଦ୍ଧ୍ୱଶ୍ୱାସ ତ୍ୟାଗକରି ଆକାଶର ବିକ୍ଷିପ୍ତ ତାରାପୁଞ୍ଜ ଆଡ଼କୁ ନିର୍ନିମେଷ ନୟନରେ ଚାହିଁ ରହିଲେ–ତାପରେ କହିଲେ–‘‘ଓଃ, କି ଭୀଷଣ ଦୃଶ୍ୟ-! ଏହାର ରଚୟିତା କିଏ ? ମୋହନ ନା ମୁଁ ? ମୋର ପକ୍ୱମସ୍ତିଷ୍କର ଚାତୁରୀ–ମୋର ବୁଦ୍ଧି ବିଚକ୍ଷଣତାର ପୁରସ୍କାର ଏଇ ପାଇଲି–ଗୋଟିଏ ନୁହେଁ–ଗୋଟି ହୋଇ ଚାରିଗୋଟି ରକ୍ତରଞ୍ଜିତ ମୃତ ଦେହ । ଦୀନବନ୍ଧୁ ! ବର୍ତ୍ତମାନ କେଉଁଠାରେ ତୁମେ ? ଉପଯୁକ୍ତ ବ୍ୟକ୍ତି ହାତେ ତୁମର ଏକମାତ୍ର ପୁତ୍ର ଓ ରାଜ୍ୟର ସଂରକ୍ଷଣ ଭାର ଦେଇ ଯାଇଥିଲ ! ଆଜି ସେ ନିଜ ବୁଦ୍ଧିବଳରେ ଯେ ମହତ୍ କାର୍ଯ୍ୟ କରିଛି, ସେଇ ନୀଳ ଗଗନ ତଳୁ ଥରେ ଆଖି ମେଲି ଦେଖ–ତାରି ହାତ ଆଜି ତୁମ ପୁତ୍ରର ତପ୍ତ ରକ୍ତରେ ଧୋଇ ହୋଇ ଯାଇଛି ! ତାରି ମନ୍ତ୍ରଣା ଫଳରେ ଆଜି ରାଜଗାଦି ଶୁନ୍ୟ ହୋଇ ପଡ଼ିଛି ! ତାରି ବିଚକ୍ଷଣତାରେ ଆଜି ରାଜ୍ୟ ରକ୍ତାକ୍ତ ହୋଇ ପଡ଼ିଛି ! ହାୟ ଦୀନବନ୍ଧୁ !"

 

ରାଜନ ଏଇ ବିଷମ ବାତ୍ୟା ମଧ୍ୟରେ ନିଜ ଅନ୍ତରର ସେ ଗଭୀର ବେଦନାକୁ ବାକ୍ୟ ଆକାରରେ ପ୍ରକାଶ କରିପାରୁ ନ ଥିଲେ । ତାଙ୍କ ହୃଦୟଟା କେବଳ କୁହୁଳି ଉଠୁଥିଲା ।

 

କେତେ ସମୟ ଏହିପରି କଟିଗଲା କାହାରି ଧାରଣା ନାହିଁ । ଶେଷରେ ରାଜନ ଦୀର୍ଘ ନିଦ୍ରା ପରେ ଚେତା ପାଇଲା ପରି କହିଲେ–‘‘ଦିବାନ୍ ବାବୁ, ଆପଣ ଏ ଦୋଷ ଯେ ନିଜ ଉପରେ ଲଦି ନେଉଛନ୍ତି; ତାହା ଆଦୌ ଉଚିତ୍ ନୁହେଁ । ସତ୍ ଉଦ୍ଦେଶ୍ୟରେ କାମ କରୁ କରୁ ଫଳ ଯାହା ହୁଏ, ମନୁଷ୍ୟ ସେଥିପାଇଁ କଦାପି ଦାୟୀ ନୁହେଁ । ବର୍ତ୍ତମାନ ସୁଦ୍ଧା ଆପଣଙ୍କର କର୍ମର ଫଳ ଭଲଆଡ଼କୁ ଯାଉଛି କି ମନ୍ଦ ଆଡ଼କୁ ଯାଉଛି ଆପଣ ଜାଣନ୍ତି ନାହିଁ । ଏଥିପାଇଁ ଆପଣ ଏତେଦୂର ଶୋକସନ୍ତପ୍ତ ହୋଇ ପଡ଼ିବା ଆଦୌ ଉଚିତ ନୁହେଁ । ମଙ୍ଗଳମୟଙ୍କ ଇଚ୍ଛା–ବିଧିର ନିର୍ଦ୍ଦେଶକୁ କିଏ ପ୍ରତିରୋଧ କରିବ ? ବର୍ତ୍ତମାନ ପର ମୁହୂର୍ତ୍ତର କଥା ଚିନ୍ତା କରନ୍ତୁ ।’’

ବାତୁଳଙ୍କ ପରି ଅନେକ ସମୟ ବିନୋଦ ମୁଣ୍ଡପୋତି ବସି ରହିଲେ । ଏକଥା ଗୁଡ଼ାକ ତାଙ୍କ କାନରେ ଆଦୌ ପଶୁ ନ ଥାଏ । ହଠାତ୍ ସେ ଉଠିପଡ଼ି ରାଜାଙ୍କ ଶବ ନିକଟକୁ ଗଲେ ଏବଂ ସେଠାରେ ଦରାଣ୍ଡି ଦରାଣ୍ଡି କଣ ଖୋଜିବାକୁ ଲାଗିଲେ । ରାଜାଙ୍କ ପାଖରେ ପଡ଼ିଥିଲା ସେଇ ରକ୍ତାକ୍ତ ଉପହାର । ସେ ତାହାକୁ ଦୁଇ ହାତରେ ଚିପିଧରି କହି ପକେଇଲେ–‘‘ଆଦିତ୍ୟ, ମୋରି ଯୋଗୁଁ ତୁମର ଆଜି ଏ ଦଶା । ମୋତେ ବିଶ୍ୱାସ କରି ଆଜି ତୁମକୁ ମୃତ୍ୟୁବରଣ କରିବାକୁ ହୋଇଛି-। କିନ୍ତୁ ମୃତ୍ୟୁର ଏକ ମୁହୂର୍ତ୍ତ ପୂର୍ବରୁ ଯଦି ଏଇ ପେଡ଼ିଟି ଫିଟେଇ ଦେଖିଥାନ୍ତ, ତେବେ ତୁମେ ଆଉ ଏପରି ବୀରଭାବରେ ମରି ପାରି ନ ଥାନ୍ତ । ସେତେବେଳେ ହୁଏତ ତୁମକୁ ପ୍ରତି ପଲକରେ ଥରେ ଥରେ ମରିବାକୁ ହୋଇଥାନ୍ତା ।"

ରାଜନ ନିକଟରେ ବସିଥାନ୍ତି । ବିନୋଦ ନୀରବ ହେବାପରେ ରାଜନ କହିଲେ–‘‘ଦିବାନ୍ ବାବୁ ଆପଣ ପେଡ଼ିଟି ଧରି ସିନା ଏତେ ବ୍ୟତିବ୍ୟସ୍ତ ହୋଇ ପଡ଼ୁଛନ୍ତି, ବର୍ତ୍ତମାନ ସୁଦ୍ଧା ଚିଠିଟି କେଉଁଠାରେ ଅଛି ଜାଣନ୍ତି କି ? ତାରି ସହିତ ବର୍ତ୍ତମାନ ସୁଦ୍ଧା ରାଣୀଙ୍କର ମାନମହତ ମୋହନ ହାତରେ ଅଛି । ସେ କଥା ଆପଣ ଏକବାରେ ପାଶୋରି ଯାଉଛନ୍ତି କାହିଁକି ?’’

 

ସଙ୍ଗେ ସଙ୍ଗେ ବିନୋଦଙ୍କର ଆଖି ଦୁଇଟା ବିସ୍ଫାରିତ ହୋଇଗଲା । ତପ୍ତ ଲୋତକର ଧାର ସେଇ ଆଖି କୋଣରେ ଜମାଟ ବାନ୍ଧି ରହିଗଲା । ସେ ଗୋଟିଏ ନିର୍ବୋଧ ବାଳକ ପରି ରାଜନଙ୍କ ମୁହଁକୁ ଚାହିଁ ରହିଲେ ।

 

କିଛିକ୍ଷଣ ପରେ ବିନୋଦ କହିଲେ–‘‘ତେବେ ଉପାୟ ?’’

 

ରାଜନ କହିଲେ–‘‘ଉପାୟ ଆଉ କଅଣ ? ମୋହନ ରାଜ୍ୟସୀମା ଅତିକ୍ରମ କରିବା ପୂର୍ବରୁ ଚାରିଆଡ଼େ ପ୍ରଚାର କରିବାକୁ ହେବ ଯେ, ସେ ରାଜାଙ୍କୁ ବଧ କରିଛି ।’’

 

ଏ ପ୍ରସ୍ତାବଟା ଠିକ୍ କି ଭୁଲ ବିନୋଦ ସ୍ଥିର କରି ପାରିଲେ ନାହିଁ । ଏହା ଭୁଲ ହେଲେ ଏହା ପରିବର୍ତ୍ତେ ଆଉ ଯେ କଣ କରିବାକୁ ହେବ, ସେ କଥା ମଧ୍ୟ ସେ ଠିକ୍ କରି ପାରିଲେ ନାହିଁ । ପଚାରିଲେ–‘‘ତଦ୍ଦ୍ଵାରା ଫଳ କଅଣ ହେବ ?’’

 

‘‘–ରାଜ୍ୟସାରା ମୋହନ ବିପକ୍ଷରେ ଉଠିବ । ଯେ କୌଣସି ବ୍ୟକ୍ତି ତାକୁ ଧରି ହତ୍ୟା କରିବ ।’’

 

‘‘–କିନ୍ତୁ ତଦ୍ଦ୍ଵାରା ତ ଚିଠି ଆମ ହାତକୁ ଆସିବ ନାହିଁ, ବରଂ ତାହା ବାହାରେ ପ୍ରକାଶ ପାଇବ । ଆଉ, ହୁଏତ ବର୍ତ୍ତମାନ ସେ ସେଇ ଚିଠି ବଳରେ ଅନ୍ୟ କେତେ ଲୋକଙ୍କୁ ତାର ଦଳଭୁକ୍ତ କରି କହିବ ଯେ ସେ ରାଜାଙ୍କୁ ମାରିନାହିଁ, ଆମେମାନେ ନାନାପ୍ରକାର ଷଡ଼୍‍ଯନ୍ତ୍ର କରି ଗଗନଙ୍କୁ ରାଜ୍ୟ ଦେବାପାଇଁ ଆଦିତ୍ୟଙ୍କୁ ମାରିପକାଇଛୁ । ବାସ୍ତବିକ୍ ମୋହନ ବିପକ୍ଷରେ ଆମର ଆଉ କୌଣସି ପ୍ରମାଣ ଅଛି କି ?’’

 

‘‘–ତେବେ ଆପଣ କ'ଣ କହୁଛନ୍ତି ?’’

 

ବିନୋଦ ଟିକିଏ ଚିନ୍ତାକରି କହିଲେ–‘‘ଯାହା ହେବାର ହୋଇ ଯାଇଛି । ରାଜା ମରିଛନ୍ତି ବୋଲି ରାଣୀଙ୍କୁ ଆମେ ଦାଣ୍ଡରେ ଠିଆ କରି ନ ଦେଇ ବର୍ତ୍ତମାନ ପୂର୍ବାପେକ୍ଷା ଅଧିକ ଚେଷ୍ଟାକରି ତାଙ୍କର ଅଖଣ୍ଡ ସମ୍ମାନ ରକ୍ଷା କରିବାକୁ ହେବ । ତେଣୁ ମୋ ମତରେ ଏ ଘଟଣାଟା ଏଇକ୍ଷଣି ପ୍ରକାଶ କରିଦେବା ଆଦୌ ଉଚିତ ନୁହେଁ । ଗଗନ ସୁନ୍ଦରଗଡ଼ ଯାଇଛନ୍ତି । ଏହି ମୁହୂର୍ତ୍ତରେ ସେ ସେଠାରେ କଣ କରୁଥିବେ, ଫଳ କେଉଁ ଆଡ଼କୁ ଯାଇଥିବ ଆମେ ଜାଣୁନା; ତେଣୁ ସେ ସବୁର ସମ୍ବାଦ ସଂଗ୍ରହ କରି ଯାହା କିଛି କରିବାକୁ ହେବ ।’’

 

‘‘–ତାହାହେଲେ ରାଣୀଙ୍କୁ ମଧ୍ୟ ଏ ସମ୍ବାଦ ଜଣାଇବାକୁ ହେବ ନାହିଁ !’’

 

‘‘–ନା ହେବ ନାହିଁ ।’’

 

‘‘–ତେବେ ରାଜାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ହେବ କିପରି ?’’

 

‘‘–ଚିଠି ଆମ ହାତରେ ନ ପଡ଼ିଲା ପର୍ଯ୍ୟନ୍ତ କୌଣସି ଅନ୍ତ୍ୟେଷ୍ଟିକ୍ରିୟା ହୋଇ ପାରିବ ନାହିଁ । ମୋଟ ଉପରେ କହିବାକୁ ଗଲେ ମୋହନକୁ ଜବତ୍ କରିବାକୁ ଯିବା ସଙ୍ଗେ ସଙ୍ଗେ ଆମେ ତାର ଶରୀରରକ୍ଷୀ ଭଳି ସେ ଚିଠି ଯେପରି ହସ୍ତାନ୍ତର ନ କରେ ସେଥିପାଇଁ ଦୃଷ୍ଟି ଦେବାକୁ ହେବ ।’’

 

‘‘–ଏ ତ ବଡ଼ ଅସମ୍ଭବ କଥା ? ଯଦି କାଲି କେହି ରାଜାଙ୍କ ସଙ୍ଗେ ଦେଖା କରିବାକୁ ଆସେ, ତେବେ ଆପଣ କଅଣ କହିବେ ?’’

 

"–ନା, ଏସବୁ କିଛି ଅସମ୍ଭବ ନୁହେଁ । ଅସମ୍ଭବ ହେବ ଯଦି ଚିଠି ଖଣ୍ଡି ଆମ ହାତରେ ନ ପଡ଼େ । ଆମକୁ ଏଇକ୍ଷଣି ଗଡ଼ରେ ସମ୍ବାଦ ଦେବାକୁ ହେବ ଯେ, ରାଜା ଶିକାର ଘରେ ଆଉ ଦିନେ ଦୁଇଦିନ ରହିବେ । ଯଦି କେହି ସାକ୍ଷାତ କରିବାକୁ ଏଠାକୁ ଆସେ, ତେବେ ତାଙ୍କୁ କୁହାଯିବ, ରାଜା ଶିକାରକୁ ଯାଇଛନ୍ତି ।’’

 

ଯଦୁ ପାଖରେ ବସି ବିନୋଦଙ୍କର ଏ କିଂଭୂତକିମାକାର ଯୁକ୍ତିଗୁଡ଼ାକ ଶୁଣି ଯାଉଥିଲା । ତାକୁ ଏସବୁ ନିତାନ୍ତ ଅସଙ୍ଗତ ବୋଧ ହେଲା । ସେ କହିଲା–‘‘ଯଦି କୌଣସି ପ୍ରକାରେ ସମ୍ବାଦଟା ରାଜ୍ୟରେ ରାଷ୍ଟ୍ର ହୋଇଯାଏ ଏବଂ ରାଜ୍ୟର କେହି ଲୋକ ରାଜାଙ୍କୁ ଦେଖିବାକୁ ଶିକାର ଘରକୁ ଆସନ୍ତି ?"

 

ବିନୋଦ କହିଲେ–‘‘ଆସନ୍ତୁ, ସେତେବେଳକୁ ରାଜନ ସୁନ୍ଦରଗଡ଼ ଚାଲିଯାଇଥିବେ ଗଗନଙ୍କ ସହ ମୋହନକୁ ଜବତ କରିବା ପାଇଁ । ସେଠାରେ ସମ୍ବାଦ ପାଇବା ପରେ ତୁମେ ଓ ମୁଁ ଶବଗୁଡ଼ିକର ଉପଯୁକ୍ତ ବ୍ୟବସ୍ଥା କରି ଦେଇପାରିବା ।’’

 

ରାଜନ କହିଲେ–‘‘ଆପଣଙ୍କ କଥା ଅନୁସାରେ ସମ୍ବାଦଟା ଅବଶ୍ୟ ଦିନକ ପାଇଁ ମାତ୍ର ଚପେଇ ଦିଆଯାଇପାରେ । ସବୁବେଳ ପାଇଁ ତ ନୁହେଁ ? ସେତେବେଳକୁ ରାଜାଙ୍କର ଶବ ନଷ୍ଟ ହୋଇ ଯାଇଥିବ । ପରେ ଆପଣ ସାଧାରଣଙ୍କୁ ଆଉ କି କଇଫିୟତ୍ ଦେବେ ?’’

 

ବିନୋଦ କହିଲେ–‘‘ଦିନେ ହେଲେ ତ ଯଥେଷ୍ଟ । ଏହା ଭିତରେ ତୁମେ ସୁନ୍ଦରଗଡ଼ ଯାଇ ସେଠାର ଅବସ୍ଥା ଜଣାଅ । ଅବସ୍ଥା ଅନୁସାରେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ହେବ ।’’

Image

 

ଅଣତିରିଶ

 

ଏ ଭୟାବହ ରାତିର ଯେ ଆଉ ଅବସାନ ହେବ, ଏ ଆଶା କାହାରି ନ ଥିଲା । ପୂର୍ବଦିନ ମଧୁଗଡ଼ ପାହାଡ଼ ତଳେ ଯେଉଁ ସୂର୍ଯ୍ୟ ଅସ୍ତଗଲା, ତାହା ଆଉ କେବେ ଯେ ପ୍ରାଚୀ ଦିଗ୍‍ବଳୟ ଉପରେ ଦେଖା ଦେବ ଏକଥା କେହି ବିଶ୍ୱାସ କରିପାରୁ ନ ଥିଲେ ।

 

ତଥାପି ରାତି ପାହିଲା । ପୂର୍ବାଶା ଦୁଆରେ ପୁଣି ସିନ୍ଦୁରା ହସି ଉଠିଲା । ଖଣ୍ଡବିଖଣ୍ଡିତ ଆରକ୍ତ ମେଘ ମଧ୍ୟରେ ସୁବର୍ଣ୍ଣର ନଦୀ ପରି ଆଲୋକର ସ୍ରୋତ ଭାସି ଆସିଲା ସ୍ଵର୍ଗରାଜ୍ୟର ଅମୃତ ଧାରା ବହନ କରି । ପକ୍ଷୀ ପୁଣି ରାବି ଉଠିଲା । ଜଗତର କର୍ମସ୍ରୋତ ପୁଣି ଧାଇଁ ଚାଲିଲା ।

 

ଏ ଅନନ୍ତ ସୌନ୍ଦର୍ଯ୍ୟ ତଳେ ରାଜାନ ଅଶ୍ଵପୃଷ୍ଠରେ ବସି ସୁନ୍ଦରଗଡ଼ ଅଭିମୁଖେ ଧାଇଁଥାନ୍ତା । କିନ୍ତୁ ତାଙ୍କ ହୃଦୟ ସେହିପରି ଅନ୍ଧକାରାଚ୍ଛନ୍ନ ହୋଇ ରହିଥାଏ । ସୁନ୍ଦରଗଡ଼ କ୍ରମେ ନିକଟତର ହୋଇ ଆସିଲା । କ୍ରମେ ସେଇ ପରିଚିତ ଘରଦ୍ୱାର, କୂଅପୋଖରୀ ଗୋଟି ଗୋଟି ହୋଇ ଆସିଲା, ଗଲା । ମାତ୍ର କୌଣସିଟି କାହିଁ ତାଙ୍କୁ ପୂର୍ବପରି ତିଳେ ହେଲେ ଆନନ୍ଦ ଦେଇପାରିଲା ନାହିଁ ।

 

ରାଜନ ସୁନ୍ଦରଗଡ଼ ବଡ଼ ସାହି ମଝିରେ ପ୍ରଥମେ ନିଜ ଘରକୁ ଯିବାପାଇଁ ସ୍ଥିର କରି ଚାଲିଛନ୍ତି, ହଠାତ୍ ଦକ୍ଷିଣ ସାହିର ଗୋଟାଏ ଦୋକାନରେ ଜଣେ ଲୋକକୁ ଦେଖି ସେ ସେଇଠାରେ ଟିକିଏ ରହିଗଲେ । ଦୋକାନ ଦୁଆରେ ତାଙ୍କ ମାମୁଁ ମାଧବ ବିଶୋଇ ଠିଆ ହୋଇଥିଲେ । ରାଜନଙ୍କୁ ଘୋଡ଼ା ଉପରେ ଆସୁଥିବାର ଦେଖି ସେ ଦାଣ୍ଡ ମଝିକୁ ଆସୁ ଆସୁ ହାତ ଠାରି ତାଙ୍କୁ ରହିବା ପାଇଁ ସଙ୍କେତ ଦେଲେ । ଉଭୟେ ଏକାଠି ହେବାପରେ ମାଧବ ହସି ହସି କହିଲେ–‘‘ମୁଁ ଜାଣେ ତୁମେ ଆଜି ଆସିବ ।’’

 

ରାଜନ ବିସ୍ମୟରେ ଚାହିଁ ରହିଲେ, କହିଲେ–‘‘କିପରି ଜାଣିଲ ?’’

 

‘‘–କାହିଁକି; ରାଜା ଯେତେବେଳେ ଗଡ଼କୁ ଆସିଲେ, ତୁମେ ତ ତାଙ୍କ ସଙ୍ଗେ ସଙ୍ଗେ ନିଶ୍ଚୟ ଆସିବା କଥା । ଏଥିରେ ଆଉ ଅଜଣା କଥା କଣ ଅଛି ।’’

 

ରାଜନ ଚମକି ପଡ଼ିଲେ । ତାଙ୍କ ତୁଣ୍ଡରୁ ବାହାରି ପଡ଼ିଲା–‘‘ରାଜା ? କେଉଁଠାରେ ?’’

 

ରାଜନ ବର୍ତ୍ତମାନ ବୁଝି ପାରିଲେ ଯେ କେହି ଗଗନଙ୍କୁ ହୁଏତ ଏଠାରେ ଦେଖିବାକୁ ପାଇଛନ୍ତି । ତେଣୁ ନିଜର ବୋକାମିଟାକୁ ଘୋଡ଼େଇ ନେବାପାଇଁ କହିଲେ–‘‘ନା, ମୁଁ ପରା ହରିପୁରରୁ ଆସୁଛି ? ରାଜା ଆସିଥିଲେ, ଶିକାର ଘରଠାରୁ ସିଧା ଏଆଡ଼େ ଚାଲି ଆସିଥିବେ । ମୁଁ ସେକଥା କିପରି ଜାଣିବି ?’’

 

‘‘–ତେବେ ଦିବାନ ତ ଆସି ନାହାନ୍ତି ?’’

 

‘‘–ନା, ସେ ରାଜକାର୍ଯ୍ୟରେ ହରିପୁରରେ ଅଛନ୍ତି । ପରେ ଆସିବେ ।’’ ରାଜନ ଘୋଡ଼ା ଛାଡ଼ି ଦେଲେ ।

Image

 

ତିରିଶ

 

ଗଗନ ହରିପୁରରୁ ବାହାରି ସୁନ୍ଦରଗଡ଼ରେ ପହଞ୍ଚିଲା ବେଳକୁ ରାତି ଖୁବ୍ ବେଶୀ ହୋଇ ନ ଥିଲା । ନଗରବାସୀ ଖିଆପିଆ ସାରି ଶୋଇବାକୁ ଯାଉଥାନ୍ତି । ବଡ଼ ସାହିର କାହାରି କାହାରି ଦୁଆରେ ସେତେବେଳେ ମଧ୍ୟ ପୁରାଣ ପାଠ ଚାଲିଥାଏ ।

 

ଆକାଶ ମେଘାଛନ୍ନ । ଝୁପୁ ଝୁପୁ ମେଘ ବରଷୁଛି । ଗଗନ ଓଦା ସରସର ହୋଇ ରାଜନଙ୍କ ଦୁଆରେ ଆସି ଘୋଡ଼ାରୁ ଓହ୍ଲେଇଲେ ଏଂବ ପିଣ୍ଡା ଉପରକୁ ଉଠିଗଲେ । ଗଗନ ଭାବିଥିଲେ ରାଜନ ସେଦିନ ହୁଏତ ବାଣପୁରରୁ ଫେରି ଆସିଥିବେ । ତେଣୁ ଅତି ଧୀରେ ଧୀରେ କବାଟରେ ଆଘାତ କରି ଡାକିଲେ, ‘‘ସୁନ୍ଦରାଏ ଘରେ ଅଛନ୍ତି !’’

 

କିଛି ସମୟ ପରେ ରାଜନଙ୍କ ଚାକର ଟୋକା ଆସି କବାଟ ଫିଟେଇଲା ଏବଂ ଦୁଆରେ ଗଗନଙ୍କୁ ଦେଖି ପଚାରିଲା–‘‘କିଏ ତୁମେ ?’’

 

ଗଗନଙ୍କର ସେତେବେଳର ଓଦା ସରସର ବେଶଭୂଷା ଦେଖିଲେ କେହି ତାଙ୍କୁ ଗଗନ ବୋଲି ଚିହ୍ନିବା ନିତାନ୍ତ ଅସମ୍ଭବ । ସେ କହିଲେ–‘‘ମୁଁ ରାଜନ ସୁନ୍ଦରାଏଙ୍କ ବନ୍ଧୁ । ଆମର ଘର ମଧୁଗଡ଼ । ସୁନ୍ଦରାଏ ଏବେ ଘରେ ଅଛନ୍ତି ନା ?’’

 

ଚାକର କହିଲା–‘‘ନା, ନାହାନ୍ତି । ତିନି ଚାରିଦିନ ହେଲା କେଉଁଆଡ଼େ ଯାଇଥିଲେ । କାଲି ସେଆଡ଼ୁ ଫେରିଆସି ହରିପୁର ଚାଲିଗଲେ । ଆପଣଙ୍କର କଅଣ ଲୋଡ଼ା ?’’

 

‘‘–ସେ ମତେ କହିଥିଲେ ଆଜି ଆସିବା ପାଇଁ । କିନ୍ତୁ ଯେତେବେଳେ ନାହାନ୍ତି-।’’

 

ଏକଥା ଶୁଣି ଚାକରଟି ଘର ଭିତରକୁ ଯାଇ ରାଜନଙ୍କ ସ୍ତ୍ରୀଙ୍କୁ ସବୁ କଥା କହିଲା । ସେ ଆସି ଦାଣ୍ଡଘର କବାଟ ଆଢ଼ୁଆଳରେ ରହି କହିଲେ–‘‘ଆରେ ବିନା, କହିଦେ, ସେ ନ ଥିଲେ କଅଣ ହେଲା, ରାତିକ ଏଠାରେ ରହନ୍ତୁ । ସକାଳୁ ହରିପୁର ଗଲେ ସେଠାରେ ଦେଖା କରିବେ ।’’

 

ଗଗନ ଜାଣନ୍ତି ରାଜନଙ୍କ ଘର ବ୍ୟତୀତ ଅନ୍ୟ କୌଣସିଠାରେ ତାଙ୍କୁ ସ୍ଥାନ ମିଳିବା ଅସମ୍ଭବ–ମିଳିଲେ ମଧ୍ୟ ତାଙ୍କ ପକ୍ଷେ ତାହା ବିପଜ୍ଜନକ । ତଥାପି ଅମଙ୍ଗ ହେଲାପରି ସେ କହିଲେ–‘‘ନା ସେ ତ ନାହାନ୍ତି, ରହି ଆଉ ଲାଭ କଅଣ ?’’

 

ରାଜନଙ୍କ ସ୍ତ୍ରୀ କହିଲେ ‘‘କହିଦେ, ସେ ନାହାନ୍ତି ବୋଲି ଏ ବର୍ଷାରାତିରେ ପୁଣି କୁଆଡ଼େ ଯିବେ । ଏଠାରେ ରହିଲେ ତାଙ୍କର କିଛି ଅସୁବିଧା ହେବ ନାହିଁ ଯେ ।’’

 

ଗଗନ କହିଲେ–‘‘ରହନ୍ତି ଯେ, ମୋର ପୁଣି ଘୋଡ଼ାଟିଏ ଅଛି ।’’

 

ରାଜନଙ୍କ ସ୍ତ୍ରୀ କହିଲେ–‘‘ଆରେ ବିନା, ଘୋଡ଼ାଟାକୁ ଶାଳକୁ ନେଇ ଦାନା ଦେଇପକା । ଆଗ ଏଆଡ଼େ ବାବୁଙ୍କୁ ଶୁଖିଲା ଲୁଗା ଦେଇଯାଏ । ବର୍ଷାରେ ଓଦା ହୋଇ ଯାଇଥିବେ ।’’

 

ଗଗନ ଶୁଖିଲା ଲୁଗା ପାଲଟି ଦାଣ୍ଡ ଘରେ ଗୋଟିଏ ଚଉକି ଉପରେ ବସିଲେ । କିପରି ଭାବରେ ନିଜର କାମ ଆରମ୍ଭ କରିବେ ଭାବୁଛନ୍ତି, ଏଇ ସମୟରେ ବିନା ଘୋଡ଼ାର ସକଳ ବ୍ୟବସ୍ଥା କରିଦେଇ ଦାଣ୍ଡଘରକୁ ଆସିଲା ।

 

ଗଗନ ଦାଣ୍ଡ କବାଟ ବନ୍ଦକରି ଦେଇ ବିନା ସଙ୍ଗେ କଥାବାର୍ତ୍ତା କରିବାକୁ ଆରମ୍ଭ କଲେ-। ପଚାରିଲେ–‘‘ବିନା, ରାତିରେ ତୁ କେଉଁଠାରେ ରହୁ ?’’

 

ବିନା କହିଲା–‘‘ଏଇ ଦାଣ୍ଡ ଘରେ ଶୁଏ ବାବୁ ।’’

 

ଗଗନ–‘‘ଆଚ୍ଛା, ତୁ ମୋ ପାଇଁ ଆଜି ରାତିରେ ଗୋଟିଏ କାମ କରିଦେବୁ ?’’

 

ବିନା ଗଗନଙ୍କ ଚଉକି କଡ଼ରେ ବସି ଦୁଇହାତ ଯୋଡ଼ି କହିଲା–‘‘ମୁଁ ଛାର ଆପଣଙ୍କ ପାଇଁ କଅଣ କରି ପାରିବି ଆଜ୍ଞା ?’’

 

ଗଗନ–‘‘ନା ବେଶି କିଛି ନୁହେଁ । ମୁଁ ଆଜି ମହାରାଜାଙ୍କ କାର୍ଯ୍ୟରେ ଆସିଛି । ସେଇ କାର୍ଯ୍ୟ ଏଇ ରାତି ରାତି ଶେଷ କରିବାକୁ ହେବ । କିନ୍ତୁ ତାହା କେହି ଜାଣିଲେ ମହା ବିପଦ ପଡ଼ିବ । ମୁଁ କିଛି ସମୟ ଶୋଇ ସାରିବା ପରେ ଥରେ ଦାଣ୍ଡକୁ ଯିବି । ତୁ ଭିତରୁ କବାଟ ଦେଇଦେବୁ । ଆଉ ରାତିରେ ମୁଁ ଫେରିଆସି ଯେତେବେଳେ କବାଟ ବାଡ଼େଇବି, ସଙ୍ଗେ ସଙ୍ଗେ ଖୋଲି ଦେବୁ ।"

 

ବିନା–‘‘ଏଇତା ସିନା ? ଏଇତକ କରି ପାରିବିନି ? ହେଲେ ଏ ବର୍ଷା ରାତିରେ ଆପଣ କିମିତି ପଦାକୁ ଯିବେ ?’’

 

ଗଗନ–‘‘ଆଉ କଅଣ କରିବା, କଥାରେ ଅଛି ପରା ‘ଛାଡେ ପିତୃକାର୍ଯ୍ୟ, କରେ ରାଜକାର୍ଯ୍ୟ ।’ ମୁଣ୍ଡ ବିକିଛି ଯେତେବେଳେ ଖରା ବର୍ଷାକୁ ଡରିଲେ ଆଉ ଚଳିବ ?’’

 

ବିନା–‘‘ହଁ ନୁହେ କଅଣ । ମାତ୍ର ଏବେ ଏ ରାଜାଙ୍କର ଯୁ ବୁଝାମଣା ହୋଇଛି, ସେଥିରେ ଇମିତି କାମ କରିବାକୁ କେହି ବାହାରିବେନି ।’’

 

ଗଗନ–‘‘ଏଇ ଶୁଣ୍, ମୁଁ ଠିକ୍ ଏପରି ଠକ୍ ଠକ୍ କରି ଦୁଇଥର କବାଟ ବାଡ଼େଇବି । ତାପରେ ପୁଣି ଦୁଇଥର ଦୁମ୍ ଦୁମ୍ କରି ବାଡ଼େଇବି । ତେବେ ଯାଇ କବାଟ ଫିଟେଇବୁ । ଅନ୍ୟ କୌଣସି ପ୍ରକାର କେହି ବାଡେ଼ଇଲେ ଫିଟେଇବୁନି । ଜାଣିଲୁ ?’’

 

ବିନା–‘‘ଆଜ୍ଞା, ଠିକ୍ ସେଇପରି ଠକ୍ ଠକ୍ ଦୁଇଥର ଆଙ୍ଗୁଠିରେ ଦୁମ୍ ଦୁମ୍ କରି ଦୁଇ ବିଧା, ନାଇଁ ?’’

 

ଯତ୍‍ସାମାନ୍ୟ ଆହାର ଓ ବିଶ୍ରାମ ପରେ ଗଗନ ଝଡ଼ି ବର୍ଷା ଭିତରେ ମୁଣ୍ଡ ପତେଇ ଦେଇ ଦାଣ୍ଡକୁ ବାହାରି ପଡ଼ିଲେ । ବିନା କବାଟ ଦେଇଦେଲା । କିନ୍ତୁ ସେତେବେଳକୁ ବର୍ଷା ସାମାନ୍ୟ କମି ଆସିଥିଲା । ମେଘ କେବଳ କୁଣ୍ଡାଝଡ଼ା ଦେଉଥାଏ । ମେଘ ପତଳା ହୋଇ ଯାଇଥିବାର ଚାରିଆଡ଼ ଅପେକ୍ଷାକୃତ ଟିକିଏ ପରିଷ୍କୃତ ଦେଖା ଯାଉଥାଏ । ଗଗନଙ୍କ ଆଗରେ ସାହିଟା ସମ୍ପୂର୍ଣ୍ଣ ନିର୍ଜ୍ଜନ ଜଣା ଯାଉଥିଲା । କିନ୍ତୁ ଦାଣ୍ଡର ଅନ୍ୟପାଖେ ପାହାଚର ଅନ୍ଧାର ଭିତରେ ବସିରହି କେହି ଜଣେ ଯେ ତାଙ୍କର ଗତିବିଧି ଲକ୍ଷ୍ୟ କରୁଥିଲା, ଏକଥା ସେ ଆଦୌ ଜାଣି ପାରି ନ ଥିଲେ ।

 

ଯେଉଁ ଲୋକଟା ଲୁଚି ରହିଥିଲା ସେ ଗଗନଙ୍କୁ ଆଦୌ ଚିହ୍ନି ପାରୁ ନ ଥିଲା । କେବଳ ଏପରି ଅସମୟରେ ଜଣେ ଅଶ୍ଵାରୋହୀ ରାଜନଙ୍କ ଘରକୁ ଆସିବାରୁ ତା ମନରେ ସନ୍ଦେହ ଜାତ ହେଲା । ସେ ରାଜନଙ୍କ ପିଣ୍ଡା ଉପରକୁ ଆସି ଗଗନ ଓ ବିନା ମଧ୍ୟରେ ହେବା କଥାବାର୍ତ୍ତା ମଧ୍ୟ ଶୁଣି ପାରିଥିଲା ।

 

ଗଗନ ଯେତେବେଳେ ବଜାର ସାହିର ଅଧାଅଧି ଚାଲି ଯାଇଛନ୍ତି, କ୍ରମେ ଗୋଟିଏ ଲୋକ ତାଙ୍କ ପଛରେ ଆସିଲା ଭଳି ସେ ଅନୁଭବ କଲେ ଏବଂ ଲୋକଟା ଯେ ତାଙ୍କ ପିଛା ଧରିଛି, ଏ କଥା ସେ ବେଶ୍ ଜାଣି ପାରିଲେ । କିନ୍ତୁ ସେ ହଠାତ୍ ବୁଲି ନ ପଡ଼ିବା ଏକଥା ଜାଣିବାର କୌଣସି ସୂଚନା ନ ଦେଇ କ୍ଷୀପ୍ର ଗତିରେ ସିଧା ଚାଲିବାକୁ ଲାଗିଲେ ।

 

ଚନ୍ଦ୍ରମା ସାହିର ଛକମୁଣ୍ଡେ ପହଞ୍ଚି ଗଗନ ଦେଖିଲେ ଲୋକଟା ଟିକିଏ ଦୂରରେ ରହି ଯାଇଛି । ତେଣୁ ସେ ଚନ୍ଦ୍ରମା ସାହି ଭିତରକୁ ବୁଲିପଡ଼ି ଗୋଟାଏ କାନ୍ଥ ଛାଇ ତଳେ ମିଶିଯାଇ ଲୁଚି ରହିଲେ ।

 

ପାଦଶବ୍ଦ ଖୁବ୍ ନିକଟରେ ଅଥଚ ଧୀରେ ଧୀରେ ଶୁଭିଲା । ଗଗନ ଭାବିଲେ, ଲୋକଟା ନିଶ୍ଚୟ ମୋହନ କିମ୍ବା ତାର କେହି ଲୋକ ହେବ । ଯଦି ମୋହନ ନିଜେ ହୋଇଥାଏ ତେବେ ତାଙ୍କ ପକ୍ଷେ ଏଇଟା ଏକ ଅପୂର୍ବ ସୁଯୋଗ । ଏପରି ଖୋଲା ଜାଗାରେ ମୋହନକୁ ପାଇବା ସୌଭାଗ୍ୟର କଥା ।

 

କ୍ରମେ ଅସ୍ପଷ୍ଟ ଛାୟାଟି ରାସ୍ତା ମଝିରେ ଖୁବ୍ ସାବଧାନତାର ସହ ଆଗକୁ ଘୁଂଚିବାକୁ ଲାଗିଲା । ତା ମନଟା ବୋଧହୁଏ କିଛି ସନ୍ଦେହରେ ଆଚ୍ଛାଦିତ ହୋଇ ପଡ଼ିଛି । ଗଗନ ଲୋକଟାକୁ ପ୍ରାୟ କୋଡ଼ିଏ ହାତ ନିକଟରେ ପାଇ ବର୍ଚ୍ଛାଟିକୁ ସଜ କରି ଧରି ଅନ୍ଧାର ମଧ୍ୟରୁ ବାହାରି ପଡ଼ିଲେ । ଦେଖିଲେ, ଛାୟାଟି ଗୋଟିଏ ବାଳକ-ପନ୍ଦର ଷୋହଳ ବର୍ଷର–ମୋହନ ନୁହେଁ । ସେ ତାଙ୍କୁ ଆଗରେ ଦେଖି କିଛି ନ ଜାଣିଲା ପରି ଶୀଘ୍ର ଶୀଘ୍ର ପାଦ ପକାଇ, ତୁଣ୍ଡରେ ଶିଶିର ମାରି ଚାଲିଯିବାକୁ ଆରମ୍ଭ କରୁଛି ।

 

ଗଗନ ନିକଟକୁ ଯାଇ ଜଣେ ପରିଚିତ ବ୍ୟକ୍ତି ପରି ପଚାରିଲେ–‘‘ଓହୋ, ତୁମର ଆଜି ଏତେ ଉଛୁର କାହିଁକି ?’’

 

ବାଳକଟି ଟିକିଏ ଚମକି ପଡ଼ିଲା । ମାତ୍ର କିଛି ନ ଜାଣିଲା ପରି କହିଲା–‘‘ଯାର ଘରଦ୍ୱାର ନାହିଁ, ତାର ସଅଳ କଅଣ, ଉଚ୍ଛୁର କଅଣ ବାବୁ ? ଯେ କୌଣସି ପିଣ୍ଡାରେ ତ ରାତିଟା କଟାଇବା କଥା ।’’

 

ବାଳକଟିକୁ ଖୁବ୍ ନିକଟରେ ଦେଖିବାକୁ ପାଇ ଗଗନଙ୍କର ମନେ ପଡ଼ିଗଲା ଅନନ୍ତର କଥା । ରାଜନ ବାଣପୁରଠାରେ ଅନନ୍ତର ଗୋଟାଏ ସୁବିସ୍ତୃତ ବର୍ଣ୍ଣନା ତାଙ୍କୁ ଦେଇଥିଲେ । ଏ ଯେ ସେଇ ଅନନ୍ତ, ସେ ବିଷୟରେ ତାଙ୍କର ବେଶି କିଛି ସନ୍ଦେହ ରହିଲା ନାହିଁ । କିନ୍ତୁ ସେ ଅନନ୍ତର ଦୁଃଖର କାହାଣୀ ଶୁଣି ଦୟାରେ ବିଗଳିତ ହୋଇଗଲା ପରି କହିଲେ–‘‘ଆହା, ଘରଦୁଆର ନାହିଁ ପିଲା ? ଏ ବର୍ଷା ରାତିରେ ଏକୁଟିଆରେ କେଉଁଠି ପଡ଼ି ରହିବୁ ? ଆସ, ମୁଁ ତତେ ଘର ଦେବି, ଲୁଗା ଦେବି, ଶୋଇବୁ-’’ କହି ତାର ଗୋଟିଏ ହାତ ଧରି ରାସ୍ତା କଡ଼କୁ ଟାଣି ନେଇଗଲେ ।

 

ଅନନ୍ତ ଗଗନଙ୍କୁ ଅନୁସରଣ କରି କିଛି ଗୋଟାଏ ଖିଅ ବାହାର କରିବା ପାଇଁ ଚେଷ୍ଟା କରୁ କରୁ ହଠାତ୍ ନିଜେ ଧରା ପଡ଼ି ବରାବର ଛଟପଟ ହେଉଥାଏ । ଗଗନଙ୍କ ନିକଟରେ ବା ତାର ଶକ୍ତି କେତେ ? ବାଧ୍ୟ ହୋଇ ତାଙ୍କର ଲୌହ ମୁଷ୍ଟି ଭିତରେ ନିଜର ହାତ ଖଣ୍ଡି ରଖି ଠିଆ ହେଲା ।

 

ଗଗନ ଅନନ୍ତର ହାତକୁ ଧରି କ୍ରମେ ଚନ୍ଦ୍ରମା ସାହି ଭିତରକୁ ଚାଲିବାକୁ ଲାଗିଲେ । ଯାଉ ଯାଉ କହିଲେ–‘‘ଆଜି ଭାରି ଅନ୍ଧାର ହୋଇଛି ନୁହେଁ ?’’

ଅନନ୍ତ ସରଳ ଭାବରେ ଉତ୍ତର କଲା–‘‘ହଁ, ଭାରି ଅନ୍ଧାର’’ ‘‘-ଆଚ୍ଛା ଟୋକା, ତୋର ନା କଅଣଟି ? ଅ-’’

ଅନନ୍ତ ତତ୍‍କ୍ଷଣାତ୍ ଉତ୍ତର କରି କହି ପକାଇଲା–‘ଅଗାଧୁ’ !

ଗଗନ ମନେ ମନେ ହସି ହସି ପୁଣି ପଚାରିଲେ–‘‘ହଁ, ହଁ, ଅଗାଧୁ । ଆଚ୍ଛା ଅଗାଧୁ, ଏଠି ବନ୍ଧୁଆ ମା ବୁଢ଼ୀର ଘର କେଉଁଟା ଚିହ୍ନିଛୁ ?’’

‘‘–କୁ ବନ୍ଧୁଆ ମାଆ ?’’

ଗଗନ ତାର ଉତ୍ତର ପ୍ରତି ଲକ୍ଷ୍ୟ ନ କରି କହିଲେ–‘‘ଏଇ ଘରଟା ପରା ତ ? ଏଇ ଦେଖୁଣୁ ଟା ଦୋକାନର ପଟାଗୁଡ଼ାକ । ଆଚ୍ଛା ତୁ କବାଟ ବାଡ଼େଇଲୁ ଦେଖି । ମୋର ଦୁଇଟାଯାକ ହାତ ବନ୍ଦ ହୋଇ ଯାଇଛି ।’’

ବାସ୍ତବିକ୍‍ ସେତେବେଳେ ଗଗନଙ୍କର ଦୁଇଟାଯାକ ହାତ ବନ୍ଦ ହୋଇ ଯାଇଥିଲା–ଗୋଟାକରେ ବର୍ଚ୍ଛା ଏବଂ ଅପରଟିରେ ଅନନ୍ତର ଗୋଟିଏ ହାତ । ଅନନ୍ତ ତାଙ୍କର ଉଦ୍ଦେଶ୍ୟ ବୁଝିପାରି କିଛି ନ କହି ଟିକିଏ କ୍ରସ୍ତ ହୋଇ ପଡ଼ିଲା । ଗଗନ ବନ୍ଧୁଆ ମାଆର ପିଣ୍ଡା ଉପରକୁ ଉଠିଯାଇ, ଧୀରେ ଧୀରେ କହିଲେ–‘‘ଅନନ୍ତ, ଆହା ଭୁଲିଗଲି–ଅଗାଧୁ ପରା–ଦୋକାନ ଦୁଆରେ ବାଡ଼େଇବା ଅନାବଶ୍ୟକ, ଏଇ ଦୁଆରେ ବାଡ଼େଇଲୁ ।’’

ଅନନ୍ତ ଏତେ ବେଳଯାଏ ଭାବିଥିଲା ଯେ, ସେ ବୋଧହୁଏ ଧରା ପଡ଼ିନାହିଁ । କିନ୍ତୁ ଗଗନଙ୍କୁ ସେ ଚିହ୍ନିପାରି ଏବଂ ତାଙ୍କ ତୁଣ୍ଡରେ ନିଜର ନାମ ଶୁଣି ତାର ସବୁ ଆଶା ମଉଳିଗଲା । ସେ ବାଧ୍ୟହୋଇ କବାଟରେ ଦୁମ୍ ଦୁମ୍ କରି ବାଡ଼େଇଲା । କିନ୍ତୁ କବାଟ ଫିଟିଲା ନାହିଁ ।

ଗଗନ କହିଲେ–‘‘ନା ନା, କୌଣସି ସଙ୍କେତ ଧରି ବାଡ଼େଇବାକୁ ହେବ । ସେଇପରି ବାଡ଼େଇଲେ ହିଁ କବାଟ ଫିଟିବ ।’’

ଅନନ୍ତ କହିଲା–‘‘ସଙ୍କେତ ! ମୁଁ ତ କୌଣସି ପ୍ରକାର ସଙ୍କେତ ଜାଣେନା !’’

ଗଗନ କହିଲେ,–‘‘ନା ନା, ସେପରି କହିଲେ ଚଳିବନି । ତୁ ସେକଥା ଠିକ୍ ଭାବରେ ଅନୁମାନ କରିବାକୁ ହେବ ।’’

ଅନନ୍ତ ଦେଖିଲା ଗଗନଙ୍କ ହାତରେ ବର୍ଚ୍ଛାଟି କ୍ରମେ ଉପରକୁ ଉଠୁଛି । ସେ ଅନ୍ୟ ଉପାୟ ନ ଦେଖି କବାଟ ଉପରେ ହାତ ଦେଲା ଏବଂ କବାଟର ଶିକୁଳିକୁ ଦୁଇଥର ଖଡ଼୍ ଖଡ଼୍‍ କରି ଝାଙ୍କି ଦେଇ ଦୁଇ ଥର ଦୁମ୍ ଦୁମ୍ କବାଟକୁ ବାଡ଼େଇଲା ।

ସଙ୍ଗେ ସଙ୍ଗେ ଖୁବ୍ ଧୀରେ ଧୀରେ କବାଟ ଫିଟିଲା ଏବଂ ଭିତରର ଆଲୋକ କବାଟ ଫାଙ୍କବାଟେ ବାହାରକୁ ଦିଶିଲା । ଠିକ୍ ଏଇ ସମୟରେ ଗଗନ ଅନନ୍ତକୁ ଗୋଇଠାଏ ମାରି ପିଣ୍ଡା ତଳକୁ ଗଡ଼ାଇ ଦେଇ ଘର ଭିତରକୁ ପଶିଗଲେ ଓ ଭିତରୁ କବାଟ ବନ୍ଦ କରିଦେଲେ ।

Image

 

ଏକତିରିଶ

 

ଗଗନ ଭାବିଥିଲେ ଭିତରକୁ ଯିବାମାତ୍ରେ ମୋହନ କିମ୍ବା ହରିବନ୍ଧୁଙ୍କ ସାଙ୍ଗେ ତାଙ୍କର ନିଶ୍ଚୟ ସାକ୍ଷାତ ହେବ । କିନ୍ତୁ ଦେଖିଲେ ଗୋଟିଏ ବାର ତେର ବର୍ଷର ରୁପସୀ ବାଳିକା ତାଙ୍କୁ ଦେଖି ଭୟରେ କାତର ହୋଇପଡ଼ି ଘରର ଗୋଟାଏ କୋଣରେ ଠିଆ ହୋଇଛି । ଦୀପଟା ତା ହାତରେ ପ୍ରାୟ ଖସି ପଡ଼ିବା ଅବସ୍ଥାରେ ଅଛି । ଲଜ୍ଜା ଓ ଶଙ୍କାରେ ସୁନ୍ଦର ମୁଖମଣ୍ଡଳଟି ଆରକ୍ତ ହୋଇ ପଡ଼ିଛି । ସେ ଗଗନଙ୍କୁ ଆଗରେ ଦେଖିବା ମାତ୍ରେ ଅସ୍ପଷ୍ଟ ଭାବରେ କହି ପକାଇଲା–‘‘ଛାମୁ-!’’

 

ଗଗନ ଦେଖିଲେ, ବାଳିକାଟି ତାଙ୍କୁ ରାଜା ବୋଲି ଭାବି ସାରିଲାଣି । ତେଣୁ ସେ ତାର ଭ୍ରାନ୍ତଧାରଣାକୁ ଆଉ ସଂଶୋଧନ କରିବାକୁ ଚେଷ୍ଟା ନ କରି ସାମାନ୍ୟ ହସି କହିଲେ–‘‘ଏଇ ଘରଟା ବନ୍ଧୁଆ ମାଆର ନା ?’’

 

ବାଳିକାଟି କିଛି କହି ନ ପାରି ମୁଣ୍ଡ ହଲେଇ ସମ୍ମତି ଜଣାଇଲା । ଗଗନ ପୁଣି ପଚାରିଲେ–‘‘ମୋତେ ଦେଖି ଭୟ କରୁଛ ନା କଣ ? ମୁଁ ଗୋଟାଏ ବଡ଼ ଜରୁରି ବିଷୟରେ ଆଜି ବନ୍ଧୁଆ ମାଆଙ୍କ ପାଖକୁ ଆସିଛି । ତୁମେ ଭୟ କରିବା ଆଦୌ ଉଚିତ ନୁହେଁ । ତୁମେ ତାଙ୍କର କଅଣ ହୁଅ ?’’

 

ବାଳିକାଟି ନିର୍ଭୟ ଭାବରେ ଅଥଚ କମ୍ପିତ ଅଧରରେ ଉତ୍ତର କଲା–‘‘ମୁଁ ତାଙ୍କର ଝିଅ-।’’

 

‘‘–ତୁମର ନାମ ?’’

 

‘‘–ତାରା ।’’

 

‘‘–ମାଆ ଘରେ ଅଛନ୍ତି ?’’

 

‘‘–ନା, କାଲି ସଞ୍ଜବେଳୁ ନୂଆପଡ଼ାର ମାଉସୀ ଘରକୁ ଯାଇଛନ୍ତି ।’’

 

ଗଗନ ଘରର ଚାରିଆଡ଼ଟା ଥରେ ଦେଖି ନେଇ କହିଲେ–‘‘ତୁମେ ମୋତେ ଟିକିଏ ସାହାଯ୍ୟ କରି ପାରିବ ?’’ ତାରା ଏ କଥା ଶୁଣି ଲଜ୍ଜ୍ୟାରେ ଜଡ଼ସଡ଼ ହୋଇ ପଡ଼ିଲା । ରାଜ୍ୟର ରାଜାଙ୍କୁ ବା ସେ କଣ ସାହାଯ୍ୟ କରିବ ? ଯଦି ବା ତାର ସାହାଯ୍ୟ ଆବଶ୍ୟକ ହୁଏ, ତେବେ କି ଭାଷାରେ ସମ୍ମତି ଜଣାଇଁ ଏ ପ୍ରଶ୍ନର ଉତ୍ତର ଦେବ ? ତାର ତୁଣ୍ଡରୁ କଥା ଫୁଟିଲା ନାହିଁ । ଖାଲି ଗୋଟାଏ ଅସ୍ପଷ୍ଟ ହାସ୍ୟରେଖା ତା ପତଳା ବଧୂଲି ଅଧର ଦୁଇଟିରେ ଖେଳି ଉଠିଲା । ସେ ମୁଣ୍ଡପୋତି ଠିଆହେଲା ।

 

ଗଗନ ଏଥିରୁ ବେଶ୍ ଠଉରେଇ ପାରିଲେ ଯେ ବାଳିକା ତାଙ୍କୁ ସାହାଯ୍ୟ କରିବା ପାଇଁ ସମ୍ମତ ଅଛି । ସେ କହିଲେ–‘‘ବେଶି କିଛି ନୁହେଁ, କେତୋଟି କଥାର ଉତ୍ତର । ଏହାଦ୍ୱାରା ତୁମର କିମ୍ବା ତୁମ ମାଆଙ୍କର କୌଣସି କ୍ଷତି ହେବ ନାହିଁ ।’’

 

ତାରା ମୁଣ୍ଡ ପୋତି ଉତ୍ତର କଲା–‘‘କହନ୍ତୁ !’’

 

ଗଗନ କହିଲେ–‘‘ତୁମର ଏ ଘରେ ଆଉ କେହି ରହେ ?’’

 

‘‘–କେତେ ବିଦେଶୀ ବସାକରି ରହନ୍ତି ।’’

 

‘‘–ବର୍ତ୍ତମାନ କିଏ ଅଛି ?’’

 

‘‘–ଅଛନ୍ତି କେବଳ ହରିବନ୍ଧୁ ବେବର୍ତ୍ତା ।’’

 

‘‘–କେଉଁଠି ଅଛନ୍ତି ?’’

 

‘‘–ଗତ ସଞ୍ଜବେଳେ ତାଙ୍କ ଡେଣାରେ କଅଣ ଗୋଟାଏ ମାଡ଼ ବାଜିବାରୁ ତଳଘରେ ପଡ଼ି ଛଟପଟ ହେଉଛନ୍ତି ।’’

 

‘‘–ଘରେ ଆଉ କେହି ଅଛି ?’’

 

‘‘–ମୋହନ ବୋଲି ଜଣେ ଲୋକ ଥିଲେ ଯେ, ସେ ସନ୍ଧ୍ୟାବେଳେ ଛାମୁଙ୍କ ସଙ୍ଗେ ଦେଖାକରିବାକୁ ଗଲେ ।’’

 

‘‘–ତୁମକୁ ଏକଥା କିଏ କହିଲା ?’’

 

‘‘–ଅନନ୍ତ ଭାଇ କହୁଥିଲା । ଆଉ ମଧ୍ୟ ହରିବନ୍ଧୁ ଆସିଲାବେଳକୁ ମୋହନ ଚାଲି ଯାଇଥିବାର ଶୁଣି ବଡ଼ ଛି ଛା ହେଲେ ।’’

 

‘‘–ଆଚ୍ଛା, ତୁମେ ମୋ ପାଇଁ ଆଉ ଗୋଟିଏ କାମ କରି ଦେଇ ପାରିବ ?’’

 

ତାରା କେବଳ ଜିଜ୍ଞାଷୁନେତ୍ରରେ ଚାହିଁ ରହିଲା । ଗଗନ କହିଲେ–‘‘କାଲି ବେଳ ପହରେ କି ଛ'ଘଡ଼ି ଭିତରେ ମୁଁ ପୁଣି ଆସିବି । ଏବେ ଅନନ୍ତ କବାଟ ବାଡ଼େଇଲା ପରି ବାଡ଼େଇବି-। ତୁମେ ଟିକିଏ ଫିଟେଇବ ନା ?’’

 

ଅନନ୍ତର ନାମ ଶୁଣି ତାରାର ବୁକୁଟା ଯେପରି ଦମ୍‍କିନା ହୋଇଗଲା । କହିଲା–‘‘ହଁ, ନିଶ୍ଚୟ ଫିଟେଇବି ।’’

 

‘‘–କିନ୍ତୁ ମୁଁ ଆସିଥିଲି ବୋଲି କାହାରିକି କହିବ ନାହିଁ ।’’

 

‘‘–ନା କହିବି ନାହିଁ । କିନ୍ତୁ ଅନନ୍ତ ତ ଛାମୁ ଆସିବା କଥା ଜାଣିଛି ।’’

 

‘‘–ଅନନ୍ତ ପଚାରିଲେ କହିବ ଯେ, ମୁଁ ଆସିଥିଲି, ମାତ୍ର ତୁମେ ଏସବୁ ବିଷୟ ମୋତେ କିଛି କହି ନାହଁ, ବୁଝିଲ ?’’

 

ତାରାଠାରୁ ବିଦାୟ ନେଇ ଗଗନ ଆସ୍ତେ ଆସ୍ତେ ପିଣ୍ଡାକୁ ଆସିଲେ । ଆସିଲାବେଳେ ନିଜ ଅଙ୍ଗୁଳିରୁ ଗୋଟିଏ ମୁଦି ବାହାର କରି ତାରାର ହାତରେ ଦେଇ ଆସିଲେ । କିନ୍ତୁ ମୁଦି ସହିତ ନିଜର ଆଉ କିଛି ମୂଲ୍ୟବାନ ବସ୍ତୁ ତାରାକୁ ଦେଇ ଦେଲେ କି ନା ତାହା ତାଙ୍କ ହାବଭାବରୁ ଆଦୌ ଜଣା ପଡ଼ୁ ନ ଥିଲା । ତାରା ଶଙ୍କିତ ମନରେ ତାଙ୍କ ପଛେ ପଛେ ଯାଇ କବାଟ ବନ୍ଦ କରିଦେଲା ।

 

ରାତି ସେତେବେଳକୁ ପ୍ରାଏ ତିନି ପହର ହେବ । ପବନର ଜୋରରେ ମେଘଗୁଡ଼ାକ ଆକାଶ ଗୋଟାଯାକ ଖେଳେଇ ହୋଇଯାଇଛି । ଚନ୍ଦ୍ର କିରଣ ଯୋଗେ ଠିକ୍ ପାହାନ୍ତିଆ ହୋଇଗଲା ପରି ଜଣା ପଡ଼ୁଥାଏ ।

 

ଗଗନ ଘର ଭିତରୁ ଆସୁ ଆସୁ ଭାବିଥିଲେ ଅନନ୍ତ ଦୁଆର ବାଡ଼େଇବାର ପୁରସ୍କାର ସ୍ଵରୂପ ଏକ ଗୋଇଠା ପାଇ କେଉଁଆଡ଼େ ଚାଲି ଯାଇଥିବ । ମାତ୍ର ଅନନ୍ତ ସହଜରେ ଛାଡ଼ିଦେବା ପାତ୍ର ନୁହେଁ ।

 

ଗଗନ ପିଣ୍ଡା ଉପରେ ଠିଆ ହୋଇ ପ୍ରଥମେ ଚାରିଆଡ଼େ ଆଖି ବୁଲାଉ ବୁଲାଉ ଦେଖିଲେ, ପିଣ୍ଡା ତଳେ ତଳେ କେହି ତାଙ୍କର ନିକଟବର୍ତ୍ତୀ ହେଉଛି । ମୁହୂର୍ତ୍ତେ ମାତ୍ର ଅପେକ୍ଷା ନ କରି ସେ ତରବାରୀ ଟେକି ଧରିଲେ । ସେଇ ପଲକରେ ସେ ଯଦି ପିଣ୍ଡା ତଳକୁ ଡେଇଁ ପଡ଼ି ନ ଥାନ୍ତେ, ହୁଏତ ପରକ୍ଷଣରେ ଅନନ୍ତର ତୀକ୍ଷ୍‍ଣ ଛୁରୀ ତାଙ୍କର ବକ୍ଷ ଦେଶ ବିଦ୍ଧ କରିଥାନ୍ତା । ସେ ପିଣ୍ଡା ତଳକୁ ଡେଇଁ ପଡ଼ି ଫେରି ଦେଖିଲେ ଅନନ୍ତ ସଙ୍ଗେ ଆଉ ଦୁଇ ଜଣ ଲୋକ ମଧ୍ୟ ଅଛନ୍ତି । ସେ ପିଣ୍ଡା ଉପରେ ମନୁଷ୍ୟର ଛାୟାକୁ ଲକ୍ଷ୍ୟ କରି ତରବାରୀ ଚଳାଇଲେ । ଅନନ୍ତ ସାମାନ୍ୟ ଆହତ ହୋଇ ତଳେ ପଡ଼ିଗଲା । ଅନ୍ୟ ଦୁଇଜଣ ପ୍ରାଣ ଭୟରେ ହାତର ଠେଙ୍ଗାଟାମାନ ତଳେ ପକେଇ ଦେଇ ହାତ ଯୋଡ଼ି ଠିଆ ହେଲେ ଏବଂ ଆଗରେ ରାଜାଙ୍କୁ ଦେଖି ଗୋଡ଼ ତଳେ ଲମ୍ବ ହୋଇ ପଡ଼ିଗଲେ । କହିଲେ–‘ମାହାର୍ଜ’ ଆମକୁ ଅନନ୍ତ ଚୋର ପଶିଛି କହି ଡାକି ଆଣିଲା । ଆମର କିଛି ଦୋଷ ନାହିଁ ।’’

 

ଗଗନ ସେ ସ୍ଥାନ ଛାଡ଼ିଯିବାକୁ ଭାବୁଛନ୍ତି ଏଇ ସମୟରେ ହଠାତ୍ ଆଉ ଗୋଟିଏ ଘଟଣା ଘଟିଗଲା । ଖୁବ୍ ନିକଟରେ ଅଶ୍ଵଖୁରାର ଶବ୍ଦ ଶୁଣି ସେ ବୁଝି ପାରିଲେ ଯେ କଟୁଆଳମାନେ ସେଇ ବାଟରେ ଆସୁଛନ୍ତି ! ତେଣୁ ସେ ତରବରରେ ସେ ଲୋକ ଦୁଇଟିକୁ କହିଲେ–‘‘ଧାଇଁ ଚାଲିଯାଅ–କଟୁଆଳମାନେ ଆସୁଛନ୍ତି ।’’

 

କହୁ କହୁ ଲୋକ ଦୁଇଟା ପ୍ରାଣଭୟରେ ଭିନ୍ନ ଭିନ୍ନ ଗଳି ଭିତରେ ପଶିଗଲେ । ଗଗନ ମଧ୍ୟ ତରତରରେ ଗୋଟାଏ ଗଳି ଭିତରକୁ ଚାଲିଗଲେ । କିନ୍ତୁ କଟୁଆଳମାନେ କଣ କରିବେ, ଏ କଥା ଜାଣିବା ପାଇଁ ସେ ଗୋଟାଏ ଅନ୍ଧାରିଆ ପିଣ୍ଡା ଉପରକୁ ଉଠି ପଡ଼ି ଠିଆ ହେଲେ ।

 

ପରକ୍ଷଣରେ ଦୁଇଜଣ କଟୁଆଳ ଉପସ୍ଥିତ ହେଲେ । ସେମାନେ ଦେଖିଲେ, ତିନିଟା ଲୋକ ତିନି ଆଡ଼େ ଧାଇଁଛନ୍ତି । ତେଣୁ ସେ ଦୁଇଜଣ କାହାକୁ ଗୋଡ଼େଇବେ ଠିକ୍ କରି ପାରିଲେ ନାହିଁ । ଏଣେ ଗୋଟିଏ ବାଳକ ରକ୍ତାକ୍ତ ଶରୀରରେ ନାଳ କଡ଼େ ପଡ଼ିଛି । ସେମାନେ ସେଇଠାରେ ଠିଆ ରହିଲେ ଏବଂ କିଛି ସମୟ ଧରି କଣ କଥାବାର୍ତ୍ତା ହେଲେ ଗଗନଙ୍କୁ ଆଦୌ ଶୁଭିଲା ନାହିଁ । ଶେଷରେ ସେ ଦେଖିଲେ, କଟୁଆଳ ଦୁଇ ଜଣ ଅନନ୍ତକୁ ଘୋଡ଼ା ଉପରେ ପକେଇ ନେଇ ଚାଲିଗଲେ ।

 

ଗଗନ ଫେରି ଆସିଲେ ।

Image

 

ବତିଶ

 

ଶିକାର ଘରେ ଆଦିତ୍ୟଙ୍କୁ ହତ୍ୟାକରି ଚାଲି ଆସିଲା ବେଳେ କେହି ଲୋକ ସେଇ ଆଡ଼େ ଆସୁଥିବାର ଜାଣିପାରି ମୋହନ ବାଟ କଡ଼େ ଲୁଚି ଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ବିନୋଦଙ୍କୁ କେବଳ ସେ ଚିହ୍ନିପାରିଥିଲା ଏବଂ ସେମାନେ ଚାଲିଯିବା ସଙ୍ଗେ ସଙ୍ଗେ ସୁନ୍ଦରଗଡ଼କୁ ଫେରି ଆସିଲା । ଗଗନ ଚାଲି ଯିବାର କିଛି ସମୟ ପରେ ସେ ବନ୍ଧୁଆ ମାଆ ଘରେ ଆସି ପହଞ୍ଚିଲା ।

 

ତାରାକୁ ଦେଖିବା ମାତ୍ରେ ମୋହନ ପଚାରିଲା–‘‘ତାରା, ଅନନ୍ତ କାହିଁ ?’’ ତାରା ବିଚଳିତ ହେଲାପରି କହିଲା–‘‘ଅନନ୍ତ ରାତି ଭିତରେ ଘରକୁ ଆସିନାହିଁ । କାଲି ତୁମେ ଯିବାବେଳୁ ସେ ଦାଣ୍ଡକୁ ଯାଇଛି ଯେ ଯାଇଛି ।’’

 

‘‘–ତାହାହେଲେ ତୁ ରାତିରେ ଘରେ ଏକୁଟିଆ ଥିଲୁ ?’’

 

‘‘–କାହିଁକି ହରିବନ୍ଧୁ ଦାଦା, ତଳ ଘରେ ଅଛନ୍ତି । ତାଙ୍କ ହାତରେ କଣ ଗୋଟାଏ ମାଡ଼ ବାଜିଛି ।’’

 

ତାରାଠାରୁ ଏହା ଶୁଣି ମୋହନ ସେ ସ୍ଥାନ ଛାଡ଼ି ଲମ୍ବେ ଲମ୍ବେ ତଳ ଘରକୁ ଚାଲିଗଲା । ଦେଖିଲା, ହରିବନ୍ଧୁ ଖଟ ଉପରେ ପଡ଼ି କୁନ୍ଥେଇ ହେଉଛନ୍ତି । ରାତିସାରା ତାଙ୍କୁ ଜମା ନିଦ ଲାଗିନାହିଁ । ମୋହନର ପାଦ ଶବ୍ଦ ଶୁଣି ହରିବନ୍ଧୁ ଉଠିପଡ଼ି ପଚାରିଲେ–‘‘କିଏ ମୋହନ ! ସମ୍ବାଦ କଅଣ ?’’

 

ଏଇ କଥା ଦୁଇ ପଦରେ ଯେପରି ହରିବନ୍ଧୁଙ୍କର ସାରା ରାତିର ଉଦ୍‍ବିଗ୍ନତା ପୁରି ରହିଥିଲା । କିନ୍ତୁ ଏପରି ପ୍ରଶ୍ନର ଉତ୍ତର ଦେବାକୁ ଗଲାବେଳେ ମୋହନଠାରେ ବ୍ୟଗ୍ରତାର କୌଣସି ଚିହ୍ନ ସୁଦ୍ଧା ଦେଖାଗଲା ନାହିଁ । ସେ ନୀରବରେ ତରବାରୀକୁ କାନ୍ଥ କଡ଼କୁ ଆଉଜେଇ ଦେଇ ପାଖ ଚଉକିଟି ଉପରେ ବସି ପଡ଼ିଲା । ମୁହଁରେ ତାର ଦୁଷ୍ଟାମୀର ଗୋଟିଏ ଅସ୍ପଷ୍ଟ ରେଖା ଦେଖା ଯାଉଥାଏ । ପଚାରିଲା–‘‘ଶୁଣିଲି, ତୁମ ହାତରେ କଣ ଗୋଟାଏ ମାଡ଼ ବାଜିଛି ?’’

 

ହରିବନ୍ଧୁ ନିଜ ଉତ୍ତରଟା ଶୀଘ୍ର ଶେଷକରି ମୋହନଠାରୁ କିଛି ଶୁଣିବା ପାଇଁ ଦୁଇ ପଦରେ କହିଦେଲେ–‘‘ହଁ, ବାଜିଛି । କିନ୍ତୁ ତୁ କୁଶଳରେ ଫେରି ଆସିଛୁ ତ ?’’

 

ମୋହନ ନିଜ କଥାଟା ଆଗ ଖୋଲି କହି ଦେବାପାଇଁ ଆଦୌ ପ୍ରସ୍ତୁତ ନୁହେଁ । କହିଲା–‘‘କିପରି ଆଘାତ ଲାଗିଲା ?’’

 

ହରିବନ୍ଧୁ ଗତକାଲି ରାଜାଙ୍କ ସହିତ ସାକ୍ଷାତ୍ କରିବାକୁ ଗଲାବେଳେ ବିନୋଦଙ୍କ କୌଶଳରେ ଯାହା ଯାହା ଘଟିଥିଲା ସଂକ୍ଷେପରେ ବର୍ଣ୍ଣନା କରି ଯିବାକୁ ଲାଗିଲେ ଏବଂ ମୋହନକୁ ଜବତ୍ କରିବା ପାଇଁ ଯେଉଁ ଜାଲ୍ ଚିଠି ପଠା ଯାଇଥିଲା, ସେ ସମ୍ବନ୍ଧୀୟ ସକଳ କଥା କହିଗଲେ । ମୋହନ ଏସବୁ ବିଷୟ ଶୁଣୁଶୁଣୁ ମୁଚ୍‍ ମୁଚ୍ ହସି ଉଠୁଥାଏ, କିନ୍ତୁ ତା ଭିତରେ ପୁରି ରହିଥାଏ ଅସୀମ ଗମ୍ଭୀର ଭାବ । ସେ କହିଲା–‘‘ବିନୋଦ ବୁଢ଼ା ହେଲେ କଣ ହେଲା, ଖୁବ୍ ସୁନ୍ଦର ଜାଲଟାଏ ପକାଇଥିଲା ।’’

 

ହରିବନ୍ଧୁ ତାତ୍ସଲ୍ୟ ଭାବରେ କହିଲେ–‘‘ଦୁଃଖର କଥା ସେ ଅନୁପାତରେ କୃତକାର୍ଯ୍ୟ ହୋଇ ପାରିଲାନି ବୋଧହୁଏ ?’’

 

‘‘–ସେ କଥା କହି ହେବନି । କାରଣ ସେ ମୋତେ ଧରିବା ପାଇଁ ଜାଲ ବିସ୍ତାର କରିଥିଲା କି ଆଦିତ୍ୟକୁ ହତ୍ୟା କରିବା ପାଇଁ କରିଥିଲା, ସେ କଥା ସେଇ କେବଳ ଜାଣେ । ତେଣୁ କୃତକାର୍ଯ୍ୟ ହୋଇଛି କି ନାହିଁ କିଏ କହିବ ?’’

 

ହରିବନ୍ଧୁ ଏ କଥାର କୌଣସି ଅର୍ଥ ହୃଦୟଙ୍ଗମ କରି ପାରିଲେ ନାହିଁ । କହିଲେ–‘‘ଶିକାର ଘରେ ସେମାନେ ଥିଲେ ?’’

 

‘‘–ନା ସେମାନେ ନ ଥିଲେ । ମୁଁ ସେଇ ଚିଠି ଖଣ୍ଡିକ ଧରି ସେଠାକୁ ଗଲି । ରାଜାଙ୍କ ସଙ୍ଗେ ଦେଖାହେଲା ।’’

 

ହରିବନ୍ଧୁ ଚମକି ଉଠିଲେ, କହିଲେ–‘‘ରାଜାଙ୍କ ସଙ୍ଗେ ଚିଠି ଖଣ୍ଡ ଦେଲୁ ?’’

 

‘‘–ନା, ପ୍ରଥମେ ପେଡ଼ିଟି ଦେଖିବାକୁ କହିଲି । ସେ ମୋତେ ଅବିଶ୍ୱାସ କରି ନ ନେବାରୁ ତାଙ୍କ ନିକଟକୁ ଫିଙ୍ଗି ଦେଲି । ମାତ୍ର ସେ ଦେଖିବାକୁ ଆଉ ସମୟ ପାଇଲେ ନାହିଁ ।’’

 

ହରିବନ୍ଧୁ ଅଧିକ ବିସ୍ମିତ ହୋଇ କହିଲେ–‘‘ସମୟ ପାଇଲେ ନାହିଁ କଅଣ ?’’

 

ମୋହନ ହସୁ ହସୁ କହିଲା–‘‘କୁକୁରଟା ମୋତେ ନିଶ୍ଚୟ କାମୁଡ଼ି ଦେଇଥାନ୍ତା, ଶରୀରରକ୍ଷୀମାନେ ଭୁସି ପକାଇଥାନ୍ତେ, ରାଜା ମୋର ବେକ କାଟି ପକାଇଥାନ୍ତେ ।’’

 

‘‘–କାହିଁକି ?’’

 

‘‘–ଜାଣେନା କାହିଁକି ?’’

 

‘‘–ତାପରେ ?’’

 

‘‘–ସେ କୁକୁର ଆଉ କେବେ କାମୁଡ଼ିବ ନାହିଁ, କି ଶରୀରରକ୍ଷୀମାନେ ଆଉ କେବେ ହାତ ଟେକିବେ ନାହିଁ ।’’

‘‘ତେବେ ରାଜା ?’’

 

‘‘ସେ ମଧ୍ୟ ଆଉ କେବେ ତରବାରୀ ଧରିବେ ନାହିଁ ।’’

 

ହରିବନ୍ଧୁ ଶେଯ ଉପରୁ ଅଧା ଉଠିପଡ଼ି କମ୍ପିବାକୁ ଲାଗିଲେ, କହିଲେ–‘‘ତାହାହେଲେ ତୁ ରାଜାଙ୍କୁ ହତ୍ୟା କରିଛୁ ?’’

 

‘‘–ହଁ ମୁଁ, ବିନୋଦ ଏବଂ ଅବସ୍ଥା ଚକ୍ର ମିଶି ହତ୍ୟା କରିଛୁ ।’’

 

ହରିବନ୍ଧୁ ବସି ପଡ଼ିଲେ–ମୁଣ୍ଡଟା ତଳକୁ ଓହଳି ପଡ଼ିଲା । ଅନେକ ସମୟ ପର୍ଯ୍ୟନ୍ତ ସେ କିଛି ଚିନ୍ତା ସୁଦ୍ଧା କରିପାରିଲେ ନାହିଁ । ମୋହନ ମଧ୍ୟ ନିର୍ବିକାର ଭାବରେ ବସିଥାଏ ।

 

ହଠାତ୍ ହରିବନ୍ଧୁ ଖଟ ତଳକୁ ଡେଇଁ ପଡ଼ି କହିଲେ ‘‘ମୋହନ, ଆଉ ସମୟ ନାହିଁ । ଶୀଘ୍ର ଆସ, ରାଜ୍ୟ ଛାଡ଼ି ପଳେଇବା ! ଆମର ଆଉ ରକ୍ଷା ନାହିଁ ।’’

 

ମୋହନ ଧୀରେ ଧୀରେ କହିଲା–‘‘ପଳେଇବା ! କାହିଁକି ? ଆମେ ରାଜ୍ୟରୁ ଚାଲି ଯାଇପାରେ । କିନ୍ତୁ ପ୍ରାଣ ଭୟରେ ପଳେଇବାର ତ କୌଣସି କାରଣ ନାହିଁ ?’’

 

ହରିବନ୍ଧୁ ଶ୍ୱାସରୁଦ୍ଧ ସ୍ଵରରେ କହି ଉଠିଲେ–‘‘ନା, ନା, ଏଇ ମୁହୂର୍ତ୍ତରେ ପଳେଇବାକୁ ହେବ । ନଚେତ୍ ଆଉ ତୋ ସହିତ ମୋର କୌଣସି ସମ୍ପର୍କ ନାହିଁ । ମୁଁ ଚାଲିଲି-’’

 

ହରିବନ୍ଧୁ ବାୟା ବିଲୁଆ ଭଳିଆ ଘରର ଏ ପାଖରୁ ସେ ପାଖ କେବଳ ଧାଁ ଧପଡ଼ କରିବାକୁ ଲାଗିଲେ । ମୋହନ ତାଙ୍କର ଏପରି ବିକୃତି ଦେଖି ତାଙ୍କର ଗୋଟାଏ ହାତ ନିଜ ହାତରେ ଧରି ପକେଇ କହିଲା–‘‘ଶୁଣ ହରିଭାଇ, ତୁମେ ବଡ଼ ଶୀଘ୍ର ବିଚଳିତ ହୋଇ ପଡ଼ । ଆଦିତ୍ୟ ସିନା ଗଲା, ରାଣୀ ତ ଅଛି । ଏବେ ସୁଦ୍ଧା ତ ଆମ ହାତରେ ଚିଠି ଖଣ୍ଡିକ ଅଛି । ଆମର ଭୟ କାହାକୁ-?’’

 

ହରିବନ୍ଧୁ ହାତଟା ଛିଞ୍ଚାଡ଼ୁ ଛିଞ୍ଚାଡ଼ୁ କହିଲେ–‘‘ନା, ସେ କଥା ଆଉ କହନା ମତେ । ମୁଁ ଆଉ ଶୁଣିବିନି । ମତେ ଛାଡ଼ିଦେ।’’

 

‘‘–ଆଚ୍ଛା କହିଲ, ଗଗନ ବର୍ତ୍ତମାନ କେଉଁଠି ? ତା’ ବିଷୟରେ ଆଉ କଅଣ ଶୁଣିଛ ?’’

 

‘‘ନା, ନା, ମୁଁ ଆଉ କିଛି ଶୁଣିବିନି । ପ୍ରଥମରୁ ମୁଁ ଏଥିରେ ନ ଥିଲି । ଏବେ ମଧ୍ୟ ମୁଁ ଜାଣେନା ରାଜା କେଉଁଠାରେ ଥିଲେ, ଆଉ କଅଣ ହେଲା ।’’

 

‘‘କେହି ତ ତୁମକୁ ଦୋଷୀ ସାବ୍ୟସ୍ତ କରୁନି ।’’

 

‘‘ମୋହନ, ମୁଁ ଶପଥ କରି କହୁଛି, ତୋତେ ଯେତେ ଧନ ଆବଶ୍ୟକ ମୁଁ ଦେବି ! ଶୀଘ୍ର ଏଠାରୁ ଚାଲିଯାଆ ।’’

 

‘‘–ମୁଁ କାହାରିଠାରୁ ଭିକ୍ଷା ଗ୍ରହଣ କରିବାକୁ ଲଜ୍ଜା ବୋଧ କରେ । ମୁଁ ଦରକାର କରେ ମୋର ପୈତୃକ ସମ୍ପତ୍ତି–ମୋର ନ୍ୟାଯ୍ୟ ସ୍ୱତ୍ୱ ।’’

 

ହରିବନ୍ଧୁଙ୍କୁ ଘରେ ବସେଇ ଦେଇ ରାଣୀଙ୍କ ଚିଠିଟି ନିରାପଦ ଅଛିକି ନାହିଁ ଦେଖୁ ଦେଖୁ ମୋହନ ଅଗଣା ମଝିକୁ ଚାଲି ଆସିଲା । ସେତେବେଳକୁ ଗଛପତ୍ରରେ ଖରା ପଡ଼ିଲାଣି । ଧୀର ଶୀତଳ ପବନ ମନ୍ଥର ଗତିରେ ବହି ଆସୁଥାଏ ଏବଂ ସେଇ ସ୍ରୋତମୁଖରେ ଉଆସ ଉପରର ଲୋହିତ ପତାକାଟା ଫର ଫର ଉଡ଼ୁଥିବା ଅଗଣା ମଝିରୁ ସ୍ପଷ୍ଟ ଦିଶୁଥାଏ । ମୋହନ ହରିବନ୍ଧୁଙ୍କୁ ସେଠାକୁ ଡାକିଆଣି କହିଲା–‘‘ଭାଇ, କେଉଁଠାରୁ କିଛି ସୂଚନା ପାଇଁ ପାରୁଛ ?’’

 

‘‘–କେଉଁଥିର ସୂଚନା ?’’

 

‘‘–ରାଜାଙ୍କ ସମ୍ବନ୍ଧେ ?’’

 

ହରିବନ୍ଧୁ ମୁଣ୍ଡହଲାଇ କହିଲେ–‘‘ଘର ଅଗଣା ମଝିରେ ସୂଚନା ଆଉ କଅଣ ପାଇବି-?’’

 

‘‘–ମୁଁ ବି ବେଶି କିଛି ଦେଖିପାରୁ ନାହିଁ । କିନ୍ତୁ କାଲି ରାତିରେ ବିନୋଦ ପ୍ରଭୃତି ଶିକାର ଘରକୁ ଯିବାର ଦେଖି ମୋ ମନରେ ଗୋଟାଏ ନୂଆ ସନ୍ଦେହ ଜାତ ହେଉଛି ।’’

 

‘‘–ନୂଆ ସନ୍ଦେହ କଅଣ ?’’

 

‘‘–ଆଦିତ୍ୟ ଯେ ମରିଛି, ଏକଥା ବିନୋଦ ପ୍ରଭୃତି ନିଶ୍ଚୟ ଜାଣି ପାରିଛନ୍ତି । କିନ୍ତୁ କାହିଁ ତାର କୌଣସି ଚିହ୍ନ ତ ସୁନ୍ଦରଗଡ଼ରେ ଦେଖାଯାଉ ନାହିଁ ? ନଗରରେ କୌଣସି ଉତ୍ତେଜନା ନାହିଁ, ଉଆସ ଉପରେ ତ ଧ୍ୱଜା ଉଡ଼ୁଛି । ମୋର ସନ୍ଦେହ ହୁଏ, ସୂତ୍ରଧର ବିନୋଦ ସିଂହ ଗଗନକୁ ପୁଣି ରାଜବେଶରେ ସଜାଇ ନାହିଁ ତ ?’’

 

ମୋହନ ହରିବନ୍ଧୁଙ୍କ ହାତ ଧରି ପୁଣି ଘର ଭିତରକୁ ପଶିଗଲା । ତାର ଚିନ୍ତାସାଗର ମଧ୍ୟରେ ଶତ ଉତ୍ତାଳ ଲହରୀ ପୁଣି ଉଠିଲା, ପଡ଼ିଲା । ସେ ମୁଣ୍ଡପୋତି ଘରର ଏମୁଣ୍ଡୁ ସେମୁଣ୍ଡ ଯାଏଁ ପାଦଚାରଣ କରୁ କରୁ ହରିବନ୍ଧୁ ଚଉକିଟା ଉପରେ ଲଥକିନା ବସି ପଡ଼ିଲେ । ପ୍ରାଣଭୟରେ ସେ ଏକ ପ୍ରକାର ନିର୍ଜୀବ ହୋଇ ଯାଇଥିଲେ ।

 

କିଛି ସମୟ ପରେ ମୋହନ ହଠାତ୍ ଘର ମଝିରେ ଠିଆ ହୋଇ ପଡ଼ିଲା । ତାର ଦୁଇହାତ ମୁଠା ହୋଇଗଲା । ସେ କହିଲା–‘‘ହରିଭାଇ, ସେମାନେ ପୁଣି କଅଣ କରୁଛନ୍ତି, ଆମେ ଜାଣି ରଖିବା ନିତାନ୍ତ ଉଚିତ । ଅନନ୍ତ ତ ଏତେବେଳ ଯାଏ ଆସିଲାନି । ତୁମେ ଥରେ ଉଆସକୁ ଯାଇ ରାଜାଙ୍କୁ ସାକ୍ଷାତ୍ କରିବା ଦରକାର ।’’

 

‘‘–କାହିଁକି ? ତୁ ତ କହୁଛୁ ରାଜା ଆଉ ନାହାନ୍ତି ।’’

 

‘‘–କିନ୍ତୁ ରାଜାଙ୍କ ମୃତ୍ୟୁସମ୍ବାଦ ପ୍ରକାଶ କରାଯାଉଛି କି ଆଉ ଜଣକୁ ରାଜା କରି ଦିଆଯାଉଛି, ଜଣାଯିବ କିପରି ?’’

 

‘‘ଉଆସରେ ବର୍ତ୍ତମାନ ତ କେହି ନ ଥିବେ !’’

 

‘‘ତାହାହେଲେ ତୁମେ ରାଜନଙ୍କ ଘରକୁ ଯାଇ ତାଙ୍କ ଚାକର ସହିତ ଟିକିଏ ଆତ୍ମୀୟ ଭାବରେ କଥାବାର୍ତ୍ତା କର । ତାଙ୍କୁ ଯେତେବେଳେ କାଲି ହରିପୁରରେ ତୁମେ ଦେଖି ନାହଁ, ସେ ନିଶ୍ଚୟ ବାଣପୁରରୁ ଆସି ଘରଠାରେ ଥିବେ ଏବଂ ସକାଳୁ ହୁଏ ତ ସମ୍ବାଦ ପାଇଁ ହରିପୁର ଚାଲି ଯାଇଥିବେ । ସେଇଠାରୁ କିଛି ସମ୍ବାଦ ମିଳିବ ।’’

 

‘‘–ଏହା ପରେ କଣ କରିବାକୁ ହେବ ?’’

 

‘‘–ଯଦି ରାଜାଙ୍କ ମୃତ୍ୟୁସମ୍ବାଦ ପ୍ରକାଶ ପାଇବାର ସୂଚନା ମିଳେ, ତେବେ ଆମକୁ ମଧ୍ୟ ବାଟ ଦେଖିବାକୁ ହେବ । ନଚେତ୍ ଏଇକ୍ଷଣି ଆମର ତ କଥା କହିବାର ଅଧିକାର ନାହିଁ ।’’

 

ହରିବନ୍ଧୁ ବସିରହି ନୀରବରେ ସବୁ ଶୁଣିବାକୁ ଲାଗିଲେ । ମୋହନର ପ୍ରତ୍ୟେକ ଯୁକ୍ତି ତାଙ୍କର ଭୟକ୍ରସ୍ତ ପ୍ରାଣରେ ପୁଣି ସାନ୍ତ୍ୱନା ଆଣି ଦେଲା । ସେ ପୁଣି ସାହସର ସହିତ ମୋହନକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେଲେ ।

Image

 

ତେତିଶ

 

ରାଜାଙ୍କର ମୃତ୍ୟୁସମ୍ବାଦ ପାଇ ଗଗନଙ୍କ ଅନ୍ତରଟା କିପରି ବ୍ୟଥିତ ହୋଇ ପଡ଼ିଥିଲା, ବାସ୍ତବିକ ତାହା ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ । କିନ୍ତୁ ସେଇ ବ୍ୟଥା ମଧ୍ୟରେ ତାଙ୍କ ହୃଦୟରେ ପ୍ରତିହିଂସାର ତୀବ୍ର ବହ୍ନି ଜଳି ଉଠିଲା । ସେ ପ୍ରଥମେ ଠିକ୍ କରିଥିଲେ ରାଣୀଙ୍କ ଚିଠି ଖଣ୍ଡି ହସ୍ତଗତ ହେବା ପରେ ସେ ମୋହନକୁ ଛାଡ଼ି ଦେବେ । କିନ୍ତୁ ବର୍ତ୍ତମାନ ପ୍ରତିଜ୍ଞା କଲେ–‘‘ହୁଏତ ମୋହନଙ୍କୁ ନିଷ୍ଠୁର ଭାବରେ ହତ୍ୟାକରି ତାର ତପ୍ତ ରକ୍ତରେ ଜ୍ୟେଷ୍ଠଭ୍ରାତାଙ୍କର ତର୍ପଣ କରିବେ–ନଚେତ୍ ନିଜ ପ୍ରାଣ ବଳି ଦେବେ।’’

 

ଗଗନଙ୍କ ଏ ଭୀଷଣ ପ୍ରତିଜ୍ଞା ଦୁଇ ଆଖି ଦେଇ ଫୁଟି ଉଠୁଥିଲା । ବୈଠକ ଘରେ ବସି ଏ ଦୃଶ୍ୟ ଦେଖି ରାଜନ ମଧ୍ୟ ଶଂକିତ ହୋଇ ପଡ଼ିଥିଲେ ।

ଏହି ସମୟରେ ଦାଣ୍ଡ ଦୁଆରେ ଗୋଟାଏ ପରିଚିତ ସ୍ଵର ଶୁଣାଗଲା–‘‘ରାଜନ ବାବୁ ଘରେ ଅଛନ୍ତି ?’’

 

ସ୍ଵରଟା ହରିବନ୍ଧୁଙ୍କର । ରାଜନ ହରିବନ୍ଧୁଙ୍କୁ ନିଜ ଦ୍ବାରସ୍ଥ ହେବାର ଜାଣି ବଡ଼ ବିସ୍ମିତ ହୋଇ ପଡ଼ିଲେ । କି ଉଦ୍ଦେଶ୍ୟରେ ଯେ ସେ ଏତେବେଳେ ଏଠାକୁ ଆସିଛନ୍ତି, ତାହା ଆଦୌ ବୁଝିପାରିଲେ ନାହିଁ । ମାତ୍ର ସଙ୍ଗେ ସଙ୍ଗେ ନିଜେ ଯାଇ ହରିବନ୍ଧୁଙ୍କ ସମ୍ମୁଖୀନ ହେବା ସେ ଉଚିତ୍ ମନେ କଲେ ନାହିଁ ।

 

ରାଜନ ଘର ଭିତରକୁ ଯାଇ ଚାକରକୁ କହିଲେ–‘‘ଦାଣ୍ଡ ଦୁଆରେ ଯେଉଁ ଲୋକଟା ଡାକୁଛି, ମୁଁ ଘରେ ଅଛି ବୋଲି ତାକୁ କାହିଁକି ଡାକୁଛି, ପ୍ରଥମେ ବୁଝିଆ ।’’

 

ବିନା ଚାକର ପିଣ୍ଡାକୁ ଯାଇ ହରିବନ୍ଧୁଙ୍କୁ ପଚାରିଲା–‘‘କୁଆଡ଼େ ଆସିଲେ ବାବୁ !’’

 

ହରିବନ୍ଧୁ କହିଲେ–‘‘ରାଜନ ବାବୁ ଘରେ ଅଛନ୍ତି ?’’

 

‘‘–ନାହାନ୍ତି, ସକାଳୁ କୁଆଡ଼େ ଗଲେ ।’’

 

‘‘–କୁଆଡ଼େ ଗଲେ ?’’

 

‘‘–ମୁଁ ଜାଣେନା, ରହନ୍ତୁ ପଚାରି ଆସିବି ଘରେ ।’’

 

ଚାକର ରାଜନଙ୍କ କୋଠରୀକୁ ଫେରି ଆସିଲା । ସେ ହରିବନ୍ଧୁଙ୍କ କଥା ବାର୍ତ୍ତାଟା ବେଶ୍ ଶୁଣିପାରି ଥିଲେ । ସେ ଚାକର କାନରେ ଟୁପ୍ ଟାପ୍ କରି କଅଣ ଦୁଇ ଚାରି ପଦ କହିଦେଲେ । ତାହା ଶୁଣି ଗଗନ ଚେଷ୍ଟା କରି ମଧ୍ୟ ନ ହସି ରହି ପାରିଲେ ନାହିଁ।

 

ବିନା ପିଣ୍ଡାକୁ ଆସି ହରିବନ୍ଧୁଙ୍କୁ ଖୁବ୍ ଧୀରେ ଧୀରେ କହିଲା–‘‘ଆଜ୍ଞା, ବାବୁ ଘରେ ନାହାନ୍ତି । ଆସିଲା ବେଳକୁ ବେଶି ଉଛୁର ହେବ । ଆପଣ ଟିକିଏ ଦାଣ୍ଡଘର ଭିତରକୁ ଆସିବା ପାଇଁ ସାନ୍ତାଣୀ ଡାକୁଛନ୍ତି । ସେ ଆପଣଙ୍କୁ କଅଣ ଦିପଦ କହିବେ ବୋଲି କେତେଦିନ ହେଲା ବିଚାରିଛନ୍ତି ।’’

 

ହରିବନ୍ଧୁଙ୍କୁ ଅପୂର୍ବ ସୁଯୋଗ ମିଳିଲା । ସେ ରାଜନଙ୍କ ଘରଣୀଙ୍କ ସହ ଟିକିଏ ରସିକତା କରିବା ସଙ୍ଗେ ସଙ୍ଗେ ତାଙ୍କଠାରୁ ନିଜର ଆବଶ୍ୟକ ବିଷୟଗୁଡ଼ାକ ସହଜରେ ଆଦାୟ କରି ପାରିବେ ଭାବି ଭିତରକୁ ପଶି ଆସିଲେ । କିନ୍ତୁ ସେ ଇରୁଣ୍ଡି ବନ୍ଧ ଡେଇଁ ଦୁଇ ପାଦ ଆସିଛନ୍ତି କି ନାହିଁ, ଚାକର ବିନା ଦାଣ୍ଡ କବାଟ ଭିତରୁ ବନ୍ଦ କରିଦେଲା । ଗଗନ ଏବଂ ରାଜନ ବୈଠକ ଘର ଭିତରୁ ଧାଇଁ ଆସି ବାଘ ପରି ତାଙ୍କ ଉପରେ ପଡ଼ିଗଲେ । ହରିବନ୍ଧୁ ଚିତ୍କାର କରି କବାଟ ଆଡ଼କୁ ଧାଇଁଗଲେ । କିନ୍ତୁ ଆଉ ସମୟ ନ ଥିଲା । ରାଜନ ତାଙ୍କ ମୁହଁଟାକୁ ଚିପିଧରି କହିଲେ–‘‘ମନେ ନାହିଁ ଛତରଗଡ଼ ପାଖେ ପେଡ଼ି ଛଡ଼େଇବା କଥା । କାଲି ସିନା ବିଜୟ ହାତରୁ ଖସି ଚାଲିଗଲୁ, ଆଜି ଆଉ ସେ କଥା ହେବ ନାହିଁ । ଏ କେତେ ଦିନ ମଧ୍ୟରେ ଭଦ୍ରତାର ଖୁବ୍ ପରିଚୟ ଦେଇଛୁ । ତୁମ ମୋହନ ଜବତ୍ ନ ହେଲା ପର୍ଯ୍ୟନ୍ତ ଏଠାରେ ଅପେକ୍ଷା କରିବାକୁ ହେବ ।’’

 

ହରିବନ୍ଧୁ ଆପଦମସ୍ତକ ଥରିବାକୁ ଲାଗିଲେ । ସେ କଣ କହିବାକୁ ଚେଷ୍ଟା କଲେ; କିନ୍ତୁ ପାରିଲେ ନାହିଁ । ରାଜନ ତାଙ୍କୁ ଟାଣି ନେଇ ଗୋଟାଏ ଘରେ ପୁରାଇ ଚାବି ବନ୍ଦ କରିଦେଲେ ।

Image

 

ଚଉତିରିଶ

 

ବାହାରର କବାଟ ପଞ୍ଜର ସବୁ ବନ୍ଦ କରିଦେଇ ବିନୋଦ ଶିକାର ଘର ଭିତରେ ଗୋଟିଏ ଚଉକିରେ ବସିଥାନ୍ତି । ତାଙ୍କ ପାଖକୁ ଲାଗି ବସିଥାଏ ଯାଦୁ–ଗଗନଙ୍କର ଭୃତ୍ୟ ।

 

ରାଜନ ସୁନ୍ଦରଗଡ଼ ଯିବା ଅନେକ ସମୟ ହୋଇଗଲାଣି; ଅଥଚ କିଛି ସମ୍ବାଦ ଆସି ନାହିଁ । ଶବଗୁଡ଼ିକର କିଛି ବ୍ୟବସ୍ଥା ହୋଇନାହିଁ । ସେଗୁଡ଼ିକୁ ପୋତିପକେଇବେ କି ଅନ୍ୟ କିଛି ବ୍ୟବସ୍ଥା କରିଦେବେ, ଏଇ ବିଷୟ ନେଇ ଉଭୟେ ଚିନ୍ତିତ ।

 

ବିନୋଦ ପଚାରିଲେ–‘‘ଯଦୁ, ତୁମେ କଅଣ ଭାବୁଛ କହିଲ ?’’ ଯଦୁ ଡେବିରି ହାତରେ ମୁଣ୍ଡଟାକୁ ଆଉଁସୁ ଆଉଁସୁ ଅନ୍ୟମନସ୍କ ଭାବରେ କହିଲା–‘‘ନା ସେମିତି କିଛି ନୁହେଁ । ରାଜା ତ ମଲେଣି । ଆମ ବାବୁଙ୍କୁ ତ ଆରଥର ପରି ରଜା କରିଦେଲେ ହୁଅନ୍ତା–ଆଉ କୌଣସି ଚିନ୍ତା ରହନ୍ତା ନାହିଁ ।’’

 

ବିନୋଦ କହିଲେ–‘‘ହଁ, ଉତ୍ତମ ପ୍ରସ୍ତାବ, କିନ୍ତୁ ଅସମ୍ଭବ । ଗତଥର ଆଉ ଏଥର ମଧ୍ୟରେ ବହୁତ ପ୍ରଭେଦ ଅଛି । ଆଉ କିଛି ସମୟ ବିଳମ୍ବରେ ହେଉ ପଛକେ, ରାଜା ମରିଛନ୍ତି ଏ କଥା ନିଶ୍ଚୟ ପ୍ରକାଶ କରିବାକୁ ହେବ ।’’

 

‘‘–ହଁ, ଯାହା କହିଲେ ଠିକ୍ । କିନ୍ତୁ ସୁନ୍ଦରଗଡ଼ରେ କେହି କେହି ଆମ ବାବୁଙ୍କୁ ଦେଖି ଯେବେ ରାଜାବୋଲି ଭାବିଥାନ୍ତି, ତେବେ ରାଜା ଶିକାର ଘରେ ଆଜି ମରିଗଲେ ଏ କଥା ତ ସେମାନେ ସହଜେ ବିଶ୍ୱାସ କରିବେ ନାହିଁ କିମ୍ବା ସେ ନିଜକୁ ଗଗନବିହାରୀ ବୋଲି କହି ପାରିବେ ନାହିଁ । ଯଦି ଆପଣ ଏ ଘଟଣା ବିଳମ୍ବରେ ପ୍ରକାଶ କରିବାକୁ ବାଧ୍ୟ ହୁଅନ୍ତି, ସେତେବେଳକୁ ତ ଆଉ ରାଜାଙ୍କର ଶବ ସଦ୍ୟମୃତ ଅବସ୍ଥାରେ ନ ଥିବ ?’’

 

ଏ କଥା ଗୁଡ଼ାକ ବିନୋଦଙ୍କୁ ବଡ଼ ସନ୍ଦେହରେ ପକେଇଲା । ସେ ଏ ବିଷୟଟା ପ୍ରତି ଯେ ପ୍ରଥମରୁ ଦୃଷ୍ଟି ଦେଇ ନାହାନ୍ତି, ବର୍ତ୍ତମାନ ସ୍ପଷ୍ଟ ବୁଝିପାରିଲେ । ସେ କିଛି ସମୟ ଚିନ୍ତା କରି କହିଲେ–‘‘ବାସ୍ତବିକ କଥା, ଯଦି ଗଗନକୁ ରାଜା କରି ଦିଆଯାଏ, ତେବେ ଆଦିତ୍ୟଙ୍କର ଶବସଂସ୍କାର ହେବ କିପରି ?’’

 

ଯଦୁ ହସିଦେଇ କହିଲା–‘‘ସେଥିପାଇଁ ଆମକୁ ଆଉ ଗୋଟାଏ ବାଟ ଧରିବାକୁ ହେବ । ଏ ଘରଟାରେ ଯଦି ନିଆଁ ଲଗାଇ ଦିଆଯାଏ, ତେବେ ଅଲଗା କରି ଶବ ସଂସ୍କାର କରିବା ଆଉ ଆବଶ୍ୟକ ହେବ ନାହିଁ ।’’

 

ଯଦୁର କଥାଗୁଡ଼ାକ ବିନୋଦଙ୍କୁ ଯୁକ୍ତିଯୁକ୍ତ ବୋଧ ହେଲା । ପ୍ରକୃତରେ ତାର ଉପଦେଶ ଗ୍ରାହ୍ୟ ହେଉ କି ନ ହେଉ, ସୁନ୍ଦରଗଡ଼ରୁ କିଛି ସମ୍ବାଦ ଆସିଲା ଯାଏଁ ସମୟ କଟାଇବାର ଏହା ଏକ ଉପାୟ ଭାବି ସେ ଶୁଣିବାରେ ଲାଗିଲେ । କିନ୍ତୁ କ୍ରମେ କ୍ରମେ ଯଦୁର ପ୍ରତ୍ୟେକ କଥା ଅଜ୍ଞାତସାରେ ତାଙ୍କ ମନରେ ଦାଗ କାଟୁଥାଏ । ଶେଷରେ ବିନୋଦ କହିଲେ–‘‘ତାହାହେଲେ ଆମେ ଯେତେବେଳେ ଏଠାରେ ଅଛେ, ଘରପୋଡ଼ି ସମ୍ବନ୍ଧେ କି ଜବାବ ଦେବା ?’’

 

‘‘ଜବାବଟା ବେଶ୍ ସହଜ । ଆମେ କହିବା ଯେ, କାଲି ରାତିରେ ରାଜା ଏଠାକୁ ବିଜେ ହୋଇଥିଲେ । ତାଙ୍କୁ ଦେଖା କରିବାକୁ ତାଙ୍କର ଗଗନ ବୋଲି ଜଣେ ବନ୍ଧୁ ମଧ୍ୟ ଆସିଥିଲେ ।’’

 

ବାଧାଦେଇ ବିନୋଦ କହିଲେ–‘‘ମୁଁ ମଧ୍ୟ ରାଜାଙ୍କ ସଙ୍ଗେ ଆସିଥିଲି, ନା କଅଣ ?’’

 

‘‘–ହଁ, ଆପଣ ମଧ୍ୟ ଆସିଥିଲେ ।’’

 

‘‘–ଆଉ ତୁମେ ?’’

 

‘‘–ମୁଁ ମୋ ବାବୁଙ୍କ ସଙ୍ଗେ ଆସିଥିଲି ।’’

 

‘‘–ତାପରେ ।’’

 

‘ରାତିରେ ଛଦ୍ମବେଶରେ ରାଜା ସୁନ୍ଦରଗଡ଼ ଚାଲିଗଲେ । ରାଜା କିଏ ବୁଝିଲେ ନା ?’’

 

‘‘–ହଁ, ବୁଝିଲି, କହିଯାଅ ।’’

 

‘‘–ଗଗନ ବାବୁ, ମୁଁ, ଆପଣ ଓ ଦୁଇଜଣ ଶରୀରରକ୍ଷୀ ଶିକାରୀ ଏଠାରେ ରହିଲେ । ଆମେ ସମସ୍ତେ ଭୋଜନ ପରେ ବାହାର କବାଟ ଦେଇ ଶୋଇଥିଲୁଁ । ଉଦୁଉଦିଆ ଦିପହରେ କେତେବେଳେ ରୋଷେଇଘର ଭିତରୁ ଏ ଘରଟାରେ ନିଆଁ ଲାଗିଲା, ଆମେ ଜାଣୁନା । ପ୍ରଥମେ ମୁଁ ଏବଂ ଆପଣ ଉଠି ଦେଖିଲେ, ଘର ଅଧପୋଡ଼ା ହୋଇଗଲାଣି, ଧୂଆଁରେ ଚାରିଆଡ଼ ପୂରିଯାଇଛି । ଆମେ ପ୍ରାଣ ଭୟରେ ବାହାରକୁ ଧାଇଁ ଆସିଲେ ।

 

ବିନୋଦ କହିଲେ–‘‘ନା, ନା, ଏ କଥାଟା ବଡ଼ ଅସୁନ୍ଦର ହେବ । ଯେଉଁମାନେ ଘରେ ଶୋଇଛନ୍ତି, ତାଙ୍କୁ ଉଠେଇବା ପାଇଁ ଆମେ ଟିକିଏ ଚେଷ୍ଟା କରିବା ନାହିଁ ?’’

 

‘‘–ହଁ, ନିଶ୍ଚୟ ଚେଷ୍ଟା କଲେ । ବହୁତ ଥର ନିଆଁ ଭିତରକୁ ଧସେଇ ପଶିଲେ । ଧୂଆଁରେ ଶ୍ୱାସରୁଦ୍ଧ ହୋଇଗଲା । କିନ୍ତୁ କିଛି ଫଳ ହେଲାନାହିଁ । ଗଗନ ବାବୁ, ଦୁଇଜଣଯାକ ଶରୀରରକ୍ଷୀ ଓ କୁକୁର ସହିତ ଘରଟି ପାଉଁଶରେ ପରିଣତ ହୋଇଗଲା-

 

–ଏକଥା କଣ ଲୋକେ ବିଶ୍ୱାସ କରିବେ ନାହିଁ ?

 

ବିନୋଦ ଗମ୍ଭୀର ଭାବରେ ହୁଁ ଟାଏ ମାରି କହିଲେ–‘ତାପରେ ।’

 

‘‘–ତାପରେ ମୁଁ ମୋ ବାବୁଙ୍କ ମୃତ୍ୟୁ ସମ୍ବାଦ ନେଇ କାନ୍ଦି କାନ୍ଦି ଗାଁ କୁ ଫେରିବି । ଆପଣ ସୁନ୍ଦରଗଡ଼କୁ ଯିବେ । ରାଜା ତାଙ୍କ ସିଂହାସନରେ ବସି ରାଜା ହେବେ । ଯଦି ଇଚ୍ଛାହୁଏ, ତେବେ ବନ୍ଧୁ ମୃତ୍ୟୁରେ କିଛି ସମୟ ବ୍ୟଥିତ ହୋଇ ପାରନ୍ତି ।’’

 

ବିନୋଦ କହିଲେ–‘‘ଯଦୁ, ତୁମର ଗଳ୍ପଟି ବେଶ୍ କଉତୁକିଆ ହୋଇଛି । କିନ୍ତୁ ଭୟ ହୁଏ, ତୁମର ବାବୁ ଏଥିରେ ସମ୍ମତ ହେବେ ନାହିଁ ।’’

 

ଯଦୁ କହିଲା–‘‘ସମ୍ମତ ନ ହୋଇ ଆଉ କରିବେ କଅଣ ? ଆପଣ ଏ ଘର ଭିତରେ ରାଜାଙ୍କ ସହିତ ଗଗନଙ୍କ ନାମଟା ଯୋଡ଼ିଦେଇ ଗଲେ ତାଙ୍କର ତ ଆଉ କୌଣସି ଉପାୟ ନ ଥିବ ରାଜାଙ୍କ ଶବ କିମ୍ବା ଗଗନଙ୍କ ନାମ ପୁଣି ସୃଷ୍ଟି କରିବା ପାଇଁ । ସେ ସମ୍ମତ ହେବା ଦରକାର ପଡ଼ିବ-।’’

 

ଏଇ ସମୟରେ ବାହାରେ କେହି କବାଟରେ ଆଘାତ କରିବା ଶବ୍ଦ ଶୁଣି ବିନୋଦ ଦୁଆର ପର୍ଯ୍ୟନ୍ତ ଧାଇଁ ଆସିଲେ । ସେ କବାଟ ନ ଫିଟାଇ ପଞ୍ଜର ବାଟେ ଚାହିଁ ଦେଖିଲେ ରାଜନଙ୍କ ଚାକର ଗୋଟିଏ ଚିଠି ଧରି ଠିଆ ହୋଇଛି । ବିନୋଦଙ୍କୁ ଦେଖି ଚିଠିଟି ହାତକୁ ବଢ଼େଇ ଦେଲା । ବିନୋଦ ତରତରରେ ଚିଠି ଖୋଲି ପଢ଼ିଲେ–

 

‘‘ଛାମୁ ବର୍ତ୍ତମାନ ଗଡ଼ରେ, ଆଦେଶ ପାଇବା ପର୍ଯ୍ୟନ୍ତ ଅପେକ୍ଷା କର ।’’

 

ଆପଣଙ୍କର

ରାଜନ ସୁନ୍ଦରା

 

ବିନୋଦ ଲୋକଟିକୁ ବିଦାୟ ଦେଲେ ଏବଂ ଯଦୁକୁ ଡାକି ତା ହାତକୁ ଚିଠି ବଢ଼େଇ ଦେଇ କହିଲେ–‘‘ତୁମର ଅନୁମାନ ଠିକ୍ ହୋଇଛି ଯଦୁ ।’’

 

ଯଦୁ ଚିଠିଟି ପଢ଼ିସାରି କହିଲା–‘‘ଚିଠିରୁ ଜଣା ଯାଉଛି, ପ୍ରକାଶ୍ୟରେ ଗଗନ ବାବୁଙ୍କୁ ସାଧାରଣ ଲୋକେ ରାଜା ବୋଲି ଭାବିସାରିଲେଣି । ତେବେ ରାଜା ଆଜି ଶିକାର ଘରେ ମୃତ୍ୟୁ ମୁଖରେ ପଡ଼ିଲେ ଏକଥା ପ୍ରକାଶ କରିବାଟା ତ ନିତାନ୍ତ ଅସଙ୍ଗତ ହେବ ।’’

 

ବିନୋଦ କିଛି ସମୟ ଅନ୍ୟମନସ୍କ ଭାବରେ ଠିଆହୋଇ କହିଲେ–‘‘ତୁମେ ଯୁକ୍ତିବଳରେ ମୋତେ ତୁମରି ସ୍ରୋତରେ କ୍ରମେ ଭସେଇ ନେଉଛ ।’’

 

X X X

 

ଏ ଘଟଣାର ପ୍ରାୟ ଦୁଇଘଡ଼ି ପରେ ପୁଣି ଜଣେ ଅଶ୍ଵାରୋହୀ ଗୋଟିଏ ଚିଠି ଆଣି ବିନୋଦଙ୍କ ହାତରେ ଦେଲା । ସେ ଚିଠିଟି ଉତ୍କଣ୍ଠା ସହକାରେ ପଢ଼ୁପଢ଼ୁ ତାଙ୍କ ତୁଣ୍ଡରୁ ବାହାରି ପଡ଼ିଲା–‘‘ଯଦୁ, ବର୍ତ୍ତମାନ ତୁମରି ଉପଦେଶ ହିଁ ମୋତେ ଗ୍ରହଣ କରିବାକୁ ହେବ ।’’

Image

 

ପଞ୍ଚତିରିଶ

 

ବନ୍ଧୁଆ ମା ଅନନ୍ତର ନିଜ ମାଉସୀ । ସେ ଅନନ୍ତକୁ ଠିକ୍ ପୁଅ ପରି ଆଦର କରେ । ବିଶେଷତଃ ବନ୍ଧୁଆ ମରିଯିବା ପରେ ସେ ଅନନ୍ତ ପ୍ରତି ବିଶେଷ ଅନୁରକ୍ତ ହୋଇ ପଡ଼ିଛି ।

 

ବନ୍ଧୁଆ ମା ପରଦିନ ସକାଳୁ ଘରକୁ ଫେରି ଆସିଲା ମାତ୍ରେ ରାତିରେ ଅନନ୍ତ ଘରକୁ ନ ଆସିଥିବା କଥା ତାରା ଠାରୁ ଶୁଣି ବଡ଼ ବ୍ୟତିବ୍ୟସ୍ତ ହୋଇ ପଡ଼ିଛି । ବେଳ ଯେତିକି ବେଶି ହେଉଥାଏ, ତାର ଉତ୍କଣ୍ଠା ସେତିକି ବଢ଼ୁଥାଏ । ରୋଷେଇ ଘରେ ରୋଷେଇ କରୁ କରୁ ଦାଣ୍ଡଆଡ଼େ କିଛି ଗୋଟାଏ ଶବ୍ଦ ଶୁଣିଲେ ଡାକି ଉଠେ ‘‘ଅନନ୍ତ ଅଇଲୁ କିରେ-?’’

 

ତାରା ମାକୁ ରୋଷେଇରେ ସାହାଯ୍ୟ କରୁଥାଏ, କିନ୍ତୁ ତାର ମନ ଗୋଟାଯାକ ରହିଥାଏ ଅନ୍ୟଆଡ଼େ–କାଲି ରାତିରେ ସେ ଯେ ପ୍ରତିଜ୍ଞା କରିଛି, ତାହା କିପରି ପାଳନ କରିବ । ରାଜାଙ୍କୁ ଦୁଆରେ ବେଶି ସମୟ ଠିଆ ନ କରାଇ ସେ ଡାକିବା ମାତ୍ରେ କବାଟଟି କିପରି ଖୋଲିଦେବ, ସେଇଥିରେ ତାର ମନ ଥାଏ । ତାର କାନ ଦୁଇଟା ମୋଟାମୋଟି ଭାବେ ଦାଣ୍ଡଘର କବାଟ ସାଙ୍ଗେ ସଂଯୁକ୍ତ ହୋଇ ରହିଥାଏ ।

 

ହଠାତ୍ ଦାଣ୍ଡରେ ଗୋଟାଏ ଘୋଡ଼ାଗାଡ଼ି ଯିବାର ଶୁଣି ତାରା ଦାଣ୍ଡ ଘରକୁ ଧାଇଁ ଆସିଲା । ଭାବିଲା ଏଇଟା ନିଶ୍ଚୟ ରାଜାଙ୍କ ଗାଡ଼ି । ଦୁଆରେ ଦୁମ୍ ଦୁମ୍ ଆଘାତ ହୋଇଛି କି ନାହିଁ ତାରା କବାଟ ଫିଟେଇ ଦେଲା ।

 

ସମ୍ମୁଖରେ ରାତିର ସେଇ ଅତିଥିଙ୍କୁ ଦେଖି ତାରା ଆଡ଼େଇ ହୋଇ ଠିଆହେଲା; ଲଜ୍ଜାରେ ତାର କୋମଳ ମୁଖଟି ଅବନତ ହୋଇପଡ଼ିଲା ।

 

ଏଣେ କବାଟ ଫିଟିବାର ଶବ୍ଦ ଶୁଣି ବନ୍ଧୁଆ ମା ଚିତ୍କାର କରି ଉଠିଲା–‘‘କିଏ ଲୋ ସିଏ ତରା ? ଭିତରକୁ କାହାକୁ ଛାଡ଼େନା । କହିଦେ–ଆମ ଭଡ଼ାଘରେ ଲୋକ ରହି ଗଲେଣି–ଦୋକାନ ଆଜି ଫିଟିବ ନାହିଁ ।’’

 

କିନ୍ତୁ ବନ୍ଧୁଆ ମା ନିଜ ଝିଅ ପରିବର୍ତ୍ତେ ଆଉ ଜଣେ ଅପରିଚିତ ପୁରୁଷ କଣ୍ଠରୁ ଗମ୍ଭୀର ଉତ୍ତର ପାଇଲା–‘‘ମୁଁ ତ ଘର ଭିତରକୁ ଆସି ଗଲିଣି । କଅଣ କରିବ ଏବେ ?’’

 

ବନ୍ଧୁଆ ମା ଏପରି ଗରମ ଗରମ କଥା ସହିଯିବା ପ୍ରାଣୀ ନୁହେଁ । ସେ ରୋଷେଇ ଘରୁ ଧାଇଁ ଆସିଲା, ଆଉ ଟିକିଏ କଡ଼ା ଭାବରେ ଦୁଇ ପଦ ଶୁଣାଇ ଦେବା ପାଇଁ । ମାତ୍ର ଦାଣ୍ଡ ଘରେ ରାଜାଙ୍କୁ ଠିଆ ହୋଇଥିବାର ଦେଖି ତାର ଗୋଡ଼ ଆଉ ଚଳିଲା ନାହିଁ । ତୁଣ୍ଡରୁ କଥା ଫୁଟିଲା ନାହିଁ ।

 

ଗଗନ ଦାଣ୍ଡ କବାଟ ବନ୍ଦ କରି ଦେଇ ବନ୍ଧୁଆ ମା ନିକଟକୁ ଯାଇ କହିଲେ–‘‘କି ବନ୍ଧୁଆ ମା, ମୋତେ କଣ ଛିହ୍ନିନ ? ମୋହନ ଏଠି ଥିଲେ ପରା ?’’

 

ମୁଣ୍ଡ ପୋତି ଦେଇ ସରଳ ଭାବରେ ବୁଢ଼ୀ କହିଲା–‘‘ତଳ ଘରେ ଅଛନ୍ତି ।’’

 

ତାରା ଶଂକି ଯାଇଥିଲା ମାଆର କଥା ଶୁଣି । ହୁଏତ ରାଜା ବୁଢ଼ୀର ବ୍ୟବହାରରେ ବିରକ୍ତ ହୋଇଥିବେ । କିନ୍ତୁ ସେ ସେତେବେଳେ ମାଆକୁ ଆଉ କିଛି ନ କହି ତଳ ଘରକୁ ବାଟ ଦେଖେଇ ଚାଲିଲା । ଗଗନ ତାର ପଛେ ପଛେ ଚାଲିଲେ । ରୋଷେଇ ଘର ଡେଇଁ ଯିବା ପରେ ତାରା ଆଉ ଆଗକୁ ଗଲା ନାହିଁ । ସେଇଠାରୁ ମୋହନର ବସା ଘରଟି ଦେଖେଇ ଦେଲା । ଗଗନ ଦୃପ୍ତ ପଦକ୍ଷେପରେ ସେଇ ଘର ଭିତରେ ପଶିଗଲେ ।

 

ମୋହନ ସେଇ ମୁହୂର୍ତ୍ତରେ ନିଜ ଖଟ ପାଖେ ଠିଆ ହୋଇ କଣ ଚିନ୍ତା କରୁଥିଲା । ଖଟ ଉପରେ ତାର ମୁକ୍ତ ତରବାରୀ ଲମ୍ବହୋଇ ପଡ଼ିଥାଏ । ତାର ଆଖି ଆଗେ ନାଚି ଯାଉଥିଲା କାଲି ରାତିର ଘଟନାଗୁଡ଼ିକ । ଠିକ୍ ଯେଉଁ ପଲକରେ ସେ ଦେଖୁଥିଲା ଆଦିତ୍ୟ ତା ଖଡ଼୍‍ଗର ଆଘାତରେ ଭୂମି ଉପରେ ଲୋଟି ପଡ଼ିଲେ ସେତିକିବେଳେ ପୁଣି ଦେଖିଲା–ସତେ ଯେପରି ସେହି ଆଦିତ୍ୟ କବାଟ ଖୋଲି ଘର ଭିତରକୁ ପଶି ଯାଉଛନ୍ତି । ସେ ଚମକି ପଡ଼ିଲା–ଖଟଟା ପାଖରେ ନ ଥିଲେ ତଳେ ପଡ଼ି ଯାଇଥାନ୍ତା ।

 

ମୋହନ ପରମୁହୂର୍ତ୍ତରେ ପ୍ରକୃତିସ୍ଥ ହୋଇ ତରବାରୀଟାକୁ ସାଉଁଟି ଧରି କହିଲା–‘‘ଓ, ରଙ୍ଗମଞ୍ଚର ଅଭିନେତା ଯେ,–ମୋର ଭ୍ରମ ହେଉଛି ।’’

 

ଗଗନ ଦୁଆର ମୁହଁରେ ମୁକ୍ତ ଅସି ହସ୍ତରେ ଠିଆ ହୋଇ ହସି ହସି କହିଲେ–‘‘ହଁ ଅଭିନେତା ରଙ୍ଗମଞ୍ଚର । କିନ୍ତୁ ଏଥର ଗୋଟିଏ ଖୁବ୍ ସଂକ୍ଷିପ୍ତ ଦୃଶ୍ୟର ଅଭିନୟ ଦେଖେଇ ମୋର କାମ ହାସଲ କରିବାକୁ ହେବ ।’’

 

ମୋହନ ମଧ୍ୟ ଥଟ୍ଟା କଲାପରି କହିଲା–‘‘କାହାର ଭୂମିକାରେ ଅଭିନେତା ।’’

 

‘‘–ଅଭିନେତା ନୁହେଁ । ତୁମେ ମୋତେ ରାଜା ବୋଲି ସମ୍ବୋଧନ କରିବାକୁ ହେବ ।’’ ଗଗନ ଅପେକ୍ଷାକୃତ ଗମ୍ଭୀର ହୋଇ କହିଲେ ।

 

ମୋହନର ଭ୍ରୂଲତା କୁଞ୍ଚି ହୋଇଗଲା । କହିଲା–‘‘ରାଜା ? ତୁମକୁ ରାଜା ବୋଲି ଲୋକେ ଜାଣିଛନ୍ତି ନା କଣ ?’’

 

‘‘–ନିଶ୍ଚୟ, ଯେଉଁମାନେ ମୋତେ ଦେଖିଛନ୍ତି ।’’

 

‘‘–ଓ, ସେଇଯୋଗୁଁ ତାହାହେଲେ ଏବେ ମଧ୍ୟ ଉଆସର ଧ୍ୱଜା ମୁଣ୍ଡ ଟେକି ରହିଛି ।’’

 

‘‘–ବୋଧହୁଏ ତୁମେ ଏଠାରେ ଅପେକ୍ଷା କରିଛ ସେ ଧ୍ୱଜା ଖସି ପଡ଼ିବାର ଦୃଶ୍ୟ ଦେଖିବା ପାଇଁ ?’’

 

‘‘–ତାହା ତ ସ୍ୱାଭାବିକ । ପ୍ରସ୍ତାବକ ନିଜ ପ୍ରସ୍ତାବଟା କାର୍ଯ୍ୟରେ ପରିଣତ ହେଉ, ଏକଥା ବରାବର ଇଚ୍ଛାକରେ । କିନ୍ତୁ ମୁଁ ଯେଉଁ ମୁହୂର୍ତ୍ତରେ ଚାହିଁବି ଏ ଧ୍ୱଜା ତଳକୁ ଖସେଇ ଦେଇପାରେ ।’’

 

‘‘–ରାଜ୍ୟର ରାଜାଙ୍କୁ ହତ୍ୟା କରିଛ ବୋଲି ରାଜ୍ୟରେ ଘୋଷଣା କରି ବୋଧହୁଏ ?’’

 

‘‘–ନା ନା, ସେମିତି ନୁହେଁ–କ୍ଷମା କରିବେ । ସୁନ୍ଦରଗଡ଼ ରାଜାଙ୍କର ଯେତେବେଳେ ଦୁଇଟା ପ୍ରାଣ ଆଉ ଦୁଇଟା ଶରୀର, ସେତେବେଳେ ଏକଥା ସ୍ୱାଭାବିକ ଯେ, ସେ ଦୁଇଥର ମୋହନ ହାତରେ-।’’

 

‘‘–ରାଜା ଦ୍ୱିତୀୟ ଥର ପାଇଁ ମରିବା ପରେ–?’’

 

ମୋହନ ହସି ହସି କହିଲା–‘‘ତାପରେ ମୁଁ ମୋର ସମ୍ପତ୍ତି ଫେରି ପାଇବି–ଶାନ୍ତିରେ ରହିବି । କିନ୍ତୁ ରାଣୀଙ୍କୁ ଅନ୍ୟ କୌଣସି ଭଦ୍ର ବ୍ୟକ୍ତିଙ୍କ ନିକଟକୁ ପ୍ରେମପତ୍ର ଲେଖିବାକୁ ସୁଯୋଗ ଦେବି ନାହିଁ ।’’

 

ଗଗନ କ୍ରୋଧରେ ଅଥୟ ହୋଇ ପଡ଼ିଲେ । ସେ ଦୁଇପାଦ ଆଗକୁ ଯାଇ ଧୀରେ ଧୀରେ ଅଥଚ ପ୍ରତ୍ୟେକ ଶବ୍ଦ ଉପରେ ଜୋର ଦେଇ କହିଲେ–‘‘ମୋହନ, ବର୍ତ୍ତମାନ ଏ ଗଣ୍ଡଗୋଳରେ ତୁମେ ଏକାକୀ । ରାତିରେ ଅନନ୍ତ ସହିତ ମୋର ଦେଖା ହୋଇଥିଲା । ସେ ତାର ପୁରସ୍କାର ଆଂଶିକ ପାଇଛି । ହରିବନ୍ଧୁ ବନ୍ଦୀ । ଆଉ ବାକୀ ଅଛ ତୁମେ ।’’

 

ହରିବନ୍ଧୁ ବନ୍ଦୀ ! ଏ କଥା ମୋହନର କାନ ଦୁଇଟା ବିଶ୍ୱାସ କଲାନାହିଁ । ସେ ନୀରବରେ ତରବାରୀ ହସ୍ତରେ ଠିଆ ରହିଲା ।

 

ଗଗନ ପୁଣି କହିଲେ–‘‘ତୁମଠାରେ ରାଣୀଙ୍କର ଚିଠି ଅଛି । ଯଦି ତୁମେ ତାଙ୍କର ସମ୍ମାନ ରକ୍ଷାକର ତେବେ ମୁଁ ତୁମକୁ କ୍ଷମା ଦେବି । ତୁମର ସବୁ ଷଡ଼ଯନ୍ତ୍ର ବୃଥା ହୋଇଛି । ଆସ, ଏସବୁ ବୃଥା ଗଣ୍ଡଗୋଳ ନିଷ୍ପତ୍ତି କରିଦିଅ ।’’

 

ମୋହନ ଗଭୀର ଚିନ୍ତାରେ ବୁଡ଼ି ରହିଲା କେବଳ ଆଖି ଦୁଇଟା ଭ୍ରୂଲତା ପାଖକୁ ଟେକି ଦେଇ କହିଲା–‘‘ଚିଠିଟି ଦେଇ ଦେଲେ ତୁମେ ମୋତେ ଆପଦଶୂନ୍ୟ କରିଦେଇପାରିବ ?’’

 

‘‘–ନିଶ୍ଚୟ ତୁମକୁ ମୃତ୍ୟୁମୁଖରୁ ରକ୍ଷାକରିବି । ଯେପରି ତୁମେ ଆଜୀବନ ନିରାପଦରେ ରହ, ତାର ବ୍ୟବସ୍ଥା କରିଦେବି।’’

 

‘‘–କେଉଁଠାରେ ?’’

 

‘‘–କୌଣସି ସୁଦୃଢ଼ ଦୁର୍ଗରେ, ଜଣେ ଦୁଇଜଣ ବିଶ୍ଵସ୍ତ ସହଚର ସହିତ ।’’

 

ଗଗନ ବାସ୍ତବରେ କୌଣସି ଦୁର୍ଗରେ ମୋହନର ସୁବ୍ୟବସ୍ଥା କରିଦେବା ପାଇଁ କହିଥିଲେ ସୁଦ୍ଧା, କଥାଗୁଡ଼ିକରୁ ମୋହନ ବୁଝିଲା ଯେ, ତାକୁ କୌଣସି ସୁଦୃଢ଼ ଦୁର୍ଗରେ ବନ୍ଦୀ କରାଯିବ ।

 

ସେ ତାଚ୍ଛଲ୍ୟ ଭାବରେ ହସି ଉଠିଲା । କହିଲା–‘‘ଓ, ଏଇ ତାହାହେଲେ ପ୍ରତିଦାନ ?’’

 

‘‘–ପ୍ରକୃତରେ ପ୍ରତିଦାନ । ଏ ତ ତୁମ ପକ୍ଷରେ ଯଥେଷ୍ଟ । ଏହାଠାରୁ ଆଉ କଅଣ ଅଧିକ ସୁବ୍ୟବସ୍ଥା ତୁମେ ଦାବୀ କର ?’’

 

ଗଗନ ଏ କଥା କହୁ କହୁ ଦେଖିଲେ, ମୋହନ ତାର ତରବାରୀର ମୁଷ୍ଟି ସୁଦୃଢ଼ କରିସାରିଲାଣି । ତାର ଗୋଟାଏ ଉତ୍ତଳ ବିକଟ ହାସ୍ୟରେ ଘରଟାଯାକ କମ୍ପି ଉଠୁଛି । ସତେ ଯେପରି ସେ ପ୍ରାଣେ ପ୍ରାଣେ ଅପାର ଆନନ୍ଦ ଉପଭୋଗ କରୁଛି–ସେ ଆଗେ ତରବାରୀ ଉନ୍ନତ କରିବାର ସୁଯୋଗ ପାଇଥିବାରୁ ।

 

ଗଗନ ଆଖି ପିଛୁଳାକେ କ୍ଷୁଧିତ ସିଂହପରି ମୋହନ ଉପରକୁ ଡେଇଁ ପଡ଼ିଲେ ଏବଂ ତାର ଦୁଇ ହାତର କଚଟିକୁ ନିଜର ଲୌହମୁଷ୍ଠିରେ ଚିପିଧରି ଏପରି ଜୋରରେ ବାଙ୍କେବାକୁ ଲାଗିଲେ ଯେ, ମୋହନର ଅଣ୍ଟାଠାରୁ ଉପର ଅଙ୍ଗଟା ଖଟ ଉପରେ ଲମ୍ବ ହୋଇ ପଡ଼ିଗଲା । ଗଗନ ମଧ୍ୟ ତା ଉପରେ ଝୁଙ୍କି ପଡ଼ିଲେ । ଉଭୟଙ୍କର ଖର ନିଃଶ୍ବାସ ପରସ୍ପର ଦେହରେ ଲାଗିଲା । କାହାରି ତୁଣ୍ଡରେ କଥା ନାହିଁ । ମୋହନ ଏପରି ଭାବରେ ଆକ୍ରାନ୍ତ ହେବ ବୋଲି ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲା ।

 

ଅତି ଧୀରେ ଧୀରେ ଅଥଚ ଦୃଢ଼ତାର ସହିତ ଗଗନ ମୋହନର ଦୁଇଟିଯାକ ହାତକୁ ଏକତ୍ର କରିବାକୁ ଲାଗିଲେ । ରାଣୀଙ୍କ ଚିଠିଟି ସେତେବେଳେ ସୁଦ୍ଧା ଯେ ମୋହନର ମୁଣାରେ ଅଛି, ଏ କଥା ସେ ଆଗରୁ ଲକ୍ଷ୍ୟ କରି ପାରିଥିଲେ । ସେ ତାର ଦୁଇଟିଯାକ ହାତ ନିଜର ଡାହାଣ ହାତରେ ଚିପିଧରି ଆର ହାତଟାକୁ କୁରୁତାର ଛାତି ମୁଣା ଭିତରେ ପୁରେଇ ଦେଲେ ଏବଂ କ୍ଷଣିକ ଭିତରେ ଟାଣି ଟାଣି ଦେଖିଲେ ରାଣୀଙ୍କ ମୁଦ୍ରା ଚିହ୍ନ ସହିତ ଚିଠି ଖଣ୍ଡି ତାଙ୍କର ହସ୍ତଗତ ହୋଇଛି ।

 

ସେତେବେଳେ ମୋହନର ଆଖି ଦୁଇଟା ଦେଇ ଶ୍ମଶାନର ଗୋଟାଏ ସଦ୍ୟ ଚିତା ଜାଳି ଉଠୁଥିଲା ଶ୍ୱାସ ପ୍ରଶ୍ଵାସ ସଙ୍ଗେ ସେଇ ଅଗ୍ନିର ପ୍ରଖର ଉତ୍ତାପ ଭାସି ଆସୁଥିଲା । ସେ ଗଗନଙ୍କର ଆକସ୍ମିକ ଆକ୍ରମଣ ସହ୍ୟ କରି ମୁହୂର୍ତ୍ତକେ ପ୍ରକୃତିସ୍ଥ ହୋଇ ଉଠି ଦେଖିଲା–ଚିଠି ଗଗନଙ୍କ ହାତରେ ପଡ଼ିଛି ।

 

ସେ ହଠାତ୍ ସମସ୍ତ ଶକ୍ତି ସହ ଦୁଇ ଗଦାରେ ଏପରି ଗୋଇଠା ଦେଲା ଯେ, ଗଗନ ମୋହନର ଖଡ୍‍ଗ ସହ ଘରର କୋଣରେ ଯାଇ ପଡ଼ିଲେ । ମୋହନ ଦେଖିଲା ସେ ନିଜେ ନିରସ୍ତ୍ର ହୋଇ ପଡ଼ିଛି । ତାର ଖଡ୍‍ଗଟି ଗଗନଙ୍କ ହାତରେ ଚାଲିଯାଇଛି । ତହୁଁ ସେ ଗଗନଙ୍କ ତରବାରୀଟା ତଳେ ପଡ଼ିଥିବାର ଦେଖି ଲଇଁ ପଡ଼ି ସାଉଁଟି ନେଲା ।

 

ମୋହନ ଅସ୍ତ୍ର ପାଇଲା ସତ; କିନ୍ତୁ ଲକ୍ଷ୍ୟ ସ୍ଥିର କରିବା ପାଇଁ ଆଉ ସମୟ ନ ଥିଲା । କାରଣ ତା' ପୂର୍ବରୁ ଗଗନ ଉଠିପଡ଼ି ତାର ବକ୍ଷ ସିଧା ଆସି ଲକ୍ଷ୍ୟ କରି ସାରିଥିଲେ । ଯଦି ଇଛା କରିଥାନ୍ତେ, ତେବେ ସେଇ ମୁହୂର୍ତ୍ତରେ ମୋହନକୁ ଶେଷ କରି ଦେଇପାରିଥାନ୍ତେ । ମାତ୍ର କାହିଁକି କେଜାଣି ତାଙ୍କର ହାତ ଗଲା ନାହିଁ । ସେ ସେଇପରି ଭାବରେ ଠିଆ ହୋଇ ରହିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଚାରିହାତ ତଫାତ୍ ଥାଏ ।

 

ମୋହନର ସେତେବେଳେ ମନର ଅବସ୍ଥା, ମୁଖର ଭଙ୍ଗି, ହୃଦୟର କମ୍ପନ ଅତି କରୁଣ ଓ କ୍ରୁର । ସେ ମୁଣ୍ଡପୋତି ଠିଆ ହୋଇ ଆଖିକୋଣରେ ଗଗନଙ୍କର ତରବାରୀ ପ୍ରତି ଲକ୍ଷ୍ୟ କରିଥାଏ, ଏଣେ ତା ହାତର ତରବାରୀ ତଳକୁ ଓହଳି ରହିଥାଏ । ବାହାରୁ ଦେଖିଲେ ଜଣାଯିବ, ଯେପରି ଜ୍ଞାନଶୁନ୍ୟ ହୋଇ କିମ୍ବା ପ୍ରାଣପତି ବିରାଗ ଜାତହୋଇ ସେ ଗଗନଙ୍କ ଆଘାତର ଅପେକ୍ଷାରେ ରହିଛି । କିନ୍ତୁ ପ୍ରକୃତରେ ଭାବୁଥାଏ–ଯଦି ସେ ତରବାରୀ ଉତ୍ତୋଳନ କରିବ ତେବେ ହୁଏତ ତା ପୂର୍ବରୁ ଗଗନଙ୍କର ତରବାରୀ କାର୍ଯ୍ୟକାରୀ ହୋଇସାରି ଥିବ । ତେବେ ଉପାୟ– ?

 

ଗଗନଙ୍କର ପ୍ରାଣରେ ମହା ଆନନ୍ଦ । ଚିଠିଟି ଯେତେବେଳେ ତାଙ୍କ ହାତରେ ପଡ଼ିଲାଣି ସେ ଆଉ ଭୟ କରିବେ କାହାକୁ ?

 

ତାର ଅଗଣାରେ ଠିଆ ହୋଇ ଏତେବେଳଯାଏ ଗଗନ ଏବଂ ମୋହନଙ୍କର ଉତ୍ତେଜିତ ଉକ୍ତିପ୍ରତ୍ୟୁକ୍ତି କେବଳ ଶୁଣୁଥିଲା। କିନ୍ତୁ ଘର ଭିତରେ ଆସି ଚାଳନାର ପ୍ରତିଫଳିତ ଛଟା ବାହାରେ ଦେଖାଯିବାମାତ୍ରେ ସେ ଚମକି ପଡ଼ି ଆଗକୁ ଚାଲିଆସି ଭିତରେ କ'ଣ ହେଉଛି ମୁହଁ ଗଳେଇ ଚାହିଁବାକୁ ଲାଗିଲା ।

 

ସେତେବେଳକୁ ମୋହନର ଭୀଷଣ ଉତ୍ତେଜନାରେ ସାମାନ୍ୟ ଭଟ୍ଟା ପଡ଼ି ଯାଇଥିଲା । ସେ କହିଲା–‘‘ଗଗନ, ତୁମେ ଯଦି ପ୍ରକୃତରେ ସୁନ୍ଦରଗଡ଼ର ରାଜା ହେବାକୁ ଇଛାକର ତେବେ ମୁଁ ନିଶ୍ଚୟ ଜଣେ ବିଶ୍ଵସ୍ତ ସହଚର ହୋଇ ରହିବି ।’’

 

ଗଗନ ଉପହାସ କରି କହିଲେ–‘‘ତୁମେ ମୋତେ ସମ୍ମାନ ଦେଖାଇବ ତ ?’’

 

‘‘–ଯଦି ମୁଁ ରାଜାଙ୍କର ସବୁଠାରୁ ପ୍ରିୟପାତ୍ର ଓ ଧନୀ ପ୍ରଜା ହୋଇ ରହେ । ଆଦିତ୍ୟ ଗୋଟାଏ ନିତାନ୍ତ ନିର୍ବୋଧ ଥିଲା । ତୁମେ ମୋ ସାହାଯ୍ୟରେ ତାଙ୍କ ଆସନ ଗ୍ରହଣ କରି ପରେ ମୋର ଉପଯୁକ୍ତ ପ୍ରତ୍ୟୁପକାର କରିପାର ।’’

 

ଗଗନ କିନ୍ତୁ ଏସବୁ କଥାରେ ଭୁଲିବା ଲୋକ ନୁହନ୍ତି । କହିଲେ–‘‘ବର୍ତ୍ତମାନ ଏ କଥାର କୌଣସି ମୂଲ୍ୟ ନାହିଁ । ମୋହନଙ୍କୁ ବିଶ୍ୱାସ କରିବା ପାଇଁ ଏ ଜଗତରେ ମୁଁ ସର୍ବଶେଷ ବ୍ୟକ୍ତି ।’’

 

‘‘–ଯଦି ସେ ବିଶ୍ୱସ୍ତତାର ଉପଯୁକ୍ତ ପ୍ରମାଣ ଦେଖାଏ ?’’

 

‘‘–ତେବେ ସୁଦ୍ଧା ସେ ଏପରି ଗୋଟାଏ ଲୋକ ଯେ ପୁରସ୍କାର ଲାଭ କରିବା ପରେ ମଧ୍ୟ ବିଶ୍ୱାସଘାତକତା କରିବା ବିଚିତ୍ର ନୁହେ ।’’

 

ମୋହନ ରାଗରେ ଗର୍ଜି ଉଠିଲା । କହିଲା–‘‘ଗଗନ, ତୋତେ ଆଜି ଏଇ ମୁହୂର୍ତ୍ତରେ ଶେଷ କରିଦେବା ହିଁ ମୋର କାମ୍ୟ ।’’

 

ଗଗନ ମଧ୍ୟ ଉଚ୍ଚସ୍ୱରରେ କହିଲେ–‘‘ମୁଁ ତ ସେଇ ପ୍ରତୀକ୍ଷାରେ ରହିଛି ।’’

 

ଦୁଇଟିଯାକ ଖଡ଼୍‍ଗ ବିଦ୍ୟୁତ୍ ବେଗରେ ଘୁର୍ଣ୍ଣିତ ହେବାକୁ ଲାଗିଲା । ଏ କଥା ଦେଖି ତାରା ପ୍ରାଣେ ପ୍ରାଣେ ଆତଙ୍କିତ ହୋଇ ପଡ଼ିଲା । ସେ ଆଁ କରି କେବଳ ଚାହିଁ ରହିଥାଏ । କେତେବେଳେ ଖଣ୍ଡାରେ ଖଣ୍ଡା ବାଜି ଭୟଙ୍କର ଶବ୍ଦ ହେଉଥାଏ, କେତେବେଳେ କିଏ କାହା ଉପରକୁ ବ୍ୟାଘ୍ର ପରି ଲମ୍ପ ଦେଉଥାଏ । ତାରା ଦେଖିଲା ରାଜା କ୍ରମେ ପଛକୁ ଘୁଞ୍ଚି ଆସୁଛନ୍ତି । ମୋହନ ତୀବ୍ର ବେଗରେ ସମୁଦ୍ର ତରଙ୍ଗ ପରି ମାଡ଼ି ଆସୁଛି । ତାର ଛାତି କମ୍ପିବାକୁ ଲାଗିଲା । ସେ ଆଉ ସେଠାରେ ଠିଆ ହୋଇ ପାରିଲା ନାହିଁ । ଦାଣ୍ଡ ପିଣ୍ଡାକୁ ଧାଇଁ ଆସି ହୁରିକଲା–‘‘ରାଜାଙ୍କୁ ରକ୍ଷାକର ! ରାଜାଙ୍କୁ ରକ୍ଷାକର ?’’

Image

 

ଛତିଶ

 

ରାଜାଙ୍କ ଗାଡ଼ି ବନ୍ଧୁଆ ମା ଦୁଆରେ ଠିଆ ହୋଇଥିବା ଦେଖି ଅସଂଖ୍ୟ ଲୋକ ସେଠାରେ ରୁଣ୍ଡ ହୋଇ ପଡ଼ିଥିଲେ । ସମସ୍ତେ ଉଦ୍‍ଗ୍ରୀବ ନୟନରେ ବନ୍ଧୁଆ ମା ଘରକୁ ଚାହିଁଥାନ୍ତି । ରାଜାଙ୍କୁ ଏପରି ଆକସ୍ମିକ ଭାବରେ ବନ୍ଧୁଆ ମା ଘରେ ପଶିଯିବାର ଦେଖି କାହା ସହିତ ମନରେ କେତେ ସନ୍ଦେହ ହେଉଥାଏ । କିଏ କାହା କାନରେ କେତେ କଥା କହି ଚାଲିଥାନ୍ତି ।

 

ରାଜନ ଉଆସରୁ ଗୋଟିଏ ଗାଡ଼ି ଆଣି ଗଗନଙ୍କୁ ଏଠାକୁ ପଠାଇ ଦେବା ପରେ ନିଜେ ମଧ୍ୟ ଘୋଡ଼ା ଉପରେ ଆସି ସେଠାରେ ହାଜର ହୋଇଥିଲେ । ଯେତେବେଳେ ତାର ପିଣ୍ଡା ଉପରେ ଠିଆ ହୋଇ ହୁରିକଲା–‘ରାଜାଙ୍କୁ ରକ୍ଷାକାର’; ରାଜନ ଘୋଡ଼ାରୁ ଡେଇଁ ପଡ଼ି ତାରା ସଙ୍ଗେ ଘର ଭିତରକୁ ପଶିଗଲେ । ତାଙ୍କ ସଙ୍ଗେ ସଙ୍ଗେ ଜନସ୍ରୋତ ମଧ୍ୟ ଘର ଭିତରକୁ ଧାଇଁଲା ।

 

ମୋହନର ଭୀଷଣ ଆକ୍ରମଣ ସହିଯାଇ ଗଗନ ବଡ଼ ଧୈର୍ଯ୍ୟ ସହକାରେ ପୁଣି ମୋହନ ପ୍ରତି ଆକ୍ରମଣ କଲେ ।

 

ମୋହନ ଦେଖିଲା ଗଗନଙ୍କୁ ଆୟତ୍ତ କରିବା ତା ପକ୍ଷରେ ଆଦୌ ସହଜ ନୁହେଁ । କ୍ରମେ ତାର ଛାତି ଅବସାଦରେ ପୁରିଗଲା । କ୍ରମେ ସେ ଦୁର୍ବଳ ବୋଧକଲା ।

 

ମୋହନର ମୁଣ୍ଡରେ ପୁଣି ଗୋଟିଏ ନୂଆ କୌଶଳ ଢୁକିଲା । ପୁଣି ପ୍ରାଣ ପ୍ରତି ମମତା ଦେଖାଦେଲା । ସେ କ୍ଷଣକେ ଅବସନ୍ନ ବୋଧକଲା ପରି ଅଭିନୟ କରି ନିଜ ଖଣ୍ଡାର ଗତି ଶିଥିଳ କରି ପକାଇଲା ।

 

ଗଗନ ମଧ୍ୟ ସେତେବେଳକୁ ଖୁବ କ୍ଳାନ୍ତ ହୋଇ ପଡ଼ିଲେଣି । କିନ୍ତୁ ମୋହନ କ୍ରମେ ପଛେଇ ପଛେଇ ଖଟ ଆଡ଼କୁ ଘୁଞ୍ଚୁ ଥିବାର ଦେଖି ସେ ଆଗକୁ ଚାଲିଲେ । ହଠାତ୍ ଗଗନଙ୍କର ସାମାନ୍ୟ ଆଘାତରେ ମୋହନର ଖଣ୍ଡାଟି ତଳେ ପଡ଼ିଗଲା । ସେ ନିରସ୍ତ୍ର ହୋଇ ଠିଆ ହେଲା ।

 

ମୋହନକୁ ନିରସ୍ତ୍ର ଦେଖି ଗଗନ ମଧ୍ୟ ଠିଆ ହୋଇ ପଡ଼ିଲେ । ଗର୍ଜ୍ଜନ କରି କହିଲେ–‘‘ଶୀଘ୍ର ଅସ୍ତ୍ରଧାରଣ କର ପାଷାଣ୍ଡ ।’’

 

ମୋହନ ଉର୍ଦ୍ଧ୍ଵଶ୍ୱାସ ହୋଇ ଉତ୍ତର କଲା–‘‘ପ୍ରତିଜ୍ଞା କରୁଛ, ସେତେବେଳେ ମୋତେ ଆଘାତ କରିବ ନାହିଁ ?’’

 

‘ପ୍ରତିଜ୍ଞା କରୁଛି’ କହି ଗଗନ ଖଣ୍ଡାସହ ଡାହାଣ ହାତକୁ ତଳକୁ ଓହଳାଇ ଦେଲେ । କିନ୍ତୁ ମୋହନ ତଳୁ ଖଣ୍ଡା ଉଠାଇବା ପରିବର୍ତ୍ତେ ଖଟ ଉପରୁ ବର୍ଚ୍ଛାଟାଏ ଟାଣି ଆଣିଲା । ଗଗନ ଏକଥା ଦେଖିବା ମାତ୍ରେ ତାହାର ହାତ ବର୍ଚ୍ଛା ଉପରେ ପଡ଼ୁ ପଡ଼ୁ ସେ ଲମ୍ପଦେଇ ତା' ଉପରେ ପଡ଼ିଗଲେ । ଉଭୟେ ଧରାଧରି ହୋଇ ଭୂଇଁ ଉପରେ ପଡ଼ିଲେ–ଗଗନ ତଳେ, ମୋହନ ଉପରେ ।

 

ଏତିକିବେଳେ ତାରା ବାହାରେ ସମ୍ବାଦ ଦେଇ ସାରିଥିଲା । ରାଜନଙ୍କ ସହ ନଗରବାସୀଗଣ ସ୍ରୋତମୁଖରେ ଘର ଭିତରକୁ ପଶି ଆସିଥିଲେ । ଠିକ୍ ଏହି ସମୟରେ ତଳଘରେ ଭୀଷଣ ଚିତ୍କାର ଶୁଣାଗଲା ।

 

ରାଜନ ଧାଇଁଆସି ଦୁଆର ମୁହଁରେ ଠିଆହୋଇ ଦେଖିଲେ–ମୋହନ ଏବଂ ଗଗନ ବାହୁରେ ବାହୁ ଛନ୍ଦି ଖଟ ଉପରକୁ ଆଉଜି ପଡ଼ିଛନ୍ତି । ଗଗନଙ୍କ ଦେହ ରକ୍ତରେ ସ୍ନାନ ହୋଇ ପଡ଼ିଛି-

 

ଗଗନ ଲମ୍ଫଦେଇ ଉଠିପଡ଼ି ବର୍ଚ୍ଛାସହ ମୋହନର ମୁଠାକୁ ନିଜ ମୁଠାରେ ଜବତ୍ କରିଥିଲେ । ମୋହନ ତାହା ଆଉ ଆୟତ୍ତ କରି ପାରିଲା ନାହିଁ । ଗଗନ ଖୁବ୍ ଜୋରରେ ତାରି ଆଡ଼କୁ ବର୍ଚ୍ଛାକୁ ବଙ୍କେ ନେଲେ । କ୍ରମେ କ୍ରମେ ବର୍ଚ୍ଛାର ଅଗ୍ରଭାଗ ମୋହନର ବକ୍ଷ ଉପରେ ଯାଇ ରହିଲା । ମୋହନ ଅଧରରେ ଦନ୍ତ ଚାପି ତାହାର ଗତି ଫେରେଇବା ପାଇଁ ଯେତେ ଚେଷ୍ଟା କଲା ସବୁ ବ୍ୟର୍ଥ ହେଲା । ମୋହନର ନିଜ ହାତରେ ବର୍ଚ୍ଛା ହିଁ ତାହାର କଳୁଷିତ ହୃତ୍‍ପିଣ୍ଡ ଭେଦକଲା । ଏକ ପୈଶାଚିକ ଗର୍ଜ୍ଜନ କରି ସେ ପଡ଼ିଗଲା ଏବଂ ମରଣ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା ।

 

ରାଜନ ଘର ଭିତରକୁ ଧାଇଁ ଯାଇଁ ଗଗନଙ୍କର ଦୁଇ ହାତ ଧରି ପକେଇ ପଚାରିଲେ–‘‘ଆପଣ ନିରାପଦ ଅଛନ୍ତି ତ ?’’

 

ଗଗନ ରାଜନଙ୍କ ପ୍ରଶ୍ନର ଉତ୍ତର ଦେଲେ; କିନ୍ତୁ ଦୁଆର ମୁହଁରେ ଅସଂଖ୍ୟ ଲୋକଙ୍କ ଜୟଧ୍ୱନିରେ ତାହା ଆଉ ଶୁଣାଗଲା ନାହିଁ । ସଙ୍ଗେ ସଙ୍ଗେ ଘର ଭିତରର ଜୟଧ୍ୱନି ରାଜଦାଣ୍ଡରେ ଶତମୁଖରେ ପ୍ରତିଧ୍ଵନି ହୋଇ ଉଠିଲା–‘‘ଜୟ ମହାରାଜାଙ୍କର ଜୟ !’’

 

ଲୋକଙ୍କ ଭିତରେ ଟିକିଏ ନିଶ୍ଚଳତା ଆସିବା ପରେ ଗଗନ ବନ୍ଧୁଆ ମାଆର ପିଣ୍ଡାରେ ଠିଆହୋଇ କହିଲେ–‘‘ପ୍ରିୟ ପ୍ରଜାବୃନ୍ଦ, ଏ ଲୋକଟାକୁ ଆଜି ମୁଁ ଏଠାରେ ହତ୍ୟା କରିଅଛି ଭାବି ଆପଣମାନେ ହୁଏତ ଆଶ୍ଚର୍ଯ୍ୟାନ୍ୱିତ ହେଉଥିବେ । କିନ୍ତୁ ଏହାର ମୃତ୍ୟୁର କାରଣ ମୁଁ ନୁହେଁ, ସେ ନିଜେ । ଏଇ ଲୋକଟା ଲାଲମୋହନ ଦାଦାଙ୍କୁ ହତ୍ୟା କରିଥିଲା । ତେଣୁ ଏହାକୁ ରାଜ୍ୟ ମନା କରାଯାଇଥିଲା । ମୁଁ ତାକୁ ଏଠାରେ ଜବତ୍ କରିବା ପାଇଁ ଆସିଥିଲି । କିନ୍ତୁ ସଙ୍ଗେ ସଙ୍ଗେ ସେ ମୋତେ ଆକ୍ରମଣ କଲା । ଫଳରେ ଯାହା ହୋଇଛି, ସମସ୍ତେ ସ୍ଵଚକ୍ଷୁରେ ଦେଖୁଛ ।’’

 

ପୁଣି ଜୟଧ୍ୱନିରେ ଚାରିଆଡ଼ କମ୍ପି ଉଠିଲା । ରାଜାଙ୍କ ଆଦେଶକ୍ରମେ ଉପସ୍ଥିତ ଜନତା ସେ ସ୍ଥାନ ଛାଡ଼ି ଚାଲିଯିବା ପାଇଁ ରାଜନ ସମସ୍ତଙ୍କୁ ଜଣାଇଦେଲେ ଏବଂ ଉଆସରୁ କେତେ ନୂତନ ରାଜପରିଚ୍ଛଦ ମଗେଇ ପଠାଇଲେ ।

 

ଗଗନ ପୁଣି ବନ୍ଧୁଆ ମାଆ ଘର ଭିତରକୁ ଯାଇ ରକ୍ତସିକ୍ତ ପରିଚ୍ଛଦ ପରିବର୍ତ୍ତନ କରି ସାରି ତାରାକୁ ଡାକି ପଠାଇଲେ । ତାରା ସଲଜ୍ଜ ହସ ହସ ମୁହଁରେ ଆଗରେ ଆସି ଠିଆ ହେଲା । ଗଗନ କହିଲେ,

 

‘‘–ତାରା, ତୁମ ଅନନ୍ତ ଭାଇ ଆସିନି ?’’

 

‘‘–ଆସି ନାହିଁ, ମହାରାଜ !’’

 

‘‘–ଯେଉଁ ମୁଦିଟି ଦେଇଥିଲି ତାହା ତୁମ ମନକୁ ପାଇଛି ତ ?’’

 

ତାରା ହାତରେ ମୁଦିଟି ପ୍ରଭାତୀ ତାରା ପରି ଗୋରା ତକ୍ ତକ୍ ଆଙ୍ଗୁଠିରେ ଝଲସି ଉଠୁଥିଲା । ସେ ହାତ ଟେକି ମୁଦିଟିକୁ ଚାହିଁ ରହିଲା । କି ଉତ୍ତର ଦେବ ସେ ?

 

ଗଗନ ପୁଣି କହିଲେ । ‘‘ଆଚ୍ଛା ଏଇ ଉପହାର ମୂଲ୍ୟ ପାଇଁ ଯଦି ଅନ୍ୟ ସମୟରେ ମୁଁ ତୁମଠାରୁ ଆଉ କିଛି ଚାହେଁ, ଦେଇ ପାରିବ ତ ?’’

 

ତାରାର ବଦନ ମଣ୍ଡଳ ଅରୁଣ ରାଗରେ ରଞ୍ଜିତ ହୋଇ ଆସିଲା । ଗୋଲାପି ଅଧର ଦୁଇଟି ଥରି ଉଠିଲା । ସେ ଏ ପ୍ରଶ୍ନର ମଧ୍ୟ କୌଣସି ଉତ୍ତର ଦେଇ ପାରିଲା ନାହିଁ । କ'ଣ ତାର ଅଛି ରାଜ୍ୟର ରାଜାଙ୍କୁ ଦେବ ସେ ?

 

ଏଇ ସମୟରେ ରାଜନ ଘର ଭିତରକୁ ଆସି କହିଲେ–‘‘ମହାରାଜ, ସମବେତ ପ୍ରଜାବୃନ୍ଦ ଇଛା କରନ୍ତି ଛାମୁଙ୍କୁ ଗୋଟାଏ ଶୋଭାଯାତ୍ରାରେ ଉଆସକୁ ନେଇଯିବେ ।’’

 

ରାଜନଙ୍କ ‘ମହାରାଜ’ ସମ୍ବୋଧନ ଗଗନ ମନେ ମନେ ହସି କହିଲେ–‘‘ଶୋଭାଯାତ୍ରା ! ବେଶ୍ କଥା ।’’

 

X X X

 

ରାଜାଙ୍କ ଶୋଭାଯାତ୍ରା ସଙ୍ଗେ ସମଗ୍ର ସହରର ଜନସ୍ରୋତ ଉଆସ ଆଡ଼କୁ ଚାଲିଲା ଗଗନ ଓ ରାଜନ ଦୁଇଟି ଘୋଡ଼ା ପିଠିରେ ବସି ସେମାନଙ୍କ ମଝିରେ ଚଳିଥାନ୍ତି । କିନ୍ତୁ କିଛି ଦୂର ଯିବା ପରେ କାହିଁକି କେଜାଣି ଗଗନଙ୍କ ମୁହଁଟା ଗମ୍ଭୀର ଦେଖାଗଲା । ସେ ଭାବିବାକୁ ଲାଗିଲେ, କ୍ଷଣିକ ଉତ୍ତେଜନାରେ ସେ ଶୋଭାଯାତ୍ରା ପାଇଁ ଅନୁମତି ଦେଇ ନିତାନ୍ତ ଅନ୍ୟାୟ କରିଛନ୍ତି ।

Image

 

ସତତିରିଶ

 

ରାଜାଙ୍କ ସୁନ୍ଦରଗଡ଼ ବିଜେ କଥା ଶୁଣିପାରି ବିଜୟ ହରିପୁରଠାରୁ ସୁନ୍ଦରଗଡ଼ ଚାଲି ଆସିଥିଲା । ଗଗନଙ୍କୁ ନିରାପଦ ଦେଖି ଏବଂ ମୋହନର ଶେଷ ସମ୍ବାଦ ଶୁଣି ସେ ଯେତିକି ଆନନ୍ଦିତ ହେଲା, ଗତ ରାତିରେ ରାଜା ଆଦିତ୍ୟଙ୍କର ଆକସ୍ମିକ ମୃତ୍ୟୁର ସୂଚନା ରାଜନଙ୍କଠାରୁ ପାଇ ସେତିକି ଦୁଃଖିତ ହୋଇପଡ଼ିଲା ।

 

ଗଗନ ଶୋଭାଯାତ୍ରାର ଜନତାକୁ ବିଦାୟ ଦେଇ ରଙ୍ଗମହଲକୁ ଆସିଲେ । ସେଠାରେ ତାଙ୍କ ନିକଟରେ କେବଳ ବିଜୟ ଏବଂ ରାଜନ ଥା'ନ୍ତି । ତାଙ୍କ ମୁହଁକୁ ଚାହିଁଲେ ଜଣା ପଡ଼ୁଥାଏ ଯେପରି ସେ ଏକ ଚିନ୍ତା ସମୁଦ୍ର ମଧ୍ୟରେ ଏକାକୀ ଉଦ୍ଦେଶ୍ୟହୀନ ଭାବରେ ଭାସମାନ ।

 

ରାଜନ ଭାବିଥିଲେ ଆଦିତ୍ୟଙ୍କର ଯେତେବେଳେ ମୃତ୍ୟୁ ଘଟିଛି, ସାଧାରଣଙ୍କ ଅଜଣାରେ ପୂର୍ବପରି ଗଗନଙ୍କୁ ତାଙ୍କର ଖାଲି ଆସନଟା ନିଶ୍ଚୟ ପୂର୍ଣ୍ଣ କରିବାକୁ ହେବ । ଏହାଦ୍ୱାରା ଯେ କେବଳ ରାଣୀଙ୍କର କିମ୍ବା ସେମାନଙ୍କର ମନରେ ଆନନ୍ଦ ହେବ ତାହା ନୁହେଁ, ରାଜ୍ୟର ତଥା ପ୍ରଜାମାନଙ୍କର ମଧ୍ୟ ଅଶେଷ କଲ୍ୟାଣ ସାଧିତ ହେବ । କିନ୍ତୁ ସେ କିଛି ସମୟ ପରେ ଗଗନଙ୍କ ଗମ୍ଭୀର ଭାବ ଲକ୍ଷ୍ୟକରି ଓ ତାହାର କାରଣ ବୁଝି ନ ପାରି ବିଶେଷ ଭାବିତ ହୋଇ ପଡ଼ିଲେ ଏବଂ ଯେତେବେଳେ ଗଗନ କହିଲେ ଯେ ଶିକାର ଘରକୁ ଯିବାପାଇଁ ତାଙ୍କ ପାଇଁ ଘୋଡ଼ା ଠିକ୍ କରିବାକୁ ହେବ, ସେତେବେଳେ ସେ ବୁଝି ପାରିଲେ ନାହିଁ, ଗଗନଙ୍କର ଉଦ୍ଦେଶ୍ୟ କଅଣ ! ସେ କହିଲେ–‘‘ଆପଣ ଆଉ ଶିକାର ଘରକୁ ଯିବାର ତ କୌଣସି ଆବଶ୍ୟକତା ନାହିଁ । ମୁଁ ଗୋଟାଏ ଲୋକଦ୍ୱାରା ସମ୍ବାଦ ପଠେଇଛି ଏବଂ ପରେ ଯାହା କରିବାକୁ ହେବ କରିନେବି ।’’

 

ଗଗନ କହିଲେ–‘‘ନା, ମୁଁ ଯାହା ଭାବୁଛି ତାହା ଆପଣ ଜାଣନ୍ତି ନାହିଁ । ବର୍ତ୍ତମାନ ମୁଁ ଏବଂ ବିଜୟ ପ୍ରକାଶ୍ୟ ଭାବରେ ଶିକାର ଘରକୁ ଚାଲିଯିବୁ । ତା' ପରେ ତୁମେ ରାଜାଙ୍କ ମୃତ୍ୟୁ ଖବର ପ୍ରଚାର କରିଦେବ ।’’

 

ହଠାତ୍ ଏତିକି ବେଳେ ସେହି କୋଠରୀ ଭିତରେ ବିନୋଦଙ୍କର ଆବିର୍ଭାବ ହେଲା । ତାଙ୍କ ପଛେ ଗଗନଙ୍କର ଭୃତ୍ୟ ଯାଦୁ ମୁଣ୍ଡ ନୁଆଇ ଅଭିବାଦନ କଲା । ବିନୋଦ ଗଗନଙ୍କର ହାତ ଦୁଇଟି ଧରି ପକେଇ କହିଲେ, ‘‘ମେଘ କଟି ଯାଇଛି ଗଗନ ! ଆଜିର ଘଟଣା ମୋତେ ଟିକିଏ କହିବ ନି ?’’

 

ଗଗନ କିନ୍ତୁ ବିସ୍ମୟ ବିସ୍ଫାରିତ ନେତ୍ରରେ ଚାହିଁ ରହିଥାନ୍ତି । ରାଜାଙ୍କର ଓ ଅନ୍ୟମାନଙ୍କର ଶବ ଶିକାର ଘରେ ପଡ଼ି ରହିଥିବା ବେଳେ ଏମାନେ ଏଠାକୁ ଚାଲିଆସିଲେ କିପରି ? ସେ ମୋହନକୁ କିପରି ଭାବରେ ଶେଷ କଲେ ତାହାର ଗୋଟାଏ ସଂକ୍ଷିପ୍ତ ବିବରଣୀ ଦେଇ ସାରିବା ସଙ୍ଗେ ସଙ୍ଗେ ପଚାରିଲେ–‘‘ଶିକାର ଘର କଥା କଅଣ ?’’

 

ବିନୋଦ କହିଲେ–‘‘ବେଶ ଅଛି । କାଲି ରାତିର ଘଟଣା ଆଦୌ ପ୍ରକାଶ ପାଇନାହିଁ ।’’

 

‘‘–ତା’ ହେଲେ ଆପଣ ଏଠାକୁ କିପରି ଆସିଲେ ?’’

 

ବିନୋଦ ସେ କୋଠରୀରେ ପ୍ରବେଶ କଲାବେଳେ ଗଗନଙ୍କର ଶେଷକଥା ପଦକ ଶୁଣିଥିଲେ । କହିଲେ–‘‘ଆଚ୍ଛା, ଆଗ ତୁମର କି କଥା ପଡ଼ିଥିଲା କହ, ତାପରେ ମୁଁ କହିବି । କାଲିଠାରୁ ରାଜା ଶିକାର ଘରେ ମରି ପଡ଼ିଥିବା ସ୍ଥଳେ ଆଜିର ଘଟଣା ପାଇଁ ତୁମେ ଲୋକଙ୍କୁ କଅଣ କହିବ ?’’

 

ସମସ୍ତେ ପରସ୍ପର ନିକଟକୁ ଟାଣିହୋଇ ଆସିଲେ । ଗଗନ କହିଲେ–‘‘କିଛି ସମୟ ପରେ ମୁଁ ଏଠାରୁ ଚାଲିଯିବି । ତୁମେ ଏବଂ ବିଜୟ ମଧ୍ୟ ମୋ ସହିତ ଯିବ ।’’

 

ବିନୋଦ ସ୍ମିତହାସ୍ୟ କରି କହିଲେ–‘‘ବେଶ୍ କଥା, ତା ସମ୍ଭବ ।’’

 

ଗଗନ ବିନୋଦଙ୍କ ମୁହଁ ଉପରେ ନିଜର ଆଖି ଦୁଇଟା ରଖି କହିଲେ–‘‘ବୁଝିଲ ନା ରାଜା ଶିକାର ଘରକୁ ଗଲେ ।’’

 

ବିନୋଦ କହିଲେ–‘‘ବେଶ, ବୁଝିଲି ।’’

 

‘‘–ସେଠାରେ ସେ ନିଜେ ଆତ୍ମହତ୍ୟା କଲେ ନା ଆକସ୍ମିକ ଭାବରେ ଶିକାର ଘରର ଚାକରମାନେ ତାଙ୍କୁ କୌଣସି ବନ୍ୟଜନ୍ତୁ ଭାବି ରାତିରେ ମାରି ପକାଇଲେ ?’’

 

‘‘–ଯେ କୌଣସି ସମ୍ଭବ ହୋଇପାରେ ।’’

 

‘‘–ତାପରେ ଚାକର ଦୁହେଁ ଭୟରେ ନିଜେ ନିଜେ ଆତ୍ମହତ୍ୟା କଲେ । –ଏ ଘଟଣା ତୁମେ ସାଧାରଣରେ ପ୍ରକାଶ କଲାବେଳକୁ ମୁଁ ବାଣପୁର ପାଖାପାଖି ହୋଇ ଯାଇଥିବି ।’’

 

‘‘–ଏଥିରୁ କୌଣସିଟି ବିଶ୍ୱାସଯୋଗ୍ୟ ହେବାର ବେଶି ଦୂରରେ ନୁହେଁ । ଅବଶ୍ୟ ସାରା ସୁନ୍ଦରଗଡ଼ରେ ଏପରି ଲୋକ ନାହିଁ, ଯେ ଆଜି ରାତିର ଶବ ଏବଂ କାଲି ରାତିର ଶବ ମଧ୍ୟରେ ପ୍ରଭେଦ ଜାଣି ନ ପାରେ । କିନ୍ତୁ ସେ ଯାହାହେଉ ରାଜାଙ୍କର ଶବ ତ ଆଉ ଶିକାର ଘରେ ନାହିଁ ?’’

 

ଏ ବିଦ୍ୟୁତ୍ ଚମକରେ ଗଗନଙ୍କର ସ୍ଵପ୍ନ ଭାଜିଗଲା । ସେ ବିନୋଦଙ୍କ ବାହୁକୁ ଚିପିଧରି ପକେଇ କହିଲେ–‘‘ଶବ ନାହିଁ ! ଅର୍ଥାତ୍ ?’’

 

ଅନ୍ୟମାନେ ମଧ୍ୟ ବିସ୍ମିତ ନେତ୍ରରେ ବିନୋଦଙ୍କ ପ୍ରତି ଚାହିଁ ରହିଥାନ୍ତି । ବିଦ୍ୟାଳୟର ଗୋଟିଏ ଛାତ୍ରଭଳି ବିକୃତ ସ୍ଵରରେ ବିନୋଦ କହିଲେ–‘‘ଶିକାର ଘରେ ଆଜି ଉପରଓଳି ଆମେ ଖିଆପିଆ କରିସାରି ଟିକିଏ ଶୋଇଛୁ, ଏପରି ସମୟରେ ରୋଷେଇ ଘରୁ ନିଆଁ ବାହାରି ଘରେ ଲାଗିଗଲା । ମୁଁ ଏବଂ ଯଦୁ ଉଠିଲା ବେଳକୁ ଘରଟା ଅଧପୋଡ଼ା ହୋଇଗଲାଣି । ଆମ କୋଠରୀ ଭିତରେ ଧୂଆଁ ପୂର୍ଣ୍ଣହୋଇ ରହିଛି । ସଙ୍ଗେ ସଙ୍ଗେ ଆମେ ଦୁହେଁ ବାହାରକୁ ଧାଇଁ ଆସିଲୁ । ଗୋଟାଏ ଘରେ ଦୁଇଜଣ ଶିକାରୀ ଏବଂ ଆଉ ଗୋଟାଏ ଘରେ ଏଇ ଯଦୁର ମୁନିବ ଗଗନବିହାରୀ ନାମକ ରାଜାଙ୍କର ଜଣେ ବନ୍ଧୁ ଶୋଇଥିଲେ । ସେ ବାଣପୁରଠାରୁ ଆଜି ସକାଳୁ ଆସି ସେଠାରେ ଶ୍ରୀଛାମୁଙ୍କ ଅପେକ୍ଷାରେ ଥିଲେ । ଘରୁ ନିଆଁ ଛଡ଼େଇବାର କୌଣସି ଉପାୟ ନ ଦେଖି ଉଭୟେ ଗଗନବିହାରୀଙ୍କ ଶୋଇବା ଘରକୁ ଧାଇଁଲୁ । କିନ୍ତୁ ଘର ଭିତରେ ସେତେବେଳକୁ ନିଆଁ ଲାଗି ଗଲାଣି । ତେବେ ସୁଦ୍ଧା ମୁଁ ଭିତରେ ପଶିବାକୁ ଚେଷ୍ଟାକଲି । ମାତ୍ର ଯଦୁ ମୋତେ ଟାଣି ଧରିଲା–ଆଉ ଯଦୁ ଯେତେବେଳେ ପଶିବାକୁ ଚେଷ୍ଟାକଲା, ମୁଁ ତାକୁ ଟାଣି ଧରିଲି । ଉଭୟେ ତାଙ୍କୁ ଉଦ୍ଧାର କରିବାର ଅନ୍ୟ କୌଣସି ଉପାୟ ପାଇଲୁ ନାହିଁ । ନିଆଁ ଯେତେବେଳେ ଖୁବ୍ ବଢ଼ିଗଲା ଆମେ ବାହାରକୁ ଚାଲି ଆସିବାକୁ ବାଧ୍ୟ ହେଲୁ । କିଛି ସମୟ ପରେ ହରିପୁରରୁ ଲୋକେ ନିଆଁ ଦେଖି ଶିକାର ଘରକୁ ଧାଇଁଲେ । କିନ୍ତୁ ସେଠାରେ ସେମାନେ ପହଞ୍ଚିବା ପୂର୍ବରୁ ତିନୋଟି ଶରୀର ବକ୍ଷରେ ଧରି ଘରଟି ପାଉଁଶରେ ପରିଣତ ହୋଇ ଯାଇଥିଲା । ହଁ, ପାଶୋରି ଯାଇଛି, ଛାମୁଙ୍କର ଅର୍ଜ୍ଜୁନା ନାମକ ଶିକାରୀ କୁକୁର ମଧ୍ୟ ତା' ଭିତରେ ଯାଇଛି । ବର୍ତ୍ତମାନ ଏଇ ଯଦୁ ଆସିଛନ୍ତି ଛାମୁରୁ ବିଦାୟ ନେଇ ମୁନିବଙ୍କର ମୃତ୍ୟୁ ସମ୍ବାଦ ଧରି ବାଣପୁର ଯିବେ ଓ ସେଠାରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ପାଳନ କରିବେ ।’’

 

ଯଦୁ କାନ୍ଦ କାନ୍ଦ ହୋଇ କହିଲା–‘‘ମୋର ବାବୁଙ୍କର ମୃତ୍ୟୁ ସମ୍ବାଦ ଧରି ଆଜି ଯାଉଛି । ଜାଣେନା ଭଗବାନ କି ଉଦ୍ଦେଶ୍ୟରେ ତାଙ୍କୁ ଏଠାରେ ଏ ଦଣ୍ଡବିଧାନ କଲେ ।’’

 

ଏ କାହାଣୀ ଶୁଣିସାରି ଗଗନ ମୁଣ୍ଡରେ ହାତଦେଇ ବସି ପଡ଼ିଲେ । ରାଜନ ଗଳ୍ପଟିର ଉଦ୍ଦେଶ୍ୟ ବୁଝିପାରି ମନେ ମନେ ହସୁଥାନ୍ତି । ସେ ଜାଣିଲେ, ଗଗନବିହାରୀଙ୍କୁ ରାଜଗାଦିରେ ଧରି ରଖିବା ପାଇଁ ବିନୋଦ ଶିକାର ଘର ପୋଡ଼ିଦେଇ ଏପରି ଗୋଟାଏ ନୂତନ ଉପାୟ ସୃଷ୍ଟି କରିଛନ୍ତି ।

 

ବିନୋଦଙ୍କ କୌଶଳରେ ଗଗନଙ୍କର ସମସ୍ତ ପ୍ରକାର ପନ୍ଥା ଏକବାରେ ରୁଦ୍ଧ ହୋଇଗଲା । ସେ ଏ ମାୟାଜାଲ ଭିତରେ ପଡ଼ି ବର୍ତ୍ତମାନ ଆଉ ଗଗନ ହୋଇ ନାହାନ୍ତି–ସେ ଆଦିତ୍ୟ ପାଲଟି ଯାଇଛନ୍ତି । ଯଦି ସେ ନିଜକୁ ଗଗନ ବୋଲି କହିବେ, ତେବେ ସାଧାରଣଙ୍କଠାରେ ଆଦିତ୍ୟଙ୍କ ମୃତ୍ୟୁର କାରଣ ଜଣାଇବାକୁ ହେବ ଓ ଶବ ଦେଖାଇବାକୁ ହେବ । କିନ୍ତୁ ବର୍ତ୍ତମାନ ଦୁଇଟି ଯାକ ଅସମ୍ଭବ । କାରଣ ଜଣାଇବାକୁ ହେଲେ ସମସ୍ତ ଗୁପ୍ତ ବିଷୟ ବାହାରେ ପ୍ରକାଶ ପାଇବ । ଅଥଚ ତାଙ୍କର ନିଜତ୍ୱ ହଜି ଯାଉଛି । ପରର ନାମରେ–ବେଶରେ–ଅନ୍ୟର ଆବରଣ ଭିତରେ ଜୀବନସାରା ଅଭିନୟ କରିବାକୁ ହେବ ! ଏହା କ’ଣ ସମ୍ଭବ ! ଭାବୁ ଭାବୁ ଗଗନଙ୍କର ମୁଣ୍ଡ ଗରମ ହୋଇଗଲା । ତାଙ୍କର ସର୍ବସ୍ଵ ଅପହୃତ ହେଉଥିବା ଦେଖି ସେ ଉତ୍ତେଜିତ ହୋଇ ଉଠିଲେ–‘‘କହିଲେ–ନା, ନା, ଏସବୁ ଫନ୍ଦି ଚଳିବ ନାହିଁ । ତୁମେ ମୋତେ ଗୋଟାଏ କୁଣ୍ଡେଇ ଭଳି ଆଉ ବ୍ୟବହାର କରନାହିଁ ।’’

 

ବିନୋଦ ମଧ୍ୟ ଟିକିଏ ଉତ୍ତେଜିତ ହୋଇ କହିଲେ–‘‘କାହାପାଇଁ ଏ ଫନ୍ଦି ଆମେ କରିଛୁ ଗଗନ ? ରାଜ୍ୟ ପାଇଁ, ରାଣୀଙ୍କ ପାଇଁ ନୁହେଁ କି ? କେବଳ ତୁମେ କୁଣ୍ଢେଇ ହୋଇ ନାହିଁ ଆମେ ପ୍ରତ୍ୟେକେ ଏଥିରେ ନିଜର ନିଜତ୍ୱ ହରେଇ ବସିଛୁ ।’’

 

‘‘–ହୋଇପାରେ କିନ୍ତୁ ମୁଁ ଆଉ ଅଧିକ ଦୂର ଯିବାକୁ ଇଚ୍ଛା କରେନା । ବର୍ତ୍ତମାନ ମୁଁ ଭାବୁଛି, ସାଧାରଣଙ୍କ ଆଗେ ପ୍ରକାଶ କରିଦେବି ଯେ, ମୁଁ ପ୍ରକୃତରେ ରାଜା ନୁହେଁ । ରାଜା ମୃତ୍ୟୁମୁଖରେ ପଡ଼ିଛନ୍ତି–ମୋତେ ଛାଡ଼ି ଦିଅ । ମୁଁ ମୋ କୁଟୀରକୁ ଚାଲିଯାଏ । ମୋର କର୍ତ୍ତବ୍ୟ ସରିଛି ।’’

 

ସେତେବେଳେ ଗଗନଙ୍କୁ ଦେଖିଲେ ମନେ ହେଉଥିଲା ଯେପରି ସୁନା ପଞ୍ଜୁରୀରେ ବଣର ଶୁଆଟିଏ ବନ୍ଦୀ ହୋଇ ପ୍ରାଣ ବିକଳରେ ଚେଷ୍ଟା କରୁଛି, ପୁଣି ଥରେ ନିଜ କୋଟରକୁ ଉଡ଼ିଯିବା ପାଇଁ ।

 

ଗଗନଙ୍କ କଥା ଶୁଣି ରାଜନ ଏବଂ ବିନୋଦ ଉଭୟେ ଆସି ତାଙ୍କ ହାତ ଧରି ପକେଇଲେ । ଗଦ ଗଦ କଣ୍ଠରେ ବିନୋଦ କହିଲେ–‘‘ପାଶୋରି ଯାଉଛ–ରାଣୀ–ରାଣୀ–ରାଣୀଙ୍କ କଥା ! ଏତେ ପ୍ରାଣପାତ ପ୍ରଚେଷ୍ଟା ପରେ ତୁମେ ଏଇ ପଦକରେ ଯେ ରାଣୀଙ୍କୁ ନେଇ ପଥର ଭିକାରୁଣୀଠାରୁ ହୀନ କରିଦେବ । କିଏ କିପରି ବିଶ୍ୱାସ କରିବ ଯେ, ରାଣୀ ରାଜାଙ୍କୁ ଚିହ୍ନି ପାରି ନ ଥିଲେ ? ଆଜି ରାଜସିଂହାସନ ଖାଲି ପଡ଼ିଛି ତୁମରି ଉଦ୍ଦେଶ୍ୟରେ । ତାହା ହିଁ ବିଧାତାର ଇଚ୍ଛା । ସ୍ୱର୍ଗତ ଦୀନବନ୍ଧୁ ଯେଉଁ ଆଶଙ୍କାରେ ତୁମକୁ ଆବାଲ୍ୟରୁ ଅରଣ୍ୟ ମଧ୍ୟକୁ ପଠାଇ ଦେଇଥିଲେ ତାହା ହିଁ ବର୍ତ୍ତମାନ ଘଟିଛି । ମନୁଷ୍ୟର ବିଚାର ଓ ବିଧାତାର କାର୍ଯ୍ୟ ସର୍ବଦା ବିପରୀତମୁଖୀ । ତେଣୁ ତୁମେ ଆଜି ବିଧତାର ଆଦେଶରେ ମନ୍ତ୍ରଚାଳିତ ପୁତ୍ତଳିକା ପରି ସୁନ୍ଦରଗଡ଼ ସିଂହାସନ ଉପରେ ପ୍ରତିଷ୍ଠିତ ହେବାକୁ ଯାଉଛ ।’’

 

ରାଜନ କହିଲେ–‘‘ଗଗନ ବାବୁ, ଆମେ ଜଣେ ଅତ୍ୟାଚାରୀ ଆଦିତ୍ୟ ହରାଇ ଆଉ ଜଣେ ଦେବୋପମ ଆଦିତ୍ୟ ପାଉଛୁ । ଏ ସୁଖରୁ ଆମ୍ଭମାନଙ୍କୁ ଏ ରାଜ୍ୟବାସୀଙ୍କୁ ବଞ୍ଚିତ କରିବେ-?’’

 

ଏ ସବୁ ଯୁକ୍ତି ଗଗନଙ୍କ ମନରେ କି ପ୍ରଭାବ ବିସ୍ତାର କଲା କହିବା ଅସମ୍ଭବ । ତାଙ୍କର ବଦନମଣ୍ଡଳ ସେତେବେଳେ ଗୋଟାଏ ବୃନ୍ତଚ୍ୟୁତ ଫୁଲ ପରି ଝାଉଁଳି ପଡ଼ିଥାଏ । ବିନୋଦଙ୍କ ନିବେଦନ ପରେ ମଧ୍ୟ ତାଙ୍କଠାରେ ପରିବର୍ତ୍ତନର କୌଣସି ଲକ୍ଷଣ ଦେଖାଗଲା ନାହିଁ । ସେ ନିସ୍ପନ୍ଦ ଭାବରେ କେବଳ ଠିଆ ହୋଇ ରହିଥାନ୍ତି ।

Image

 

ଅଠତିରିଶ

 

ଜ୍ୟୋସ୍ନାବିଧୌତ ରଜନୀ । ସମୀରଣର ମୃଦୁ ସ୍ପର୍ଶରେ ବୃକ୍ଷଲତା ପୁଲକି ଉଠୁଛନ୍ତି । ପ୍ରତି ପୁଲକରେ ଯେପରି ଗୋଟାଏ ଉତ୍ତେଜନାପୂର୍ଣ୍ଣ ଉଚ୍ଛ୍ୱାସ ପ୍ରାନ୍ତରୁ ପ୍ରାନ୍ତରକୁ ଧାଇଁ ବୁଲୁଛି ।

 

ଗଗନ ପ୍ରସାଦ ମଧ୍ୟରେ ବସି ରହି ହୃଦୟର ସେ ଅବ୍ୟକ୍ତ ବେଦନା ଆଉ ସହ୍ୟ କରି ପାରିଲେ ନାହିଁ । ବିନୋଦଙ୍କର ବାଧ୍ୟବାଧକତା ପୂର୍ଣ୍ଣ ଯୁକ୍ତି; ରାଜନଙ୍କର ବିନୀତ ଅନୁରୋଧ, ଯଦୁ ଏବଂ ବିଜୟର କାକୁତିମିନତି ତାଙ୍କୁ ଅଥୟ କରି ପକାଇଲା । ସେ ସେଠାରୁ ଉଠି ଆସିଲେ ପ୍ରାସାଦର ଉଦ୍ୟାନ ମଧ୍ୟକୁ ଏକାକୀ ନିଜର କର୍ତ୍ତବ୍ୟ ଅବଧାରଣ କରିବାପାଇଁ ।

 

ପାତ୍ର ଅପହୃତ ହେବାଠାରୁ ଆଦିତ୍ୟଙ୍କ ମୃତ୍ୟୁ ପର୍ଯ୍ୟନ୍ତ କୌଣସି ସମ୍ବାଦ ରାଣୀ ସୁଶୀଳାକୁମାରୀ ତଦବିଧି ପାଇନାହାନ୍ତି । ସେ ତାଙ୍କର ଉପହାର ରାଜନଙ୍କ ସୁଦକ୍ଷ ହସ୍ତରେ ଅର୍ପଣ କରି ନିଶ୍ଚିନ୍ତ । ଆଜି ରାଜା ସୁନ୍ଦରଗଡ଼ ଫେରି ଆସିବାର ଶୁଣି ସେ କର୍ମବ୍ୟସ୍ତ । ଏଇ ସମୟରେ ଏ ସକଳ ସମ୍ବାଦ ଖୋଲି କହି ଦେବାପାଇଁ ବୃଦ୍ଧ ବିନୋଦ ବିଷର୍ଣ୍ଣ ବଦନରେ ଅନ୍ତଃପୁର ମଧ୍ୟରେ ପ୍ରବେଶ କଲେ ।

 

X X X

 

ରାଣୀଙ୍କ ସମ୍ମୁଖରେ ବିନୋଦ ସିଂହ ପ୍ରତ୍ୟେକ କଥାକୁ ଅନାବିଳ ଭାଷାରେ ବର୍ଣ୍ଣନା କରିବାକୁ ଲାଗିଲେ । ମୋହନର ହତ୍ୟା ଏବଂ ଆଦିତ୍ୟଙ୍କ ମରଶରୀରର ପରିଣତି କଥା ପର୍ଯ୍ୟନ୍ତ ସେ ନିର୍ବିକାର ଭାବରେ କହିଗଲେ । ପରସ୍ପର ସଂଶ୍ଳିଷ୍ଟ ଏ ଘଟଣାଜାଲ ମଧ୍ୟରେ କୌଣସିଟିକୁ କ୍ଲୁପ୍ତ ବା ଅତିରଞ୍ଜିତ କରି ପ୍ରକାଶ କରିବାର ଉପାୟ ନ ଥିଲା–ଆବଶ୍ୟକତା ମଧ୍ୟ ନ ଥିଲା ।

 

ରାଣୀ ସୁଶୀଳା ରକ୍ତମାଂସ ନିର୍ମିତ ଗୋଟିଏ ପୁତ୍ତଳିକା ଭଳି ବସି ରହି କେବଳ ଶୁଣୁଥାନ୍ତି । ତାଙ୍କର ପ୍ରଶ୍ନ ନାହିଁ–ଉତ୍ତର ନାହିଁ ଏ ମର୍ମନ୍ତୁଦ ବାର୍ତ୍ତା ତାଙ୍କର ଗୋଟିଏ ସ୍ନାଯୁକୁ ମଧ୍ୟ ଯେପରି ବିଚଳିତ କରି ପାରିଲା ନାହିଁ–କୌଣସି ପ୍ରତିକ୍ରିୟା ଦେଖାଯିବା ତ ଦୂରର କଥା । ବିନୋଦ ଜଣେ ରମଣୀର ଏ ଭାବ ଲକ୍ଷ୍ୟକରି ନିଜେ ସ୍ତମ୍ଭୀଭୂତ ହୋଇପଡ଼ିଲେ । ତେଣୁ ସେ କି ଭାଷାରେ ପରବର୍ତ୍ତୀ ପ୍ରସ୍ତାବ ଉପସ୍ଥାପିତ କରିବେ ବୁଝିପାରିଲେ ନାହିଁ ।

 

କିନ୍ତୁ ସମୟ ତ ଅପେକ୍ଷା କରୁନାହିଁ । ଆଜି ରାତି ଭିତରେ ଏହାର ମୀମାଂସା କରିବାକୁ ହିଁ ହେବ । ପରିଣତି ଯାହାହେଉ ପଛେ ଶେଷକଥା ଖୋଲି କହିବାକୁ ହେବ । ବିନୋଦ ପୁଣି ସାହସ ସଂଗ୍ରହ କରି ଗଗନ ଆଦିତ୍ୟ ରୂପେ ଗୃହୀତ ହୋଇଥିବା କଥା ଏବଂ ଫଳରେ ଗଗନଙ୍କ ମାନସିକ ପ୍ରତିକ୍ରିୟା କଥା ଧୀର, ଗମ୍ଭୀର ଅଥଚ ଦୃଢ଼ତାର ସହିତ ଉପସ୍ଥାପିତ କଲେ । ଶେଷରେ କହିଲେ–‘‘ଅନ୍ୟ ଉପାୟ ନାହିଁ । ଏହା ନ ହେଲେ ରାଜ୍ୟର ରକ୍ଷା ନାହିଁ । ଗଗନ ବର୍ତ୍ତମାନ ଉଦ୍ୟାନ ମଧ୍ୟରେ ଚିନ୍ତାମଗ୍ନ ।’’

 

ଏତିକିବେଳେ ବିନୋଦ ଦେଖିଲେ ରାଣୀ ହଠାତ ଆସନ ତ୍ୟାଗ କରି ଉଠିଛନ୍ତି–ମୁଖରେ କୌଣସି ଭାବ ପରିବର୍ତ୍ତନର ଲକ୍ଷଣ ନାହିଁ–ଚକ୍ଷୁରେ ବିନ୍ଦୁଏ ଲୋତକ ନାହିଁ–ଦେହର ଉତ୍ତରୀୟ ବସନ ତଳେ ପଡ଼ିଛି–ଅସ୍ଥିର ପଦ, ଅସମ୍ଭାଳ କେଶବାସ ହୋଇ ଚାଲିଛନ୍ତି ଉଦ୍ୟାନର ପ୍ରବେଶ ଦ୍ୱାର ଅଭିମୁଖରେ । ଏ କି ପରିଣତି ! ବିନୋଦ ଚକିତ ଓ ଶଂକିତ ଚିତ୍ତରେ ତାଙ୍କର ଅନୁସରଣ କରିବାକୁ ଲାଗିଲେ ।

 

X X X

 

ଗଗନ ଉଦ୍ୟାନ ମଧ୍ୟରେ ପ୍ରବେଶ କରି ଅଧୀର ଭାବରେ ପଦଚାରଣ କରୁଥିଲେ । ସେ କେତେବେଳେ ସ୍ଥାଣୁଭାଳି ଦଣ୍ଡାୟମାନ ହୋଇ ଚିନ୍ତାମଗ୍ନ ହୁଅନ୍ତି ତ କେତେବେଳେ ବିଚଳିତ ମସ୍ତିଷ୍କ ବ୍ୟକ୍ତି ଭଳି କ୍ଷୀପ୍ର ଗତିରେ ଦୃକ୍ଷାନ୍ତରାଳକୁ ଚାଲିଯାନ୍ତି । କେତେବେଳେ ଲତାମଣ୍ଡପ ନିକଟରେ ଚମକି ଉଠନ୍ତି ତ, ପୁଣି କେତେବେଳେ ଚନ୍ଦ୍ରିକାଚର୍ଚ୍ଚିତ ଆକାଶ ମଧ୍ୟକୁ ଦୃଷ୍ଟି ନିକ୍ଷେପ କରି ରହନ୍ତି,–କେଉଁ ଅଶରୀରୀର ଆଦେଶକୁ ଅପେକ୍ଷା କଲାଭଳି । ତାଙ୍କରି ହସ୍ତ ଦୁଇଟି କେତେବେଳେ ବଦ୍ଧମୃଷ୍ଟି ହୋଇ ଝୁଲି ରହିଛି ତ ପୁଣି କେଉଁ ମୁହୂର୍ତ୍ତରେ ବିଶାଳ ବକ୍ଷ ଉପରେ ଛନ୍ଦିହୋଇ ପଡ଼ିଛି ।

 

ରାଜନ, ଯଦୁ ଓ ବିଜୟ ଉଦ୍ୟାନର ସଦର ପ୍ରବେଶ ପଥରେ ଗୋପନରେ ରହି ତାଙ୍କର ଏ ଗତିବିଧି ଲକ୍ଷ୍ୟ କରୁଥାନ୍ତି । ସେମାନେ ଦେଖିଲେ, ଶେଷରେ ଗଗନ କୁରୁତା ଭିତରୁ ପତ୍ରଟିଏ ବାହାର କରି ଉଜ୍ୱଳ ଚନ୍ଦ୍ର କିରଣରେ ପଢ଼ିବାକୁ ଚେଷ୍ଟା କରୁ କରୁ କିଛି ସମୟ ଦଣ୍ଡାୟମାନ ହୋଇ ପୁଣି ଚିନ୍ତାମଗ୍ନ ହେଲେ । ପତ୍ରଟି ହାତରେ ଲାଗି ରହିଛି । କ୍ରମେ ତାଙ୍କର ମୁଖମଣ୍ଡଳ ହର୍ଷୋଜ୍ଜ୍ଵଳ ଦେଖାଗଲା । ସେ ଅପେକ୍ଷାକୃତ ସରଳ ଓ ସଂଯତ ଗତିରେ ଉଦ୍ୟାନ ମଧ୍ୟସ୍ଥ ପୁଷ୍କରିଣୀକୁ ପ୍ରଦକ୍ଷିଣ କରିବାକୁ ଲାଗିଲେ ।

 

ବିଜୟ ଏ ପରିବର୍ତ୍ତନର ସୂଚନା ଅନ୍ୟ ଦୁହିଁଙ୍କୁ ଦେବାକୁ ଯାଉଛି, ଦେଖିଲା, ରାଣୀ ସୁଶୀଳାକୁମାରୀ ପାଗଳିନୀ ଭଳି ଅନ୍ତଃପୁର ଦ୍ୱାର ଦେଇ ଉଦ୍ୟାନ ମଧ୍ୟରେ ପ୍ରବେଶ କରୁଛନ୍ତି । ତାଙ୍କର ଅନୁସରଣ କରୁଛନ୍ତି ବୃଦ୍ଧ ବିନୋଦ ସିଂହ । ଏଣେ ରାଜନ ଉଦ୍ୟାନ ପାଚେରୀର ଏକ ଅନ୍ଧକାରାଚ୍ଛନ୍ନ ଅଂଶରେ ଦୁଇଟି ସଚଳ ମନୁଷ୍ୟ ମୂର୍ତ୍ତି ଦେଖି ନିଜର ବର୍ଚ୍ଛାକୁ ଟେକି ଧରି ଅଗ୍ରସର ହେଉଛନ୍ତି ଉତ୍କଣ୍ଠା ସହକାରେ ।

 

କିନ୍ତୁ ଗଗନ କାହାନ୍ତି ? ହଠାତ୍ ଚିତ୍କାର ସହ ଗଗନ ଢଳି ପଡ଼ିଲେ ଏକ ବୃକ୍ଷଛାୟାତଳେ ଏବଂ ତେଣେ ବିନୋଦ ସିଂହ ଭୂପତିତ ହେଲେ ସେହି ପ୍ରବେଶ ଦ୍ୱାର ନିକଟରେ । ଠିକ୍ ସେହି ମୁହୂର୍ତ୍ତରେ ରାଜନ ଓ ବିଜୟଙ୍କ ବର୍ଚ୍ଛା ପ୍ରହାରରେ ପାଚେରୀ ଉପରର ମୂର୍ତ୍ତି ଦୁଇଟି ମଧ୍ୟ ଭୂପତିତ ହେଲେ । ଚତୁର୍ଦ୍ଦିଗରେ ରକ୍ତର ସ୍ରୋତ ବହିଗଲା ।

 

X X X

 

ସୁଶୀଳାକୁମାରୀ ଗଗନଙ୍କ ପାର୍ଶ୍ୱରେ ଜାନୁପାତପୂର୍ବକ ବସି ଦେଖିଲେ ତାଙ୍କରି ସେହି ପତ୍ରଟି ରକ୍ତ ସିକ୍ତ ହୋଇ ରହିଛି ଗଗନଙ୍କ ରକ୍ତାକ୍ତ ଛାତି ଉପରେ । ତାରି ମଧ୍ୟଦେଇ ଭେଦି ଯାଇଛି ଅନନ୍ତର ନିର୍ମମ ବର୍ଚ୍ଛା । ଚାହୁଁ ଚାଁହୁ ସୁଶୀଳାଙ୍କ ହୃତ୍‍ପିଣ୍ଡର କ୍ରିୟା ସ୍ଥିର ହୋଇ ଆସିଲା । ଗଗନଙ୍କ ବକ୍ଷ ଉପରେ ସେ ଢଳି ପଡ଼ିଲେ ।

Image